ପର୍ସନାଲ ଲୋନ୍ ଏବଂ କ୍ରେଡିଟ୍ କାର୍ଡ ଲୋନ୍। ଆକସ୍ମିକ ଖର୍ଚ୍ଚ ପାଇଁ କାମରେ ଆସୁଥିବା ଏହି ଦୁଇ ଲୋନ ବାବଦରେ ଜାଣନ୍ତୁ ସବୁ ତଥ୍ୟ।

ଧରି ନିଅନ୍ତୁ ଆପଣଙ୍କର ହଠାତ୍ ଟଙ୍କାର ଆବଶ୍ୟକ ହେଲା। ଆପଣ ହାତ ଉଧାରି ଆଣିବାକୁ ଚେଷ୍ଟା କରି ବିଫଳ ହେବା ପରେ ବ୍ୟାଙ୍କ ମୁହାଁ ହେଉଛନ୍ତି। ଏବେ ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ଗୋଟିଏ ହେଉଛି ପର୍ସନାଲ ଲୋନ୍ ଓ ଅନ୍ୟଟି ହେଉଛି କ୍ରେଡିଟ୍ କାର୍ଡ ଲୋନ୍। ତେବେ  ବିକଳ୍ପ ଭାବେ ଆପଣ କାହାକୁ ବାଛିବେ?

ପ୍ରକୃତରେ ଏହା ଆପଣଙ୍କ ଆବଶ୍ୟକତା ଉପରେ ନିର୍ଭର କରିଥାଏ। ଉଭୟ ଲୋନର ଲାଭ ଓ କ୍ଷତି ରହିଛି। ଆପଣଙ୍କୁ ଲୋନ ନେବାର ଉଦ୍ଦେଷ୍ୟ ଓ ନିଜ ଲୋନ ଶୁଝିବା କ୍ଷମତାକୁ ଦୃଷ୍ଟିରେ ରଖି ବିକଳ୍ପ ବାଛିବାକୁ ପଡିବ। ଆସନ୍ତୁ ବିସ୍ତାର ଭାବେ ଉଭୟ ବିକଳ୍ପ ଉପରେ ଆଲୋଚନା କରିବା।

ପର୍ସନାଲ ଲୋନ୍

ପର୍ସନାଲ ଲୋନ୍ ଏକ ଅସୁରକ୍ଷିତ ଲୋନ୍। ମେଡିକାଲ ଖର୍ଚ୍ଚ,କୌଣସି ଦାମୀ ସାମଗ୍ରୀ କ୍ରୟ କିମ୍ବା ଭ୍ରମଣ ପାଇଁ ଆପଣ ଏହି ଲୋନ୍ ନେଇ ପାରିବେ। କିଛି ବ୍ୟକ୍ତି ପୁରୁଣା ଲୋନ୍ ଶୁଝିବା ପାଇଁ ମଧ୍ୟ ପର୍ସନାଲ ଲୋନ୍ ନେଇଥାନ୍ତି। ଏହି ଲୋନରେ ମିଳୁଥିବା ରାଶିକୁ ଆପଣ ନିଜ ଇଛାମୁତାବକ ଖର୍ଚ୍ଚ କରିପାରିବେ। ତେଣୁ ଅନେକ ବ୍ୟକ୍ତି ଏହି ଲୋନକୁ ପସନ୍ଦ କରିଥାନ୍ତି।

କ୍ରେଡିଟ୍ କାର୍ଡ ଲୋନ୍

ଅନ୍ୟପକ୍ଷରେ କ୍ରେଡିଟ୍ କାର୍ଡ ଲୋନ୍ ଏକ ପ୍ରି-ଆପ୍ରୋଭଡ୍ ଲୋନ୍ ହୋଇଥାଏ। ଆପଣଙ୍କ କ୍ରେଡିଟ୍ କାର୍ଡ ସୀମାର ସେହି ଭାଗ ଭାବେ ଦିଆ ଯାଇଥାଏ,ଯାହାକୁ ଆପଣ ବ୍ୟବହାର କରି ନଥାନ୍ତି। ତେବେ ମନେ ରଖନ୍ତୁ ଏହା ଏଟିଏମରୁ ଟଙ୍କା ଉଠାଇବା ଭଳି ନୁହେଁ।

