ଜଣେ ଆୟକରଦାତାଙ୍କ ପାଇଁ ଆୟକର ନିୟମରେ କେତେକ ରିହାତି ବ୍ୟବସ୍ଥା ରହିଛି। ତା’ ମଧ୍ୟରୁ ଗୋଟିଏ ହେଉଛି ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡରେ ଜମା। ଏହି ଆକାଉଣ୍ଟରେ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ଜଣେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ଆୟକର ସୁବିଧା ପାଇପାରିବେ।

ଆୟକର ଧାରା 80-C ଅନୁଯାୟୀ ବିଭିନ୍ନ ୨୧ଟି ଇନଷ୍ଟ୍ରୁମେଣ୍ଟ କ୍ଷେତ୍ରରେ ଜଣେ ଆୟକରଦାତାଙ୍କୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଏହା ମଧ୍ୟରେ ରହିଛି ଜୀବନବୀମା ପ୍ରିମିୟମ, ଟ୍ୟୁସନ ଫିସ୍‍, ଗୃହଋଣର ପ୍ରିନ୍ସିପାଲ ଆମାଉଣ୍ଟ ଏବଂ ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡ ଇତ୍ୟାଦି। ଅର୍ଥାତ ଆୟକର ଧାରା 80-C ଆଧାରରେ ଜଣେ ବ୍ୟକ୍ତି ଏହିଭଳି ୨୧ଟି ବିଷୟରେ ଆୟକର ରିହାତି ପାଇବାକୁ ହକ୍‌ଦାର। ତେବେ ଏ କ୍ଷେତ୍ରରେ ବାର୍ଷିକ ଆୟକର ରିହାତି ସୀମା ୧ ଲକ୍ଷ ୫୦ ହଜାର କମିଛି।

ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡ କ’ଣ?

ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡ ବା ପିପିଏଫ୍‍ ଏକ ବ୍ୟାଙ୍କଜମା ଖାତା, ଯେଉଁଠି ଆପଣ ନିୟମିତ କିମ୍ବା ଆପଣଙ୍କ ସୁବିଧା ଅନୁଯାୟୀ ଜମା କରିପାରିବେ। ଦେଶର ଯେ କୌଣସି ଜାତୀୟକରଣ ବ୍ୟାଙ୍କ କିମ୍ବା ଘରୋ‍ଇ ବ୍ୟାଙ୍କରେ ଏହି ଆକାଉଣ୍ଟ ଖୋଲାଯାଇପାରିବ। ଏଥିରେ ବାର୍ଷିକ ସର୍ବନିମ୍ନ ୧ ହଜାର ଟଙ୍କା ଜମା କରାଯିବା ଦରକାର। ତେବେ ସର୍ବାଧିକ ଜମା ଉପରେ କୌଣସି କଟକଣା ନାହିଁ।

ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡ ବା ପିପିଏଫ୍‍ ଆକାଉଣ୍ଟରେ ଆପଣ ଯେତେ ଟଙ୍କା ଜମା କରିପାରନ୍ତି। ହେଲେ ଆୟକର ନିୟମ ଅନୁଯାୟୀ ଆପଣ 80-C ଅଧୀନରେ ସର୍ବାଧିକ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ।

ଆପଣ ନିଜ ପିପିଏଫ ଆକାଉଣ୍ଟ ଏବଂ ନିଜ ସ୍ୱାମୀ/ସ୍ତ୍ରୀ କିମ୍ବା ସାବାଳକ ସନ୍ତାନଙ୍କ ନାଁରେ ପିପିଏଫ ଆକାଉଣ୍ଟ ଖୋଲି ବାର୍ଷିକ ସର୍ବାଧିକ ୩ ଲକ୍ଷ ଟଙ୍କା (ଉଭୟ ଆକାଉଣ୍ଟର ଜମା ରାଶି ମିଶି) ପର୍ଯ୍ୟନ୍ତ କରୁଥିବା ଜମା ଉପରେ ଆୟକର ରିହାତି ମିଳିପାରିବ। ଏ ବାବଦରେ ବିସ୍ତୃତ ଭାବେ ତଳେ ବର୍ଣ୍ଣନା କରାଯାଇଛି।

public provident fund

କାହା ନାଁରେ ଖୋଲିବେ ପିପିଏଫ୍‍ ଆକାଉଣ୍ଟ

ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡ ଆପଣଙ୍କୁ ଦିଏ ଦୁଇଟି ଫାଇଦା। ଗୋଟିଏ ହେଉଛି ସଞ୍ଚୟ ଏବଂ ଅନ୍ୟଟି ଆୟକର ରିହାତି। ଏହି ଆକାଉଣ୍ଟ ଆପଣ ନିଜ ନାଁରେ ଖୋଲିପାରିବେ।

