କ’ଣ ମୁଁ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ବା ଆୟକର ଦାଖଲ କରିବା ଆବଶ୍ୟକ କି। ଆୟକର ଦାଖଲରେ କ’ଣ ମିଳିପାରିବ ଫାଇଦା। ଅଳ୍ପ ରୋଜଗାରରେ କ’ଣ ମୁଁ ଆୟକର ଦାଖଲ କରିବାକୁ ବାଧ୍ୟ କି। ଏଭଳି ଅନେକ ପ୍ରଶ୍ନ ଆମ ମନରେ ସୃଷ୍ଟି ହେବା ସ୍ବାଭାବିକ। କାରଣ ଭାରତରେ ସାଧାରଣତଃ ଅଧିକାଂଶ ଲୋକ ଏ ସମ୍ପର୍କରେ ଜାଣନ୍ତି ନାହିଁ। ତେଣୁ ସେମାନେ ଆୟକର ଦାଖଲ କରନ୍ତି ନାହିଁ। ଏଥିପାଇଁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଆମ ଦେଶରେ ସାଧାରଣତଃ ଆୟକର ଦାଖଲର ରୋଜଗାର ସୀମା ସରକାର ୨.୫ ଲକ୍ଷ ନିର୍ଦ୍ଧାରଣ କରିଛନ୍ତି। ଅର୍ଥାତ ବାର୍ଷିକ ୨.୫ ଲକ୍ଷ କିମ୍ବା ତା’ଠାରୁ ଅଧିକ ରୋଜଗାର କରୁଥିବା ଲୋକ ଆୟକର ଦାଖଲ କରିବାକୁ ବାଧ୍ୟ। ତେଣୁ ଅଳ୍ପ ରୋଜଗାର କରୁଥିବା ବ୍ୟକ୍ତି, ବିଶେଷକରି କୃଷିଜୀବୀ, କ୍ଷୁଦ୍ର ବ୍ୟବସାୟୀମାନେ ଭାବନ୍ତି ଯେ ସେମାନେ ତ ଅଳ୍ପ ରୋଜଗାର କରୁଛନ୍ତି, ତେଣୁ ଆୟକର ଦାଖଲ କରିବେ ନାହିଁ। ହଁ ସେମାନେ ଆୟକର ଦାଖଲ କରିବାକୁ ବାଧ୍ୟ ନୁହନ୍ତି, କିନ୍ତୁ ସେମାନେ ମଧ୍ୟ ଆୟକର ଦାଖଲ କରିପାରିବେ। କାରଣ ଆୟକର ଦାଖଲରେ ମିଳିଥାଏ ଅନେକ ଫାଇଦା। ତେବେ ଆସନ୍ତୁ ଦେଖିବା ଆୟକର ଦାଖଲ କଲେ କ’ଣ ସବୁ ଲାଭ ମିଳେ।

income tax return

ଆୟକର ଦାଖଲର ଫାଇଦା

ଜଣେ ସଚ୍ଚୋଟ ନାଗରିକ ଭାବେ ଆପଣ ସରକାରଙ୍କୁ ଆୟକର ଦାଖଲ କରିବା ଆବଶ୍ୟକ। ଏହା ଫଳରେ ଆପଣ ମଧ୍ୟ ସରକାରଙ୍କଠାରୁ ନିମ୍ନୋକ୍ତ ସୁବିଧା ପାଇପାରିବେ।