credit cards

ଯୋଗ୍ୟତା

  • ପର୍ସନାଲ ଲୋନ୍ ପାଇଁ ଯୋଗ୍ୟତା: ପର୍ସନାଲ ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଆପଣଙ୍କ ଆର୍ଥିକ କ୍ଷମତାର ଯାଂଚ କରିଥାଏ। ଆପଣଙ୍କ ପେଶା,ଚାକିରି ଓ ଆର୍ଥିକ ସ୍ଥିତି ତଥା ଲୋନ୍ ଶୁଝିବା କ୍ଷମତା ବାବଦରେ ବ୍ୟାଙ୍କ ତଥ୍ୟ ନେଇଥାଏ।ଏହା ସହ ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରିର ମଧ୍ୟ ଯାଞ୍ଚ ହୋଇଥାଏ । ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଜାଣିବାକୁ ଚେଷ୍ଟା କରିଥାଏ ଯେ, ଆପଣ ଲୋନ୍ ଶୁଝିବାକୁ ସକ୍ଷମ ଅଟନ୍ତି।
  • କ୍ରେଡିଟ୍ କାର୍ଡ ଲୋନ୍ ଯୋଗ୍ୟତା: ଧରନ୍ତୁ ଆପଣଙ୍କ କ୍ରେଡିଟ୍ କାର୍ଡ ଲିମିଟ୍ ହେଉଛି ୨ ଲକ୍ଷ, ଆପଣ ଖର୍ଚ୍ଚ କରିଛନ୍ତି ୨୫ ହଜାର, ତେବେ ବଳକା ରାଶି ହେଉଛି ୧ ଲକ୍ଷ ୭୫ ହଜାର ଟଙ୍କା। ଆପଣଙ୍କର ଏହି ବଳକା ଅଂଶ ଉପରେ ଲୋନ୍ ମିଳିଥାଏ। ଏଥିପାଇଁ କୌଣସି ଦସ୍ତାବିଜ ଆବଶ୍ୟକ ହୋଇନଥାଏ। ଏଭଳି ଲୋନ୍ ଶୀଘ୍ର ମିଳିଥାଏ କିନ୍ତୁ ସବୁ ଗ୍ରାହକ ଏଭଳି ଲୋନ୍ ପାଇ ନଥାନ୍ତି। ତେବେ ଏହି ଲୋନ୍ ନେବା ପୂର୍ବରୁ କିଛି କଥା ଧ୍ୟାନରେ ରଖନ୍ତୁ।

ତେବେ ଏହି ଲୋନ୍ ନେବା ପୂର୍ବରୁ କିଛି କଥା ଧ୍ୟାନରେ ରଖନ୍ତୁ।

କ୍ରେଡିଟ୍ ଲିମିଟ୍ ଅସ୍ଥାୟୀ ଭାବେ ବନ୍ଦ ହୁଏ: ଆପଣ ଯଦି କାର୍ଡ ଉପରେ ଲୋନ୍ ନେଉଛନ୍ତି ତେବେ ଆପଣଙ୍କ କ୍ରେଡିଟ୍ କାର୍ଡ ସୀମା ଅସ୍ଥାୟୀ ରୁପେ ବନ୍ଦ ହୋଇଥାଏ। ଯେମିତି ଆପଣ ଲୋନ୍ ଶୁଝି ଚାଲିବେ ସେମିତି ଆପଣଙ୍କ କ୍ରେଡିଟ୍ କାର୍ଡ ସୀମା ଖୋଲି ଚାଲିବ।

ସୁଧ ହାର

ପର୍ସନାଲ ଲୋନ୍ ନେବା ପୂର୍ବରୁ ସୁଧ ହାର ଉପରେ ସବୁବେଳେ ଧ୍ୟାନ ଦିଅନ୍ତୁ। ପର୍ସନାଲ ଲୋନ୍ ଉପରେ ସୁଧ ହାର ସବୁବେଳେ ଅଧିକ ହୋଇଥାଏ। ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରି ଇତିହାସକୁ ନେଇ ଏହା ୧୩ ପ୍ରତିଶତରୁ ୨୨ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ। ଯଦି ଅଧିକ ଲୋନ୍ ନାହିଁ ତେବେ ସୁଧ କମ ହୋଇଥାଏ

କ୍ରେଡିଟ୍ କାର୍ଡ ଲୋନ୍ ୧୦ରୁ ୧୮ ପ୍ରତିଶତ ସୁଧରେ ମିଳିଥାଏ। ଯେହେତୁ ଆପଣ ପୁରୁଣା ଗ୍ରାହକ ଓ ଆପଣଙ୍କ ଲୋନ୍ ପରିଶୋଧ ଇତିହାସ ଭଲ ଅଛି ତେଣୁ ଆପଣଙ୍କୁ କମ ସୁଧରେ ଲୋନ୍ ମିଳିବାର ସମ୍ଭାବନା ରୁହେଁ। ଆପଣ ମଧ୍ୟ ସୁଧ କମ କରିବା ପାଇଁ ବ୍ୟାଙ୍କ ସହ କଥା ହୋଇପାରିବେ।

