ଆପଣଙ୍କ କୌଣସି ବ୍ୟାଙ୍କ କାମ ରହିଯାଇଛି କି? ତେବେ ଏହି ସବୁ କାମ ଆଗୁଆ ସାରିଦିଅନ୍ତୁ। କାରଣ ଆଗକୁ ଲଗାତାର ଚାରିଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ଚଳିତ ମାସ ୨୬ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିପାରେ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୦ଟି ବ୍ୟାଙ୍କକୁ ମିଶାଇ ୪ଟି ବ୍ୟାଙ୍କରେ ପରିଣତ କରିଛନ୍ତି। ଏହି ନିଷ୍ପତ୍ତିକୁ ବ୍ୟାଙ୍କ୍ ଅଫିସର ସଂଘ ପକ୍ଷରୁ ବିରୋଧ କରାଯାଉଛି। ଏହି ମିଶ୍ରଣକୁ ବିରୋଧ କରି ସେମାନେ ଆସନ୍ତା ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଧର୍ମଘଟ କରିବାର ଧମକ ଦେଇଛନ୍ତି। ତେଣୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିପାରେ।

bank

ସେହିପରି ୨୮ ତାରିଖ ମାସର ଚତୁର୍ଥ ଶନିବାର ଓ ୨୯ ତାରିଖ ରବିବାର ରହୁଥିବାରୁ ଏହି ଦୁଇ ଦିନ ମଧ୍ୟ ସାଧାରଣ ଭାବେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଥାଏ। ତେଣୁ ଏପରି ଭାବରେ ଆଗକୁ ଲଗାତାର ଭାବରେ ଚାରିଦିନ ରାଜ୍ୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବାର ଅଛି।

ଇଣ୍ଡିଆନ୍ ବ୍ୟାଙ୍କର୍ସ ଆସୋସିଏସନକୁ ମୋଟ ୪ଟି ସଂଘ ଧର୍ମଘଟ କରିବାର ନୋଟିସ୍ ପ୍ରଦାନ କରିଛନ୍ତି। ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡରେସନ୍ (ଏଆଇବିଓସି), ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍ ( ଏଆଇବିଓଏ), ଇଣ୍ଡିଆନ ନ୍ୟାସନାଲ ବ୍ୟାଙ୍କ ଅଫିସର୍ସ କଂଗ୍ରେସ (ଆଇଏନବିଓସି) ଓ ନ୍ୟାସନାଲ୍ ଅର୍ଗନାଇଜେସନ୍ ଅଫ୍ ବ୍ୟାଙ୍କ ଅଫିସର୍ସ ( ଏନଓବିଏ) ଏହି ଧର୍ମଘଟ ପାଇଁ ନୋଟିସ ଦେଇଛନ୍ତି।