ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର କର୍ପସ ପାଣ୍ଠିର ୫୪୫ କୋଟି ଟଙ୍କା ସୁରକ୍ଷିତ ଅଛି ତ? ୟେସ୍ ବ୍ୟାଙ୍କ ଦେବାଳିଆ ଘୋଷିତ ହେବା ଦ୍ୱାରା ଜଗନ୍ନାଥଙ୍କ କୋଟି କୋଟି ଟଙ୍କା ବୁଡ଼ିଯିବନି ତ? ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଘରୋଇ ୟେସ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିବା ପରେ ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ୟେସ୍ ବ୍ୟାଙ୍କରେ ଏବେ ଶ୍ରୀମନ୍ଦିର କର୍ପସ ପାଣ୍ଠିର ୫୪୫ କୋଟି ଟଙ୍କା ଫିକ୍ସ ଡିପୋଜିଟ୍ ଅଛି। ଯାହାର ଭବିଷ୍ୟତକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ୟେସ୍ ବ୍ୟାଙ୍କ ଦେବାଳିଆ ହେବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଏହି ଟଙ୍କା ମଧ୍ୟ ପାଣିରେ ବୁଡ଼ିବ ବୋଲି ଅନେକ କହିବା ମଧ୍ୟ ଆରମ୍ଭ କରିଦେଇଛନ୍ତି।

ଅନ୍ୟପଟେ ଯଦି ଶ୍ରୀମନ୍ଦିରର ଟଙ୍କାରେ କିଛି ବି ଏପଟ ସେପଟ ହୁଏ ତେବେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବେ। ଲୋକମାନଙ୍କ ଦାନ ଧର୍ମରେ ମିଳିଥିବା ଏହି ଟଙ୍କା ଜଗନ୍ନାଥଙ୍କ କାମରେ ଆସିବା ଦରକାର। ରାଜ୍ୟର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ଏନେଇ କଥା ହୁଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ।

ସେହିପରି ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି,“ସବୁ ବ୍ୟାଙ୍କକୁ ବର୍ତ୍ତମାନର କେନ୍ଦ୍ର ସରକାର ଲୁଟ୍ କରିଛନ୍ତି। ଏଭଳି ପରିସ୍ଥିତିରେ ବ୍ୟାଙ୍କ ଦେବାଳିଆ ହେବନି ତ ଆଉ କ’ଣ ହେବ। ପ୍ରଶାସନ ଆଗୁଆ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣିବା କଥା। ଦେବାଳିଆ ଘୋଷଣା ହେବା ପରେ ଟଙ୍କା ଉଠାଇବେ ବୋଲି କହୁଛନ୍ତି। ଏଭଳି ପରିସ୍ଥିତିରେ ଟଙ୍କା ତ ବୁଡ଼ିବ।”

ଅନ୍ୟପଟେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ସମୟ ହେଲେ ଏହି ଟଙ୍କାକୁ ଉଠାଇ ଆଣି କୌଣସି ଜାତୀୟକରଣ ବ୍ୟାଙ୍କରେ ରଖାଯିବ ବୋଲି ମନ୍ତ୍ରୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।

ଘାଟାରେ ପଡ଼ିଥିବା ଘରୋଇ ୟେସ୍ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଦେବାଳିଆ ଘୋଷଣା କରିବା ସହିତ ଏହାର ପରିଚାଳନା ଦାୟିତ୍ୱ ନିଜ ହାତକୁ ନେଇଛି। ଏଥିସହିତ ଖାତାଧାରୀମାନେ ଆଗାମୀ ୩୦ ଦିନ ଯାଏଁ କେବଳ ୫୦ ହଜାର ଟଙ୍କା ଉଠାଇପାରିବେ ଅର୍ଥମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଏକ ମାସ ପରେ ବ୍ୟାଙ୍କର ସ୍ଥିତିରେ ସୁଧାର ଆସିବ ଏବଂ କୌଣସି ଗ୍ରାହକଙ୍କ ଟଙ୍କା ବୁଡ଼ିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।