ଶିକ୍ଷାଋଣ ପାଇବାକୁ ଚାହୁଁଥିଲେ ଜାଣନ୍ତୁ କ’ଣ ରହିଛି ସର୍ତ୍ତ?

education loan photo

ଶିକ୍ଷାଋଣ ନେବା ପୂର୍ବରୁ କ’ଣ କରିବେ

କୌଣସି ପ୍ରକାର ଶିକ୍ଷାଋଣ କରିବା ପୂର୍ବରୁ ଆପଣ ଯେଉଁ କୋର୍ସ ବା ପାଠ୍ୟକ୍ରମ ପଢିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ଭଲ ଭାବେ ଜାଣିରଖିବା ଆବଶ୍ୟକ। ଏହି ପାଠ୍ୟକ୍ରମରେ ଆପଣ ଭବିଷ୍ୟତରେ କି ପ୍ରକାର ଲାଭ ପାଇବେ ତାହା ଜାଣନ୍ତୁ। ସେହିପରି ଆପଣ ଯେଉଁ ଶିକ୍ଷାନୁଷ୍ଠାନରେ ପଢିବେ, ଉକ୍ତ ଶିକ୍ଷାନୁଷ୍ଠାନ ଏହି ପାଠ୍ୟକ୍ରମ ଉପରେ କିଭଳି ପ୍ଲେସମେଣ୍ଟ ଦେଉଛି, ତାହା ଦେଖିନିଅନ୍ତୁ। ନଚେତ ଶିକ୍ଷାଋଣ ସୁଝିବାରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

କେଉଁମାନେ ପାଇପାରିବେ ଶିକ୍ଷାଋଣ

ସାଧାରଣତଃ ୧୬ରୁ ୩୫ ବର୍ଷ ବୟସ୍କ ଯେକୌଣସି ଭାରତୀୟ ଛାତ୍ରୀଛାତ୍ର ଏହି ଋଣ ପାଇପାରିବେ। ତେବେ ବିଭିନ୍ନ ବ୍ୟାଙ୍କ ଏହି ବୟସ ସୀମା ଭିନ୍ନ ଭିନ୍ନ ରଖିଛନ୍ତି।

ଆପଣଙ୍କ ନାମଲେଖାରେ ନିଶ୍ଚିତତା ବା କନଫର୍ମେଶନ ରହିବା ଆବଶ୍ୟକ। ସରକାରୀ ବା ୟୁଜିସି ଅନୁମୋଦିତ ଶିକ୍ଷାନୁଷ୍ଠାନ ନିମନ୍ତେ ଏହି ସୁବିଧା ମିଳିବ। ଏଥିସହ ବିଦେଶର କୌଣସି ଶିକ୍ଷାନୁଷ୍ଠାନରେ ନାମଲେଖାଇବାକୁ ଚାହୁଁଥିଲେ ନାମଲେଖା ସମ୍ପର୍କିତ ପ୍ରମାଣପତ୍ର ଦେବାକୁ ପଡ଼ିବ।

ଗ୍ରାଜୁଏଟ ଓ ପୋଷ୍ଟଗ୍ରାଜୁଏଟ ଡିଗ୍ରୀ, ଡିପ୍ଲମା ପାଠ୍ୟକ୍ରମ ପାଇଁ ଆପଣ ଶିକ୍ଷାଋଣ ନେଇପାରିବେ। କେତେକ ବ୍ୟାଙ୍କ ଭୋକେଶନାଲ କୋର୍ସ ପାଇଁ ମଧ୍ୟ ଶିକ୍ଷାଋଣ ଦେଉଛନ୍ତି।

ଶିକ୍ଷାଋଣ ପାଇଁ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଜଣେ କୋ-ଆପ୍ଲିକାଣ୍ଟ ବା ସହ ଆବେଦନକାରୀ ରଖିବାକୁ ପଡ଼ିବ। କାରଣ ଯଦି କୌଣସି କାରଣରୁ ସେ ଋଣ ସୁଝିବାରେ ଅସମର୍ଥ ହୁଅନ୍ତି ବା ଋଣ ସୁଝନ୍ତି ନାହିଁ, ତେବେ କୋ-ଆପ୍ଲିକାଣ୍ଟଙ୍କୁ ଋଣ ସୁଝିବାକୁ ପଡ଼ିଥାଏ।

money

କେତେ ଟଙ୍କା ଋଣ ମିଳିପାରିବ

ସାଧାରଣତଃ ଅତିକମରେ ୫୦ ହଜାରରୁ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣ ଶିକ୍ଷାଋଣ ନେଇପାରିବେ।

