ଜିଏସ୍‌ଟି ମାନେ ଗୁଡ୍‌ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ। ଉତ୍ପାଦ ଓ ସେବା ପାଇଁ ଅସୁଲ ହେଉଥିବା ଏହି ଟ୍ୟାକ୍ସ ସଂପୂର୍ଣ୍ଣ ଦେଶ ପାଇଁ ଏକ ପ୍ରକାରର। ଅର୍ଥାତ ଗୋଟିଏ ଦେଶ, ଗୋଟିଏ ଟ୍ୟାକ୍ସ। ଆସନ୍ତୁ ଜାଣିବା ଯେଉଁ ଟ୍ୟାକ୍ସ ଆପଣ ଜିଏସଟି ଭାବେ ଦେଉଛନ୍ତି ତାକୁ ସରକାର କେମିତି ଅସୁଲ କରନ୍ତି।

ଉଦାହରଣ ଦ୍ୱାରା ବୁଝନ୍ତୁ

ଗୋଟିଏ ପ୍ୟାଣ୍ଟ କପଡାକୁ ଉଦାହରଣ ଭାବେ ଧରନ୍ତୁ। ଏହା ଉତ୍ପାଦକ(କମ୍ପାନି)ଠାରୁ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଥାଏ। ଏହା ଭିତରେ ସେହି ପ୍ରଡକ୍ଟକୁ କିଛି ଷ୍ଟେଜ ଦେଇ ଗତି କରିବାକୁ ପଡିଥାଏ। ଏଠି ଆମେ ପ୍ରକ୍ରିୟାକୁ ସହଜରେ ବୁଝିବା ପାଇଁ ତିନୋଟି ଷ୍ଟେଜ କଥା କହୁଛୁ। ତେବେ ବେଳେ ବେଳେ ଏହାଠାରୁ ଅଧିକ ଚରଣ କିମ୍ବା କମ ଷ୍ଟେଜ୍ ଦେଇ ଗୋଟିଏ ଉତ୍ପାଦ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଥାଏ।

  • ପ୍ରଥମେ ଉତ୍ପାଦକଙ୍କ(କମ୍ପାନି)ଠାରୁ ମାଲ୍ ହୋଲସେଲରଙ୍କ ପାଖରେ ପହଞ୍ଚେ।
  • ହୋଲସେଲରଠାରୁ ଏହା ରିଟେଲର ପାଖରେ ପହଞ୍ଚେ।
  • ରିଟେଲରଙ୍କ ପାଖରୁ ଏହା ଗ୍ରାହକଙ୍କ ପାଖରେ ପହଞ୍ଚିଥାଏ।

ଯେମିତିକି ଆପଣ ଜାଣିଛନ୍ତି ଜିଏସଟି କ୍ରେତାଙ୍କଠାରୁ ଅସୁଲ କରାଯାଇଥାଏ। କିନ୍ତୁ ଏହା ପୂର୍ବରୁ ଯେଉଁ ଯେଉଁ ସ୍ତରରେ ବସ୍ତରୁ ମୂଲ୍ୟରେ ବୃଦ୍ଧି ହୋଇଥାଏ, ସେ ସବୁ ସ୍ତରରେ ଜିଏସଟି ଅସୁଲ କରା ଯାଇଥାଏ। ପ୍ରଥମେ ଯିଏ ମାଲ୍ କିଣିଥିଲେ, ସିଏ ଆଗକୁ ଯେତେବେଳେ ଆଉ କାହାକୁ ମାଲ୍ ବିକ୍ରି କରିବେ ସେତେବେଳେ ସେ ଜିଏସଟି ଆଦାୟ କରିବେ। ଫଳରେ ସ୍ଥିତି ଏବେ ଏମିତି ହେବ-

