କିସ୍ତି ଭରିବାର ସଠିକ୍ ଯୋଜନା କରି ଋଣବୋଝରୁ ପାଇପାରିବେ ମୁକ୍ତି।

loan management

ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମେ ଋଣ କରିଥାଉ। ତେବେ ଏହି ଆବଶ୍ୟକତା ପୂରଣ କରିବାକୁ ଯାଇ ଆମେ ଏତେ ପରିମାଣର ଋଣ କରି ବସୁ ଯେ, ତାହା ପରବର୍ତ୍ତୀ ସମୟରେ ଆମ ପାଇଁ ବୋଝ ହୋଇଯାଏ। ବିଭିନ୍ନ ପ୍ରକାର ଋଣ କରି ଏହାର କିସ୍ତି କିପରି ପରିଶୋଧ କରିବାକୁ ହେବ ତାହା ଆମେ ବୁଝିପାରିନଥାଉ। ଫଳରେ ଋଣବୋଝ ପାଇଁ ଆମେ ବିଭିନ୍ନ ପ୍ରକାର ଅବଷାଦ, ମାନସିକ ଚାପ ଓ ରୋଗର ଶିକାର ହେଉ। ତେବେ ସଠିକ୍ ଭାବେ ଋଣ ପରିଚାଳନା କରିପାରିଲେ ଆମେ ଏହି ଚିନ୍ତାରୁ ମୁକ୍ତି ପାଇପାରିବା। ଏଥିପାଇଁ ଆମକୁ କେତେକ ବିଶେଷ ଯୋଜନା କରିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା କିପରି କରିବା ଋଣ ପରିଚାଳନା।

loan management

ସୁଧ ହାର ଅନୁଯାୟୀ ଋଣର ତାଲିକା କରନ୍ତୁ:

ବିଭିନ୍ନ ପ୍ରକାର ଋଣ ପାଇଁ ସୁଧ ହାର ଭିନ୍ନ ଭିନ୍ନ ହୋଇଥାଏ। ଯଦି ଆପଣ ଏକାଧିକ ପ୍ରକାର ଋଣ କରିଛନ୍ତି, ତେବେ ସୁଧ ହାର ଅନୁଯାୟୀ ଏହାର ଏକ ତାଲିକା କରନ୍ତୁ। ସବୁ ଋଣର କିସ୍ତି ଏକ ସଙ୍ଗେ ଦିଅନ୍ତୁ ନାହିଁ। ଯେଉଁ ଋଣରେ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡୁଛି ତାହାକୁ ତାଲିକାର ପ୍ରଥମ ସ୍ଥାନରେ ରଖନ୍ତୁ ଏବଂ ସର୍ବପ୍ରଥମେ ସେହି ଋଣକୁ ଯଥାଶୀଘ୍ର ପରିଶୋଧ କରିବାକୁ ଚେଷ୍ଟା କରନ୍ତୁ। ଅବଶିଷ୍ଟ ଋଣଗୁଡିକୁ ସର୍ବନିମ୍ନ ପରିଶୋଧ ଦେଇ ପରିଚାଳନା କରନ୍ତୁ। ଉଦାହରଣ ସ୍ୱରୂପ ଗୃହଋଣରେ ଆପଣଙ୍କୁ ସାଧାରଣତଃ ୮.%, କାରଋଣ ପାଇଁ ୯%, ଶିକ୍ଷାଋଣ ପାଇଁ ୧୦%, ବ୍ୟକ୍ତିଗତ ଋଣ ପାଇଁ ୧୨%, ଅସୁରକ୍ଷିତ ଋଣ (ଅନସିକ୍ୟୋର ଲୋନ୍) ପାଇଁ ୨୦% ଏବଂ କ୍ରେଡିଟ୍ କାର୍ଡ଼ରେ ଋଣ ନେଲେ ୩୨% ସୁଧ ଦେବାକୁ ପଡୁଛି। ପ୍ରଥମତଃ ଆପଣଙ୍କୁ କ୍ରେଡିଟ୍ କାର୍ଡ ତ୍ୟାଗ କରିବାକୁ ପଡ଼ିବ। ସେହିପରି ଅଧିକ ସୁଧ ଲାଗୁଥିବା ଅସୁରକ୍ଷିତ ଋଣ ଓ ବ୍ୟକ୍ତିଗତ ଋଣକୁ ସର୍ବ ପ୍ରଥମେ ପରିଶୋଧ କରନ୍ତୁ।

loan management pic

ନିର୍ଦ୍ଧାରିତ କିସ୍ତିଠାରୁ ଅଧିକ ଟଙ୍କା ପରିଶୋଧ କରନ୍ତୁ:

