କରୋନା ମହାମାରୀ ଯୋଗୁଁ ଭାରତର ଅର୍ଥବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ଥ ହୋଇଛି ଏବଂ କୃଷି କ୍ଷେତ୍ର ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି। ତେଣୁ କୃଷି କ୍ଷେତ୍ରର ଉନ୍ନତି ତଥା କୃଷକର ଅଭିବୃଦ୍ଧି ନିମନ୍ତେ ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି ‘କୃଷି ଭିତ୍ତିଭୂମି ପାଣ୍ଠି’

କୃଷି ଭିତ୍ତିଭୂମି ପାଣ୍ଠି କ’ଣ ?

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷଣା କରାଯାଇଥିବା ‘ଆତ୍ମନିର୍ଭରଶୀଳ ଭାରତ’ ଅଧୀନରେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା ହୋଇଛି। କୃଷି ଭିତ୍ତିଭୂମି ପାଣ୍ଠିକୁ ଏହା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପାଣ୍ଠି ମୂଖ୍ୟତଃ ଗ୍ରାମାଞ୍ଚଳର କୃଷି କ୍ଷେତ୍ର ସହ ଜଡିତ ଭିତ୍ତିଭୂମିର ବିକାଶ ତଥା ଆଧୁନିକୀକରଣ ପାଇଁ ବ୍ୟବହୃତ ହେବ। କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ପ୍ରୟୋଗ ତଥା ଉନ୍ନତ ଚାଷ ପ୍ରଣାଳି ପାଇଁ କ୍ଷେତ୍ରରେ ଏହା ସହାୟକ ହେବ। କୃଷକମାନଙ୍କୁ ଆତ୍ମନିର୍ଭର କରିବା ଏହାର ମୂଖ୍ୟ ଲକ୍ଷ ରହିଛି।

   

କାହା ପାଇଁ କ’ ଣ ରହିଛି ସୁବିଧା ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ରବିବାର ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘କୃଷି ଭିତ୍ତିଭୂମି ପାଣ୍ଠି’ ଲାଗି ଏକ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ପିଏସି, ମାର୍କେଟିଂ କୋପରେଟିଭ୍ ସୋସାଇଟି, କୃଷକ ଉତ୍ପାଦନ ସଂଗଠନ, କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍, କୃଷକ ଗୋଷ୍ଠୀମାନଙ୍କୁ ବହୁମୂଖୀ ଋଣ ଭାବରେ ବ୍ୟାଙ୍କରୁ ପ୍ରାପ୍ତ ହେବ। ଏହା ଚାଷ ସମ୍ପତ୍ତିର ପୋଷଣ ତଥା ଅମଳ ପରବର୍ତ୍ତୀ ପରିଚାଳନାରେ ବିଶେଷ ଭାବେ ସହାୟକ ହେବ।

  • ଫସଲ ସଂରକ୍ଷଣ ପାଇଁ ଚାଷ ଜମି ନିକଟରେ ଶୀତଳ ଭଣ୍ଡାର, ଭଣ୍ଡାର ଘର ବା ଗୋଦାମ ଘରର ନିର୍ମାଣ
  • ବିକ୍ରି ପୂର୍ବରୁ ଫସଲଗୁଡ଼ିକର ପ୍ରକ୍ରିୟାକରଣ ଓ ଉତ୍ତମ ପ୍ୟାକେଜିଂର ସୁବିଧା
  • ଫସଲର ଗୁଣବତ୍ତା ଯାଞ୍ଚ୍ ପାଇଁ ଗ୍ରେଡିଙ୍ଗ୍ ୟୁନିଟ୍ ଓ ପରୀକ୍ଷା କେନ୍ଦ୍ର ଗଠନ
  • କଲେକ୍ସନ ସେଣ୍ଟର ଓ ଇ-ପ୍ଲାର୍ଟଫର୍ମ ସହାୟତାରେ ଫସଲ ବିକ୍ରିର ସୁବିଧା

