- ଆର୍ବିଆଇ କମାଇଲା ରେପୋ ରେଟ୍
- ୫.୧୫ରୁ ୪.୪୫ ପ୍ରତିଶତକୁ ଖସିଲା ସୁଧହାର
- ଗ୍ରାହକଙ୍କୁ ୩ ମାସ ଯାଏଁ ଇଏମ୍ଆଇରେ ମହଲତ
- ସବୁ ବ୍ୟାଙ୍କ ସିଆର୍ଆର୍ରେ ୧୦୦ ବେସିସ୍ ପଏଣ୍ଟ ହ୍ରାସ
- ଲୋକଙ୍କ ଟଙ୍କା ବ୍ୟାଙ୍କରେ ସୁରକ୍ଷିତ ରହିଛି: ଆର୍ବିଆଇ
- ବ୍ୟାଙ୍କ ୠଣ ଶୁଝିବା ପାଇଁ ୩ ମାସର ମହଲତ
କରୋନା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ରେପୋ ରେଟ୍ ହ୍ରାସ ପାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାସହ ୩ ମାସ ଯାଏଁ ଇଏମ୍ଆଇ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି।
ଆର୍ବିଆଇ ରେପୋ ରେଟ୍ ୭୫ ବେସିସ୍ ପଏଣ୍ଟ ହ୍ରାସ କରିଛି। ଫଳରେ ସବୁ ବ୍ୟାଙ୍କର ସୁଧ ହାର ହ୍ରାସ ପାଇଛି। ପୂର୍ବରୁ ବ୍ୟାଙ୍କରେ ୫.୧୫ ସୁଧ ହାର ଥିଲା। ଏହା ଏବେ ହ୍ରାସ ପାଇ ୪.୪୫ ପ୍ରତିଶତକୁ ଖସିଛି।
ସେହିପରି ଇଏମ୍ଆଇ ସମ୍ପର୍କରେ ମଧ୍ୟ ଆର୍ବିଆଇ ଗଭର୍ଣ୍ଣର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କରୋନା ପାଇଁ ଆଗାମୀ ତିନି ମାସ ଯାଏଁ ଗ୍ରାହକମାନଙ୍କୁ ଇଏମ୍ଆଇ ଦେବାକୁ ପଡ଼ିବ ନାହିଁ। ତେବେ କେଉଁ ଇଏମ୍ଆଇ ଉପରେ ରିହାତି ମିଳିବ ତାହା ବ୍ୟାଙ୍କ ନିର୍ଦ୍ଧାରଣ କରିବ ବୋଲି ସେ ସୂଚନା ଦେଇଛନ୍ତି।
ସେହିପରି ରିଭର୍ସ ରେପୋ ରେଟ୍ ୯୦ ବେସିସ୍ ପଏଣ୍ଟ ହ୍ରାସ ପାଇ ୪ ପ୍ରତିଶତ ହୋଇଛି। ପୂର୍ବରୁ ରିଭର୍ସ ରେପୋ ରେଟ୍ ଥିଲା ୫.୧୫ ପ୍ରତିଶତ। ସବୁ ବ୍ୟାଙ୍କ ସିଆର୍ଆର୍ରେ ୧୦୦ ବେସିସ୍ ପଏଣ୍ଟ ହ୍ରାସ ପାଇ ୩ ପ୍ରତିଶତ ହୋଇଛି। ବ୍ୟାଙ୍କ ୠଣ ଶୁଝିବା ପାଇଁ ଆର୍ବିଆଇ ଗଭର୍ଣ୍ଣର ଗ୍ରାହକମାନଙ୍କୁ ୩ ମାସର ମହଲତ ଦେଇଛନ୍ତି।
‘‘କରୋନା ମାହାମାରୀକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଭାରତରେ ମଧ୍ୟ ଏହି ମହାମାରୀ ୧୭ ଲୋକଙ୍କ ଜୀବନ ନେଲାଣି। ବରୋନା ପାଇଁ ବିଶ୍ୱ ବଜାରରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିଛି। ଭାରତରେ କେମିତି ଆର୍ଥିକ ସଙ୍କଟ ଟାଳି ହେବ ସେଦିଗରେ ଆର୍ବିଆଇ ପଦକ୍ଷେପ ନେଉଛି। ଲୋକମାନଙ୍କ ଟଙ୍କା ବ୍ୟାଙ୍କରେ ସୁରକ୍ଷିତ ରହିଛି। ଲୋକମାନଙ୍କ ପାଖରେ ଆବଶ୍ୟକ ଟଙ୍କା ପହଞ୍ଚିବାରେ କୌଣସି ଅସୁବିଧା ହେବନି’’, କହିଛନ୍ତି ଶକ୍ତିକାନ୍ତ ଦାସ।