କେବଳ ସେତିକି ନୁହେଁ, ଜଣେ ବ୍ୟକ୍ତି ଚାହିଁଲେ ନିଜ ନାଁରେ ଆକାଉଣ୍ଟ ଖୋଲିବା ସହ ସ୍ତ୍ରୀ/ସ୍ୱାମୀ କିମ୍ବା ପିଲାଙ୍କ ନାଁରେ ଆକାଉଣ୍ଟ ଖୋଲି ନିଜେ ଜମା କରିପାରିବେ। ଏପରିକି ପିତା/ମାତା ତାଙ୍କ ନାବାଳକ ସନ୍ତାନ ନାଁରେ ମଧ୍ୟ ବ୍ୟାଙ୍କରେ ପିପିଏଫ୍‍ ଆକାଉଣ୍ଟ ଖୋଲିପାରିବେ।

ତେବେ ବାପା ବା ମା’ ଗୋଟିଏ ପିଲା ନାଁରେ ଦୁଇଟି ପିପିଏଫ୍‍ ଆକାଉଣ୍ଟ ଖୋଲିପାରିବେ ନାହିଁ।

ସେହିଭଳି କୌଣସି ପିପିଏଫ ଆକାଉଣ୍ଟ ଯୁଗ୍ମ ବା ଜଏଣ୍ଟ ଆକାଉଣ୍ଟ ଭାବେ ଖୋଲାଯାଇପାରିବ ନାହିଁ।

କିଏ ନେବେ ଆୟକର ରିହାତି?

ଯଦି ଆପଣ ନିଜ ନାଁରେ ପିପିଏଫ୍‍ ଆକାଉଣ୍ଟ ଖୋଲୁଛନ୍ତି, ତେବେ ଏଥିରେ ପ୍ରତି ଆର୍ଥିକ ବର୍ଷରେ କରୁଥିବା ଜମା ଉପରେ ଆପଣ ଆୟକର ରିହାତି ପାଇପାରିବେ। ଏହି ରିହାତି ସୀମା ଦେଢ ଲକ୍ଷ ରହିଛି।

ଯଦି ଆପଣ ସାବାଳକ/ନାବାଳକ ସନ୍ତାନ ନାଁରେ ପିପିଏଫ୍‍ ଆକାଉଣ୍ଟ ଖୋଲିଛନ୍ତି, ତେବେ ସେ କ୍ଷେତ୍ରରେ ମଧ୍ୟ ଦେଢ ଲକ୍ଷ ଟଙ୍କାର ଆୟକର ରିହାତି ବ୍ୟବସ୍ଥା ରହିଛି। କିନ୍ତୁ ନିୟମ ଅନୁଯାୟୀ ଆପଣ ନିଜ ପିପିଏଫ ଆକାଉଣ୍ଟ କିମ୍ବା ନିଜ ଆକାଉଣ୍ଟ ସହ ପିଲା ବା ସ୍ୱାମୀ/ସ୍ତ୍ରୀଙ୍କ ନାଁରେ ଖୋଲିଥିବା ପିପିଏଫ୍‍ ଆକାଉଣ୍ଟର ମୋଟ୍‍ ଜମା ବାବଦରେ ବାର୍ଷିକ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟକର ରିହାତି କ୍ଲେମ୍‍ କରିପାରିବେ।

ଯଦି ଆପଣ ଆପଣଙ୍କ ସାବାଳକ ସନ୍ତାନ ନାଁରେ ପିପିଏଫ ଆକାଉଣ୍ଟ ଖୋଲି ସେଥିରେ ଜମା କରୁଥା’ନ୍ତି ଏବଂ ସେ ଆୟକର ରିଟର୍ଣ୍ଣ ଫାଇଲ କରୁଥା’ନ୍ତି, ତେବେ ଆପଣ ତାଙ୍କ ପାଇଁ କରିଥିବା ଜମା ଉପରେ ସେ ବାର୍ଷିକ ସର୍ବାଧିକ ଦେଢ ଲକ୍ଷ ଟଙ୍କାର ରିହାତି ପାଇପାରିବେ। ଏ କ୍ଷେତ୍ରରେ ଆପଣ ତାଙ୍କ ପାଇଁ କରିଥିବା ଜମାକୁ ସେ ଉପହାର ଆକାରରେ ଦର୍ଶାଇ ଆୟକର ରିଟର୍ଣ୍ଣ ଫାଇଲ୍‍ କରିବେ।