ଋଣ ପାଇବାରେ ଫାଇଦା:  ଯଦି ଆପଣ ନିୟମିତ ଭାବେ ଇନକମ୍ ଟ୍ୟାକ୍ସ ରିଟର୍ନ (ଆଇଟିଆର) ବା ଆୟକର ଦାଖଲ କରୁଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କରୁ ବଡ଼ ଧରଣର ଋଣ ମିଳିବାରେ ସୁବିଧା ହୋଇଥାଏ।  ଯେହେତୁ କୃଷକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଋଣ ଆବଶ୍ୟକ ହୋଇଥାଏ ତେଣୁ ସେମାନେ ଆୟକର ଦାଖଲ କରିବା ଆବଶ୍ୟକ। କାରଣ ଆପଣ ଯେତେ ରୋଜଗାର କରନ୍ତୁ ନା କାହିଁକି ଯଦି ଆପଣଙ୍କର କୌଣସି ଆୟ ପ୍ରମାଣପତ୍ର ନାହିଁ କିମ୍ବା ଆପଣ ଆଇଟିଆର ଦାଖଲ କରୁନାହାନ୍ତି, ତେବେ ଆପଣଙ୍କୁ ଋଣ ମିଳିପାରିବ ନାହିଁ।

କୃଷିଋଣ: ବିଶେଷକରି କୃଷିଜୀବୀ ବା କୃଷକମାନେ ଭାବନ୍ତି ଯେ ମୋର ତ ରୋଜଗାର କମ୍ ଏବଂ ମୋର ରୋଜଗାର ଉତ୍ସର କୌଣସି ନିର୍ଦ୍ଦିଷ୍ଟ ପ୍ରମାଣପତ୍ର ନାହିଁ, ତେଣୁ ମୁଁ କାହିଁକି ଆଇଟିଆର ଦାଖଲ କରିବି। ତେବେ ଏଭଳି ଭାବନା ସମ୍ପୂର୍ଣ୍ଣ ଭୁଲ। କାରଣ ଏମିତି ବି କୃଷକ ଅଛନ୍ତି ଯେଉଁମାନେ ବାର୍ଷିକ କୋଟିଏରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଯଦି ବି କୌଣସି କୃଷକ ଏତେ ରୋଜଗାର କରୁନାହାନ୍ତି କିମ୍ବା ବାର୍ଷିକ ୧ଲକ୍ଷରୁ ୨ଲକ୍ଷ ମଧ୍ୟରେ ଆୟ କରୁଛନ୍ତି, ସେମାନେ ମଧ୍ୟ ଆୟକର ଦାଖଲ କରିବା ଆବଶ୍ୟକ। କାରଣ କୃଷକମାନେ ସାଧାରଣତଃ ଟ୍ରାକ୍ଟର,  ପାୱାର ଟିଲର ଆଦି ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ଋଣ ଆବଶ୍ୟକ କରିଥାନ୍ତି। ଏଥିପାଇଁ ଆୟକର ଦାଖଲ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ।

home and car loan

ବ୍ୟବସାୟ, ଗୃହ ଓ କାର ପାଇଁ ଋଣ: ସାଧାରଣତଃ ଛୋଟ ଛୋଟ ବ୍ୟବସାୟୀମାନେ ଆୟକର ଦାଖଲ କରିବାକୁ ଆଗ୍ରହ କରନ୍ତି ନାହିଁ। କିନ୍ତୁ ଆୟକର ଦାଖଲ କଲେ ସେମାନଙ୍କୁ ବ୍ୟବସାୟ ନିମନ୍ତେ ଋଣ ପାଇବା ସହଜ ହୋଇଥାଏ। ସେହିପରି ବ୍ୟବସାୟରେ କ୍ଷତି ହେଲେ ସେମାନେ ଏଥିରୁ କିଛିଟା ସୁବିଧା ମଧ୍ୟ ପାଇଥାନ୍ତି। ଗୃହଋଣ ପାଇବାକୁ ଚାହୁଁଥିଲେ ଆପଣ ବାର୍ଷିକ ୩ଲକ୍ଷ ଏବଂ କାରଋଣ ପାଇଁ ୪ଲକ୍ଷ ଟଙ୍କା ଆୟ ଦେଖାଇଲେ ବିଶେଷ ସୁବିଧା ହୋଇଥାଏ।

