Tax Discount

ସେକ୍ସନ ୮୦-ସିରେ ଥିବା ସୁବିଧା ବିଷୟରେ ଜାଣନ୍ତୁ, ୧.୫ ଲକ୍ଷ ଟଙ୍କା ଉପରେ ଟିକସ ରିହାତି ପାଆନ୍ତୁ

ସେକ୍ସନ ୮୦ସି:

ବିଭିନ୍ନ ପ୍ରକାର ନିବେଶ, ଖର୍ଚ୍ଚ, ପେମେଣ୍ଟ ବା ଦେୟ ଏବଂ ଆୟ ଉପରେ ଲାଗୁ ହେଉଥିବା ଟ୍ୟାକ୍ସ (ଟିକସ)ରେ ରିହାତି ପାଇବା ନିମନ୍ତେ ଆଇନରେ ବ୍ୟବସ୍ଥା ରହିଛି। ଫାଇନାନ୍ସ ଆକ୍ଟ-୨୦୦୫ ଅନୁଯାୟୀ ସେକ୍ସନ ୮୦ସି ଆପଣଙ୍କୁ ୧.୫ ଲକ୍ଷ ଟଙ୍କାର କାରବାର ଉପରେ ଟିକସ ଛାଡ଼ ପାଇବାର ଅଧିକାର ପ୍ରଦାନ କରିଥାଏ। ତେବେ ସବୁ କ୍ଷେତ୍ରରେ ସେକ୍ସନ ୮୦ସି ଲାଗୁ ହୋଇ ନ ଥାଏ। କିନ୍ତୁ ସେକ୍ସନ ୮୦ସି ଅଧୀନରେ ଆସୁଥିବା ଯେକୌଣସି ନିବେଶ, ଖର୍ଚ୍ଚ ବା ପେମେଣ୍ଟରେ ଆପଣଙ୍କୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାରରେ ଆଦୌ ଟିକସ ଦେବାକୁ ପଡ଼ି ନ ଥାଏ। ଯଦି ଆପଣ ଅଧିକ ଟଙ୍କାର କାରବାର କରୁଛନ୍ତି, ତେବେ ସେକ୍ସନ ୮୦ସି ଅନୁଯାୟୀ ଆପଣ ୧.୫ ଲକ୍ଷ ଟଙ୍କା ଉପରେ ରିହାତି ପାଇବା ପରେ ଅବଶିଷ୍ଟ ଟଙ୍କା ଉପରେ ଟିକସ ଦେବେ। ସେକ୍ସନ ୮୦ସି ବ୍ୟତୀତ ସେକ୍ସନ ୮୦ସିସିସି, ୮୦ସିସିଡି, ୮୦ସିସିଏଫ, ୮୦ସିସିଜି, ୮୦ଡି, ୮୦ଡିଡି, ୮୦ଡିଡିବି, ୮୦ଇ, ୮୦ଇଇ, ୮୦ଜି, ୮୦ଜିଜି, ୮୦ଟିଟିଏ, ୮୦ଟିଟିବି, ୮୦ୟୁ ଆଦି ବିଭିନ୍ନ ସେକ୍ସନରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଟିକସ ରିହାତି ବ୍ୟବସ୍ଥା ରହିଛି।

କେଉଁଥିରେ ପାଇବେ ସେକ୍ସନ ୮୦ସିର ସୁବିଧା?

Section 80-c

ସାଧାରଣତଃ ନିମ୍ନଲିଖିତ ନିବେଶ, ଯୋଜନା, ଜମା, ଆୟ ଓ ଦେୟ କ୍ଷେତ୍ରରେ ଆପଣ ସେକ୍ସନ ୮୦ସି ଅନୁଯାୟୀ ୧.୫ଲକ୍ଷ ଟଙ୍କା ଉପରେ ଟିକସ ରିହାତି ପାଇପାରିବେ।

-ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍) ଏବଂ ଭଲ୍ୟୁଣ୍ଟାରି ପ୍ରୋଭିଡେଣ୍ଟ ଫଣ୍ଡ (ଭିପିଏଫ୍)

ପ୍ରୋଭିଡେଣ୍ଟ ଫଣ୍ଡ ବା ଭବିଷ୍ୟନିଧି ପାଣ୍ଠିରେ ଆପଣ ସେକ୍ସନ ୮୦ସି ଅନୁଯାୟୀ ଟିକସ ରିହାତି ପାଇପାରିବେ। ପିଏଫ୍‌ ଅର୍ଥ ସାଧାରଣତଃ କର୍ମଚାରୀଙ୍କ ସାଲେରି ଆକାଉଣ୍ଟରୁ ସ୍ୱତଃ କଟିଥାଏ। ଏଥିରେ କର୍ମଚାରୀଙ୍କ ଦରମାରୁ ଯେତିକି ଅର୍ଥ କଟିଥାଏ, ଠିକ୍ ସେତିକି ପରିମାଣର ଅର୍ଥ ନିଯୁକ୍ତିଦାତା ଦେଇଥାନ୍ତି। ଏହାବାଦ୍ ଆପଣ ମଧ୍ୟ ପିଏଫ୍‌ ଫଣ୍ଡରେ ଅଧିକ ପରିମାଣର ଅର୍ଥ ଭିପିଏଫ୍‌ ଅନୁଯାୟୀ ଜମା କରିପାରିବେ।

