ଲକ୍‌ଡାଉନ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମେଡିକାଲ ଇନ୍‌ସୁରାନ୍ସ ବାଧ୍ୟତାମୂଳକ।

ସାରା ଦେଶରେ ଲକ୍‌ଡାଉନର ଦ୍ୱିତୀୟ ଫେଜ୍ ଲାଗୁ କରାଯାଇଛି। ଆସନ୍ତା ମେ ୩ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିବ। ଏହି ସମୟରେ ସମସ୍ତ କାମ ବନ୍ଦ ରହିବ। ଏନେଇ ଗୃହ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ହେଲେ ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୦ ପରଠୁ କିଛି ସେକ୍ଟରରେ କାମ ଆରମ୍ଭ କରିବାକୁ ସରକାର ଅନୁମତି ଦେଇଛନ୍ତି। ଯଦି କାର୍ଯ୍ୟ ଆରମ୍ଭ ହୁଏ, ତାହେଲେ ଶ୍ରମିକଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ମେଡିକାଲ ଇନ୍‌ସୁରାନ୍ସ (ଡାକ୍ତରୀ ବୀମା) ବାଧ୍ୟତାମୂଳକ କରାଯାଇଛି।

ମେଡିକାଲ ଇନ୍‌ସୁରାନ୍ସର ଆବଶ୍ୟକତା

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍ ଅନୁଯାୟୀ, ଲକ୍‌ଡାଉନ୍‌ ସମୟରେ ଅଫିସ୍ କିମ୍ବା କାରଖାନାରେ କାର୍ଯ୍ୟ ଆରମ୍ଭ କରିପାରିବେ। ଏହି ସମୟରେ କାମ କରୁଥିବା କର୍ମଚାରୀଙ୍କ ଡାକ୍ତରୀ ବୀମା ବାଧ୍ୟତାମୂଳକ ହେବ। ଯେକୌଣସି କର୍ମଚାରୀଙ୍କ ସହିତ କିଛି ବି ଅଘଟଣ ଘଟିଲେ, ଚିକିତ୍ସା ପାଇଁ ତାଙ୍କୁ ଅର୍ଥ ମିଳିପାରିବ।

ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବେ

ଏସ୍‌ଓପି (ଷ୍ଟାଣ୍ଡାଡ୍ର ଅପରେଟିଂ ପ୍ରୋସିଜର) ମୂତାବିକ, ଯେଉଁ ସେକ୍ଟରରେ କାର୍ଯ୍ୟ ଆରମ୍ଭ ହେବ, ସେମାନଙ୍କୁ ସାମାଜିକ ଦୂରକା ବଜାୟ ରଖିବେ। ସେହିପରି କାମ କରିବାର ସମୟ ନିର୍ଦ୍ଧାରଣ କରିବାକୁ ହେବ। ଅନ୍ୟପକ୍ଷରେ ଜରୁରୀ ନଥିବା ପରିଦର୍ଶକଙ୍କୁ କମ୍ପାନି ଭିତରକୁ ପ୍ରବେଶ ନିଷିଦ୍ଧ କରିବେ। କାମ ଆରମ୍ଭ କରୁଥିବା କମ୍ପାନିକୁ ଏହି ନିୟମ ପାଳନ କରିବାକୁ ହେବ।

ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ଭିଡ଼ ଉପରେ ନିୟନ୍ତ୍ରଣ ପାଇଁ ଗୃହ ମନ୍ତ୍ରାଳୟର ତାଗିଦ। ଲକଡାଉନ୍ ମଧ୍ୟରେ ମେ ୩ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଟ୍ରେନ, ବସ୍‌ ଏବଂ ବିମାନ ଯୋଗେ ଯାତ୍ରୀ ପରିବହନ ବନ୍ଦ ରହିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।