ଭାରତୀୟ ଷ୍ଟକ୍‌ ମାର୍କେଟ୍‌ରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ୍‌ ଭୟ। ଗତ ୫ ଦିନ ଧରି ଲଗାତାର ଭାବେ ବଜାରରେ ଧିମା ଦେଖିବାକୁ ମିଳିଛି। ଫଳରେ ନିବେଶକଙ୍କ ୫.୫ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଥିବା ସୂଚନା ମିଳିଛି।

୧୯ ଫେବ୍ରୁଆରିରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ମାର୍କେଟ୍‌ କ୍ୟାପିଟାଲ ୧,୫୮,୭୧,୦୬୫.୩୧ କୋଟି ଟଙ୍କା ଥିଲା। ଏହାର ଏକ ସପ୍ତାହ ପରେ ବୁଧବାର (୨୬ ଫେବ୍ରୁଆରି)କୁ ମାର୍କେଟ୍‌ କ୍ୟାପିଟାଲ୍‌ କମି ଯାଇ ୧,୫୩,୧୯,୪୮୭.୦୮ କୋଟି ଟଙ୍କାରେ ପହଞ୍ଚିଛି। ଏହିପରି ଭାବେ ଗତ ୫ ଦିନରେ ନିବେଶକଙ୍କ ୫.୫ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଛି।

ଚଳିତ ଫେବ୍ରୁଆରି ମାସ ପହିଲାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନା ହୋଇଥିଲା କେନ୍ଦ୍ରୀୟ ସାଧାରଣ ବଜେଟ୍‌। ଏହାପରେ ଭାରତୀୟ ସେୟାର ହଲ୍‌ଚଲ ଦେଖିବାକୁ ମିଳିଥିଲା। ବଜାରର ଦୁଇ ସୂଚକ ସେନ୍‌ସେକ୍ସ ଏବଂ ନିଫ୍ଟିରେ ଗତ ୧୦ ବର୍ଷ ମଧ୍ୟରେ ସବୁଠୁ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା।

ଏହାପରେ ଅବଶ୍ୟ ବଜାରର ସ୍ଥିତି ସମ୍ଭାଳିଥିଲା। ହେଲେ ବର୍ତ୍ତମାନ କରୋନା ଭାଇରସର ଡର ଭାରତୀୟ ସେୟାର ମାର୍କେଟ୍‌ରେ ଦେଖିବାକୁ ମିଳିଛି। ନିବେଶକଙ୍କ କହିବା ଅନୁଯାୟୀ, କୋରାନା ଭାଇରସ ଅଧିକ ବ୍ୟାପିବା ଫଳରେ ଏହାର ପ୍ରଭାବ ବିଶ୍ୱ ବଜାର ଉପରେ ପଡ଼ିଛି। ଏହି କାରଣରୁ ଭାରତୀୟ ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଫଳରେ ନିବେଶକଙ୍କ ୫.୫ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୨୧, ୨୨ ଓ ୨୩ ତାରିଖ ସେୟାର ବଜାର ବନ୍ଦ ଥିଲା।