ଗତ ସପ୍ତାରେ ସେୟାର ବଜାର ନିମ୍ନଗାମୀ ହୋଇଥିଲା। କରୋନା  କାରଣରୁ ବଜାରରେ ଏଭଳି ସ୍ଥିତି ଦେଖା ଦେଇଛି। ସପ୍ତାହ ଆରମ୍ଭରେ ସେନସେକ୍ସ ୪୦,୭୭୨ ଥିଲା ଯାହା ଶୁକ୍ରବାର ଦିନ ୬ ପ୍ରତିଶତ ହ୍ରାସ ସହ ୩୮,୨୯୭ରେ ପହଞ୍ଚିଛି। ଯାହାକୁ ନେଇ ନିବେଶକ ଚିନ୍ତିତ ଅଛନ୍ତି। ଏମିତିରେ ଜଣେ ନିବେଶକ ଭାବେ ଆପଣ କଣ କରିବା ଉଚିତ?

ନିଜ ଲକ୍ଷ୍ୟ ଉପରେ ନଜର ରଖନ୍ତୁ

ସର୍ବପ୍ରଥମେ ଏହା ସବୁବେଳେ ମନେ ରଖନ୍ତୁ ଯେ, ଆପଣ ନିବେଶ କଣ ପାଇଁ ଆରମ୍ଭ କରିଥିଲେ। ଯେକୌଣସି ନିବେଶ ଗୋଟିଏ ବିଶେଷ ଲକ୍ଷ୍ୟକୁ ନେଇ ହୋଇଥାଏ। ଯଦି ଆପଣ ବଜାରରେ ନିବେଶ କରୁଛନ୍ତି ତେବେ ଆପଣଙ୍କୁ କିଛି ରିସ୍କ ନେବାକୁ ପଡିବ। ଆପଣଙ୍କୁ ସବୁବେଳେ ସବୁପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ତେଣୁ ଆପଣଙ୍କ ଲକ୍ଷ୍ୟ ଯଦି ନିର୍ଦ୍ଧାରିତ ତେବେ ଲକ୍ଷ୍ୟ କଥା ମନେ ପକାନ୍ତୁ ଓ ନିର୍ଣ୍ଣୟ ନିଅନ୍ତୁ ଯେ, ଆପଣ ବଜାରରେ ନିବେଶ ଜାରି ରଖିବେ କି ନିଜ ପୁଂଜି ବାହାର କରିନେବେ।

ଉଦାହରଣ ସ୍ୱରୁପ, ଯଦି ଆପଣ ନିଜ ଲକ୍ଷ୍ୟ ପାଖାପାଖି ହୋଇଗଲେଣି,ତେବେ ବର୍ତ୍ତମାନ ପରିସ୍ଥିତିରେ ନିବେଶ ଜାରି ରଖିବା ବୋକାମି ହେବ। ଏବେ ଆପଣଙ୍କୁ ବଜାରରୁ ବାହାରି ଯିବା ହିଁ ଠିକ୍ ରହିବ। ଅନ୍ୟପକ୍ଷରେ ଯଦି ଆପଣ ଏଇ ନିକଟରେ ନିବେଶ ଆରମ୍ଭ କରିଛନ୍ତି ଓ ଆପଣ ନିଜ ଲକ୍ଷ୍ୟଠାରୁ ବହୁତ ଦୁରରେ ଅଛନ୍ତି ତେବେ ନିବେଶ ଜାରି ରଖନ୍ତୁ। କାରଣ ନିବେଶର ନିୟମ ହେଲା ଯେତେବେଳେ ସମସ୍ତେ ପଳାୟନ କରିବେ ସେତେବେଳେ ଆପଣ ନିବେଶ କରିବେ। ବଜାର ଦିନେ ନା ଦିନେ ଏହି ମାନ୍ଦବାସ୍ଥରୁ ଉଠିବ। ଆପଣ କମ ଟଙ୍କାରେ ଏବେ ଯେଉଁ ସେୟାର କିଣିବେ ଭବିଷ୍ୟତରେ ତାହା ଆପଣଙ୍କ ପାଇଁ ଜ୍ୟାକପଟ୍ ସାବ୍ୟସ୍ତ ହେବ।
ରିସ୍କର ମୁଲ୍ୟାଙ୍କନ କରନ୍ତୁ

ସବୁ ପ୍ରକାରର ବଜାର ପରିସ୍ଥିତିରେ ଆପଣଙ୍କ ଆଗକୁ ନିବେଶର ଏମିତି ବିକଳ୍ପ ଆସିଥାଏ,ଯାହା ଅନ୍ୟ ବିକଳ୍ପ ଅପେକ୍ଷା ଅଧିକ ଲାଭପ୍ରଦ ହେବା ସହ ଅଧିକ ରିସ୍କି ମଧ୍ୟ ହୋଇଥାଏ। ସାହାସୀ ନିବେଶକ ସବୁବେଳେ ଏଭଳି ମୌକାର ସନ୍ଧାନରେ ଥାଏ। ବର୍ତ୍ତମାନ ପରିସ୍ଥିତିରେ ଆପଣଙ୍କୁ ଅଧିକ ରିସ୍କି ନିବେଶ-ଉଦାହରଣ ସ୍ୱରୁପ ଚୀନ ବଜାର ସହ ସିଧାସଳଖ ଜଡିତ ଥିବା ନିବେଶର ମୁଲ୍ୟାଙ୍କାନ କରନ୍ତୁ।ଅଧିକାଂଶ ସମୟରେ ନିବେଶକ ସଂକଟ କାଳରେ ଭୟଭୀତ ହୋଇ ନିଜ ସେୟାର ବିକ୍ରି କରିଦେଇ କ୍ଷତିରେ ପଡିଥାନ୍ତି। ତେଣୁ ବଜାର ସଂକଟ କାଳରେ ନିଜକୁ ପ୍ରଶ୍ନ କରନ୍ତୁ ଯେ,ଆପଣଙ୍କ ନିବେଶ ପୋର୍ଟଫୋଲିଓ ସବୁ ପାଗ ପାଇଁ ନା ସଂକଟ କାଳରେ ବିକ୍ରି କରି ବଜାର ଛାଡିବା ପାଇଁ ଆପଣ ନିବେଶ କରିଛନ୍ତି।

