ଜେଲ୍ରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଏଣିକି ଅନ୍ଲାଇନ୍ରେ ବିକ୍ରି ହେବ। କେରଳର ତ୍ରିସୁରସ୍ଥିତ ଭିୟୁର ସେଣ୍ଟ୍ରାଲ୍ ଜେଲ୍ କର୍ତ୍ତୃପକ୍ଷ ଏନେଇ ଅନ୍ଲାଇନ୍ ଫୁଡ ଡେଲଭରୀ ସଂସ୍ଥା ‘ସ୍ୱିଗୀ’ ସହ ହାତ ମିଳାଇଛନ୍ତି। ତେବେ ଖୁବ୍ଶୀଘ୍ର ସାଧାରଣ ଲୋକେ କଏଦୀମାନଙ୍କ ହାତ ତିଆରି ଖାଦ୍ୟ ଅନ୍ଲାଇନ୍ ପାଇପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଜେଲ କଏଦୀମାନଙ୍କୁ ସ୍ୱରୋଜଗାର କରିବାର ପାଇଁ ସୁଯୋଗ ଦିଆଯାଇଛି। ତେବେ ସବୁଠୁ ବଡ଼ କଥା ହେଲା ଏହି ଖାଦ୍ୟର ମୂଲ୍ୟ ରହିବ ମାତ୍ର ୧୨୭ ଟଙ୍କା। ଏଥିପାଇଁ ଏକ ସ୍ପେଶାଲ ମେନୁ ତିଆରି କରାଯାଇଛି। ଯାହାର ନାଁ ରହିଛି ‘ଫ୍ରିଡମ କମ୍ବୋ ଲଞ୍ଚ’।
ଜଣେ ଗ୍ରାହକ ‘ଫ୍ରିଡମ କମ୍ବୋ ଲଞ୍ଚ’ରେ ୩୦୦ ଗ୍ରାମ ବିରିୟାନୀ, ଗୋଟିଏ ରୋଷ୍ଟେଡ୍ ଚିକେନ୍ ଲେଗ୍ ପିସ୍, ୩ ଖଣ୍ଡ ରୁଟି, ଚିକେନ୍ କରୀ, ଆଚାର, ସାଲାଡ୍, ମିଠା ଏବଂ ଗୋଟିଏ ପାଣି ବୋତଲ ପାଇପାରିବେ। ସେହିପରି ଖାଦ୍ୟ ପରସିବା ପାଇଁ ଏଥିରେ ଏକ କଦଳୀ ପତ୍ର ବି ମିଳିବ। ଏସମସ୍ତ ଜିନିଷ ମାତ୍ର ୧୨୭ ଟଙ୍କାରେ ମିଳିବ।
ଏହା ପୂର୍ବରୁ ଜେଲ୍ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟକୁ ଜେଲ୍ର କ୍ୟାଣ୍ଟିନ୍ରେ ବିକ୍ରି ହେଉଥିଲା। ଏହାକୁ ସାଧାରଣ ଲୋକ ମଧ୍ୟ ଖାଇପାରୁଥିଲେ। ତେବେ ଖୁବ୍ଶୀଘ୍ର ଏହା ଅନ୍ଲାଇନ୍ରେ ମିଳିବ ବୋଲି ଭିୟୁର ଜେଲ୍ ସୁପରିଟେଣ୍ଡେଣ୍ଟ୍ ନିର୍ମଳାନନ୍ଦନ ନାୟର କହିଛନ୍ତି। ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ସହ ଅନ୍ଲାଇନ୍ ଫୁଡ ଡେଲଭରୀ ସଂସ୍ଥା ‘ସ୍ୱିଗୀ’ର ସହ ଏଗ୍ରୀମେଣ୍ଟ ହୋଇଛି।