ଫସଲ ଅମଳ ଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ଏହି ସବୁ ଉପାୟରେ କୃଷକମାନେ ପ୍ରତ୍ୟକ୍ଷ ସୁବିଧା ପାଇପାରିବେ। ଏହି ପାଣ୍ଠି ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ମୂଲ୍ୟ ପାଇବାରେ ସକ୍ଷମ କରିବ। ସେମାନେ ଅଧିକ ପରିମାଣରେ ଓ ସୁରକ୍ଷିତ ଭାବେ ଫସଲ ଗଚ୍ଛିତ ଏବଂ ବିକ୍ରି କରିପାରିବେ।  ଶୀତଳ ଭଣ୍ଡାର ଓ ଗୋଦାମ ଘରେ ଫସଲ ରଖିବା ହେତୁ ଫସଲ ନଷ୍ଟ ହେବାର ଆଶଙ୍କା କମ୍ ରହିବ ଏବଂ ତା’ ସହିତ ଚାଷୀ ଉଚିତ୍ ମୂଲ୍ୟ ପାଇବାରେ ସକ୍ଷମ ହେବ ବୋଲି ସରକାର କହିଛନ୍ତି। ଏହି ଆଧୁନିକ ଭିତ୍ତିଭୂମିରୁ କୃଷି କ୍ଷେତ୍ର ବହୁ ଲାଭବାନ ହେବ।

ଯୋଜନାର ଅବଧି

ଏହି ଯୋଜନା ଅଧୀନରେ ଚାରିବର୍ଷ ପାଇଁ ୧ ଲକ୍ଷ କୋଟି ଟଙ୍କାର ଋଣ ଉପଲବ୍ଧ ହେବ। ପ୍ରଥମ ବର୍ଷରେ ଅର୍ଥାତ୍ ଚଳିତ ବର୍ଷରେ ୧୦,୦୦୦ କୋଟି ଟଙ୍କା ରିଲିଜ୍ ହେବ। ଅବଶିଷ୍ଟ ଟଙ୍କା ଆଗାମି ତିନି ବର୍ଷରେ ବାର୍ଷିକ ୩୦,୦୦୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହା ଛଡ଼ା ସାତ ବର୍ଷ ପର୍ଯ୍ୟନ୍ତ ୨ କୋଟି କିମ୍ବା ତା ଠାରୁ କମ୍ ଋଣ ଉପରେ କୃଷକମାନଙ୍କୁ ସୁଧ ଉପରେ ୩ ପ୍ରତିଶତ ରିହାତି ମିଳିବାର ମଧ୍ୟ ବ୍ୟବସ୍ଥା ରହିଛି। ଏହି ଯୋଜନାର ମୋଟ ଅବଧି ୧୦ ବର୍ଷ ଧାର୍ଯ୍ୟ କରାଯାଇଛି।

ଅନଲାଇନ୍ ମନିଟରିଂ ବ୍ୟବସ୍ଥା

ଏକ ଅନଲାଇନ୍ ପରିଚାଳନା ସୂଚନା ବ୍ୟବସ୍ଥା (MIS) ମାଧ୍ୟମରେ ଏହି ପାଣ୍ଠି ଉପରେ ନଜର ରଖାଯିବ। ଏହା ଦ୍ୱାରା ସମସ୍ତ ଯୋଗ୍ୟ ବ୍ୟକ୍ତି ଋଣ ପାଇଁ ଆବେଦନ କରିପାରିବେ। ଏହି ବ୍ୟବସ୍ଥା ମାଧ୍ୟମରେ ଜାତୀୟ, ରାଜ୍ୟ ତଥା ଜିଲ୍ଲା ସ୍ତରରେ ଏହାର ସୁପରିଚାଳନା ଠିକ୍ ଭାବରେ କରାଯାଇପାରିବ।