ସୁଧହାର ଅନୁଯାୟୀ ଋଣର ତାଲିକା କରିବା ପରେ ଯେଉଁ ଋଣ ଉପରେ ଅଧିକ ସୁଧ ଲାଗୁଛି ତାହାକୁ ତ ପ୍ରଥମେ ସୁଝିବେ, ତେବେ ଏହାର କିସ୍ତି ଆପଣ ନିର୍ଦ୍ଧରିତ ପରିମାଣଠାରୁ ଯଥା ସମ୍ଭବ ଅଧିକ ଦେବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଆପଣଙ୍କୁ କମ୍ ସୁଧ ଦେବାକୁ ପଡ଼ିବ ଓ ଶୀଘ୍ର ଚିନ୍ତାରୁ ମୁକ୍ତି ମିଳିବ। ଉଦାହରଣ ସ୍ୱରୂପ ଯଦି ଆପଣ କୌଣସି ଋଣ ଉପରେ ମାସିକ ୫୦୦୦ ଟଙ୍କା କିସ୍ତି ଦେଉଛନ୍ତି ଏବଂ ଏହି କିସ୍ତି ଆପଣ ୪୧ ମାସ ପର୍ଯ୍ୟନ୍ତ ଦେଉଛନ୍ତି, ତେବେ ଆପଣଙ୍କୁ ୨,୦୫,୦୦୦ ଟଙ୍କା ଦେବାକୁ ପଡ଼ିବ। ଯଦି ଆପଣ ଏହାର କିସ୍ତିକୁ ଦୁଇଗୁଣା ବଢାଇ ୧୦,୦୦୦ ଟଙ୍କା ଲେଖାଏ ଦେବେ, ତେବେ ଆପଣଙ୍କୁ ୩ଗୁଣା ଫାଇଦା ମିଳିବ ଅର୍ଥାତ ଆପଣ ୧୩ ମାସର କିସ୍ତି ଦେବେ। ସେହିପରି ଯଦି ଆପଣ ଏହି କିସ୍ତିକୁ ୪ ଗୁଣା ବଢାଇ ୨୦,୦୦୦ ଟଙ୍କା ଲେଖାଏ ଦେବେ, ତେବେ ଆପଣଙ୍କୁ ୭ଗୁଣା ଫାଇଦା ମିଳିବ। ଅର୍ଥାତ ଆପଣ ୬ମାସ କିସ୍ତି ଦେବେ।

loan management

କ୍ରେଡିଟ୍ ବିଲ୍ ପ୍ରତି ଧ୍ୟାନ ଦିଅନ୍ତୁ:

ଋଣ ପରିଶୋଧ ସମୟରେ ଆପଣଙ୍କ କ୍ରେଡିଟ୍ ବିଲ୍ ପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଯଦି ଆପଣ ନିର୍ଦ୍ଧାରିତ ସମୟରେ କିସ୍ତି ଦେଇପାରିବେ ନାହିଁ, ତେବେ ଆପଣଙ୍କୁ ଏଥିପାଇଁ ଜରିମାନା ଓ ଅଧିକ ସୁଧ ଦେବାକୁ ପଡ଼ିପାରେ। ଏଥିସହ ଆପଣଙ୍କ କ୍ରେଡିଟ୍ ବିଲ୍ ଖରାପ ହୋଇଗଲେ, ଭବିଷ୍ୟତରେ ଆପଣଙ୍କୁ ଋଣ ମିଳିବାରେ ଅସୁବିଧା ହୋଇଥାଏ।

ଘରେ ଥିବା ଅଦରକାରୀ ସାମଗ୍ରୀ ବିକ୍ରି କରନ୍ତୁ:

