ଡକ୍ଟର ଗୌରହରି ଦାସ

ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ରୁଚିର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା।

Ruchi founder Sarat Sahoo

ଓଡ଼ିଶାର ଅନେକ ଅଭାବ ଭିତରୁ ଗୋଟିଏ ଅଭାବ ହେଉଛି ସଫଳ କାହାଣୀର ଅଭାବ। ଏଠି ସଫଳ କାହାଣୀର ଅର୍ଥ ସଫଳ ଉଦ୍‌ଯୋଗୀ ଓଡ଼ିଆମାନଙ୍କର କାହାଣୀ। ଏଭଳି ସଫଳ ଲୋକଙ୍କ ସଂଖ୍ୟା ହାତଗଣତି ହେବ, ଯେଉଁମାନେ ଚାକିରି ପଛରେ ନଗୋଡ଼ାଇ କିମ୍ବା ନୀତିହୀନ ବ୍ୟବସାୟରେ ନ ମାତି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ରୁଚି ଉଦ୍ୟୋଗର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ସାହୁ ଏପରି ଜଣେ ସଫଳ ଓଡ଼ିଆ ଉଦ୍‌ଯୋଗୀ ପୁରୁଷ। ସାଧାରଣ ସ୍ତରରୁ ଆସି ଅସାଧାରଣ ସ୍ତରରେ ପହଞ୍ଚି ପାରିଥିବା ଶରତ କୁମାର ସାହୁଙ୍କ ଜୀବନ କାହାଣୀ ଅନେକ ଯୁବକଙ୍କ ପାଇଁ ପ୍ରେରଣାର ଉତ୍ସ। ଓଡ଼ିଶାରେ ଏବେ ବି ଲୋକମାନେ ଜୀବିତ ଅଛନ୍ତି ଯେଉଁମାନେ କିଶୋର ଶରତଙ୍କୁ ତାଙ୍କ ବାପାଙ୍କ ହୋଟେଲରେ କାମ କରୁଥିବା ଦେଖିଛନ୍ତି। ୨୦୦୦ ମସିହାରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସହଦେବ ସାହୁଙ୍କ ସହ ସୁଇଡେନ୍‌ ଭ୍ରମଣର ସୁଯୋଗ ଜୁଟିଥିଲା। ସେତିକିବେଳେ ମୁଁ ତାଙ୍କୁ ଶରତ କୁମାର ସାହୁଙ୍କ ସମ୍ପର୍କରେ ପଚାରିଥିଲି। ତାଙ୍କଠାରୁ ଶୁଣିଥିଲି ଯେ, ଶରତ ବାବୁଙ୍କ ବାପା ବନମାଳୀ ସାହୁ କଟକ ରାଣୀହାଟର ହିନ୍ଦ୍‌ ସିନେମା ପାଖରେ ଏକ ସାଧାରଣ ଭୋଜନାଳୟ ବସେଇଥିଲେ। ତେବେ ମ୍ୟୁନିସିପାଲିଟି ବନମାଳୀ ବାବୁଙ୍କ ଘରଟିକୁ ଭାଙ୍ଗି ଦେଲା ପରେ ପିତାପୁତ୍ର ଅସହାୟ ହୋଇ ପଡ଼ିଥିଲେ। ନିଜର ସାମର୍ଥ୍ୟ ଓ ସ୍ୱପ୍ନ ଉପରେ ଭରସା ରଖିଥିବା ଏହି ପିତାପୁତ୍ର ଯୋଡ଼ି ଭଙ୍ଗାଘର ଆଡ଼େ ନ ଚାହିଁ ଆଗକୁ ଚାହିଁଥିଲେ। ସେମାନେ ସ୍ୱଳ୍ପ କିଛି ପୁଞ୍ଜି ଖର୍ଚ୍ଚ କରି ମସଲା ବ୍ୟବସାୟ ଆରମ୍ଭ କରିଥିଲେ। ତରକାରିକୁ ସ୍ୱାଦିଷ୍ଟ କରିବା ପାଇଁ ମସଲାର ସେତିକି ପ୍ରୟୋଜନ ଯେତିକି ପ୍ରୟୋଜନ ଜୀବନକୁ ଅର୍ଥପୂର୍ଣ୍ଣ କରିବା ପାଇଁ ସ୍ୱପ୍ନର। ଉଭୟ ବନମାଳୀ ଓ କିଶୋର ଶରତ ମସଲାର ଉପାଦେୟତା ସମ୍ପର୍କରେ ଭଲ ଭାବରେ ଜାଣିଥିଲେ।

