ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା ଟ୍ୟାକ୍ସ ବଞ୍ଚାଇଥାନ୍ତି କିନ୍ତୁ ଖୁବ କମ ଲୋକ ଏବାବଦରେ ଜାଣନ୍ତି।
ଆର୍ଥିକ ବର୍ଷ ଶେଷ ହେବାକୁ ଖୁବକମ ଦିନ ବାକି ଅଛି। ୩୧ ମାର୍ଚ୍ଚ ପୂର୍ବରୁ ଟ୍ୟାକ୍ସ ପ୍ଲାନିଂ କରିବାକୁ ପଡ଼ିବ। ଟ୍ୟାକ୍ସ ବଞ୍ଚାଇବାକୁ ସାଧାରଣତଃ ଆମେ ନିଜ ହିସାବରେ ନିବେଶ କରିଥାଉ, ଯାହା କର ରିହାତି ଦେଇଥାଏ। କିନ୍ତୁ ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା ଟ୍ୟାକ୍ସ ବଞ୍ଚାଇ ଥା’ନ୍ତି କିନ୍ତୁ ଆମେ ସେମାନଙ୍କ ବାବଦରେ ଜାଣୁନା। ଯଦି ସେହିଭଳି କିଛି ଖର୍ଚ୍ଚ ସମ୍ବନ୍ଧରେ ଆପଣ ଜାଣିବେ ତେବେ ଆପଣ ମଧ୍ୟ ଅଧିକ ନିବେଶ ନକରି ଟ୍ୟାକ୍ସ ସଞ୍ଚୟ କରିପାରିବେ। ଆସନ୍ତୁ ସେହିଭଳି ୭ଟି ଖର୍ଚ୍ଚ ବାବଦରେ ଜାଣିବା ଯାହା ଟ୍ୟାକ୍ସ ବଞ୍ଚାଇଥାନ୍ତି।
ପ୍ରି ନର୍ସରୀ ଫି‘ ଉପରେ ଡିଡକ୍ସନ
ଯଦି ଆପଣଙ୍କ ପିଲା ପ୍ଲେ ଗ୍ରୁପ୍, ପ୍ରି ନର୍ସରୀ କିମ୍ବା ନର୍ସରୀରେ ପଢୁଥାଏ ତେବେ ଆପଣ ଫି’ ଉପରେ ଡିଡକ୍ସନ କ୍ଲେମ୍ କରିପାରିବେ। ଏହା ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା। ଖୁବ କମ ଲୋକ ଏବାବଦରେ ଜାଣନ୍ତି ଓ କ୍ଲେମ୍ କରନ୍ତି। ଧାରା ୮୦-ସି ଅନ୍ତର୍ଗତରେ ଆପଣ ଦୁଇଟି ପିଲାଙ୍କ ପାଇଁ ଡିଡକ୍ସନ୍ କ୍ଲେମ୍ କରି ପାରିବେ।
ଷ୍ଟାମ୍ପ ଡ୍ୟୁଟି ଉପରେ କର ଛାଡ଼
ଘର କିଣିବା ବେଳେ ଆପଣ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି’ ଉପରେ ଡିଡକ୍ସନ୍ କ୍ଲେମ୍ କରିପାରିବେ। ଧାରା ୮୦-ସି ଅନ୍ତର୍ଗତରେ ଏହି ରିହାତି ନିଆ ଯାଇପାରିବ। ଯାହାର ସର୍ବାଧିକ ସୀମା ହେଉଛି ୧.୫୦ ଲକ୍ଷ ଟଙ୍କା। ଯେଉଁ ଆର୍ଥିକ ବର୍ଷର ଆପଣ ଘର କିଣିଥିବେ ସେହି ବର୍ଷ ହିଁ ଆପଣ ଷ୍ଟାମ୍ପ୍ ଡ୍ୟୁଟି ଛାଡ଼ କ୍ଲେମ୍ କରିପାରିବେ। ତା’ ପର ଆର୍ଥିକ ବର୍ଷରେ କ୍ଲେମ୍ କଲେ ମିଳିବ ନାହିଁ।
ଅଭିଭାବକଙ୍କୁ ଦେଉଥିବା ସୁଧ ଉପରେ ଛାଡ଼
