ଯଦି ଆପଣ ଆୟକର ରିଟର୍ଣ୍ଣ ଦାଖଲ କରିନାହାନ୍ତି, ତେବେ ଜଲ୍‌ଦି କରି ନିଅନ୍ତୁ। ବର୍ତ୍ତମାନ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ହେଉଛି ଅଗଷ୍ଟ ୩୧।

ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧ ଥିଲା। ହେଲେ ଆୟକର ବିଭାଗ ପକ୍ଷରୁ ମଙ୍ଗଳବାର ଏହାକୁ ଘୁଞ୍ଚାଯାଇ ଅଗଷ୍ଟ ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ଏନେଇ କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ତେବେ ଏହା କେବଳ ବ୍ୟକ୍ତିଗତ ଆୟକର ଦାତା, ହିନ୍ଦୁ ଯୌଥ ପରିବାର ଏବଂ ଯେଉଁ ସଂସ୍ଥାମାନଙ୍କ ଅଡିଟ ଆବଶ୍ୟକ ହୁଏ ନାହିଁ, ସେମାନଙ୍କ ପାଇଁ ଲାଗୁ ହେବ।

tax return

ଅନ୍ୟପକ୍ଷରେ କମ୍ପାନି କିମ୍ବା ଅନୁଷ୍ଠାନର ଅଂଶୀଦାରୀ ବ୍ୟବସାୟୀଙ୍କ ପାଇଁ ଅଗଷ୍ଟ ୩୧ ତାରିଖ ଲାଗୁ ହେବ ନାହିଁ। ଏମାନଙ୍କ ପାଇଁ ଅୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର। ସେହିପରି ଯେଉଁମାନଙ୍କ ସେକ୍ସନ ୯୨ଇ ଅନ୍ତର୍ଗତ ରିପୋର୍ଟ ଦାଖଲ କରିବାକୁ ପଡ଼ିବ, ସେମାନଙ୍କ ପାଇଁ ଶେଷ ତାରିଖ ହେଉଛି ନଭେମ୍ବର ୩୦।

ଯଦି ଆପଣଙ୍କ ଆୟ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍‌, ତେବେ ଆପଣଙ୍କୁ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍‌ କରିବାର ଆବଶ୍ୟକତା ନାହିଁ। ସେହିପରି ୬୦ ବର୍ଷରୁ ଅଧିକ ବୟସ ଥିବା ବ୍ୟକ୍ତିଙ୍କ ପାଇଁ ଏହାର ସୀମା ୩ ଲକ୍ଷ ଥିବା ବେଳେ ୮୦ ବର୍ଷରୁ ଅଧିକ ବୟସ ଥିବା ବ୍ୟକ୍ତିଙ୍କ ପାଇଁ ରହିଛି ୫ ଲକ୍ଷ।