ଏବେ ଆପଣ ଯାହା କରୁଛନ୍ତି ତାହା ଆପଣଙ୍କ ଆର୍ଥିକ ଭବିଷ୍ୟତକୁ ପ୍ରଭାବିତ କରିବ

ବିଲ୍ ଗେଟସ ଥରେ କହିଥିଲେ, ଗରିବ ହୋଇ ଜନ୍ମ ହେବା ପାପ ନୁହେଁ କିନ୍ତୁ ଗରିବ ହୋଇ ମରିବା ପାପ। ଆମକୁ ସବୁବେଳେ ନିଜ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରିବାକୁ ପଡ଼ିବ। ଯଦି ଆମେ ଉଦ୍ୟମ କରୁନେ ତେବେ ଆମେ ନିଜ ପ୍ରତି ଅନ୍ୟାୟ କରୁଛେ।

ଭବିଷ୍ୟତରେ ଆପଣ ଆର୍ଥିକ ଭାବେ କେତେ ସୁରକ୍ଷିତ ରହିବେ ତାହାର କଳ୍ପନା କରିଛନ୍ତି କି? ଯଦି ଆପଣଙ୍କ ବର୍ତ୍ତମାନ ଆର୍ଥିକ ସ୍ଥିତି ଭଲ ନାହିଁ ତେବେ ଆପଣ ତା’ର କାରଣ ବୁଝିବାକୁ କେବେ ଚେଷ୍ଟା କରିଛନ୍ତି କି? ଏଭଳି କିଛି ସଂକେତ ରହିଛି ଯେଉଁଥିରୁ ଆପଣ ଜାଣି ପାରିବେ ଯେ, ଆପଣଙ୍କୁ ଭବିଷ୍ୟତରେ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡିବ। ହୁଏତ ଆପଣ ଗରିବ ହୋଇ ଚାକିରିରୁ ଅବସର ନେବେ। ତେବେ ଆସନ୍ତୁ ଜାଣିବା ସେଇ ସଂକେତ ସବୁ କ’ଣ..

ଦରମାରେ ସନ୍ତୁଷ୍ଟ

ଆପଣ କ’ଣ ନିଜ ନିଶ୍ଚିତ ଦରମାକୁ ନେଇ ଖୁସି ଅଛନ୍ତି? ଯଦି ଆପଣ ନିଜକୁ ସୁରକ୍ଷିତ ବୋଲି ଭାବୁଛନ୍ତି ଓ ଖୁସୀ ଅଛନ୍ତି ତେବେ ଏହା ବିପଦ ଘଣ୍ଟି ହୋଇପାରେ। ଦରମାରେ ସନ୍ତୁଷ୍ଟ ହୋଇ ଆପଣ ଅଧିକ ଆୟ କରିବାର ନିଜ ପ୍ରକୃତ କ୍ଷମତାକୁ ନଷ୍ଟ କରୁଛନ୍ତି।

ବ୍ୟାଙ୍କ ସଞ୍ଚୟ ରାଶି ଓ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଆପଣଙ୍କ ଅବସରକାଳୀନ ଜୀବନ ପାଇଁ ପ୍ରଯ୍ୟାପ୍ତ ବୋଲି ଯଦି ଭାବୁଛନ୍ତି ତେବେ ଆଉଥରେ ଭାବନ୍ତୁ। ମୁଦ୍ରାସ୍ଥୀତି ବୋଲି ଗୋଟିଏ ଜିନିଷ ଅଛି। ସାଧାରଣ ଅର୍ଥରେ କହିଲେ, ଆଜି ଯାହା ଆପଣ ଯେତିକି ଟଙ୍କାରେ କିଣୁଛନ୍ତି ୨୦ ବର୍ଷ ପରେ ତାର ଦାମ ଢ଼େର ଅଧିକ ଥିବ। ଅର୍ଥାତ ୨୦ ବର୍ଷ ପରେ ଆପଣଙ୍କୁ ଜୀବନ ଧାରଣ କରିବା ପାଇଁ ଅଧିକ ଟଙ୍କା ଆବଶ୍ୟକ ହେବ। ତେଣୁ ରିଟାୟରମେଣ୍ଟ କାଲକୁଲେଟର ବ୍ୟବହାର କରନ୍ତୁ ଓ ହିସାବ କରନ୍ତୁ ଯେ, ଆପଣଙ୍କର ଭବିଷ୍ୟତରେ କେତେ ଟଙ୍କା ଆବଶ୍ୟକ ହେବ। ତା’ପରେ ସେହି ହିସାବରେ ସଞ୍ଚୟ ଓ ନିବେଶ କରନ୍ତୁ।

