ଭାରତୀୟ ଷ୍ଟାର୍ଟ-ଅପ୍‍ ଜଗତକୁ ଆମେରିକୀୟ ନିବେଶ ବେଶ୍‍ ପ୍ରଭାବିତ କରିଛି। ଗତ ୭ବର୍ଷ ମଧ୍ୟରେ ଏଭଳି ୮ ଶହରୁ ଅଧିକ ଷ୍ଟାର୍ଟ-ଅପ୍‌ରେ ଆମେରିକାରେ ଥିବା ବିଭିନ୍ନ ପୁଞ୍ଜିଲଗାଣକାରୀ ସଂସ୍ଥା ଟଙ୍କା ଖଟାଇଥିବା ଜଣାପଡ଼ିଛି।
ସିଙ୍ଗାପୁର, ହଂକଂ, ଜାପାନ ଏବଂ ଇଂଲଣ୍ଡ ଯଥାକ୍ରମେ ଭାରତୀୟ ଷ୍ଟାର୍ଟ-ଅପ୍‌ରେ ପୁଞ୍ଜି ଲଗାଇବାରେ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ସଂସ୍ଥାଗୁଡ଼ିକ ମୁଖ୍ୟତଃ ବିଭିନ୍ନ ଟେକ୍ନୋଲଜି କମ୍ପାନିରେ ଅଧିକ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ ସିଙ୍ଗାପୁରସ୍ଥିତ ବିଭିନ୍ନ ନିବେଶକାରୀ ସଂସ୍ଥା ଭାରତୀୟ ଷ୍ଟାର୍ଟ-ଅପ୍‍ କାରବାରରେ ଯେଉଁ ପୁଞ୍ଜି ଲଗାଇଛନ୍ତି, ଆମେରିକାର ବିଭିନ୍ନ ସଂସ୍ଥାରୁ ଆସିଥିବା ପୁଞ୍ଜି ତା’ର ପ୍ରାୟ ଦୁଇଗୁଣ। ବିଭିନ୍ନ ବିଦେଶୀ ପୁଞ୍ଜିଲଗାଣକାରୀ ଅନୁଷ୍ଠାନଗୁଡ଼ିକରେ ଆମେରିକାର ଟାଇଗର୍‍ ଗ୍ଲୋବାଲ୍‍ ସବୁଠାରୁ ସକ୍ରିୟ ରହିଛି। ଏହି କମ୍ପାନି ଫ୍ଲିପକାର୍ଟ, ଓଲା ଏବଂ ସପ୍‍କ୍ଲୁଜ୍‍ ଭଳି ଆଗଧାଡ଼ିର ଷ୍ଟାର୍ଟ-ଅପ୍‍ କମ୍ପାନିରେ ଟଙ୍କା ଖଟାଇବା ସହ ଅନେକ ଛୋଟ ଷ୍ଟାର୍ଟ-ଅପ୍‍‌ରେ ମଧ୍ୟ ନିବେଶ କରିଛନ୍ତି। ଭାରତର ଷ୍ଟାର୍ଟ-ଅପ୍‌ମାନଙ୍କୁ ନିବେଶ ଯୋଗାଇଦେଇ ସହଯୋଗ କରିଥିବା ଟପ୍‌ ୧୦ ସଂସ୍ଥା ଭିତରେ ଟାଇଗର ଗ୍ଲୋବାଲ୍‌ ରହିଛି।
ହଂକଂସ୍ଥିତ ସେଫ୍‌ ପାର୍ଟନର୍‌ସ ହେଉଛି ଆଉ ଏକ ବିଦେଶୀ ପୁଞ୍ଜିଲଗାଣକାରୀ ସଂସ୍ଥା, ଯେ କି ଭାରତୀଯ ଷ୍ଟାର୍ଟ-ଅପ୍‍ ବଜାରରେ ଲୋକପ୍ରିୟ ହୋ‍ଇପାରିଛି। ଏହି ସକ୍ରିୟ ଅର୍ଥଲଗାଣକାରୀ ସଂସ୍ଥା ପେଟିଏମ୍‍ ଏବଂ ଅରବାନ୍‍ ଲ୍ୟାଡର୍‍ ଭଳି ଆଗଧାଡ଼ିର ଷ୍ଟାର୍ଟ-ଅପ୍‌ରେ ଟଙ୍କା ଖଟାଇଛି।

