ସୋସିଆଲ ମିଡିଆ, ଓ୍ଵାର୍କ ଫ୍ରମ ହୋମ, ଅନଲାଇନ ଏଜୁକେଶନ ସହ ଭିଡିଓ ଷ୍ଟ୍ରିମିଂର ବ୍ୟାପକ ବ୍ୟବହାର ଯୋଗୁଁ ଭାରତୀୟ ଇଣ୍ଟରନେଟ ସେବାରେ ହଲଚଲ୍।

କରୋନା ଲାଗି ଚାରି ଆଡ଼େ ସଟ୍‌ଡାଉନ। ଗୋଟିଏ ପଟେ ଲୋକ ଘରେ ବସିବସି ନେଟଫ୍ଲିକ୍ସ ଆମାଜନ, ହଟଷ୍ଟାର ଓ ୟୁଟ୍ୟୁବ ଭଳି ଓଟିଟି ମାଧ୍ୟମରେ ବିଭିନ୍ନ ଭିଡିଓ ଦେଖୁଛନ୍ତି। ଅନ୍ୟପଟେ ହଜାର ହଜାର କର୍ମଚାରୀ ଓ୍ଵାର୍କ ଫ୍ରମ ହୋମ ବା ଘରେ ରହି କାମ କରୁଥିବାରୁ ଇଣ୍ଚରନେଟ୍‌ ବ୍ୟାଣ୍ଡଓ୍ଵିଥ୍ ଉପରେ ପ୍ରବଳ ଚାପ ବଢ଼ୁଛି। ତେବେ ଏହାର କିଭଳି ମୁକାବିଲା କରାଯିବ ସେନେଇ ଟେଲିକମ୍ କମ୍ପାନିଗୁଡ଼ିକର ଚିନ୍ତା ବଢ଼ିଯାଇଛି।

ଆଗାମୀ ଦିନରେ ଇଣ୍ଟରନେଟ୍ ସେବାକୁ ସ୍ଵାଭାବିକ ରଖିବାକୁ ଯାଇ ଟେଲିକମ କମ୍ପାନିମାନେ ଏକାଠି ହୋଇ ଏବେ ଡିପାର୍ଟମେଣ୍ଟ ଅଫ ଟେଲି କମୁନିକେସନ ଏବଂ କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରେ ନିବେଦନ କରିଛନ୍ତି। ବିଭିନ୍ନ ଭିଡିଓ ଷ୍ଟ୍ରିମିଂ ସର୍ଭିସ କମ୍ପାନି ଏ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନନେଲେ ଦେଶରେ ଟେଲିକମ୍ ସେବା ବାଧାପ୍ରାପ୍ତ ହୋଇପାରେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ ଆଇଡିଆକୁ ନେଇ ଗଠିତ ସେଲୁଲାର ଆସୋସିଏସନ ଅଫ ଇଣ୍ଡିଆର ମହାନିର୍ଦ୍ଦେଶକ ଗଣମାଧ୍ୟମକୁ କହିଛନ୍ତି ଯେ, କରୋନା ପରିସ୍ଥିତିରେ ବର୍ତ୍ତମାନ ଲୋକଙ୍କ ଭିଡିଓ ଦେଖିବାର ଅଭ୍ୟାସ ଆହୁରି ବଢ଼ି ଯାଇଛି। ତେଣୁ ଏହାଫଳରେ ମୋବାଇଲ ଅପରେଟରମାନଙ୍କୁ ନିରବିଚ୍ଛିନ୍ନ ଭାବରେ ଇଣ୍ଚରନେଟ ସେବା ଯୋଗାଇ ଦେବା ପାଇଁ ଆହ୍ଵାନ ସୃଷ୍ଟି ହୋଇଛି।

ବାସ୍ତବରେ କରୋନା ବନ୍ଦୀ ହେବା ଫଳରେ ଲୋକମାନ ଏବେ ଅଧିକ ସମୟ ମୋବାଇଲ ଏବଂ ଟିଭିରେ କାଟୁଛନ୍ତି। ଟିଭିରେ ଖବର ଦେଖିବା ଛଡ଼ା ଅନେକ ଲୋକ ବିଭିନ୍ନ ସିନେମା ଏବଂ ଓ୍ଵେବ ସିରିଜ୍ ଦେଖୁଛନ୍ତି। ଆଜିର ଦିନରେ ବିଭିନ୍ନ ଓଟିଟି ବା ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଏଚଡି କ୍ଵାଲିଟି ଭିଡିଓ ସେବା ପ୍ରଦାନ କରୁଛନ୍ତି। ତେଣୁ ଲୋକମାନେ ନିଜ ମୋବାଇଲ ଫୋନ ସହ ଘରେ ଥିବା ସ୍ମାର୍ଟ ଟିଭିରେ ଘଣ୍ଟାଘଣ୍ଟା ଧରି ଫୁଲ ଏଚଡି ଭିଡିଓ ଦେଖୁଥିବାରୁ ଇଣ୍ଟରନେଟ ବ୍ୟାଣ୍ଡଓ୍ଵିଥ୍ ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଛି।