business card_Udyog

ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଗୋଟିଏ ଭଡ଼ାଘରୁ ଆରମ୍ଭ ହେଲା ମସଲା ବ୍ୟବସାୟ। ଶରତ କୁମାରଙ୍କ ଆଖି ସାମ୍ନାରେ ମହାନଦୀ ହୁଏତ ସେଦିନ ତାଙ୍କୁ ଶିଖେଇଥିବ ଯେ ଭଟ୍ଟା ପରେ ଜୁଆର ଆସିବ। ଶ୍ରୀ ସହଦେବ ସାହୁଙ୍କଠାରୁ ଏ କାହାଣୀ ଶୁଣି ନଥିଲେ ବିଶ୍ୱାସ କରିପାରି ନଥାନ୍ତି। କାରଣ ମୁଁ ଶରତ କୁମାର ସାହୁଙ୍କୁ ଜାଣିଲା ବେଳକୁ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇସାରିଲେଣି।

‘ରୁଚି ଉଦ୍ୟୋଗ’ ଓଡ଼ିଶାରେ ଆଜି ଏକ ବିରାଟ ଶିଳ୍ପାନୁଷ୍ଠାନ। ଓଡ଼ିଶାର ରୋଷେଇ ଘରଗୁଡ଼ିକ ଭିତରେ ଏ ମସଲାର ମହକ ସୀମାବଦ୍ଧ ହୋଇ ରହିନାହିଁ। ତାଙ୍କର ସୁକନ୍ୟା ଏହାକୁ ନେଇ ସୁଦୂର ଆରବ ଦେଶରେ ମଧ୍ୟ ପହଞ୍ଚେଇଲେଣି। ଢିଙ୍କିକୁଟା ଚାଉଳର ଭାତଠାରୁ ଆରମ୍ଭ କରି ପଲଉ, ଖିରି ଓ ନାନା ପ୍ରକାରର ସୁଆଦିଆ – ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ବଜାର ପାଇଁ ରୁଚି ଉଦ୍ୟୋଗ ଉପାଦାନ ମାନ ଯୋଗାଇ ଦେଇ ବିଶେଷ ଲୋକପ୍ରିୟତା ଅର୍ଜନ କରିଛନ୍ତି।

ଅନେକ ଲୋକ ଭାବି ନିଅନ୍ତି ଯେ ସଫଳତା ପାଇଁ ପୁଳାଏ ଟଙ୍କା, ବଡ଼ବଡ଼ିଆଙ୍କ ସହ ପରିଚୟ କିମ୍ବା ପରିବାରର ଦୃଢ଼ ମୂଳଦୁଆ ଦରକାର। ମୋ ମତରେ ଏସବୁଠାରୁ ବେଶି ଦରକାର ଆତ୍ମବିଶ୍ୱାସ ଓ କଷ୍ଟ ସହିଷ୍ଣୁତା। ଯିଏ ସ୍ୱପ୍ନ ଦେଖିବେ ଏବଂ ତାହାକୁ ସଫଳ କରିବା ପାଇଁ ଆତ୍ମବିଶ୍ୱାସର ସହ କଷ୍ଟକର ରାସ୍ତା ଅତିକ୍ରମ କରିବେ ସେ ଦିନେ ନା ଦିନେ ନିଶ୍ଚୟ ସଫଳ ହେବେ। ଶରତ କୁମାର ସାହୁଙ୍କ ପାଖରେ ଏସବୁ ଅଛି। ତାଙ୍କ ଚରିତ୍ରର ଆଉ ଗୋଟେ ବଡ଼ ଦିଗ ହେଲା ନମ୍ରତା। ଗୁଣୀ ଲୋକମାନେ ବିନୟୀ ହୁଅନ୍ତି ବୋଲି ଯାହା କୁହାଯାଏ ତାହାର ଉଦାହରଣ ଶରତ କୁମାର ସାହୁ। ଆଜି ସିଏ ଆମେରିକା, ଅଷ୍ଟ୍ରେଲିଆଠାରୁ ଆରମ୍ଭ କରି ସିଙ୍ଗାପୁର, ନେପାଳ ପର୍ଯ୍ୟନ୍ତ ପୃଥିବୀର ବହୁ ଦେଶରେ ତାଙ୍କ ବ୍ୟବସାୟର ବୈଜୟନ୍ତୀ ଉଡ଼ାଇ ସାରିଲେଣି। ତଥାପି ତାଙ୍କ ବ୍ୟକ୍ତିତ୍ୱରେ ସେହି ନିରହଂକାର ନମ୍ରତା ମଧ୍ୟ ଆଜି ଅତୁଟ ରହିଛି। ଖୁବ୍ କମ୍‌ ଲୋକଙ୍କ ପାଖରେ ଏଭଳି ନମ୍ରତା ଦେଖିବାକୁ ମିଳିଥାଏ।

