ପିଏମଭିଭିୱାଇରେ ଜମା ରଖି ପାଆନ୍ତୁ ୧ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ

pmvvy

ପିଏମଭିଭିୱାଇ’ଣ?

ସାଧାରଣତଃ ବରିଷ୍ଠ ନାଗରିକମାନେ ପରିଣତ ବୟସରେ ରୋଜଗାର କରିପାରି ନ ଥାନ୍ତି। ତେଣୁ ନିଜ ଜମାଟଙ୍କା ଉପରେ ମିଳୁଥିବା ମାସିକ ସୁଧ ଦ୍ୱାରା ଚଳିବା ସେମାନଙ୍କ ପାଇଁ ସୁବିଧାଜନକ ହୋଇଥାଏ। ତେବେ ସୁଧହାରରେ ସବୁବେଳେ ହ୍ରାସ ବୃଦ୍ଧି ଲାଗିରହିଥାଏ, ଯାହାକି ଜମାକାରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର କରିଛନ୍ତି ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଧନ ଯୋଜନା (ପିଏମଭିଭିୱାଇ)। ଏହା ଏକ ପେନସନ ଯୋଜନା, ଯାହାକି କେବଳ ବରିଷ୍ଠ ନାଗରିକମାନଙ୍କ ପାଇଁ ଉର୍ଦ୍ଦିଷ୍ଟ। ଏଥିରେ ୮%ରୁ ଅଧିକ ହାରରେ ସୁଧ ମିଳିଥାଏ। ଏଥିରେ ଆପଣ ଅତିବେଶିରେ ୧୫ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିପାରିବେ।

pmvvy

ପିଏମଭିଭିୱାଇ ପାଇଁ ଯୋଗ୍ୟତା:

ଏହି ଯୋଜନାରେ ଜମାଖାତା ଖୋଲିବା ପାଇଁ ଜମାକାରୀଙ୍କ ବୟସ ଅତିକମରେ ୬୦ ବର୍ଷ ହୋଇଥିବା ଆବଶ୍ୟକ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ସମସ୍ତ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀମାନେ ଏହି ଯୋଜନାରେ ଟଙ୍କା ଜମା ରଖିପାରିବେ।

କିପରି କରିବେ ଆବେଦନ?

ଏହି ଯୋଜନାରେ ସାମିଲ ହେବା ପାଇଁ ଆପଣ ଉଭୟ ଅନଲାଇନ୍ ଓ ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଯଦି ଆପଣ ଅନଲାଇନରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଏଲଆଇସିର ୱେବସାଇଟକୁ ଯାଇ ଆବେଦନ କରିପାରିବେ ଏବଂ ଯଦି ଅଫଲାଇନରେ ଆବେଦନ କରିବାକୁ ଚାହାନ୍ତି, ତେବେ ଏଲଆଇସିର କୌଣସି ଶାଖା କାର୍ଯ୍ୟାଳୟକୁ ଯାଇ ଫର୍ମ ଯୋଗେ ଆବେଦନ କରିପାରିବେ। ଏହି ଯୋଜନାରେ ଆପଣଙ୍କୁ ଥରେ ମାତ୍ର ଏକ ବଡ଼ ଆମଉଣ୍ଟର ଟଙ୍କା ଜମା ରଖିବାକୁ ହୋଇଥାଏ। ଏହି ଟଙ୍କା ପରିମାଣ ଅତିକମରେ ୧.୫ ଲକ୍ଷ ଏବଂ ଅତିବେଶିରେ ୧୫ଲକ୍ଷ ଟଙ୍କା ସ୍ଥିର କରାଯାଇଛି।

pan card

ଆବଶ୍ୟକ ପ୍ରମାଣପତ୍ର:

  • ପାନ କାର୍ଡର ନକଲ।
  • ଠିକଣା ପ୍ରମାଣପତ୍ର ( ଆଧାର କାର୍ଡ, ପାସପୋର୍ଟ)
  • ବ୍ୟାଙ୍କ ଜମାଖାତାର ନକଲ ଓ ଏକ ବ୍ୟାଙ୍କ ଚେକ୍

money

କିପରି ମିଳିଥାଏ ପେନସନ?