-ପିପିଏଫ୍ (ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ)

ସ୍ୱଳ୍ପ ସଞ୍ଚୟ ଯୋଜନାଗୁଡ଼ିକ ମଧ୍ୟରେ ସାଧାରଣତଃ ପିପିଏଫ୍ ହେଉଛି ସବୁଠାରୁ ଭଲ ଯୋଜନା। ଏଥିରେ ଆପଣ ସର୍ବନିମ୍ନ ୫୦୦ରୁ ୧.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିପାରିବେ। ଏହାର ମ୍ୟାଚୁରିଟି ପିରିୟଡ ସର୍ବନିମ୍ନ ୧୫ବର୍ଷ। ଏଥିରେ ଆପଣ ୮%ରୁ ୯% ପର୍ଯ୍ୟନ୍ତ ହାରରେ ସୁଧ ପାଇପାରିବେ। ଏଥିରେ ମଧ୍ୟ ଆପଣ ସେକ୍ସନ ୮୦ସି ଅନୁଯାୟୀ ଟିକସ ରିହାତି ପାଇପାରିବେ।

-ଏଲ୍ଆଇସି ବା ଲାଇଫ୍ ଇନସ୍ୟୁରାନ୍ସ ପ୍ରିମିୟମ

ଆପଣ ନିଜ ନାମରେ କିମ୍ବା ନିଜ ପରିବାର ସଦସ୍ୟଙ୍କ ନାମରେ ହେଉ ଅବା କୌଣସି ସମ୍ପର୍କୀୟଙ୍କ ନାମରେ ଯଦି ଏଲ୍ଆଇସି କରିଛନ୍ତି, ତେବେ ଆପଣଙ୍କୁ ସେକ୍ସନ ୮୦ସି ଅନୁଯାୟୀ ଟିକସ ରିହାତି ମିଳିପାରିବ। ଯଦି ଆପଣ ନିଜ ନାମରେ ଏକାଧିକ ଏଲଆଇସି କରିଛନ୍ତି, ସେଥିରେ ମଧ୍ୟ ଆପଣ ଟିକସ ରିହାତି ପାଇପାରିବେ।

– ଇଏଲଏସଏସ (ଇକୁଇଟି ଲିଙ୍କ୍ଡ ସେଭିଙ୍ଗ ସ୍କିମ)

କେତେକ ମ୍ୟୁଚୁଆଲ ଫଣ୍ଡ ନିବେଶରେ ଆପଣ ସେକ୍ସନ ୮୦ସି ଅନୁଯାୟୀ ଟିକସ ରିହାତି ପାଇଥାନ୍ତି। ସେଥିମଧ୍ୟରେ ଇଏଲଏସଏସ (ଇକୁଇଟି ଲିଙ୍କ୍ଡ ସେଭିଙ୍ଗ ସ୍କିମ) ଅନ୍ୟତମ।

– ୫ବର୍ଷିୟା ଫିକ୍ସ ଡିପୋଜିଟ୍

ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ୫ବର୍ଷିୟା ଫିକ୍ସ ଡିପୋଜିଟ୍ ରଖିଲେ ଆପଣଙ୍କୁ ସେକ୍ସନ ୮୦ସି ଅନୁଯାୟୀ ଟିକସ ରିହାତି ମିଳିଥାଏ।

tax

-ଇନଫ୍ରାଷ୍ଟ୍ରକ୍ଚର ବଣ୍ଡ

ଇନଫ୍ରାଷ୍ଟ୍ରକଚର ବଣ୍ଡରେ ନିବେଶ କଲେ ମଧ୍ୟ ଆପଣ ଟିକସ ରିହାତି ପାଇପାରିବେ। ତେବେ ବିଶେଷକରି ତାହା ସରକାରୀ ବଣ୍ଡ ହୋଇଥିବା ଆବଶ୍ୟକ।

-ଏନଏସସି (ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ)

ଏନଏସସି (ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ) ହେଉଛି ଏକ ପ୍ରକାର ପୋଷ୍ଟ ଅଫିସ ସଞ୍ଚୟ ଯୋଜନା। ଏଥିରେ ଯେକୌଣସି ଭାରତୀୟ ନାଗରିକ ଟଙ୍କା ଜମା ରଖି ସେକ୍ସନ ୮୦ସି ଅନୁଯାୟୀ ଟିକସ ରିହାତି ପାଇପାରିବେ।

