ଆହୁରି ମହଙ୍ଗା ହୋଇପାରେ ମୋବାଇଲ ଦର। ଟେଲିକମ ରେଗୁଲେଟୋରୀ ଅଥୋରିଟି ଅଫ୍‌ ଇଣ୍ଡିଆ (TRAI) ମୋବାଇଲ ଇଣ୍ଟରନେଟ୍‌ ଓ କଲ୍‌ ପାଇଁ ଏକ ଫ୍ଲୋର ପ୍ରାଇଜ୍‌ ଆଣିବାକୁ ଯାଉଛି। ତେବେ ରିଲାଏନ୍ସ ଜିଓ ଏହି ଫ୍ଲୋର ପ୍ରାଇଜ୍‌ ୧ ଜିବି ଡାଟାକୁ ୧୫ ଟଙ୍କା କରିବା ପାଇଁ ଟ୍ରାଇକୁ ପରାମର୍ଶ ଦେଇଛି।

ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ଖରାପ ସ୍ଥିତିଦେଇ ଗତି କରୁଛି। ନିକଟରେ ବିଭିନ୍ନ ଟେଲିକମ କମ୍ପାନି ନିଜର କଲ୍‌ ଏବଂ ଇଣ୍ଟରନେଟ୍‌ ଦର ବୃଦ୍ଧି କରିଥିଲେ। ଏହାର ପ୍ରଭାବରେ ଅନେକ ଗୋଟିଏ ସିମ୍‌ ବ୍ୟବହାର କରୁଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ବର୍ତ୍ତମାନ ଏହା ଆହୁରି ବଢ଼ିପାରେ।

ରିଲାଏନ୍ସ ଜିଓ ଆହୁରି ମଧ୍ୟ ପରାମର୍ଶ ଦେଇଛି ଯେ, କିଛି ସମୟ ପରେ ଅର୍ଥାତ୍ ୬ରୁ ୯ ମାସ ପରେ ଏହାକୁ ଜିବି ପିଛା ୨୦ ଟଙ୍କାକୁ ବୃଦ୍ଧି କରାଯାଇପାରିବ। ଏନେଇ ଇଟି ଟେଲିକମରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ନିକଟରେ ଭୋଡାଫୋନ୍ ଆଇଡିଆ ଟେଲିକମ୍ ବିଭାଗକୁ ଏକ ଚିଠି ଲେଖିଛି। କମ୍ପାନି କହିଛି ଯେ, ଏକ ଜିବି ଡାଟା ପିଛା ସର୍ବନିମ୍ନ ମୂଲ୍ୟ ୩୫ ଟଙ୍କା କରିଦିଆଯାଉ। ବର୍ତ୍ତମାନ ୧ ଜିବି ଡାଟାକୁ ପ୍ରାୟ ୪ରୁ ୫ ଟଙ୍କା ରହିଛି। 

ବର୍ତ୍ତମାନ, ଉଭୟ ଭୋଡାଫୋନ୍ ଆଇଡିଆ ଏବଂ ରିଲାଏନ୍ସ ଜିଓ ଏହି ଫ୍ଲୋର ପ୍ରାଇଜ୍‌ ଡାଟା ମୂଲ୍ୟରେ ବୃଦ୍ଧି ପାଇଁ ସୁପାରିଶ କରୁଛନ୍ତି। ତେବେ ଟ୍ରାଇର ନିଷ୍ପତ୍ତି କ’ଣ ରହିବ ତାହା ଆଗାମୀ ଦିନରେ ଜଣାପଡ଼ିବ।