ଯଦି ଆପଣଙ୍କ ନିବେଶ ପୋର୍ଟଫୋଲିଓ ଦୁର୍ବଳ ତେବେ  କମ ଗୁଣବତ୍ତା ବିଶିଷ୍ଟ ନିବେଶରୁ ବାହାରି ଯାଇ ଭଲ ରିଟର୍ଣ୍ଣ ସମ୍ଭାବନା ଥିବା ପୋର୍ଟଫୋଲିଓରେ ନିବେଶ କରନ୍ତୁ। ଉଦାହରଣ ସ୍ୱରୁପ ସ୍ଥିରତା ଓ ସୁରକ୍ଷା ପାଇଁ ଲାର୍ଜକ୍ୟାପ୍ ଓ ବ୍ଲୁଚିପ୍‌ସ କମ୍ପାନି ସାମିଲ ଥିବା ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତୁ।

ନଗଦ ଟଙ୍କା ରଖନ୍ତୁ, ସ୍ୱାସ୍ଥ୍ୟବୀମା ନିଅନ୍ତୁ

ଏହା ନଗଦ ଟଙ୍କା ରଖିବାର ସବୁଠୁ ଭଲ ସମୟ ହୋଇଥାଏ। ନିଜ ବ୍ୟାଙ୍କ ଆକାଉଣ୍ଟରେ, ଫିକ୍ସଡ୍ ଡିପୋଜିଟରେ  ତଥା ଘରେ ପର୍ଯ୍ୟାପ୍ତ ନଗଦ ଟଙ୍କା ରଖନ୍ତୁ। ଏହାଦ୍ୱାରା ଆୟ ବନ୍ଦ ହେଲେ କିମ୍ବା ମେଡିକାଲ ଖର୍ଚ୍ଚ ଆସିଲେ ଆପଣ ତୁଲାଇ ପାରିବେ। ସ୍ୱାସ୍ଥ୍ୟ କଭରେଜ୍ ଆପଣଙ୍କ ପାଇଁ କରୋନା ଭଳି ଭାଇରସ ସମୟରେ ଅଧିକ ଜରୁରୀ ହୋଇପଡେ। ତେଣୁ ପର୍ଯ୍ୟାପ୍ତ କଭରେଜ୍ ଦେଉଥିବା ଗୋଟିଏ ହେଲ୍ଥ ଇନସୁରାନ୍ସ ନିଅନ୍ତୁ। ପରିବାର ପାଇଁ ଏମିତି ହେଲ୍ଥ କଭରେଜ୍ ନିଅନ୍ତୁ ଯାହା ପ୍ରତ୍ୟକଙ୍କୁ ଅତିକମରେ ୧୦ ଲକ୍ଷର କଭରେଜ୍ ଦେଉଥିବ।

ନିଜ ପୋର୍ଟଫୋଲିଓକୁ ଡାଇଭର୍ସିଫାଏ କରନ୍ତୁ
କେହି ଜଣେ ଜ୍ଞାନୀ ବ୍ୟକ୍ତି ସବୁ ଅଣ୍ଡାକୁ ଗୋଟିଏ ବକ୍ସରେ ରଖିବାକୁ ମନା କରିଥିଲେ। କାରଣ ବକ୍ସ ଯଦି କୌଣସି କାରଣରୁ  ଖସିପଡେ ତେବେ ଆପଣଙ୍କ ସବୁ ଅଣ୍ଡା ନଷ୍ଟ ହୋଇଯିବ। ନିବେଶରେ ମଧ୍ୟ ଏହି ନିୟମ ଲାଗୁ ହୋଇଥାଏ। ସବୁବେଳେ ଗୋଟିଏ ପ୍ରକାରର କଂପାନିରେ ନିବେଶ କରନ୍ତୁ ନାହିଁ। ନିଜ ପୋର୍ଟଫୋଲିଓରେ ବିବିଧତା ଆଣନ୍ତୁ। ଇକ୍ୱଟି ସହ ଡେବ୍ଟ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତୁ।

କେବଳ ଲାର୍ଜ୍ କ୍ୟାପରେ ନିବେଶ କରନ୍ତୁ ନାହିଁ, ଲାର୍ଜ କ୍ୟାପ୍ ସହ ସ୍ମଲ ଓ ମିଡ୍ କ୍ୟାପରେ ମଧ୍ୟ ନିବେଶ କରନ୍ତୁ। ଏହାସହ ସୁନାରେ ମଧ୍ୟ କିଛି ନିବେଶ କରନ୍ତୁ। ପାରୁଛନ୍ତି ଯଦି ରିୟଲ ଇଷ୍ଟେଟରେ ମଧ୍ୟ କିଛି ନିବେଶ କରନ୍ତୁ। ମୋଟମୋଟି ଭାବେ ନିବେଶର ଏମିତି ମିଶ୍ରଣ ତିଆରି କରନ୍ତୁ ଯେଉଁଥିରେ ସବୁ ପ୍ରକାରର ନିବେଶ ଥିବ।