କେବଳ ମୋବାଇଲ ବା ସ୍ମାର୍ଟ ଟିଭି ଦର୍ଶକ ନୁହଁନ୍ତି, ଆଜି ଲକ୍ଷଲକ୍ଷ ପ୍ରଫେସାନାଲ ଆଜି ଘରେ ବସି ନିଜ କାର୍ଯ୍ୟ ପରିଚାଳନା କରୁଛନ୍ତି। ଏହାଫଳରେ ମଧ୍ୟ ବହୁ ପରିମାଣରେ ଇଣ୍ଚରନେଟ ବ୍ୟାଣ୍ଡଓ୍ଵିଥର ଆବଶ୍ୟକତା ବହୁ ପରିମାଣରେ ବଢ଼ିଯାଇଛି। ତା’ସାଙ୍ଗକୁ ଦେଶରେ ସୋସିଆଲ ମିଡିଆର ପ୍ରବଳ ପ୍ରୟୋଗ ସହ ଅନଲାଇନ ବା ଡିଜିଟାଲ ଟ୍ରାଞ୍ଜାକ୍ସନ ବଢିଥିବାରୁ ପ୍ରତି ମୂହୁର୍ତ୍ତରେ ଲକ୍ଷ ଲକ୍ଷ ଲୋକ ଇଣ୍ଟରନେଟ ସେବା ବ୍ୟବହାର କରୁଛନ୍ତି ।

ଟେଲିକମ୍ କମ୍ପାନିଗୁଡ଼ିକର କହିବା କଥା ହେଲା ଯେ, କରୋନା କଟକଣା ପାଇଁ ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବେ ଅନଲାଇନରେ ପାଠ ପଢ଼ୁଛନ୍ତି। ତା’ସାଙ୍ଗକୁ ସ୍ଵାସ୍ଥ୍ୟସେବା ଭଳି ଅତି ଗୁରୁତ୍ଵପୂର୍ଣ୍ଣ ସେବା ଲାଗି ଆଜି ପ୍ରତି ମୂହୁର୍ତ୍ତରେ ଇଣ୍ଟରନେଟ ର ଆବଶ୍ୟକତା ପଡ଼ୁଛି। ତେଣୁ ଭିଡିଓ ଷ୍ଟ୍ରିମିଂ କମ୍ପାନିମାନେ ବ୍ୟାଣ୍ଡାଓ୍ଵିଥ ବ୍ୟବହାର ଉପରେ ରୋକ୍ ନଲଗାଇଲେ ଲୋକଙ୍କୁ ସେବା ଯୋଗାଇ ଦେବାରେ ଆଗକୁ ବଡ଼ ଅସୁବିଧା ହୋଇପାରେ ବୋଲି ସେଲୁଲାର ଆସୋସିଏସନ ଅଫ ଇଣ୍ଡିଆ ସତର୍କ କରାଇ ଦେଇଛନ୍ତି।

ଡିଜିଟାଲ ବିଶେଷଜ୍ଞଙ୍କ କହିବା କଥା କରୋନା ପରିସ୍ଥିତିରେ ସାରା ବିଶ୍ଵରେ ଇଣ୍ଟରନେଟ ବ୍ୟାଣ୍ଡଓ୍ଵିଥର ବ୍ୟବହାର ହଠାଥ୍ ବଢ଼ିଯାଇଛି। ଆମେରିକା ଏବଂ ଇୟୁରୋପ ଆଉ କେତେକ ଦେଶରେ ଏ ବାବଦରେ ଗୁରୁତ୍ଵର ସହ ପଦକ୍ଷେପ ନିଆଯାଉଛି। ଭାରତରେ ମଧ୍ୟ ଆଗାମୀ ଦିନରେ ୟୁଟ୍ୟୁବ୍, ଆମାଜନ ପ୍ରାଇମ୍ ଭିଡିଓ, ହଟଷ୍ଟାର, ଏମଏକ୍ସ ପ୍ଲେୟାର ଏବଂ ଜି୫ ଭଳି ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକୁ କିଭଳି କମ ଇଣ୍ଟରନେଟ ବ୍ୟାଣ୍ଡଓ୍ଵିଥ ବ୍ୟବହାର କମ ହେବ ସେ ବାବଦରେ ରାସ୍ତା ବାହାର କରିବାକୁ ହେବ।