Education-India

ଶିକ୍ଷାଋଣସାଧାରଣତଃ ଛାତ୍ରୀଛାତ୍ର ଭାବନ୍ତି ଯେ ଆମ ବାପା ତ କମ୍ ରୋଜଗାର କରୁଛନ୍ତି କିମ୍ବା ଚାଷ କରି ଜୀବିକା ନିର୍ବାହ କରୁଛନ୍ତି, ତେଣୁ ଆମକୁ ଉଚ୍ଚଶିକ୍ଷା ପାଇଁ ଋଣ ମିଳିପାରିବ ନାହିଁ। ତେବେ ଏଭଳି ଭାବନା ସମ୍ପୂର୍ଣ୍ଣ ଭୁଲ। ଯଦି ଆପଣଙ୍କ ବାପା ଆୟକର ଦାଖଲ କରୁଛନ୍ତି, ତେବେ ଆପଣଙ୍କୁ ନିଶ୍ଚିତ ଭାବେ ଶିକ୍ଷାଋଣ ମିଳିପାରିବ। ତେଣୁ ନିଜ ପାଇଁ ନ ହେଲେ ବି ନିଜ ପିଲାମାନଙ୍କ ଭବିଷ୍ୟତ ପାଇଁ ଆମେ ଆୟକର ଦାଖଲ କରିବା ଆବଶ୍ୟକ।

foreign tour paisaplus

ବିଦେଶ ଗସ୍ତ: ବିଦେଶ ଗସ୍ତ ପାଇଁ ଆବଶ୍ୟକ ପ୍ରମାଣପତ୍ର, ଭିସା ଆଦି ପାଇବାକୁ ଆପଣଙ୍କୁ ଆଇଟିଆର ଦାଖଲ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ। ଯଦି ଏହି ପ୍ରମାଣପତ୍ର ଆପଣଙ୍କ ପାଖରେ ନାହିଁ, ତେବେ ଆପଣଙ୍କୁ ବିଶେଷକରି ଭିସା ମିଳିବ ନାହିଁ।

-ଟିଡିଏସ ରିଫଣ୍ଡ କ୍ଲେମ: ଯଦି ଆପଣଙ୍କର ଟିଡିଏସ କଟୁଛି ତେବେ ଆପଣ ଆଇଟିଆର ଦାଖଲ କରିବାକୁ ପଡ଼ିବ। ଆପଣ ଯେକୌଣସି ସରକାରୀ ବା ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟ କରନ୍ତୁ, ସେଠାରେ ସାଧାରଣତଃ ଆପଣଙ୍କ ଦରମା ଟିଡିଏସ୍ କଟାଯାଇ ଆସିଥାଏ। ବିଭିନ୍ନ ପ୍ରକାର ସପିଂରେ ମଧ୍ୟ ଆପଣଙ୍କର ଟିଡିଏସ୍ କଟିଥାଏ। ତେଣୁ ଏହି ଅର୍ଥ ଫେରିପାଇବାକୁ ହେଲେ ଆପଣଙ୍କୁ ଆଇଟିଆର ଦାଖଲ କରିବାକୁ ପଡ଼ିବ।

-ବ୍ୟବସାୟରେ କ୍ଷତି ହେଲେ ଟ୍ୟାକ୍ସ ବଞ୍ଚାଇବା: ଯଦି ଆପଣ ସେୟାର ମାର୍କେଟରେ ଅର୍ଥ ନିବେଶ କରିଛନ୍ତି, ଆଉ ଏଥିରେ ଆପଣଙ୍କର କ୍ଷତି ହୋଇଛି କିମ୍ବା କୌଣସି ପ୍ରକାର ବ୍ୟବସାୟରେ ଆପଣଙ୍କର କ୍ଷତି ହୋଇଛି, ତେବେ ସେ କ୍ଷେତ୍ରରେ ଆପଣ କିଛିଟା ଟିକସ ବଞ୍ଚାଇପାରିବେ। ଉଦାହରଣ ସ୍ୱରୂପ ଯଦି ଆପଣ ଚଳିତବର୍ଷ ୨୦ହଜାର ଟଙ୍କାର କ୍ଷତି ସହିଛନ୍ତି, ଆଉ ଏହି କ୍ଷତି ଆପଣ ଆଇଟିଆର ଦାଖଲରେ ଦର୍ଶାଇଛନ୍ତି, ତେବେ ଆସନ୍ତା ବର୍ଷ ଆପଣଙ୍କର ଲାଭ ହେଲେ ମଧ୍ୟ ଆପଣଙ୍କୁ ଅଧିକ ଟିକସ ଦେବାକୁ ପଡ଼ିବନାହିଁ। ଯଦି ଆପଣ ଆଇଟିଆର ଦାଖଲରେ ଏହି କ୍ଷତି ଦର୍ଶାଇନାହାନ୍ତି, ତେବେ ଆସନ୍ତା ବର୍ଷ ଅଧିକ ଲାଭ ହେଲେ ଆପଣଙ୍କୁ ଏଥିପାଇଁ ଟ୍ୟାକ୍ସ ଦେବାକୁ ପଡିବ।

