ଭାରତୀୟ ଅର୍ଥନୀତିର ସଞ୍ଚୟ ଭାଗିଦାରି କମ ହେବାରେ ଲାଗିଛି। ୨୦୧୧-୧୨ରେ ଏହା ଜିଡିପିର ୩୪.୬ ପ୍ରତିଶତ ଥିଲା, ଏବେ ଯାହା ୨୦୧୮-୧୯ରେ ଏହା ୩୦.୧ ପ୍ରତିଶତ ରହିଯାଇଛି।

ଅର୍ଥନୀତିରେ ମାନ୍ଦାବସ୍ଥା ଆମ ସଞ୍ଚୟ ଉପରେ ଭାରି ପଡ଼ିଛି। ମାନ୍ଦାବସ୍ଥା ଏତେ ଗମ୍ଭୀର ଯେ, ଏହା ୧୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଘରୋଇ ସଞ୍ଚୟରେ ହ୍ରାସ କାରଣରୁ ଦେଶର ମାକ୍ରୋ-ଇକୋନମିର ସ୍ଥିତି ବିଗିଡିବାରେ ଲାଗିଛି। ଦେଶରେ ନିବେଶ କମ ହେବା କାରଣରୁ ଓ ପୁଞ୍ଜି ପାଇଁ ବିଦେଶ ମୁହାଁ ହେବା କାରଣରୁ ମାକ୍ରୋ-ଇକୋନମି ଅବସ୍ଥା ଆଗଠାରୁ ଅଧିକ ଖରାପ ହୋଇ ପଡ଼ିଛି।

ଉପଭୋକ୍ତା ସାମଗ୍ରୀ ଓ ଟ୍ରାଭେଲ ଖର୍ଚ୍ଚ ବଢିବା କାରଣରୁ ଘରୋଇ ସଞ୍ଚୟରେ ହ୍ରାସ ଆସିଛି। ଦେଶର ମୋଟ ସଞ୍ଚୟରେ ଘରୋଇ ସଞ୍ଚୟର ଭାଗିଦାରି ୬୦ ପ୍ରତିଶତ ଅଟେ। ୨୦୧୮-୧୯ ଆର୍ଥିକ ବର୍ଷରେ ସଞ୍ଚୟ ପ୍ରତିଶତ ଜିଡିପିର ୩୦.୦୧ ପ୍ରତିଶତ ରହିଛି, ଯାହା ୨୦୧୧-୧୨ରେ ୩୪.୦୬ ପ୍ରତିଶତ ଥିଲା। ୨୦୦୭-୦୮ରେ ଏହା ୩୬ ପ୍ରତିଶତ ଥିଲା।

ଆପଣଙ୍କ ସଞ୍ଚୟ କେତେ?

ଅର୍ଥନୀତିରେ ମୋଟ ସଞ୍ଚୟର ୬୦ ପ୍ରତିଶତ ଅଂଶ ପରିବାରରୁ ଆସିଥାଏ। ଜିଡିପି ପ୍ରତିଶତ ହିସାବରେ ଦେଖିଲେ ଗତ ବର୍ଷ ଏହା ୨୦୧୧-୧୨ର ୨୩ ପ୍ରତିଶତରୁ ହ୍ରାସ ପାଇ ୧୮ ପ୍ରତିଶତ ହୋଇଛି। ବିଶେଷଜ୍ଞଙ୍କ ଅନୁସାରେ ସ୍ଥାୟୀ ଆର୍ଥିକ ବୃଦ୍ଧିଦର ହାସଲ କରିବା ପାଇଁ ଦେଶରେ ନିବେଶ ହାର ବଢାଇବାକୁ ପଡ଼ିବ। କିନ୍ତୁ ନିବେଶ ପାଇଁ ପୁଞ୍ଜି ଆବଶ୍ୟକ ହୋଇଥାଏ। ଯଦି ଘରୋଇ ସଞ୍ଚୟରେ ହ୍ରାସ ପରିଲକ୍ଷିତ ହେଉଛି ତେବେ ବିଦେଶରୁ ପୁଞ୍ଜି ଯୋଗାଡ଼ ପାଇଁ ସରକାରଙ୍କ ନିଷ୍ପତି ଠିକ୍।

ଣ ପାଇଁ କମୁଛି ସଞ୍ଚୟ?

ଆର୍ଥିକ ମାନ୍ଦାବସ୍ଥାର ମୁଖ୍ୟ କାରଣ ହେଉଛି ଦୁର୍ବଳ ଚାହିଦା। ତେବେ କମୁଥିବା ସଞ୍ଚୟର ମୁଖ୍ୟ କାରଣ ହେଉଛି ଅଧିକ କ୍ରୟ। ବିଶେଷଜ୍ଞଙ୍କ ଅନୁସାରେ ସଞ୍ଚୟ କମିବାର ଦୁଇଟି ପ୍ରମ୍ମୁଖ କାରଣ ରହିଛି। ଗୋଟିଏ ହେଲା ଅଧିକ କିଣାକିଣି କରିବାକୁ ଆଗ୍ରହ। ଦ୍ୱିତୀୟ କାରଣ ହେଉଛି ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ପୂର୍ବ ଅପେକ୍ଷା ଉପଭୋକ୍ତାଙ୍କ ଖର୍ଚ୍ଚ ବଢିବା। କାରଣ ସ୍ୱାସ୍ଥ୍ୟ ସେବା ମହଙ୍ଗା ହୋଇ ପଡ଼ିଛି।