ଘରେ ଥିବା ବିଭିନ୍ନ ଅଦରକାରୀ ବା ଅବବ୍ୟବହୃତ ଜିନିଷକୁ ଆପଣ ବିକ୍ରି କରିଦିଅନ୍ତୁ। ଯେପରିକି ବିଭିନ୍ନ ଅଦରକାରୀ ଫର୍ନିଚର, ପୁରୁଣା ମୋବାଇଲ, ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ (ଟିଭି, ହିଟର ଆଦି), କମ୍ପ୍ୟୁଟର, ସାଇକେଲ, ବହି ଓ ବିଭିନ୍ନ ବାଦ୍ୟଯନ୍ତ୍ର ଆଦି। ଏସବୁ ଆପଣ ଓଏଲଏକ୍ସ କିମ୍ବା କୁଇକର ଆଦି ସାଇଟରେ ବିକ୍ରି କରିପାରିବେ। ଏ ବାବଦରେ ମିଳୁଥିବା ଟଙ୍କାରେ ଆପଣ ବିଭିନ୍ନ କିସ୍ତି ପରିଶୋଧ କରିପାରିବେ।

loan management

ମିତବ୍ୟୟୀ ହୁଅନ୍ତୁ ବା ଅଦରକାରୀ ସାମଗ୍ରୀ କିଣନ୍ତୁ ନାହିଁ:

ଆପଣ ସାଧାରଣତଃ ଖର୍ଚ୍ଚ ବଞ୍ଚାଇବାକୁ ଉଦ୍ୟମ କରିବା ଆବଶ୍ୟକ। ଯେଉଁ ସାମଗ୍ରୀ ଆପଣଙ୍କର ବିଶେଷ ଆବଶ୍ୟକ ନୁହେଁ ବା ଯାହା ନ ହେଲେ ଚଳିବ ସେଥିପାଇଁ ଖର୍ଚ୍ଚ କରନ୍ତୁ ନାହିଁ। ଆତ୍ମ ସନ୍ତୁଷ୍ଟି ପାଇଁ ଆବଶ୍ୟକ ବିଭିନ୍ନ ସାମଗ୍ରୀ, ବାହାରେ ଖାଇବା ପିଇବା, ଅନାବଶ୍ୟକ ଭାବେ ମାସିକ ସବସ୍କ୍ରାଇବ୍ କରିଥିବା ବିଭିନ୍ନ ସେବା, ମୂଲ୍ୟହୀନ ସାମଗ୍ରୀ ଆଦି ବାବଦରେ ଖର୍ଚ୍ଚ କରିବାରୁ ଦୂରେଇ ରୁହନ୍ତୁ।

ଅଲଗା ଉତ୍ସରୁ ହେଉଥିବା ଆୟକୁ କିସ୍ତି ସୁଝିବାରେ ବ୍ୟବହାର କରନ୍ତୁ:

ଯଦି ଆପଣ ଓ ଆପଣଙ୍କ ପତ୍ନୀ ଉଭୟ ଚାକିରିଆ ବା ରୋଜଗାରକ୍ଷମ, ତେବେ ଜଣଙ୍କ ଦରମାରେ ଘର ଚଳାଇ ଅନ୍ୟ ଜଣଙ୍କ ଦରମାରେ କିସ୍ତି ଦିଅନ୍ତୁ। ଯଦି କେବଳ ଆପଣ ହିଁ ରୋଜଗାରକ୍ଷମ, ତେବେ ଅତିରିକ୍ତ ଆୟ କରିବାକୁ ଉଦ୍ୟମ କରନ୍ତୁ। ଆଜିକାଲି ବିଭିନ୍ନ ଉପାୟରେ ଲୋକେ ଅତିରିକ୍ତ ଆୟ କରୁଛନ୍ତି।  ଯେପରିକି ଫ୍ରିଲାନ୍ସ ଫଟୋଗ୍ରାଫି, କଣ୍ଟେଣ୍ଟ ରାଇଟିଙ୍ଗ୍, ଟ୍ୟୁଶନ, ଏଲଆଇସି ଏଜେଣ୍ଟ, ଡାଟା ଏଣ୍ଟ୍ରି, ମାର୍କେଟିଂ ଏକଜିକ୍ୟୁଟିଭ୍, ଓଲା ବା ଉବେର ଡ୍ରାଇଭିଂ ଆଦି କାର୍ଯ୍ୟ ଆପଣ କରିପାରିବେ। ଏଥିରୁ ଆୟ ଅର୍ଥରେ ଆପଣ କିସ୍ତି ପରିଷୋଧ କରିପାରିବେ।

