କରୋନା କବଳରୁ ବର୍ତ୍ତିଲାନି ଷ୍ଟକ୍ ବଜାର। କରୋନା ଭାଇରସର ସଂକ୍ରମଣ ଭୟରେ ସାରା ଦେଶରେ ଭୟ ଲାଗି ରହିଛି। ଭାଇରସ ବ୍ୟାପିବା ଭୟରେ ଦେଶର ଷ୍ଟକ୍ ବଜାରରେ ତୀବ୍ର ହ୍ରାସ ଯୋଗୁଁ ବଜାରରେ ସୋମବାର ଲୋୟର ସର୍କିଟ ଜାରି କରାଯାଇଥିଲା। ହେଲେ ଲୋୟର ସର୍କିଟ ଖୋଲିବା ପରେ ବିକ୍ରି ଜୋରଦାର ଧରିଥିଲା।

ଗତକାଲି ବଜାର ଖୋଲିବା ସହିତ ସେନସେକ୍ସ ୩୧୮୫.୮୪ ପଏଣ୍ଟ ହ୍ରାସ ପାଇ ୨୬,୭୩୦.୧୨ ରହିଥିବା ବେଳେ ନିଫ୍ଟି ୯୨୩.୯୫ ପଏଣ୍ଟ ତଳକୁ ଖସି ୭,୮୨୧.୫୦ ରେ ପହଞ୍ଚିଥିଲା। ଷ୍ଟକ୍ ମାର୍କେଟ ଖୋଲିବାର ମାତ୍ର ଏକ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ହରାଇଥିଲେ। କେବଳ ସେତିକି ନୁହେଁ ଏହା ସହିତ ପ୍ରମୁଖ ସୂଚକାଙ୍କ ୧୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଥିଲା।

କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ସହ ସାରା ବିଶ୍ୱ ଉପରେ ଏହାର ଖରାପ ପ୍ରଭାବ ପଡ଼ିବାରେ ଲାଗିଛି। ଗତ ଛଅ ବର୍ଷର ଟ୍ରେଣ୍ଡ୍‌କୁ ନଜର ପକାଇଲେ ଷ୍ଟକ୍ ବଜାରର ମୂଲ୍ୟ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ମୁଖ୍ୟତଃ ବ୍ୟାଙ୍କିଙ୍ଗ୍ ସେୟାରଗୁଡ଼ିକ ଉପରେ ଏହାର ପ୍ରଭାବ ଅଧିକ ରହିଛି।

ଆକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ୍, ଇଣ୍ଡସ୍‌ଇଣ୍ଡି ବ୍ୟାଙ୍କ୍ ଏବଂ ବଜାଜ ଫାଇନାନ୍ସରେ ମଧ୍ୟ ଅଧିକ ପରିମାଣର ହ୍ରାସ ଘଟିଛି। ହିରୋ ମୋଟୋ ଏବଂ ମାରୁତି ଭଳି ଅଟୋମୋବାଇଲ୍ କ୍ଷେତ୍ରରେ ବି ହ୍ରାସ ଦେଖାଦେଇଛି। ଏହା ସହ ଅନେକ ଅଟୋମୋବାଇଲ୍ କମ୍ପାନି ୩୧ ମାର୍ଚ୍ଚ ଯାଏଁ ସେମାନଙ୍କ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍କ ଏବଂ ଫାଇନାନ୍ସ କ୍ଷେତ୍ରର ସେୟାରଗୁଡ଼ିକ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି।

ଶୁକ୍ରବାର ଷ୍ଟକ୍ ବଜାର ବନ୍ଦ ହେବା ସହ ସେନସେକ୍ସ ୩,୯୩୪.୭୨ ପଏଣ୍ଟ ହ୍ରାସ ପାଇ ୨୫,୯୮୧.୨୪ ରହିଥିବା ବେଳେ ନିଫ୍ଟି ୧,୧୩୫.୨୦ ପଏଣ୍ଟ ତଳକୁ ଖସି ୭,୬୧୦.୨୫ ରେ ପହଞ୍ଚିଥିଲା।