ନିବେଶ ମାମଲାରେ ‘ସନ୍ଦେହ’ ଜରୁରୀ, ସନ୍ଦେହ କରିବେ ତ’ ଫାଇଦାରେ ରହିବେ।

ଆପଣ ନିଜ ଆୟକୁ ବଢ଼ାଇବା ପାଇଁ ନିବେଶ କରିବାକୁ ଚାହାନ୍ତି। ଆପଣଙ୍କୁ ବନ୍ଧୁବାନ୍ଧବ ପରାମର୍ଶ ଦିଅନ୍ତି ଏଥିରେ ଟଙ୍କା ଲଗାଅ, ସେଥିରେ ଲଗାଅ। ଏମିତି ପରିସ୍ଥିତିରେ ଆପଣ ସମସ୍ତଙ୍କ ପରାମର୍ଶ ମାନି ନିଅନ୍ତି କି? ଯଦି ଆପଣଙ୍କ ଉତ୍ତର ହେଉଛି ହଁ, ତେବେ ଆପଣ ଭୁଲ କରୁଛନ୍ତି। ହୁଏତ ସମସ୍ତଙ୍କ ପରାମର୍ଶକୁ ଗ୍ରହଣ କରିବାର ଏହି ଅଭ୍ୟାସ ଆପଣଙ୍କ ପୁଞ୍ଜିକୁ ବୁଡ଼ାଇପାରେ।

investment

ଆର୍ଥିକ ଉତ୍ପାଦ କିଣିବା ବେଳେ କିମ୍ବା ଆର୍ଥିକ ସେବା ନେବାବେଳେ ସାବଧାନତା ଅବଲମ୍ବନ କରିବା ଜରୁରୀ। ମନେ ରଖନ୍ତୁ ଟଙ୍କା ପଇସା ମାମଲାରେ କେବେବି କାହା କଥାରେ ଭାସିଯାଆନ୍ତୁ ନାହିଁ। ଜଣେ ନିବେଶକଙ୍କ ପାଇଁ ଅନ୍ୟ କଥାରେ ପରିଚାଳିତ ହେବା ସବୁଠୁ ବଡ ମୁର୍ଖାମୀ।

ଆର୍ଥିକ ଉତ୍ପାଦ ବିକ୍ରିକାରୀଙ୍କୁ ସବୁବେଳେ ସନ୍ଦେହ କରନ୍ତୁ

ଆପଣଙ୍କୁ ଯଦି କେହି କୌଣସି ଆର୍ଥିକ ଉତ୍ପାଦ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି ତେବେ ମନେ ରଖନ୍ତୁ ସେ ସବୁବେଳେ କିଛି ନା କିଛି ଲୁଚାନ୍ତି। ଏମିତିକି ଆପଣଙ୍କୁ ଭୁଲ ତଥ୍ୟ ଦେବାର ମଧ୍ୟ ଆଶଙ୍କା ରହିଛି। ତେଣୁ ସନ୍ଦେହ କରନ୍ତୁ। ମାନିକରି ଚାଲନ୍ତୁ ଯେ, ସେ ଆପଣଙ୍କୁ ଯାହା କହିବେ ତା’ମଧ୍ୟରୁ ୯୦ରୁ ୯୫ ପ୍ରତିଶତ କଥା ସତ। ବାକି ୫ ପ୍ରତିଶତ ମିଛ କିମ୍ବା ଅର୍ଧସତ୍ୟ ବୋଲି ଧରି ନିଅନ୍ତୁ। ତେଣୁ ଭଲ ହେବ ଆପଣ ଖରାପରୁ ଖରାପ ସ୍ଥିତି ବିଶୟରେ କଳ୍ପନା କରି ଚାଲନ୍ତୁ।

ଆର୍ଥିକ ସେବାକୁ ଯାହା ଅନ୍ୟ ସେବାଠାରୁ ଅଲଗା କରେ ତାହା ହେଉଛି ଏହା ଟଙ୍କା ସହ ସଂପର୍କିତ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏଥିରେ ଟଙ୍କା ହିଁ ମୁଖ୍ୟ ପ୍ରସଙ୍ଗ। କୌଣସି ଆର୍ଥିକ ଉତ୍ପାଦରୁ ଯେମିତି କମ୍ପାନି ଅଧିକ ଲାଭାନ୍ୱିତ ହେବ ତାହା ସବୁବେଳେ ସେହି କମ୍ପାନିର ଲକ୍ଷ୍ୟ ହୋଇଥାଏ। ତେଣୁ ଆପଣ ନିବେଶ ପୂର୍ବରୁ ଆକଳନ କରନ୍ତୁ ଆପଣ କେତେ ଲାଭ ପାଇବେ। ତା’ପରେ ନିଷ୍ପତି ନିଅନ୍ତୁ।

ଧରି ନିଅନ୍ତୁ ଆପଣ ଗୋଟିଏ ମିଡ୍ ସେଗମେଣ୍ଟ କାର କିଣିବାକୁ ଚାହୁଁଛନ୍ତି। ଆପଣଙ୍କୁ ଏଥିରେ ଅନେକ ପ୍ରକାରର ବିକଳ୍ପ ମିଳିବ। ଆପଣ ଟାଟା ମୋଟର୍ସର କାର ୮ ଲକ୍ଷ ଟଙ୍କାରେ କିମ୍ବା ମାରୁତି କାର ୧୦ ଲକ୍ଷ ଟଙ୍କାରେ କିଣି ପାରିବେ।  କିମ୍ବା ଆପଣ ମର୍ସିଡିସ୍ ୫୦ ଲକ୍ଷରେ କିଣି ପାରିବେ। ତେବେ କ’ଣ ଟାଟା ମୋଟର୍ସକୁ ଛାଡ଼ି କରି ବାକି ସବୁ କମ୍ପାନି ଆପଣଙ୍କଠାରୁ ଅଧିକ ଟଙ୍କା ନେଉଛନ୍ତି କି? ଏହାର ଉତ୍ତର ହେଉଛି ନାହିଁ। ଏହି ସବୁ କମ୍ପାନିଙ୍କ ଡିଲ୍ ବିଲକୁଲ ପାରଦର୍ଶୀ। ସେମାନେ କିଛି ଅଧିକ ଅର୍ଥ ବଦଳରେ ଅଧିକ କିଛି ଦେଉଛନ୍ତି।

ଆର୍ଥିକ ସେବାର ଭିନ୍ନତା କ?

ଆର୍ଥିକ ସେବା ମାମଲାରେ ଏଭଳି ହୁଏନା। ଏଥିରେ ଟଙ୍କା ସର୍କ୍ୟୁଲେଟ୍ ହୋଇଥାଏ। ଯେତେବେଳେ ଆପଣ ଟଙ୍କା ଖର୍ଚ୍ଚ କରନ୍ତି ସେତେବେଳେ ସେହି ଟଙ୍କାକୁ ପ୍ରଡକ୍ଚକୁ ଅଧିକ ଉତ୍ତମ କରିବାକୁ ସେଥିରେ ଖର୍ଚ୍ଚ କରା ଯାଇଥାଏ। କିନ୍ତୁ ଯେହେତୁ ଉତ୍ପାଦ ନିଜେ ଅର୍ଥ ସୃଷ୍ଟିର ମାଧ୍ୟମ ହୋଇଥାଏ, ତେଣୁ ସେଥିରୁ କିଛି ଆପଣଙ୍କୁ ମିଳିଥାଏ। କିଛି ଭାଗ ବିକ୍ରେତାଙ୍କ ଖର୍ଚ୍ଚ, ଲାଭ ଓ କମିଶନ ପାଇଁ ରଖାଯାଏ। ଏହିଭଳି ଭାବେ ମୋବାଇଲ କିମ୍ବା ଡ୍ରେସ୍ କିଣିବା ତୁଳନାରେ ଆର୍ଥିକ ଉତ୍ପାଦର କ୍ରୟବିକ୍ର ଭିନ୍ନ ଧରଣର ଖେଳ ହୋଇଥାଏ।

investment

ଲାଭର ଖେଳ

ସାଧରାଣତଃ ଗ୍ରାହକ ଏହି ଫରକକୁ ବୁଝି ପାରିନଥାନ୍ତି। କୌଣସି ଆର୍ଥିକ ଉତ୍ପାଦ ବିକ୍ରି କରୁଥିବା ଗୋଟିଏ କମ୍ପାନି ସେତିକି ବେଳେ ଅଧିକ ଲାଭ କରିବ ଯେତେବେଳେ ତାହା ଆପଣଙ୍କୁ କମ ଲାଭ ଦେବ। ଅର୍ଥାତ ଆପଣଙ୍କ ଭାଗର ଲାଭ କମ ହେଲେ କମ୍ପାନିକୁ ଫାଇଦା ଅଧିକ ମିଳିବ। ଏହା ଯେକୌଣସି ରୂପରେ ହୋଇପାରେ। ଯେମିତିକି ଦରମା କମ କରି କିମ୍ବା କମ୍ ଲାଭାଂଶ ଦେଇ କମ୍ପାନି ଅଧିକ ଲାଭ ଅମଳ କରିପାରିବ।

ମୋଟାମୋଟି ଭାବେ ଆପଣଙ୍କ ଟଙ୍କାକୁ ନେଇ କମ୍ପାନି ବ୍ୟବସାୟ କରେ। ଆପଣଙ୍କ ଟଙ୍କା ହିଁ ଆପଣଙ୍କ ଲାଭ ଦେଇଥାଏ। ସୈଦ୍ଧାନ୍ତିକ ଭାବେ କହିଲେ, ସବୁ ଆର୍ଥିକ ଉତ୍ପାଦ ଗୋଟିଏ ଶୈଳିରେ କାମ କରିନଥାନ୍ତି। ତେଣୁ କେହି ଆପଣଙ୍କ ଅର୍ଥର ସୁରକ୍ଷା କରିବ ଏହି ଭ୍ରମରୁ ମୁକୁଳିଯିବା ବା ଦୁରେଇ ରହିବା ହିଁ ଭଲ ଉପାୟ। ଏଭଳି ପ୍ରଡକ୍ଟ ବିକ୍ରି ବେଳେ ଯେଉଁଭଳି ଭାବେ ମିଛ ସତ କୁହାଯାଉଛି ତା’ ଉପରେ ଅଂକୁଶ ଲଗାଇବାରେ ଭାରତୀୟ ରେଗୁଲେଟର୍ସ ମାନେ ସେତେଟା ସଫଲ ନୁହନ୍ତି। ତେଣୁ ନିଜେ ସତର୍କ ହୁଅନ୍ତୁ।

ତେବେ ରାସ୍ତା କ‘ଣ?

ସଞ୍ଚୟ ଓ ନିବେଶର ସଠିକ ବିକଳ୍ପ ବାଛିବା ହିଁ ଏକମାତ୍ର ଉପାୟ। କୌଣସି ପ୍ରକାରର ନିବେଶ କରିବା ଆଗରୁ କମ୍ପାନି ଓ ପ୍ରଡକ୍ଟ  ବାବଦରେ ଯେତେ ସମ୍ଭବ ସେତେ ଅଧିକ ସୂଚନା ଏକାଠି କରନ୍ତୁ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନହୋଇ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ। ରିସର୍ଚ୍ଚ କରନ୍ତୁ, ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଓ ନିବେଶ କରନ୍ତୁ। ସବୁଠୁ ବଡ କଥା, ସବୁବେଳେ ସନ୍ଦେହ କରନ୍ତୁ। ପ୍ରଶ୍ନ କରନ୍ତୁ। ମନେ ପକାନ୍ତୁ ଟାଟା ସ୍କାଏର ସେଇ ବିଜ୍ଞାପନକୁ ଯେଉଁଥିରେ ଉପଭୋକ୍ତା କହୁଛି ‘‘ପଚାରିବାରେ ଅସୁବିଧା କ’ଣ?’’ ତେଣୁ ପ୍ରଶ୍ନ ପଚାରନ୍ତୁ, କାରଣ ପୁଞ୍ଜି ଆପଣଙ୍କର ଓ ବୁଡ଼ିବ ଯଦି ଆପଣଙ୍କର ହିଁ ବୁଡ଼ିବ।