ମାସ ଶେଷର ଚାପ

ଯଦି ମାସ ଶେଷ ବେଳକୁ ଆପଣଙ୍କ ହାତରେ ଟଙ୍କା ନାହିଁ ତେବେ ଏହା ଉଭୟ ଭଲ ଓ ଖରାପ ସଂକେତ। ଯଦି ଆପଣ ରିଟାୟରମେଣ୍ଟ ଫଣ୍ଡ୍ ଓ ଅନ୍ୟ ନିବେଶ ପାଇଁ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ହାତ ଖାଲି, ତେବେ ଏହା ଭଲ ସଂକେତ। ଯଦି ନିବେଶ ନକରି ମଧ୍ୟ ହାତଖାଲି ତେବେ ଏହାର ଦୁଇଟି କାରଣ ରହିଛି। ଗୋଟିଏ ହେଉଛି ଆପଣଙ୍କ ଦରମା ଯଥେଷ୍ଟ ନୁହେଁ କିମ୍ବା ଆପଣ ବାଜେ ଖର୍ଚ୍ଚ କରୁଛନ୍ତି।

  • ଏହାର ସମାଧାନ କ’ଣ?

ଗୋଟିଏ ଭଲ ଚାକିରି ଖୋଜନ୍ତୁ ଓ ବାଜେ ଖର୍ଚ୍ଚ ବନ୍ଦ କରନ୍ତୁ। ବିଶେଷଜ୍ଞଙ୍କ ଅନୁସାରେ ଭାରତର ମାତ୍ର ୧୮.୫ ପ୍ରତିଶତ ହିଁ ଆର୍ଥିକ ଭାବେ ସୁରକ୍ଷିତ। ଅନ୍ୟ ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଭାରତରେ ଦରମା ପାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭ ପ୍ରତିଶତ ହିଁ ସଞ୍ଚୟ କରିଥାନ୍ତି। ଯଦି ଆପଣ ସଞ୍ଚୟ କରୁଥିବା ୭ ପ୍ରତିଶତଙ୍କ ମଧ୍ୟରେ ନାହାନ୍ତି ତେବେ, ଆପଣ ଗରିବ ହୋଇ ରିଟାୟରମେଣ୍ଟ୍ ନେବେ ଏଥିରେ ସନ୍ଦେହ ନାହିଁ।

loan management

ଲୋନ୍ ବୋଝ

କ’ଣ ଆପଣ କରଜଚକ୍ରରେ ପଡ଼ିଛନ୍ତି? ଯଦି ହଁ ତେବେ ଆପଣଙ୍କ ଭବିଷ୍ୟତ ଖରାପ। ଅନେକ କିଛି ନବୁଝି ଇଏମଆଇ, କ୍ରେଡିଟ୍ କାର୍ଡକୁ ଲାଇଫ୍ ଲାଇନ୍ ଭାବେ ଧରି ନିଅନ୍ତି। ଏହାର ପରିଣାମ ହେଲା, କରଜର ଏମିତି ଚକ୍ର ଯେଉଁଥିରୁ ମୁକୁଳିବା ସହଜ ହୋଇ ନଥାଏ। ଆପଣ ଯାହା ଆୟ କରିବେ ତାହା କରଜ ଶୁଝିବାରେ ଯିବ।