passport india

–  ପାସପୋର୍ଟ ଆବେଦନ: ପାସପୋର୍ଟ ପାଇବା ପାଇଁ ଆପଣଙ୍କୁ ଆଇଟିଆର ଦାଖଲ ପ୍ରାମଣପତ୍ର ଦେଖାଇବାକୁ ପଡିଥାଏ। ପାସପୋର୍ଟ ଅଧିକାରୀମାନେ ଏଥିପାଇଁ ଆବେଦନକାରୀଙ୍କ ଗତ ଏକ ବର୍ଷର ଆଇଟିଆର ଦାଖଲ ପ୍ରାମଣପତ୍ର ଦେଖିଥାନ୍ତି।

-ବୀମା ସମ୍ପର୍କିତ ଅଭିଯୋଗ: ଯଦି ଆପଣ ଆଇଟିଆର ଦାଖଲ କରୁଛନ୍ତି ତେବେ ଆପଣଙ୍କୁ ଇନସ୍ୟୁରାନ୍ସ ବା ବୀମା ସମ୍ପର୍କିତ ଅଭିଯୋଗପତ୍ର ଦାଖଲ ସମୟରେ ବଡ଼ ଫାଇଦା ମିଳିଥାଏ। ଦୁର୍ଘଟଣାଜନିତ ମୃତ୍ୟୁ ଘଟିଲେ, ଏ କ୍ଷେତ୍ରରେ କୋର୍ଟ ବୀମା କମ୍ପାନୀକୁ ଆପଣଙ୍କ ଆଇଟିଆର ପ୍ରାମାଣପତ୍ର ଦାଖଲକୁ ଦୃଷ୍ଟିରେ ରଖି କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥାଏ। ଯଦି ଆପଣ ଆଇଟିଆର ଦାଖଲ କରିନାହାନ୍ତି, ତେବେ ଏ କ୍ଷେତ୍ରରେ କମ୍ ପରିମାଣର କ୍ଷତିପୂରଣ ମିଳିବାର ସମ୍ଭାବନା ଥାଏ। ଯଦି ଆପଣ ଅଧିକ ପରିମାଣର ଆଇଟିଆର ଦାଖଲ କରୁଛନ୍ତି, ତେବେ ଏ କ୍ଷେତ୍ରରେ ଆପଣଙ୍କ ପରିବାରକୁ ଅଧିକ କ୍ଷତିପୂରଣ ମିଳିଥାଏ। ସେହିପରି ଦୁର୍ଘଟଣାରେ ଯଦି କୌଣସି ଗାଡିମୋଟର କ୍ଷତିଗ୍ରସ୍ତ ହୁଏ, ତେବେ ଥାର୍ଡ ପାର୍ଟି ଆପଣଙ୍କ ବିରୋଧରେ କ୍ଷତିପୂରଣ ପାଇଁ କୋର୍ଟର ଆଶ୍ରୟ ନେଇଥାନ୍ତି। ଏ କ୍ଷେତ୍ରରେ ଆପଣଙ୍କ ଆଇଟିଆର ଦାଖଲକୁ ଦୃଷ୍ଟିରେ କୋର୍ଟ କ୍ଷତିପୂରଣ ଦେବାକୁ ଆପଣଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି। ଯଦି ଆପଣ ଆଇଟିଆର ଦାଖଲ କରୁନାହାନ୍ତି, ତେବେ ହୁଏତ ଆପଣଙ୍କୁ ଅଧିକ କ୍ଷତିପୂରଣ ଦେବାକୁ ପଡିଥାଏ। କାରଣ କ୍ଷତିପୂରଣର କୌଣସି ନିର୍ଦ୍ଦିଷ୍ଟ ସୀମା ନ ଥାଏ।