  • କମ୍ପାନିଠାରୁ ମାଲ୍ ନେବା ବେଳେ ହୋଲସେଲରଙ୍କ ଉପରେ ଜିଏସଟି ଲାଗୁ ହେବ। କିନ୍ତୁ କମ୍ପାନି ତାକୁ ନେଇ ରିଟର୍ଣ୍ଣ ଫାଇଲ କରିବ।
  • ହୋଲସେଲରଠାରୁ ମାଲ୍ ନେବା ବେଳେ ରିଟେଲର ଉପରେ ଜିଏସଟି ଲାଗୁ ହେବ। ବସ୍ତୁ ମୂଲ୍ୟ ସହ ଜିଏସଟି ଯୋଡ଼ିକରି ହୋଲସେଲର ତାକୁ ରିଟେଲରଠାରୁ ଆଦୟ କରିବେ।
  • ରିଟେଲରଠାରୁ ମାଲ କିଣିବା ବେଳେ ଉପଭୋକ୍ତା ଜିଏସଟି ଦେବେ। ରିଟେଲର ଜିଏସଟି ଭରିବା ପାଇଁ ଦାୟୀ ରହିବେ। ତେବେ ଅନ୍ତିମ ଚରଣରେ ଥିବା ଉପଭୋକ୍ତାଙ୍କୁ ଜିଏସଟି ଭରିବାକୁ ପଡ଼ିବ ନାହିଁ।

କେମିତି ମିଳେ ଜିଏସଟି ଟ୍ୟାକ୍ସ କ୍ରେଡିଟ୍?

ଏଠି ଆମେ ଦେଖୁଛେ ଯେ, ମାଲ କିଣିବା ଓ ବିକ୍ରି କରିବା ଚରଣରେ ସମସ୍ତେ ଜିଏସଟି ଦେଇଛନ୍ତି। ପ୍ରଥମେ ହୋଲସେଲର, ତାପରେ ରିଟେଲର ଓ ଶେଷରେ ଉପଭୋକ୍ତା ଜିଏସଟି ଦେଇଛନ୍ତି। ତେବେ ଆଗରୁ ଯାହା କୁହାଯାଇଛି ଯେ, କେବଳ ଉପଭୋକ୍ତା ହିଁ ଜିଏସଟି ଦେବେ, ତାହା ପୁଣି କ’ଣ ? ଆସନ୍ତୁ ବୁଝିବା।

ପ୍ରକୃତ କଥା ହେଲା ହୋଲସେଲର ଓ ରିଟେଲର ନିଜ ପାଳିରେ ଯେଉଁ ଜିଏସଟି ଦେଇଥିଲେ ତାକୁ ସେମାନେ ଟ୍ୟାକ୍ସ କ୍ରେଡିଟ୍ ଦ୍ୱାରା ସରକାରଙ୍କଠାରୁ ଫେରସ୍ତ ପାଇ ପାରିବେ। ଜିଏସଟିର ମାସିକ ରିଟର୍ଣ୍ଣ ଭରିବା ସମୟରେ ସେମାନେ ତାଙ୍କୁ ଯାହା ଦେବାକୁ ଥିବ ସେଥିରେ ଏହାକୁ ଆଡଜଷ୍ଟ କରିପାରିବେ।

ଏହି ଟ୍ୟାକ୍ସ ଆଡଜଷ୍ଟ ପ୍ରକ୍ରିୟାକୁ ଜିଏସଟିରେ ଟ୍ୟାକ୍ସ କ୍ରେଡିଟ୍ କୁହାଯାଇଥାଏ। ଏହି ଟ୍ୟାକ୍ସ କ୍ରେଡିଟ୍ ବ୍ୟବସ୍ଥାର ଲାଭ ମଧ୍ୟବର୍ତ୍ତି ଚରଣରେ ଆସୁଥିବା ବ୍ୟବସାୟୀଙ୍କ ପାଖରେ ଯଦି ବିକ୍ରି ରସିଦ୍ ଥାଏ ତେବେ ସେମାନେ ଏହାର ଫାଇଦା ନେଇ ପାରିବେ।  କାରଣ ଯିଏ ସେମାନଙ୍କଠାରୁ ସାମଗ୍ରୀ କିଣିଥିବ ତାର ରସିଦ୍ ଅନଲାଇନରେ ଥିବ। ବିକ୍ରେତା ଓ କ୍ରେତାଙ୍କ ରସିଦର ମିଳନ ପରେ ହିଁ ଟ୍ୟାକ୍ସ କ୍ରେଡିଟ୍ ହୋଇଥାଏ।