ଲୋନ ରାଶି

ଆପଣଙ୍କ ଲୋନ୍ ରାଶି ଆପଣ କେଉଁ ବିକଳ୍ପ ବାଛନ୍ତି ତା’ଉପରେ ନିର୍ଭର କରିଥାଏ। ପର୍ସନାଲ ଲୋନର ଅନେକ ଫାଇଦା ରହିଛି। ଆପଣ କେଇ ହଜାର ଟଙ୍କାରୁ ଲକ୍ଷାଧିକ ଟଙ୍କା ଲୋନ୍ ଭାବେ ନେଇ ପାରିବେ। ତେବେ ବ୍ୟାଙ୍କ ଆପଣଙ୍କୁ କେତେ ଟଙ୍କା କରଜ ଦେବ ତାହା ଆପଣଙ୍କ ଲୋନ୍ ଶୁଝିବା ଇତିହାସ ଉପରେ ନିର୍ଭର କରିଥାଏ।

ଯଦି ଆପଣଙ୍କର କମ ଟଙ୍କା ଆବଶ୍ୟକ ତେବେ କ୍ରେଡିଟ୍ କାର୍ଡ୍ ଲୋନ୍ ସବୁଠୁ ଭଲ। ଲୋନ୍ ରାଶି ଆପଣଙ୍କ କ୍ରେଡିଟ୍ କାର୍ଡର ବଳକା ସୀମା ଉପରେ ନିର୍ଭର କରିଥାଏ। ତେଣୁ ଆପଣ ଯଦି ସେହି ସୀମାଠାରୁ ଅଧିକ ଟଙ୍କା ମାଗିବେ ତେବେ ବ୍ୟାଙ୍କ ଆପଣଙ୍କୁ ଟଙ୍କା ଦେଇ ନପାରେ।

ସମୟସୀମା

ପର୍ସନାଲ ଲୋନ୍ ଅବଧି ୧ରୁ ୫ ବର୍ଷ ହୋଇଥାଏ। ଏହି ଅବଧି ଭିତରେ ଆପଣଙ୍କୁ ଟଙ୍କା ଶୁଝିବାକୁ ପଡ଼ିଥାଏ।

ଅନ୍ୟପକ୍ଷରେ କ୍ରେଡିଟ୍ କାର୍ଡ ଲୋନ ଆପଣଙ୍କୁ ୬ ମାସରୁ ୩୬ ମାସ ମଧ୍ୟରେ ଶୁଝିବାକୁ ପଡ଼ିଥାଏ।

ଦସ୍ତାବିଜ୍

ପର୍ସନାଲ ଲୋନ୍- ଲୋନ୍ ପାଇଁ ଆପଣଙ୍କୁ ପାନ୍‌ କାର୍ଡ, ୬ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ, ପରିଚୟପତ୍ର ଓ ଠିକଣାର ପ୍ରମାଣ ତଥା ୩ ବର୍ଷର ଆଇଟିଆର ଦେବାକୁ ପଡ଼ିଥାଏ।

କ୍ରେଡିଟ୍ କାର୍ଡ ଲୋନ୍– ଏଥିପାଇଁ କୌଣସି ଦସ୍ତାବିଜ୍ ଦେବାକୁ ପଡ଼ିନଥାଏ। ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରିକୁ ଦେଖି କାର୍ଡ କଂପାନି ଆପଣଙ୍କୁ ଲୋନ୍ ଦେଇଥାନ୍ତି।

ତେବେ ଆପଣ କଣ କରିବା ଉଚିତ?

ଯଦି ଆପଣ ମେଡିକାଲ ଏମରଜେନ୍ସି କାରଣରୁ ବଡ ରାଶି ଚାହୁଁଛନ୍ତି ତେବେ ପର୍ସନାଲ ଲୋନ୍ ନିଅନ୍ତୁ। କିନ୍ତୁ ଯଦି ଆପଣ ଛୋଟ ଲୋନ୍ ଚାହୁଁଛନ୍ତି ଓ କ୍ରେଡିଟ୍ ଲିମିଟ୍ ଅସ୍ଥାୟୀ ଭାବେ ବନ୍ଦ ହେବାର ଆପଣଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ତେବେ କ୍ରେଡିଟ୍ କାର୍ଡ ଲୋନ୍ ନିଅନ୍ତୁ।