-ସରକାରୀ ଟେଣ୍ଡର: ଯଦି କୌଣସି ପ୍ରକାର ସରକାରୀ ଠିକା କାର୍ଯ୍ୟ ପାଇଁ ଆପଣ ଟେଣ୍ଡର ପକାଉଛନ୍ତି, ତେବେ ଏ କ୍ଷେତ୍ରରେ ଆପଣଙ୍କର ଆଇଟିଆର ଦାଖଲ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ।

– ବିଦେଶରୁ ଆୟ ଓ ସୁବିଧା: ଯଦି ଆପଣଙ୍କର ବିଦେଶରୁ କୌଣସି ଉତ୍ସରୁ ଆୟ ହେଉଛି କିମ୍ବା ଆପଣ ଅନ୍ୟାନ୍ୟ ସୁବିଧା ପାଉଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଆୟକର ଦେବାକୁ ପଡିଥାଏ। ଏହି ଆୟକର ଦାଖଲର ପ୍ରାମଣପତ୍ର ଦେଖାଇଲେ ଭାରତରେ ଆପଣଙ୍କୁ ଆୟକର ଦାଖଲରେ କିଛିଟା କମ୍ ଟିକସ ଦେବାକୁ ପଡିଥାଏ। ଯଦି ଏହା ଆପଣ ନିଜ ଆଇଟିଆର ଦାଖଲ ବେଳେ ପ୍ରଦର୍ଶନ କରୁନାହାନ୍ତି, ତେବେ ଆପଣଙ୍କୁ ଅଧିକ ଟିକସ ଦେବାକୁ ପଡିବ।

-ବାସିନ୍ଦା ପ୍ରମାଣପତ୍ର: ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ ଆପଣଙ୍କ ଆଡ୍ରେସ ପ୍ରୁଫ୍ ବା ବାସିନ୍ଦା ପ୍ରମାଣପତ୍ର ଭାବେ ଆଇଟିଆର ଦାଖଲ ପ୍ରମାଣପତ୍ର ଗ୍ରହଣୀୟ ହେଉଛି।

୧୦-ମନର ଶାନ୍ତି ଓ ସଚ୍ଚୋଟ ନାଗରିକତା: ଜଣେ ସଚ୍ଚୋଟ ନାଗରିକ ଭାବେ ଆପଣ ସରକାରଙ୍କୁ କିଛି ଆୟକର ଦିଅନ୍ତୁ। ଯଦି ଆପଣ ଆୟକର ଦାଖଲ କରୁନାହାନ୍ତି, ତେବେ ଆପଣଙ୍କ ମନରେ ନିଶ୍ଚିତ ଭାବେ କେଉଁଠି ନା କେଉଁଠି ଭୟ ରହିବ। କାରଣ କୌଣସି ମୁହୂର୍ତ୍ତରେ ହୁଏତ ଆୟକର ବିଭାଗ ପକ୍ଷରୁ ଆପଣଙ୍କୁ ନୋଟିସ ଜାରି ହୋଇପାରେ। ସେହିପରି ଆଇଟିଆର ଦାଖଲରେ ଆପଣଙ୍କୁ ଆହୁରି ବିଭିନ୍ନ ସୁବିଧା ମିଳିପାରିବ।