ଦେଶ ଭିତରେ କୌଣସି ପାଠ୍ୟକ୍ରମ ପଢିବାକୁ ଚାହିଁଲେ ଆପଣଙ୍କୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିଥାଏ।

ଯଦି ଆପଣ ବିଦେଶରେ ପଢିବାକୁ ଚାହାନ୍ତି, ତେବେ ଆପଣଙ୍କୁ ୨୦ରୁ ୨୫ ଲକ୍ଷ ଟଙ୍କା ମିଳିପାରିବ। କେତେକ ଘରୋଇ ବ୍ୟାଙ୍କ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛନ୍ତି।

କୋଲେଟରଲ ସିକ୍ୟୁରିଟି (ବନ୍ଧକ)

ସାଧାରଣତଃ ୪ଲକ୍ଷ ଟଙ୍କାର ଋଣ ଉପରେ ଆପଣଙ୍କୁ କୌଣସି ପ୍ରକାର କୋଲେଟରଲ ସିକ୍ୟୁରିଟି ଦେବାକୁ ପଡ଼ି ନ ଥାଏ। ତେବେ କେତେକ ବ୍ୟାଙ୍କ ସୁରକ୍ଷା ନିମନ୍ତେ କୋଆପ୍ଲିକାଣ୍ଟ ରଖିଥାନ୍ତି।

୪ ଲକ୍ଷରୁ ୭.୫ ଲକ୍ଷ ଟଙ୍କାର ଋଣ ନିମନ୍ତେ ବ୍ୟାଙ୍କଗୁଡିକ କୋଆପ୍ଲିକାଣ୍ଟ ତ ରଖିଥାନ୍ତି, ଏଥିସହ ଜଣେ ଥାର୍ଡ ପାର୍ଟି ଗ୍ୟାରେଣ୍ଟର ମଧ୍ୟ ରଖିଥାନ୍ତି। କାରଣ ଯଦି କୌଣସି କାରଣରୁ ଆପଣ ଋଣ ନ ସୁଝିବେ ତେବେ ତାଙ୍କୁ ସୁଝିବାକୁ ପଡ଼ିଥାଏ।

ଯଦି ଆପଣ ୭.୫ ଲକ୍ଷରୁ ଅଧିକ ଟଙ୍କା ଋଣ ନେଉଛନ୍ତି, ତେବେ ଆପଣଙ୍କୁ ଜଣେ କୋଆପ୍ଲିକାଣ୍ଟଙ୍କୁ ରଖିବା ସହ କୋଲେଟରଲ ସିକ୍ୟୁରିଟି(ବନ୍ଧକ) ରଖିବାକୁ ହେବ। ବନ୍ଧକ ଭାବେ ଆପଣ କୌଣସି ସମ୍ପତ୍ତି, ଫିକ୍ସ ଡିପୋଜିଟ୍, ଜୀବନବୀମା କାଗଜପତ୍ର କିମ୍ବା ଅଣକୃଷି କିସମ ଜମି ରଖିପାରିବେ।

education loan photo (2)

ମାର୍ଜିନ ମନି (ଆବେଦନକାରୀ ବହନ କରିବାକୁ ଥିବା ଟଙ୍କା)

ସାଧାରଣତଃ ବ୍ୟାଙ୍କ ଆପଣଙ୍କୁ ଶତପ୍ରତିଶତ ଶିକ୍ଷାଋଣ ଦେଇ ନ ଥାଏ। ତେବେ ୪ଲକ୍ଷରୁ କମ୍ ଟଙ୍କାର ଋଣ ନେଲେ ଶତପ୍ରତିଶତ ଋଣ ମିଳିଥାଏ।