ଏହି ଯୋଜନାରେ ଜମାକାରୀ ନିଜ ପସନ୍ଦ ମୁତାବକ ପ୍ରତି ୧ ମାସ, ୩ ମାସ, ୬ ମାସ କିମ୍ବା ୧ବର୍ଷରେ ଥରେ ପେନସନ ପାଇପାରିବେ। ତେବେ ବାର୍ଷିକ ପେନସନ ପାଇବାକୁ ହେଲେ ଜମାକାରୀଙ୍କୁ ଅତିକମରେ ୧,୪୪,୫୭୮ ଟଙ୍କା ଏବଂ ଅତିବେଶିରେ ୧୪,୪୫,୭୮୩ ଟଙ୍କା ଜମା କରିବାକୁ ହୋଇଥାଏ।  ସେହିପରି ୬ମାସରେ ଥରେ ପେନସନ ପାଇବାକୁ ହେଲେ ୧,୪୭,୬୦୧ରୁ ୧୪,୭୬,୦୧୪, ତ୍ରୈମାସିକ ପେନସନ ପାଇଁ ୧,୪୯,୦୬୮ରୁ ୧୪,୯୦,୬୮୪, ମାସିକ ପେନସନ ପାଇଁ ୧,୫୦,୦୦୦ରୁ ୧୫,୦୦,୦୦୦ ଟଙ୍କା ଜମା କରିବାକୁ ହୋଇଥାଏ। ସାଧାରଣତଃ ଏହି ଯୋଜନାରେ ୮%ରୁ ୮.୩୦% ହାରରେ ସୁଧ ମିଳିଥାଏ। ତେବେ ଏହା ଆପଣଙ୍କ ପେନସନ ସମୟ (ମାସିକ, ତ୍ରୈମାସିକ, ଷାଣ୍ମାସିକ କିମ୍ବା ବାର୍ଷିକ) ଉପରେ ନିର୍ଭର କରିଥାଏ। ଯଦି ଆପଣ ମାସିକ ପେନସନ ପାଉଛନ୍ତି ତେବେ ଆପଣଙ୍କୁ ୮% ଏବଂ ବାର୍ଷିକ ପେନସନ ପାଇଁ ୮.୩୦% ସୁଧ ହାରରେ ପେନସନ ମିଳିଥାଏ। ଏହି ଯୋଜନାରେ ଆପଣ ସର୍ବନିମ୍ନ ୧,୦୦୦ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ପେନସନ ପାଇପାରିବେ।

ମ୍ୟାଚୁରିଟି ପିରିୟଡ ବା ପୂର୍ଣ୍ଣତା ଅବଧି:

ଏହି ଯୋଜନାର ମ୍ୟାଚୁରିଟି ପିରିୟଡ ୧୦ବର୍ଷ ରହିଛି। ତେବେ ଏହା ପୂର୍ବରୁ ଯଦି ଜମାକାରୀଙ୍କ ମୃତ୍ୟୁ ଘଟେ, ତେବେ ଜମା ଟଙ୍କା ମିଳିଥାଏ। ସେହିପରି ଗୁରୁତର ଅସୁସ୍ଥତା କ୍ଷେତ୍ରରେ ମଧ୍ୟ ପ୍ରିମ୍ୟାଚର ୱିଥଡ୍ରଲ କରିହେବ। ଏ କ୍ଷେତ୍ରରେ ଆପଣ ଜମା ଟଙ୍କାର ୯୮% ଟଙ୍କା ଉଠାଇପାରିବେ।

ପିଏମଭିଭିୱାଇରେ ଋଣ ସୁବିଧା:

ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଧନ ଯୋଜନାରେ ଜମାକାରୀ ଋଣ ମଧ୍ୟ ନେଇପାରିବେ। ତେବେ ଏହି ଋଣ ସେମାନଙ୍କୁ ଜମାଖାତା ଖୋଲିବାର ୩ବର୍ଷ ପରେ ହିଁ ମିଳିପାରିବ। ଜମାକାରୀ ନିଜ ଜମା ଟଙ୍କାର ୭୫% ଟଙ୍କା ଋଣ ଆକାରରେ ନେଇପାରିବେ। ଏହାର ସୁଧ ପ୍ରତି ୩ ମାସରେ ନିର୍ଦ୍ଧାରିତ ହୋଇଥାଏ ଏବଂ ଏହି ସୁଧ ଟଙ୍କା ସେମାନଙ୍କୁ ପ୍ରତି ୬ମାସରେ ଥରେ ଦେବାକୁ ହୋଇଥାଏ। ବିଶେଷକରି ଏହି ଅର୍ଥ ସେମାନଙ୍କ ପେନସନ ଟଙ୍କାରୁ କାଟି ଦିଆଯାଇଥାଏ।