କୌଣସି କୋର୍ସ କରିବା ପାଇଁ ଲୋନ୍ ମିଳୁଛି ବୋଲି ସେହି କୋର୍ସ କରନ୍ତୁ ନାହିଁ କିମ୍ବା ନିଜ ଶିକ୍ଷାଗତ ଯୋଗ୍ୟତାରେ ଅଧିକ ଡିଗ୍ରୀ ଯୋଗ କରିବା ପାଇଁ ଲୋନ୍ ନିଅନ୍ତୁ ନାହିଁ, କାରଣ ଡିଗ୍ରୀ ଚାକିରି ମିଳିବାର ଗ୍ୟାରେଣ୍ଟି ନୁହେଁ।

ଆଜିର ସମୟରେ ଶିକ୍ଷା ଖର୍ଚ୍ଚ ବହୁତ ଅଧିକ ହୋଇଗଲାଣି। ସାଧାରଣ ପ୍ରାଇଭେଟ୍ ସ୍କୁଲ ଫି’ ମଧ୍ୟ ମାସିକ କେଇ ହଜାର ଟଙ୍କା ହୋଇଥାଏ। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ପୂରା ହେବା ବେଳକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ଏମିତିରେ ଆପଣ ଯଦି ନିଜ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଆଗରୁ ପ୍ଲାନିଂ କରି ନାହାଁନ୍ତି ତ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।

Education-India

ଜନ୍ମରୁ କରନ୍ତୁ ପ୍ଲାନିଂ

ଆର୍ଥିକ ବିଶେଷଜ୍ଞଙ୍କ କହିବା ହେଉଛି ଯେ, ପିଲାଙ୍କ ଜନ୍ମଦିନରୁ ହିଁ ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଯୋଜନା ତିଆରି କରିବାକୁ ପଡ଼ିବ। ୧୮ ବର୍ଷ ବୟସରେ ଗ୍ରାଜୁଏସନ ଓ ୨୧ ବର୍ଷ ବୟସରେ ହାୟର ଏଜୁକେସନ୍ ସରିଥାଏ। ସେହି ସମୟ ପର୍ଯ୍ୟନ୍ତ ସଞ୍ଚୟ କରିବା ଦ୍ୱାରା ଫଣ୍ଡ୍ ବୃଦ୍ଧି ପାଇଥାଏ। ଏହାସହ ଉଚ୍ଚଶିକ୍ଷା ପାଇଁ ଯଦି ଫଣ୍ଡ୍ କମ ପଡ଼େ ତେବେ ଏଜୁକେଶନ ଲୋନ୍ ଏମିତିରେ ଉପଲବ୍ଧ ରହିଛି।

କେଉଁ ଦିଗ ପ୍ରତି ଦେବେ ଧ୍ୟାନ

ଯଦି କୌଣସି ଛାତ୍ର ଏଜୁକେଶନ ଲୋନ୍ ନେଉଛନ୍ତି ତେବେ ତାଙ୍କୁ କିଛି କଥାର ଧ୍ୟାନ ରଖିବାକୁ ପଡ଼ିବ। ଏହାଦ୍ୱାରା ସେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଯେମିତିକି ଅଧିକ ଡିଗ୍ରୀ ନେଲେ ଚାକିରି ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ତେଣୁ କୋର୍ସର ଚୟନ ସଠିକ ଭାବେ କରନ୍ତୁ। ଲୋନ୍ ସୀମା ନିର୍ଦ୍ଧାରିତ କରନ୍ତୁ। ଆଗାମୀ ଦିନରେ ଆପଣଙ୍କୁ ଭଲ ଚାକିରି ମିଳିବ ଓ ଭଲ ଦରମା ପାଇବେ, ତା’ପରେ ସୁବିଧାରେ ଲୋନ୍ ଶୁଝିବେ, ଏହି ଭ୍ରମରେ ରୁହନ୍ତୁ ନାହିଁ। ଏଭଳି ଭ୍ରମକୁ ଧରି କେବେ ମଧ୍ୟ ଲୋନ୍ ନିଅନ୍ତୁ ନାହିଁ।

କୋର୍ସ ପାଇଁ ଲୋନ୍ ମିଳୁଛି ବୋଲି ଲୋନ୍ ନିଅନ୍ତୁ ନାହିଁ

ଏଜୁକେସନ୍ ଲୋନ୍ ନେଉଛନ୍ତି ଯଦି ଏହି କଥାକୁ ଧ୍ୟାନରେ ରଖନ୍ତୁ ଯେ, ଗୋଟିଏ କୋର୍ସ ପାଇଁ ସହଜରେ ଲୋନ୍ ମିଳୁଛି ବୋଲି ଲୋନ୍ କରି ସେହି କୋର୍ସ କରନ୍ତୁ ନାହିଁ। କୋର୍ସର ଚୟନ ନିଜ ପସନ୍ଦ ଅନୁସାରେ କରନ୍ତୁ। ଏହାସହ ଆଡମିଶନ୍ ପୂର୍ବରୁ ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ବାବଦରେ ତଥ୍ୟ ସଂଗ୍ରହ କରନ୍ତୁ।

ଗୋଟିଏ ଲୋନ୍ ପୂରା ହେବା ପୂର୍ବରୁ ଆଉ ଗୋଟିଏ ଲୋନ୍ ନିଅନ୍ତୁ ନାହିଁ

ଅନେକ ବିଶେଷଜ୍ଞ ପରାମର୍ଶ ଦିଅନ୍ତି ଯେ, ଯେପର୍ଯ୍ୟନ୍ତ ଗୋଟିଏ ଏଜୁକେଶନ୍ ଲୋନ୍ ପୂରା ହୋଇନି ସେପର୍ଯ୍ୟନ୍ତ ଆଉ ଗୋଟିଏ ଶିକ୍ଷା ଲୋନ୍ ନିଅନ୍ତୁ ନାହିଁ। ଜଣେ ଅଭିଭାବକ ନିଜ ରିଟାୟରମେଣ୍ଟ୍ ବାବଦର ଅଧିକ ଭାବିବା ଉଚିତ ନା ପିଲାଙ୍କ ଶିକ୍ଷା ବାବଦରେ? ଏସମ୍ପର୍କରେ ଆର୍ଥିକ ବିଶେଷଜ୍ଞଙ୍କ କହିବା ହେଉଛି ପିଲାଙ୍କ ନାମରେ ସହଜରେ ଏଜୁକେଶନ ଲୋନ୍ ମିଳିଯାଇଥାଏ। କିନ୍ତୁ ରିଟାୟରମେଣ୍ଟ ପାଇଁ ଲୋନ୍ ମିଳିନଥାଏ। ତେଣୁ ଅଭିଭାବକଙ୍କୁ ରିଟାୟରମେଣ୍ଟ ପ୍ଲାନିଂ ବାବଦରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ।