କୋରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହା ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ସୋମବାର ଭାରତୀୟ ସେୟାର ବଜାରରେ ସୂଚକାଙ୍କ ଭାରି ମାତ୍ରାରେ ହ୍ରାସ ପାଇଛି। ସେନ୍‌ସେକ୍ସ ୨୧ ଶହ ପଏଣ୍ଟ କମି ଯାଇଥିବା ବେଳେ ନିଫ୍ଟି ମଧ୍ୟ ୫୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଏହା ଗତ ୫ବର୍ଷ ମଧ୍ୟରେ ସେୟାର ମାର୍କେଟକୁ ଲାଗିଥିବା ସବୁଠାରୁ ବଡ଼ ଝଟକା। ମାର୍କେଟର ଏଭଳି ସ୍ଥିତି ଯୋଗୁଁ ସୋମବାର ନିବେଶକମାନଙ୍କୁ ପ୍ରାୟ ୫ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି।

କୋରୋନା ଭାଇରସ ଯୋଗୁଁ ଚୀନ ଏବଂ ଜାପାନର ସେୟାର ବଜାରରେ ଏହାର ଭାରି ପ୍ରଭାବ ପଡ଼ିଛି। ବିଶ୍ୱ ବଜାରର ଏଭଳି ସ୍ଥିତି ସିଧାସଳଖ ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିଛି। ସୋମବାର ଦିନ ଆରମ୍ଭରୁ ହିଁ ସେନ୍‌ସେକ୍ସ ସୂଚକାଙ୍କ ୧୫୧୫.୦୧ ପଏଣ୍ଟ ହ୍ରାସ ପାଇଥିଲା। ସେହିଭଳି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ହ୍ରାସ ପାଇ ୩୬,୦୬୧.୬୧ରେ ପହଞ୍ଚିଛି। ସେପଟେ ନିଫ୍ଟି ସୂଚକାଙ୍କ ହ୍ରାସ ପାଇ ୧୦,୫୭୨.୪୦କୁ ଖସି ଆସିଛି।

ଷ୍ଟକ୍‌ ମାର୍କେଟର ଏଭଳି ସ୍ଥିତି ଯୋଗୁଁ ନିବେଶକମାନେ ୪,୭୯,୮୨୦.୮୭ କୋଟି ଟଙ୍କା ହରାଇଛନ୍ତି ଏବଂ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ବଜାର ପୁଞ୍ଜିକରଣ ମୋଟ ୧କୋଟି ୩୯ଲକ୍ଷ ୩୯ହଜାର ୬୪୦.୯୬ କୋଟି ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର ଶେଷ ଆଡ଼କୁ ୧କୋଟି ୪୪ଲକ୍ଷ ୩୧୨୨୪.୪୧ କୋଟି ଟଙ୍କା ଥିଲା।

କୋରୋନା ଭାଇରସ ଯୋଗୁଁ ଷ୍ଟକ ମାର୍କେଟ ମନ୍ଥର ଗତିରେ ଚାଲିଥିବାନେଇ ଅନୁମାନ କରିଛନ୍ତି ନିବେଶକ। ସେନ୍‌ସେକ୍ସରେ ପ୍ରମୁଖ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇଛି। ONGC, ରିଲାଏନ୍ସ, ଟାଟା ଷ୍ଟିଲ, ଏଲଆଣ୍ଡଟି, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଇନଫୋସିସ୍ ଆଦିର ସେୟାର ମୂଲ୍ୟ ହ୍ରାସ ପାଇଛି। ସେୟାର ବଜାରରେ ଅଶୋଧିତ ତୈଳର ମୂଲ୍ୟ ବି ହ୍ରାସ ପାଇଛି। ସେୟାର ମୂଲ୍ୟରେ ଅନିଶ୍ଚିତତାକୁ ଦେଖି ନିବେଶକମାନେ ଦେଖିଚାହିଁ ନିବେଶ କରୁଛନ୍ତି।