୪ଲକ୍ଷରୁ ଅଧିକ ଟଙ୍କା ଋଣ ନେଇ ଭାରତ ମଧ୍ୟରେ କୌଣସି ଶିକ୍ଷାନୁଷ୍ଠାନରେ ପଢିଲେ ଆପଣଙ୍କୁ ୫% ମାର୍ଜିନ ମନି ଦେବାକୁ ପଡିଥାଏ। ଅର୍ଥାତ ଯଦି ଆପଣ ୫ଲକ୍ଷ ଟଙ୍କାର ଋଣ ନେଉଛନ୍ତି, ତେବେ ଆପଣଙ୍କୁ ୫% ଅର୍ଥାତ୍ ୨୫ ହଜାର ଟଙ୍କା ମାର୍ଜିନ ମନି ଦେବାକୁ ହେବ ଏବଂ ଅବଶିଷ୍ଟ ୪ଲକ୍ଷ ୭୫ ହଜାର ଟଙ୍କା ବ୍ୟାଙ୍କ ପ୍ରଦାନ କରିବ। ଯଦି ଆପଣ ବିଦେଶରେ ପଢିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ୧୫% ମାର୍ଜିନ ମନି ଦେବାକୁ ପଡ଼ିବ।

ଋଣ ପରିଶୋଧ ସମୟ ସୀମା

ସାଧାରଣତଃ ୩, ୫ କିମ୍ବା ୭ ବର୍ଷିଆ ଶିକ୍ଷାଋଣକୁ ଅଧିକ ଛାତ୍ରୀଛାତ୍ର ପସନ୍ଦ କରୁଛନ୍ତି।

ଯଦି ଆପଣ ୭.୫ ଲକ୍ଷ ଟଙ୍କାରୁ କମ୍ ପରିମାଣର ଋଣ ନେଉଛନ୍ତି, ତେବେ ଆପଣଙ୍କୁ ୧୦ ବର୍ଷରୁ କମ୍ ସମୟ ମଧ୍ୟରେ ପରିଶୋଧ କରିବାକୁ ପଡ଼ିଥାଏ।

ଯଦି ଆପଣ ୭.୫ ଲକ୍ଷ ଟଙ୍କାରୁ ଅଧିକ ଋଣ ନେବେ, ତେବେ ଆପଣଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ସମୟ ଦିଆଯାଇପାରିବ।

student loan

କେତେ ହୋଇଥାଏ ସୁଧ ହାର

ସୁଧ ହାର ମୁଖ୍ୟତଃ ଆପଣଙ୍କ ଶିକ୍ଷାନୁଷ୍ଠାନ ଓ କୋର୍ସ (ପାଠ୍ୟକ୍ରମ) ଉପରେ ନିର୍ଭର କରିଥାଏ। ଭଲ ଶିକ୍ଷାନୁଷ୍ଠାନ, ବିଶେଷକରି ଯେଉଁ ଶିକ୍ଷାନୁଷ୍ଠାନରେ ଆପଣଙ୍କର ଚାକିରି ନିଶ୍ଚିତତା ବା ଜବ୍ ଗ୍ୟାରେଣ୍ଟି ଅଧିକ ଥାଏ, ସେଠାରେ ସୁଧହାର କମ୍ ହୋଇଥାଏ।

କେତେକ କ୍ଷେତ୍ରରେ ବ୍ୟାଙ୍କ ଆପଣଙ୍କୁ ଅତିରିକ୍ତ ରିହାତି ଦେଇଥାଏ। ଯେପରି କି ଏସବିଆଇ ବର୍ତ୍ତମାନ ଶିକ୍ଷାଋଣ ଉପରେ ଛାତ୍ରୀମାନଙ୍କୁ ୦.୫% ରିହାତି ଦେଉଛି।

ଯଦି ଆପଣଙ୍କ କୋଲେଟରଲ ସିକ୍ୟୁରିଟି (ବନ୍ଧକ)ର ମୂଲ୍ୟ ଆପଣଙ୍କ ଋଣ ପରିମାଣଠାରୁ ଅଧିକ ହୋଇଥାଏ, ତେବେ ଆପଣଙ୍କୁ ୦.୨୫% ଅତିରିକ୍ତ ରିହାତି ମିଳିଥାଏ।

ଯଦି ଆପଣ ମୋରାଟୋରିୟମ ପିରିୟଡରୁ ଋଣ ପରିଶୋଧ କରିବା ଆରମ୍ଭ କରନ୍ତି, ତେବେ ଆପଣଙ୍କୁ ୧% ଅତିରିକ୍ତ ରିହାତି ମିଳିପାରିବ।