NSC

ଜରୁରୀକାଳୀନ ସଞ୍ଚୟ ପାଣ୍ଠି:

ଆପଣ ନିଜର ଏକ ଜରୁରୀକାଳୀନ ସଞ୍ଚୟ ପାଣ୍ଠି କରନ୍ତୁ। ଏହାକୁ ଆପଣ ଆବଶ୍ୟକ ସମୟରେ ଉଠାଇ ଖର୍ଚ୍ଚ କରିପାରିବେ ଏବଂ ଋଣ କରିବାରୁ ମୁକ୍ତି ପାଇପାରିବେ। ସେହିପରି ଏହି ପାଣ୍ଠିକୁ ଆପଣ ବିଭିନ୍ନ ଛୋଟ ଛୋଟ ଯୋଜନା, ମ୍ୟୁଚୁଆଲ ଫଣ୍ଡ ଆଦିରେ ଜମା କରି ଯେତେବେଳେ ଚାହିଁବେ ଉଠାଇ ପାରିବେ।

ନିର୍ଦ୍ଧିଷ୍ଟ ବଜେଟ ପ୍ରସ୍ତୁତ କରନ୍ତୁ:

ବିଭିନ୍ନ ପ୍ରକାର ଖର୍ଚ୍ଚରୁ ବଞ୍ଚିବା ପାଇଁ ଆପଣ ଏକ ନିର୍ଦ୍ଧିଷ୍ଟ ବଜେଟ୍ ପ୍ରସ୍ତୁତ କରନ୍ତୁ। ଏ ସମ୍ପର୍କରେ ସମସ୍ତେ ଜାଣିଥିଲେ ମଧ୍ୟ କେହି ଉପଯୋଗ କରନ୍ତି ନାହିଁ। ଆପଣଙ୍କ ବିଦ୍ୟୁତ୍ ବିଲ୍, ରାଶନ ସାମଗ୍ରୀ, ଘରଭଡ଼ା, ପାଣି ବିଲ୍, ଖାଦ୍ୟ, କ୍ରେଡିଟ୍ କାର୍ଡ, ଋଣ, ମନୋରଞ୍ଜନ ଧର୍ମୀ ଖର୍ଚ୍ଚ ଆଦି ବାବଦରେ ଆପଣ କେତେ ଟଙ୍କା ବିନିଯୋଗ କରିବେ ତାହା ସ୍ଥିର କରନ୍ତୁ। ଏହା ପରେ କେତେ ଟଙ୍କା ଖର୍ଚ୍ଚ କଲେ ତାହାର ଏକ ସାରଣୀ କରନ୍ତୁ ଓ ଏଥିରେ କେତେ ସଫଳ ହେଲେ ତାହା ନିର୍ଦ୍ଧାରଣ କରନ୍ତୁ। ଏହା ଫଳରେ ଆପଣ ନିଜ ଖର୍ଚ୍ଚ ବଞ୍ଚାଇପାରିବେ।  ସେହିପରି ଖର୍ଚ୍ଚ କରିବାବେଳେ ନିଜର ଭାବପ୍ରବଣତାକୁ ନିୟନ୍ତ୍ରଣ କରି ବୁଦ୍ଧିମତାକୁ ଖଟାନ୍ତୁ।

Money

ଅଚାନକ ମିଳୁଥିବା ଲାଭକୁ ଋଣ ପରିଶୋଧରେ ଲଗାନ୍ତୁ:

ଯଦି ଆପଣଙ୍କୁ କୌଣସି ସୂତ୍ରରୁ ଅଚାନକ କିଛି ଟଙ୍କା ମିଳିଯାଏ, ତେବେ ତାହାକୁ ଋଣ ପରିଶୋଧରେ ବିନିଯୋଗ କରନ୍ତୁ। ଯେପରିକି ଟ୍ୟାକ୍ସ ରିଫଣ୍ଡ, କୌଣସି ସାମଗ୍ରୀ ବିକ୍ରି ବାବଦ ଟଙ୍କା, କୌଣସି ବାଜିରେ ଜିତିଥିବା ଅର୍ଥ, ବୋନସ, ଇନସେଣ୍ଟିଭ ଆଦି ଅର୍ଥକୁ ଅଯଥା ଖର୍ଚ୍ଚ ନ କରି ଋଣ ପରିଶୋଧରେ ବିନିଯୋଗ କରନ୍ତୁ।