-ଏନପିଏସ (ନ୍ୟାଶନାଲ ପେନସନ ସ୍କିମ)

ଏନପିସିରେ ଆପଣ ସେକ୍ସନ ୮୦ସି ଅନୁଯାୟୀ ୧.୫ ଲକ୍ଷ ଟଙ୍କା ଉପରେ ଟିକସ ରିହାତି ପାଇପାରିବେ। ଏହାବାଦ ସେକ୍ସନ ୮୦ସିସିଡିର ଧାରା ୧-ବି ଅନୁଯାୟୀ ଅତିରିକ୍ତ ୫୦ହଜାର ଟଙ୍କା ଉପରେ ଟିକସ ରିହାତି ପାଇପାରିବେ। ଅର୍ଥାତ ଏହି ଯୋଜନାରେ ଆପଣ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉପରେ ଟିକସ ରିହାତି ପାଇପାରିବେ।

-ସୁକନ୍ୟା ସମୃଦ୍ଧି ଯୋଜନା

ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ଯୋଜନା, ଯାହାକି ୨୦୧୫ ଜାନୁୟାରୀ ୨୨ରୁ କରାଯାଇଛି। ଏଥିରେ ଟଙ୍କା ଜମା ରଖିଲେ ମଧ୍ୟ ଟିକସ ରିହାତି ପାଇଥାନ୍ତି।

୧୦-ପିଲାମାନଙ୍କ ଏଜୁକେଶନ ଫି

ପିଲାମାନଙ୍କ ଏଜୁକେଶନ ଫି ବା ଶିକ୍ଷା ଖର୍ଚ୍ଚ ଉପରେ ମଧ୍ୟ ଆପଣ ଟିକସ ରିହାତି ପାଇପାରିବେ। ତେବେ ଏହା କେବଳ ଆପଣଙ୍କ ୨ଟି ପିଲାଙ୍କ ଶିକ୍ଷା ନିମନ୍ତେ ପ୍ରଜୁର୍ଯ୍ୟ ହେବ।

80-c

୧୧-ହୋମଲୋନ୍ ପ୍ରିନ୍ସପାଲ ରିପେମେଣ୍ଟ

ଗୃହଋଣ ଉପରେ ଆପଣ ଦେଉଥିବା ଇଏମ୍ଆଇର ପ୍ରିନ୍ସପାଲ ରିପେମେଣ୍ଟ କ୍ଷେତ୍ରରେ ସେକ୍ସନ ୮୦ସି ଅନୁଯାୟୀ ଟିକସ ରିହାତି ପାଇପାରିବେ। ଯଦିଓ ଏହାର ଇଣ୍ଟରେଷ୍ଟ (ସୁଧ) ଉପରେ ଟିକସ ରିହାତି ସୁବିଧା ରହିଛି, ତେବେ ତାହା ଆୟକର ଆଇନର ସେକ୍ସନ ୨୪ ଅନୁଯାୟୀ ମିଳିଥାଏ।

୧୨ଗୃହ ପାଇଁ ପଞ୍ଜୀକରଣ ଷ୍ଟାମ୍ପ ଡ୍ୟୁଟି ବାବଦ ଚାର୍ଜ

ଆପଣ ଘର କିଣିବା ନିମନ୍ତେ ଷ୍ଟାମ୍ପ ଡ୍ୟୁଟି ବାବଦରେ ଦେବାକୁ ଥିବା ଟଙ୍କା ଏବଂ ବିଭିନ୍ନ କାଗଜପତ୍ର ରେଜିଷ୍ଟ୍ରେଶନ (ପଞ୍ଜୀକରଣ) ନିମନ୍ତେ ଦେଉଥିବା ଦେୟ କ୍ଷେତ୍ରରେ ମଧ୍ୟ ସେକ୍ସନ ୮୦ସି ଅନୁଯାୟୀ ଟିକସ ରିହାତି ପାଇପାରିବେ।

୧୩-ଏସସିଏସଏସ (ସିନିୟର ସିଟିଜେନ୍ ସେଭିଙ୍ଗ ସ୍କିମ)

କେନ୍ଦ୍ର ସରକାରଙ୍କ ଏସସିଏସଏସ (ସିନିୟର ସିଟିଜେନ୍ ସେଭିଙ୍ଗ ସ୍କିମ) ବା ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାକୁ ମଧ୍ୟ ନିକଟରେ ସେକ୍ସନ ୮୦ସି ଅଧୀନରେ ସାମିଲ କରାଯାଇଛି। ଏହି ଯୋଜନାରେ ପୁଞ୍ଜି ଜମା କରି ବରିଷ୍ଠ ନାଗରିକ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ୧.୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉପରେ ଟିକସ ରିହାତି ପାଇପାରିବେ।