ଏହାସହ ସଞ୍ଚୟ ହ୍ରାସ ପାଇବା ପାଇଁ ବର୍ତ୍ତମାନର ଆର୍ଥିକ ସ୍ଥିତି ମଧ୍ୟ କେତେକାଂଶରେ ଦାୟୀ ବୋଲି ବିଶେଷଜ୍ଞ କୁହନ୍ତି। ୟୁବିଏସ୍ ସିକ୍ୟୁରିଟିଜ୍ ରିପୋର୍ଟ ଅନୁସାରେ, ଲମ୍ବା ଅବଧିରେ ଅର୍ଥନୈତିକ ବିକାଶ ହାର ହ୍ରାସ ପାଇ ୬.୫ ପ୍ରତିଶତକୁ ଖସି ପାରେ, ତିନି ବର୍ଷତଳେ ଏହା ୭.୧ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଥିଲା। ଏଥିପାଇଁ ମାକ୍ରୋ ଇକୋନମିକ୍ସରେ ଅସୁନ୍ତଳତା କେତେକାଂଶରେ ଦାୟୀ, ଯାହା କମ ସଞ୍ଚୟ ଓ ନିବେଶ ହ୍ରାସ କାରଣରୁ ହୋଇଛି।

ସଞ୍ଚୟ କମିବା ଦ୍ୱାରା କଣ ହେବ?

ଚାକିରି ଚାଲିଗଲେ କିମ୍ବା ଅଚାନକ ଆସୁଥିବା ଖର୍ଚ୍ଚର ମୁକାବିଲା ପାଇଁ ସଞ୍ଚୟ ଜରୁରି ହୋଇଥାଏ। ଏହସହ କୌଣସି ଅର୍ଥନୀତି ପାଇଁ ମଧ୍ୟ ସଞ୍ଚୟ ଜରୁରୀ ହୋଇଥାଏ। ଅର୍ଥନୀତିର ବିକାଶ ପାଇଁ ନିବେଶ ମଧ୍ୟ ଜରୁରୀ। ଏହା ସରକାରଙ୍କ ପାଇଁ ଫଣ୍ଡିଂର କାମ କରିଥାଏ। ଘରୋଇ ସଞ୍ଚୟ ନିବେଶର ଖର୍ଚ୍ଚକୁ କମ କରିଥାଏ।

ସଞ୍ଚୟ ହାର ହ୍ରାସ ପାଇଲେ ଘରୋଇ କମ୍ପାନିଙ୍କୁ ପୁଞ୍ଜି ପାଇଁ ବିଦେଶୀ ବଜାର ମୁହାଁ ହେବାକୁ ପଡ଼େ। ଫଳରେ ବିଦେଶୀ ରୁଣ ବୋଝ ବଢିଥାଏ। ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ବିଦେଶୀ ଲୋନ୍ ପରିମାଣ ଥିଲା ୫୪୩ ବିଲିୟନ ଡଲାର। ଯାହା ୨୦୧୪-୧୫ରେ ଥିଲା ୪୭୫ ବିଲିୟନ ଡଲାର। ଏହାର ଅର୍ଥ ହେଲା ଆପଣଙ୍କ ସଞ୍ଚୟ ଦେଶର ଅର୍ଥନୀତି ପାଇଁ ଜରୁରୀ  ଓ ଲାଭଦାୟକ। ଆପଣଙ୍କ ସଞ୍ଚୟ ଦେଶର ମାନ୍ଦା ଆର୍ଥନୀତିକୁ ଗତି ଦେଇ ପାରେ।

ତଥାପି ଭାରତ ସ୍ଥିତି ବାକି ଦେଶଙ୍କଠାରୁ ଭଲ!

ବ୍ରାଜିଲ ଭଳି ବିକାଶଶୀଳ ବଜାର ତୁଳନାରେ ଭାରତର ସ୍ଥିତି ଏବେ ମଧ୍ୟ ଭଲ ଅଛି। ବିଶ୍ୱବ୍ୟାଙ୍କ ଡାଟା ଅନୁସାରେ ବ୍ରିକ୍ ଦେଶ ଓ ଅନ୍ୟ ବିକାଶଶୀଳ ବଜାର ତୁଳନାରେ ଭାରତର ସ୍ଥିତି ଢେର ଭଲ ଅଛି। ବ୍ରାଜିଲ ସଞ୍ଚୟ ହାର ୧୬ ପ୍ରତିଶତ ଥିବା ବେଳେ, ମେକ୍ସିକୋରେ ଏହା ୨୩ ପ୍ରତିଶତ ରହିଛି। ତେବେ ଚୀନରେ ଏହା ଭାରତଠାରୁ ଅଧିକ। ଚୀନରେ ସଞ୍ଚୟ ହାର ୪୬ ପ୍ରତିଶତ ରହିଛି।