Ruchi founder Sarat Sahoo

କିଛି ବର୍ଷ ହେଲା ଶରତ କୁମାର ସାହୁ ତାଙ୍କ କମ୍ପାନିର ଲାଭାଂଶରୁ କିଛି ଖର୍ଚ୍ଚ କରି ସମାଜ ପାଇଁ ଲୋକହିତକର କାର୍ଯ୍ୟ କରୁଛନ୍ତି। ‘ରୁଚି ପ୍ରତିଭା ଫାଉଣ୍ଡେସନ’ ଜରିଆରେ ରାଜ୍ୟର ମେଧାବୀ ଛାତ୍ରମାନଙ୍କୁ ସେ ପ୍ରୋତ୍ସାହନ ଦେଉଛନ୍ତି। ଏହାଛଡ଼ା ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରୁଛନ୍ତି। ସେହିପରି ବନ୍ୟା, ବାତ୍ୟା ସମୟରେ ଦୁର୍ଗତ ଲୋକମାନଙ୍କୁ ତାଙ୍କ ଅନୁଷ୍ଠାନ ସାହାଯ୍ୟର ହାତ ବଢ଼ାଉଥିବା ଦେଖିବାକୁ ମିଳୁଛି। ଏଥିରୁ ଜଣାଯାଏ ଯେ ଶରତ ବାବୁ ଅନେକ ଆଗକୁ ଆଗେଇ ଯାଇଥିଲେ ବି ପଛରେ ଛାଡ଼ି ଆସିଥିବା ତାଙ୍କ ନିରୀହ ଅତୀତକୁ ଭୁଲି ନାହାନ୍ତି। ଆଜି ବି ପ୍ରଶାସନର ବୁଲଡୋଜର ଚକ ତଳେ ଅନେକ ଛୋଟ ଦୋକାନୀଙ୍କ ସ୍ୱପ୍ନ ସମାଧି ଘେନୁଛି। ଆମର ଗଣତାନ୍ତ୍ରିକ ସରକାର ଏକର ଏକର ଜମି ଜବରଦଖଲ କରି ମୋଟର, କାର, ମାର୍ବଲ ପଥର ଓ ଲୁହାଛଡ଼ ଇତ୍ୟାଦି ବଡ଼ ବ୍ୟବସାୟ କରୁଥିବା ଧନୀମାନଙ୍କୁ ନମସ୍କାର କରେ, ମାତ୍ର ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତା କଡ଼ରେ ଚା’ ଦୋକାନ କି ଝୁମ୍ପୁଡ଼ି ହୋଟେଲ କରିଥିବା ଲୋକଙ୍କୁ ଗୋଇଠା ମାରି ତଡ଼ିଦିଏ। ଶରତ କୁମାର ସାହୁଙ୍କ ରୁଚି ଫାଉଣ୍ଡେସନ ଯଦି ପ୍ରତିବର୍ଷ ଖୋଜି ଖୋଜି ଏଭଳି ଜଣେ ସଫଳ ଉଦ୍‌ଯୋଗୀ ଯୁବକ ବା ଯୁବତୀଙ୍କୁ ସମ୍ମାନିତ କରିପାରନ୍ତା ତାହା ହେଲେ ଭଲ ହୁଅନ୍ତା ବୋଲି ମୋର ବିନମ୍ର ମତ।

ରୁଚି ଉଦ୍ୟୋଗର ସଫଳତା ପାଇଁ ଶରତ କୁମାର ସାହୁ ଦେଶ ବିଦେଶରୁ ବହୁ ପ୍ରଶଂସା ପାଇଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ନେଇ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକଗୁଡ଼ିଏ ଗୌରବଜନକ ସମ୍ମାନ ସେ ଲାଭ କରିଛନ୍ତି। ଦୀର୍ଘ ୪୩ ବର୍ଷର ପରିଶ୍ରମ ଓ ଉତ୍ସର୍ଗୀକୃତ କର୍ତ୍ତବ୍ୟନିଷ୍ଠାର ଫଳ ସ୍ମୃତି ସ୍ୱରୂପ ସେ ଏସବୁ ପୁରସ୍କାର ଲାଭ କରିଛନ୍ତି। ତେବେ ସବୁଠାରୁ ବଡ଼ ପୁରସ୍କାର ହେଲା ସେ ନିଜେ ତାଙ୍କ ଅଜାଣତରେ ଅନ୍ୟ ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏଭଳି ଜଣେ ବ୍ୟକ୍ତି ଆମ ସମସ୍ତଙ୍କର ଶ୍ରଦ୍ଧା, ଶୁଭେଚ୍ଛା ଏବଂ ଅଭିନନ୍ଦନର ପାତ୍ର।

(ସୌଜନ୍ୟ:ଶରତ ଶତମ୍‌)