ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ ବିକ୍ରି ହେବ ବୋଲି ଭାରତ ସରକାର ଘୋଷଣା କରିଦେଇଛନ୍ତି। ଗତ ମାର୍ଚ୍ଚ ୧୭ ତାରିଖ ମଧ୍ୟରେ ଏଥିପାଇଁ ଟେଣ୍ଡର ପକାଇବାକୁ ହେବ। ପୂର୍ବରୁ ଟାଟା ଗ୍ରୁପ୍‌ ଏହାକୁ କିଣିବା କଥା ଶୁଣିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଅଦାନୀ ଗ୍ରୁପ୍‌ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

ଭାରତୀୟ ବିଜିନେସ୍‌ ଟାଇକୁଣ୍ଡ୍‌ ଗୌତମ ଅଦାନୀଙ୍କ କମ୍ପାନି ଅଦାନୀ ଗ୍ରୁପ୍‌ ଏୟାର ଇଣ୍ଡିଆ କିଣିବା ପାଇଁ ଟେଣ୍ଡର ପକାଇପାରେ। ଏନେଇ ବିଜନେସ୍‌ ଷ୍ଟାଣ୍ଡାର୍ଡ ପକ୍ଷରୁ ସୂଚନା ମିଳିଛି। ତେବେ ଅଦାନୀ ଗ୍ରୁପ୍‌ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରି ନାହିଁ।

ଆସନ୍ତା ମାର୍ଚ୍ଚ ୧୭ ତାରିଖ ହେଉଛି ଟେଣ୍ଡର ପକାଇବାର ଶେଷ ତାରିଖ। ଏହାପରେ ହିଁ ଅଦାନୀ ଗ୍ରୁପ୍‌ ଏୟାର ଇଣ୍ଡିଆକୁ କିଣିବା ଦୌଡ଼ରେ ଅଛି କି ନାହିଁ ପକ୍କା ସୂଚନା ମିଳିବ।

ଗତ କିଛିବର୍ଷ ଦେଖିବାକୁ ଗଲେ ଅଦାନୀ ଗ୍ରୁପ୍‌ର କାରବାର ବଢ଼ିବାରେ ଲାଗିଛି। ସେହିପରି ଏୟାରପୋର୍ଟ ପରିଚାଳନା କାରବାରରେ ମଧ୍ୟ ଅଦାନୀ ଗ୍ରୁପ୍‌ ପାଦ ଥାପିଛି। ବର୍ତ୍ତମାନ ଲକ୍ଷ୍ନୌ, ଅହମ୍ମଦାବାଦ ଏବଂ ମାଙ୍ଗାଳୁରୁ ଏୟାରପୋର୍ଟ ପରିଚାଳନା ଦାୟିତ୍ୱରେ ଅଦାନୀ ଗ୍ରୁପ୍‌ ରହିଛି। ଏହଶକୁ ଦେଖିବାକୁ ଗଲେ ଅଦାନୀ ଗ୍ରୁପ୍‌ ଏୟାର ଇଣ୍ଡିଆ କିଣିବା ପାଇଁ ଇଚ୍ଛୁକ ଥଇବା ଶୁଣିବାକୁ ମିଳୁଛି।

ଅଦାନୀ ଗ୍ରୁପ୍‌ ବ୍ୟତୀତ ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍‌, ହିନ୍ଦୁଜା ଗ୍ରୁପ୍‌, ଇଣ୍ଡିଗୋ ଏୟାରଲାଇନ୍ସ ଆଦି ଇଚ୍ଛୁକ ଅଛନ୍ତି। ୧୯୩୨ରେ ଜେଆରଡି ଟାଟା ଏୟାର ଇଣ୍ଡିଆକୁ ଆରମ୍ଭ କରିଥିଲେ। ପ୍ରଥମରୁ ଏହା ଟାଟା ଏୟାରଲାଇନ୍ସ ନାମରେ ପରିଚିତ ଥିଲା। କିନ୍ତୁ ପରେ ଏହା ଏୟାର ଇଣ୍ଡିଆ ହେଲା। ୧୯୪୬ ମସିହାରେ ଭାରତ ସରକାର ଏହି ବିମାନ ଚାଳନା କମ୍ପାନିର ଜାତୀୟକରଣ କରିଥିଲେ। ବର୍ତ୍ତମାନ ଏୟାର ଇଣ୍ଡିଆକୁ ପାଇବା ପାଇଁ ଟାଟା କମ୍ପାନି ତାର ସମସ୍ତ ଉଦ୍ୟମ ଜାରି ରଖିଥିବା କୁହାଯାଉଛି।