- ରିଭର୍ସ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ
- ବ୍ୟାଙ୍କରେ ନଗଦ ଟଙ୍କା କାରବାର ବୃଦ୍ଧି ଉପରେ ଗୁରୁତ୍ୱ
- କ୍ଷୁଦ୍ର ଓ ମଧ୍ୟମ ବର୍ଗର ସଂସ୍ଥା ପାଇଁ ୫୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା
- ନାବାର୍ଡ, ସିଡିବି, ଏନ୍ଏଚ୍ବିକୁ ସ୍ୱତନ୍ତ୍ର ଆର୍ଥିକ ସହାୟତା
କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣାରେ ବ୍ୟାଙ୍କମାନଙ୍କ ପାଇଁ ରିହାତି ରହିଛି। ବ୍ୟାଙ୍କଗୁଡ଼ିକର ସୁବିଧା ପାଇଁ ରିଭର୍ସ ରେପୋ ରେଟ୍ ହ୍ରାସ କରିଛି ଆର୍ବିଆଇ। ରିଭର୍ସ ରେପୋ ପଏଣ୍ଟରେ ୨୫ ବେସିସ୍ ରେଟ୍ ହ୍ରାସ କରିଛନ୍ତି। ଏବେ ରିଭର୍ସ ରେପୋ ରେଟ୍ ୪ ପ୍ରତିଶତରୁ ଖସି ୩.୭୫ ପ୍ରତିଶତ ହୋଇଛି। ଫଳରେ ବ୍ୟାଙ୍କଗୁଡ଼ିକୁ ୠଣ ଆଣିବାରେ ଏବଂ ଦେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏହାସହ ବ୍ୟାଙ୍କରେ ନଗଦ ଟଙ୍କା କାରବାର ବୃଦ୍ଧି କରିବାକୁ ଆର୍ବିଆଇ ଗଭର୍ଣ୍ଣର ଘୋଷଣା କରିଛନ୍ତି। ବ୍ୟାଙ୍କଗୁଡ଼ିକ କୌଣସି ଡିଭିଡେଣ୍ଟ ଘୋଷଣା କରିବେ ନାହିଁ ବୋଲି ସେ କହିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଏହା ବଳବତ୍ତର ରହିବ ବୋଲି ସେ କହିଛନ୍ତି।
‘‘କୋଭିଡ୍ ୧୯ ସଙ୍କଟ ବେଳେ କ୍ଷୁଦ୍ର ଓ ମଧ୍ୟମ ବର୍ଗର କର୍ପୋରେଟ୍ ସଂସ୍ଥା ଅଧିକ କ୍ଷତି ସହିବାର ସମ୍ଭାବନା ରହିଛି। ବିଶେଷକରି ଏହି କର୍ପୋରେଟ୍ ଅଫିସ୍ ପାଇଁ ନଗଦ ଟଙ୍କାର ଆବଶ୍ୟକତା ରହିଛି। ଏଥିପାଇଁ ଟିଏଏଲ୍ଟିଆର୍ଓ ଘୋଷଣା ହୋଇଛି। ଫଳରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ସଂସ୍ଥା ପାଇଁ ୫୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହାପରେ ସ୍ଥିତିକୁ ଅନୁଧ୍ୟାନ କରି ଅଧିକ ସହାୟତାରାଶି ଘୋଷଣା କରାଯିବ। କ୍ଷୁଦ୍ର ଓ ମଧ୍ୟମ ବର୍ଗର କର୍ପୋରେଟ୍ ସଂସ୍ଥା, ଏମ୍ଏଫ୍ଆଇ, ଏନ୍ବିଏଫ୍ସିକୁ ଏହି ସହାୟତା ମିଳିବ’’, କହିଛନ୍ତି ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।
ଗ୍ରାମାଞ୍ଚଳରେ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ନାବାର୍ଡ, ସିଡିବି, ଏନ୍ଏଚ୍ବିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କୋଭିଡ୍-୧୯ ସଙ୍କଟ ବେଳେ ଏହିସବୁ ସଂସ୍ଥାକୁ ୠଣ ମିଳିବା କଷ୍ଟକର ହୋଇପଡ଼ିଛି। ଏଣୁ ଏସବୁ ସଂସ୍ଥାର ସୁବିଧା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଆର୍ବିଆଇ ଘୋଷଣା କରିଛି। ଏସବୁ ସଂସ୍ଥାକୁ ୫୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଦିଆଯିବାର ବ୍ୟବସ୍ଥା କରାଯାଇଛି।
କରୋନା ପାଇଁ ବର୍ତ୍ତମାନ ଯେଉଁ ସ୍ଥିତି ଦେଖାଦେଇଛି ଏହାକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଗ୍ରେଟ୍ ଲକ୍ଡାଉନ୍ କହିଛି। ଏଥିପାଇଁ ସାରା ବିଶ୍ୱରେ ୯ ଟ୍ରିଲିଅନ୍ ଡଲାରର କ୍ଷତି ହେବ ବୋଲି ଅନୁମାନ କରାଯାଇଛି। ହେଲେ ଭାରତରେ ଅଭିବୃଦ୍ଧି ହାର ସେମିତି କିଛି ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ଆର୍ବିଆଇ ଗଭର୍ଣ୍ଣର କହିଛନ୍ତି।
ଭାରତରେ ଅଭିବୃଦ୍ଧି ହାର ୧.୯ ପ୍ରତିଶତ ରହିଛି। ଏହା ଜି-୨୦ ରାଷ୍ଟ୍ରମାନଙ୍କ ମଧ୍ୟରେ ସର୍ବାଧିକ। କରୋନା ସଙ୍କଟ ବେଳେ ଭାରତର ଅର୍ଥନୀତି କିପରି ସୁଦୃଢ଼ ରହିବ ସେଥିପାଇଁ ଆର୍ବିଆଇ ପୂରା ନଜର ରଖିଛି।