ଭାରତୀୟ ଏବଂ ମୋରିସିୟସ୍‍ର ନିବେଶକମାନେ ଦେଶର ୬୧ ପ୍ରତିଶତ ଷ୍ଟାର୍ଟ-ଅପ୍‌ ଡିଲ୍‍ ମାଧ୍ୟମରେ ନିବେଶ କରିଥିବା ବେଳେ ବିଦେଶୀ ପୁଞ୍ଜିଲଗାଣକାରୀ ସଂସ୍ଥାମାନେ ଏ କ୍ଷେତ୍ରରେ ବିପୁଳ ନିବେଶ କରିଥିବା ଜଣାପଡ଼ିଛି। ଆମେରିକାସ୍ଥିତ ଏସଏଲ ପାର୍ଟନର୍ସ ପୁଞ୍ଜିନିବେଶକ ସଂସ୍ଥାର ଭାରତରେ ଅଫିସ୍‍ ରହିଛି। ତେବେ ଏହି ସଂସ୍ଥା ଏହାର ମୂଳ ଆମେରିକୀୟ ୟୁନିଟ୍‍ ମାଧ୍ୟମରେ ଫ୍ଲିପ୍‌କାର୍ଟରେ ସର୍ବାଧିକ ଟଙ୍କା ଲଗାଇଛି।
ଗତ କିଛି ବର୍ଷ ମଧ୍ୟରେ ଆମେରିକାର ଟାଇଗର ଗ୍ଲୋବାଇଲ୍‌ ଭଳି ଜାପାନର ସଫ୍ଟ ବ୍ୟାଙ୍କ୍‍ ଭାରତୀୟ ଷ୍ଟାର୍ଟ-ଅପ୍‍ କାରବାର କ୍ଷେତ୍ରରେ ଏକ ଜଣାଶୁଣା ନିବେଶକାରୀ ସଂସ୍ଥା ଭାବେ ପରିଚିତ। ଏହି ବ୍ୟାଙ୍କ୍‌ ଆଗାମୀ କିଛି ବର୍ଷ ମଧ୍ୟରେ ଅନ୍ୟୂନ ୧୦ ନିୟୁତ ଡଲାର ନିବେଶ କରିବା ପାଇଁ ମନ ସ୍ଥିର କରିଛି।
ବିଶ୍ୱର ଜଣାଶୁଣା ନିବେଶକ ସଂସ୍ଥା ଚୀନ୍‌ର ଆଲିବାବା ଏବଂ ଟେନସେଣ୍ଟ ମଧ୍ୟ ଭାରତୀୟ ବଜାର ଉପରେ ନଜର ରଖିଛନ୍ତି। ଏମାନେ କୌଣସି ବଡ଼ ଡିଲ୍‌ ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଆଲିବାବା ପକ୍ଷରୁ ପେଟିଏମ୍‌ରେ ୧ ନିୟୁତ ଡଲାର ନିବେଶ ରହିଛି। ସେହିପରି ଟେନସେଣ୍ଟ ଗତ ଏପ୍ରିଲ୍‌ରେ ଫ୍ଲିପକାର୍ଟରେ ୭ ଶହ ଅୟୁତ ଡଲାର ବିନିଯୋଗ କରିଥିଲା।
ଭାରତୀୟ ଅର୍ଥନୀତି ଉପରେ ଆଜି ସାରା ବିଶ୍ୱର ନଜର। ବିଶେଷକରି, ଅତ୍ୟାଧୁନିକ ଷ୍ଟାର୍ଟ-ଅପ୍‍ କମ୍ପାନି ଆଗାମୀ ଦିନରେ ଭାରତର ଅର୍ଥନୀତିକୁ ବ୍ୟାପକ ଭାବରେ ପ୍ରଭାବିତ କରିବାକୁ ଯାଉଛି। ଭାରତର ଷ୍ଟାର୍ଟ-ଅପ୍‍ ପରିବେଶରେ ଦ୍ରୁତ ଅଗ୍ରଗତି ଘଟୁଥିବାରୁ ଭାରତୀୟ ବଜାରରେ ଟଙ୍କା ଖଟାଇବା ପାଇଁ ବିଦେଶୀ କମ୍ପାନିମାନେ ସୁଯୋଗ ଖୋଜୁଛନ୍ତି।