ତେବେ ଆପଣ ଯଦି ନିଜ ପାଇଁ ପିପିଏଫ ଆକାଉଣ୍ଟ ଖୋଲିବା ସହ ଆପଣଙ୍କ ନାବାଳକ ସନ୍ତାନ ପାଇଁ ପିପିଏଫ ଆକାଉଣ୍ଟ ଖୋଲିଥା’ନ୍ତି, ସେ କ୍ଷେତ୍ରରେ ଆପଣଙ୍କ ସନ୍ତାନ କୌଣସି ଆୟକର ରିହାତି ପାଇବାର ସମ୍ଭାବନା ନାହିଁ।

ତେବେ ଯଦି ଆପଣ ଆପଣଙ୍କ ସ୍ୱାମୀ-ସ୍ତ୍ରୀଙ୍କ ନାଁରେ ପିପିଏଫ ଆକାଉଣ୍ଟ ଖୋଲି ସେଥିରେ ଜମା କରୁଥା’ନ୍ତି, ତେବେ ସେ କ୍ଷେତ୍ରରେ ଆପଣଙ୍କ ସ୍ତ୍ରୀଙ୍କ ପିପିଏଫ ଆକାଉଣ୍ଟରୁ ଆସୁଥିବା ସୁଧକୁ ଆପଣଙ୍କ ଆୟ ସହ ଯୋଡ଼ିବାକୁ ହେବ। ଏହାକୁ ଆୟକର ନିୟମର ‘କ୍ଲବିଂ ଅଫ୍‍ ଇନକମ୍‍’ ଭାବେ ବିଚାର କରାଯିବ।

ଦୀର୍ଘମିଆଦି ସଞ୍ଚୟ

ପିପିଏଫରେ ଜମା ଏକ ଦୀର୍ଘମିଆଦି ସଞ୍ଚୟ। କାରଣ ଏହି ଆକାଉଣ୍ଟର ‘ଲକ୍‍-ଇନ୍‍ ପିରିୟଡ୍‍’ ୧୫ ବର୍ଷ ରଖାଯାଇଛି। ଏଥିରେ ହେଉଥିବା ଜମା ସିଧାସଳଖ ଭାବେ ଭାରତ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହୋ‍ଇଥାଏ ଏବଂ ପ୍ରୋଭିଡେଣ୍ଟ ଫଣ୍ଡ ପାଇଁ ସ୍ଥିର ହେଉଥିବା ବାର୍ଷିକ ସୁଧହାର ପିପିଏଫ ଆକାଉଣ୍ଟରେ ଲାଗୁ ହୋ‍ଇଥାଏ।

ଏକ ନିର୍ଦ୍ଦିଷ୍ଟ ସମୟ ପରେ ଆପଣ ଆପଣଙ୍କ ପିପିଏଫ ଆକାଉଣ୍ଟ ଉପରେ କରିଥିବା ଜମା ଉପରେ ଋଣ ନେଇପାରିବେ।

ଜଣେ ବ୍ୟକ୍ତି ନିଜର ଆୟ, ବ୍ୟୟ ଏବଂ ସଞ୍ଚୟ ପରିଚାଳନା କଲାବେଳେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଦରକାର। ବିଶେଷକରି ବ୍ୟକ୍ତିଙ୍କର ବୟସ, କର୍ମକ୍ଷେତ୍ର, ଆୟ ପରିମାଣ ଏବଂ ନିଜର ଭବିଷ୍ୟତ ଲକ୍ଷ୍ୟ ଅନୁଯାୟୀ ବିଭିନ୍ନ ସଞ୍ଚୟ ଇନଷ୍ଟ୍ରୁମେଣ୍ଟରେ ନିବେଶ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ତେଣୁ ଜୀବନର କଷ୍ଟରେ ଉପାର୍ଜନ କରୁଥିବା ଅର୍ଥକୁ ଗୋଟିଏ ବାସ୍କେଟରେ ନ ପକାଇ ବିଭିନ୍ନ ଇନଷ୍ଟ୍ରୁମେଣ୍ଟରେ ବିନିଯୋଗ କରିବା ବୁଦ୍ଧିମାନର କାମ ହେବ। ତେଣୁ ଆଜି ଅର୍ଥବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଜମା ଓ ସଞ୍ଚୟ ବିଷୟ ମଧ୍ୟରେ ପିପିଏଫ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ।