ବିଶେଷଜ୍ଞଙ୍କ ଆଶଙ୍କା ନୂଆ ଟ୍ୟାକ୍ସ ସ୍ଲାବ ଯୋଗୁଁ ଦେଶରେ ସଞ୍ଚୟ କମିବ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂଆ ଏବଂ ପୁରୁଣା ବିକଳ୍ପ ଟ୍ୟାକ୍ସ ବ୍ୟବସ୍ଥା ଭାରତରେ ସଞ୍ଚୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏଭଳି ଆଶଙ୍କା କରୁଛନ୍ତି ଆର୍ଥିକ ବିଶେଷଜ୍ଞ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ସାଧାରଣ ବଜେଟରେ ଏହି ନୂଆ ବୈକଳ୍ପିକ ବ୍ୟକ୍ତିଗତ ଆୟକର ସ୍ଲାବ ଉପସ୍ଥାପନ କରିଥିଲେ। ଏହି ନୂଆ ଟ୍ୟାକ୍ସ୍ ସ୍ଲାବରେ କରକୁ କମ ରଖାଯାଇଥିଲା। କିନ୍ତୁ ଏହା ସହିତ ୭୦ ପ୍ରକାର ଆୟକର ରିହାତି ମିଳିବ ନାହିଁ ବୋଲି ପ୍ରାବଧାନ ରଖାଯାଇଛି।

ଆପଣ ଯଦି ନୂଆ କର ବ୍ୟବସ୍ଥାକୁ ଆପଣାଇବେ ତେବେ ଆପଣଙ୍କୁ କମ କର ଦେବାକୁ ପଡିପାରେ କିନ୍ତୁ ଆପଣ ଆୟକରର ବିଭିନ୍ନ ଧାରା ଦ୍ୱାରା କରଛାଡ଼ ଓ ଡିଡକ୍ସନର ଯେଉଁ ଲାଭ ନେଉଥିଲେ ତାକୁ ଆଉ ନେଇ ପାରିବେନି।

ଚାହିଦା ବଢ଼ିବ କିନ୍ତୁ ସଞ୍ଚୟ କମିବ

ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ ସବୁ ସେକ୍ଟରରେ ଚାହିଦା ବଢ଼ିବା ସହିତ ଆର୍ଥିକ ମାନ୍ଦାବସ୍ଥାର ସମୟ ହଟିବାରେ ଲାଗିଛି। ସରକାର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତ୍ୟକ୍ଷ କର(ବ୍ୟକ୍ତିଗତ ଓ କର୍ପୋରେଟ୍ ଆୟକର) ହ୍ରାସ କରିଛନ୍ତି। ତେବେ ସରକାରଙ୍କ ଏହି ପଦକ୍ଷେପ କାରଣରୁ ଚାହିଦାରେ ସାମାନ୍ୟ ଅଭିବୃଦ୍ଧି ଆସିବ। ତେବେ ଏହାର ପ୍ରଭାବ ଘରୋଇ ସଞ୍ଚୟ ଉପରେ ପଡ଼ିବ। ଏହାର କାରଣ ହେଉଛି ନୂଆ କର ବ୍ୟବସ୍ଥାରେ କରକୁ କମ କରାଯିବା ସହ କର ଛାଡ଼କୁ ଶେଷ କରି ଦିଆଯାଇଛି।

ଅନେକ ରିପୋର୍ଟ ଅନୁସାରେ ଗତ ୬ ବର୍ଷ ଭିତରେ ଭାରତର ସଞ୍ଚୟ ହାର ହ୍ରାସ ପାଇବାରେ ଲାଗିଛି। ୨୦୧୨ରେ ଭାରତରେ ସଞ୍ଚୟ ହାର ଥିଲା ୩୬ ପ୍ରତିଶତ, ଯାହା ୨୦୧୮-୧୯ରେ ୩୦ ପ୍ରତିଶତ ରହିଯାଇଛି।

ସଞ୍ଚୟ ଇନ୍ସେଣ୍ଟିଭ୍ରେ ନିଶ୍ଚିତ ଭାବେ ହ୍ରାସ ଆସିବ

ସରକାରଙ୍କ ଏଭଳି ପ୍ରସ୍ତାବ କାରଣରୁ ନିଶ୍ଚିତ ଭାବେ ସଞ୍ଚୟ ଇନ୍‌ସେଣ୍ଟିଭ୍‌ ହ୍ରାସ ପାଇବ ବୋଲି ଆର୍ଥିକ ବିଶେଷଜ୍ଞ କୁହନ୍ତି। ସରକାରଙ୍କ ଏହି ପ୍ରସ୍ତାବ କାରଣରୁ ସେଭିଂ ରେଟ୍‌ରେ ଅବନତି ଆସିବ ତେବେ ଆର୍ଥିକ ମାନ୍ଦାବସ୍ଥା ଭିତରେ ଏହା ଭୁଲ ବିଚାର ନୁହେଁ ବୋଲି ମଧ୍ୟ କିଛି ବିଶେଷଜ୍ଞ ମତ ରଖନ୍ତି।

ଏଠି ଏହା ମଧ୍ୟ ସ୍ପଷ୍ଟ କରିବା ଠିକ୍ ହେବ ଯେ, ଆଗରୁ ରାଜସ୍ୱ ସଚିବ ଅଜୟ ଭୁଷଣ କହିସାରିଛନ୍ତି ଯେ, ୮୦ ପ୍ରତିଶତ କରାଦାତା ନୂଆ ବୈକଳ୍ପିକ ଟ୍ୟାକ୍ସ ବ୍ୟବସ୍ଥାକୁ ଆପଣାଇବେ ବୋଲି ସରକାରଙ୍କ ଆଶା।

india rupee

ଏହା ହେଉଛି ନୂଆ ଟ୍ୟାକ୍ସ ସ୍ଲାବ୍

ଆୟ

କର

୨.୫ ପର୍ପପ ଲକ୍ଷ ପର୍ଯ୍ୟନ୍ତ

୦%

୨.୫ରୁ ୫ ଲକ୍ଷ ପର୍ଯ୍ୟନ୍ତ

୫%

୫ରୁ ୭.୫ ଲକ୍ଷ ପର୍ଯ୍ୟନ୍ତ

୧୦%

୭.୫ରୁ ୧୦ ଲକ୍ଷ ପର୍ଯ୍ୟନ୍ତ

୧୫%
୧୦ରୁ ୧୨.୫ ଲକ୍ଷ ପର୍ଯ୍ୟନ୍ତ

୨୦%

୧୨.୫ରୁ ୧୫ ଲକ୍ଷ ପର୍ଯ୍ୟନ୍ତ

୨୫%

୧୫ ଲକ୍ଷରୁ ଅଧିକ

୩୦%

 

ସୂଚନାଯୋଗ୍ୟ: ୫ ଲକ୍ଷ ଆୟ କରୁଥିବା ବ୍ୟକ୍ତିଙ୍କୁ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। ସରକାର ୨୦୧୯ର ଅନ୍ତରୀଣ ବଜେଟ୍‌ରେ ୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ଲାଗିବାକୁ ଥିବା ଟ୍ୟାକ୍ସକୁ ହଟାଇ ଦେଇଥିଲେ। ନୂଆ ଓ ପୁରୁଣା ଉଭୟ କର ସ୍ଲାବରେ ଏହି ରିହାତି ମିଳିବ।