କରଜ ଶୁଝିବାକୁ ପୁଣି ଲୋନ୍ କରିବେ। ଏମିତି ଲୋନ ବଢ଼ି ଚାଲିଥିବ। ତେଣୁ ଯେଉଁ ଲୋନ୍ ଅଧିକ ସୁଧ ଟାଣୁଛି ତାକୁ ବନ୍ଦ କରିବା ପାଇଁ ରଣନୀତି ତିଆରି କରନ୍ତୁ। ପ୍ରତି ଲୋନକୁ ଶୁଝିବା ପାଇଁ ଗୋଟିଏ ଟାଇମ୍ ଲାଇନ୍ ତିଆରି କରନ୍ତୁ। ଗୋଟିଏ ଲୋନ୍ ଶୁଝିବା ପରେ ପରବର୍ତ୍ତି ଲୋନ୍ ଶୁଝିବାକୁ ଅଣ୍ଟା ଭିଡ଼ନ୍ତୁ। ହଁ, ସବୁଠୁ ବଡ଼ କଥା ସବୁ ଲୋନ୍ ନଶୁଝିବା ପର୍ଯ୍ୟନ୍ତ ନୁଆ ଲୋନ୍ କରନ୍ତୁ ନାହିଁ। ଯେତେବେଳ ବି ଲୋନ୍ ନେଉଛନ୍ତି ସେତେବେଳେ ନିଜକୁ ପ୍ରଶ୍ନ ପଚାରନ୍ତୁ ଯେ, ଏହି ଲୋନ୍ ଦ୍ୱାରା ମୁଁ ମୋର ସମ୍ପତ୍ତି ବଢ଼ାଇ ପାରିବି କି? ଯଦି ଉତ୍ତର ହଁ ତେବେ ଲୋନ୍ ନେବା ବାବଦରେ ଚିନ୍ତା କରନ୍ତୁ।

ସର୍ବନିମ୍ନ ନିବେଶ

ଯଦି ଆପଣଙ୍କର କୌଣସି ଆର୍ଥିକ ଲକ୍ଷ୍ୟ ନାହିଁ  ଓ ଆପଣ ନିବେଶ ଆରମ୍ଭ କରି ନାହାନ୍ତି କିମ୍ବା ନିବେଶ ବଦଳରେ ସଞ୍ଚୟ ଉପରେ ଗୁରୁତ୍ୱ ଦେଉଛନ୍ତି ତେବେ ଆପଣ ଭୁଲ କରୁଛନ୍ତି।

ଅନେକ ନିବେଶ ଓ ସଞ୍ଚୟ ମଧ୍ୟରେ ଫରକ ବୁଝି ପାରନ୍ତି ନାହିଁ। ଅନେକ ମଧ୍ୟ ଆୟବୃଦ୍ଧିକାରୀ ସମ୍ପତ୍ତି କ’ଣ ତାହା ଜାଣି ନଥାନ୍ତି। ଆପଣ ଯଦି ସମ୍ପଦ ବୃଦ୍ଧିକାରୀ ସମ୍ପତ୍ତିରେ ନିବେଶ କରୁ ନାହାନ୍ତି ଓ ସଞ୍ଚୟ କରି ଖୁସି ହେଉଛନ୍ତି ତେବେ ଭବିଷ୍ୟତରେ ଆପଣ ଧନି ହେବେ ନାହିଁ। କାରଣ ସଞ୍ଚୟ କେବେ ମଧ୍ୟ ମୁଦ୍ରାସ୍ଫୀତିକୁ ମାତ୍ ଦେଇ ପାରେନା। ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିବେଶ କରନ୍ତୁ। ନହେଲେ ଆପଣ ମଧ୍ୟ ଗରିବ ହୋଇ ଅବସର ନେବେ।

କେବଳ ସଞ୍ଚୟ ଦ୍ୱାରା ଆପଣ ପିଲାଙ୍କ ବିବାହ କରି ପାରିବେ ନାହିଁ, ସେମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ପାରିବେ ନାହିଁ। ଏଥିପାଇଁ ଟଙ୍କା ଆପଣଙ୍କୁ ନିବେଶ ହିଁ ଦେଇଥାଏ। ଯଦି ଆପଣ ନିବେଶ କରୁ ନାହାନ୍ତି ତେବେ ଆପଣ ବୃଦ୍ଧାବସ୍ଥାରେ ଲୋନ୍ ନେବାର ଅଧିକ ଆଶଙ୍କା ରହିଛି। ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ଭାରତୀୟ ପରିବାର ଅଧିକ ବୟସରେ କରଜ ନେଇଥାନ୍ତି ଓ ସେମାନେ କରଜ ସହ ଅବସର ନେବାର ଆଶଙ୍କା ଅଧିକ ଥାଏ।

ଶେଷରେ, ଯଦି ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ ତେବେ ଅବସର ପରେ ଆପଣଙ୍କ ସଞ୍ଚୟ ମେଡିକାଲ ବିଲ୍ ଦେବାରେ ହିଁ ସରିଯିବ। ତେଣୁ ନିବେଶ କରନ୍ତୁ।