ଘର କିଣିବା ପାଇଁ ଆପଣ ନିଜ ଅଭିଭାବକଙ୍କଠାରୁ ଲୋନ୍ ନେଇ ପାରିବେ। ସେହି ଲୋନ୍ ପାଇଁ ଆପଣ ଦେଉଥିବା ସୁଧ ଉପରେ କୌଣସି ଟ୍ୟାକ୍ସ ଲାଗୁ ହୁଏନା। ଯଦି ଆପଣଙ୍କ ମାତାପିତା କମ ଟ୍ୟାକ୍ସ ସ୍ଲାବରୁ ଆସୁଥାନ୍ତି ତେବେ ଲାଭ ଅଧିକ ହେବ। ଧାରା ୨୪-ସି ଅନ୍ତର୍ଗତରେ ଏହି ଛାଡ଼ କ୍ଲେମ୍ କରା ଯାଇପାରିବ। ଯାହାର ସର୍ବାଧିକ ସୀମା ହେଉଛି ୨ ଲକ୍ଷ ଟଙ୍କା। ତେବେ ଏଥିପାଇଁ ଆପଣଙ୍କୁ ଲୋନ୍ ଉପରେ ସୁଧ ଦେଉଥିବା ଆଟେଷ୍ଟେଡ୍ ପ୍ରମାଣପତ୍ର ଯୋଗାଡ଼ କରିବାକୁ ପଡ଼ିବ।
ଅଭିଭାବକଙ୍କୁ ଦିଅନ୍ତୁ ଘର ଭଡ଼ା
ଯଦି ଆପଣ ନିଜ ଅଭିଭାବକଙ୍କ ଘରେ ରହୁଛନ୍ତି ତେବେ ତାଙ୍କୁ ମଧ୍ୟ ଆପଣ ଭଡ଼ା ଦେଇ ପାରିବେ ଓ ସେଇ ଭଡା ଉପରେ କର ଛାଡ଼ କ୍ଲେମ୍ କରିପାରିବେ। ଅନ୍ୟପକ୍ଷରେ ଆପଣଙ୍କ ଅଭିଭାବକ ଷ୍ଟାଣ୍ଡାର୍ଡ ଡିଡକ୍ସନ ଓ ମ୍ୟୁନିସିପାଲ ଟ୍ୟାକ୍ସ ଉପରେ ଡିଡକ୍ସନ୍ କ୍ଲେମ୍ କରି ପାରିବେ। ଏଭଳି କରିବା ଦ୍ୱାରା ପୁରା ପରିବାର ସଞ୍ଚୟ କରି ପାରିବ। ଆୟକର ଧାରା ୧୦(୧୩ଏ) ରେ ଏହି ପ୍ରାବଧାନ ରହିଛି। ତେବେ ଧ୍ୟାନ ରଖନ୍ତୁ ଯେ, HRA କିମ୍ବା ଦରମାର ୧୦ ପ୍ରତିଶତରୁ ଅଧିକ ଘରଭଡ଼ା କିମ୍ବା ବେସିକ୍ ଦରମାର ୫୦ ପ୍ରତିଶତ, ଏହା ମଧ୍ୟରୁ ଯାହା କମ ହେବ, ସେତିକି ହିଁ ଡିଡକ୍ସନ୍ ଆପଣଙ୍କୁ ମିଳିବ। ଏହାସହ ଆପଣଙ୍କୁ ଘର ଭଡ଼ା ଏଗ୍ରିମେଣ୍ଟ ମଧ୍ୟ କରିବାକୁ ପଡ଼ିବ।
ଗ୍ରୁପ୍ ହେଲ୍ଥ ଇନ୍ସୁରାନ୍ସ କଭର ଉପରେ କର ଛାଡ଼
ଗ୍ରୁପ୍ ହେଲ୍ଥ ଇନସ୍ୟୁରାନ୍ସ କଭର ପାଇଁ ଦେଇଥିବା ପ୍ରିମିୟମ ଉପରେ ମଧ୍ୟ ଆପଣ କରଛାଡ କ୍ଲେମ୍ କରିପାରିବେ। ଯଦି ନିଯୁକ୍ତିଦାତ୍ତା ଆପଣଙ୍କ ପରିବାର ପାଇଁ ଗ୍ରୁପ୍ ହେଲ୍ଥ କଭର ଦେଇଛନ୍ତି ଓ ଆପଣ ତାରା ପ୍ରିମିୟମ ଦେଉଛନ୍ତି ତେବେ ଆପଣ ସ୍ୱାଧିନ ଓ ରିଟେଲ୍ ହେଲ୍ଥ କଭର ଉପରେ ଟ୍ୟାକ୍ସ ଛାଡ଼ ହକଦାର। ଆୟକର ଧାରା ୮୦-ଡି ଅନ୍ତର୍ଗତରେ ଏହି ଛାଡ଼ ମିଳିଥାଏ ଓ ଏହାର ସର୍ବାଧିକ ସୀମା ହେଉଛି ୭୫ ହଜାର ଟଙ୍କା। କିନ୍ତୁ ଯଦି ପୂରା ପ୍ରିମିୟମ ଆପଣଙ୍କ ଅଫିସ ଦେଉଛି ତେବେ ଆପଣଙ୍କୁ କୌଣସି ଛାଡ଼ ମିଳିବ ନାହିଁ।
ଅଭିଭାବକଙ୍କ ଚିକିତ୍ସା ଖର୍ଚ୍ଚ
ନିଜ ଅଭିଭାବକଙ୍କ ଚିକିତ୍ସାରେ ଆପଣ ଯେତିକି ଟଙ୍କା ଖର୍ଚ୍ଚ କରିଥିବେ ତା’ ଉପରେ ଆପଣ କର ଛାଡ଼ ପାଇ ପାରିବେ। ଆୟକର ଧାରା ୮୦-ଡି ଏହି ସୁବିଧା ଦେଇଥାଏ। ଏଥିରେ ସର୍ବାଧିକ ସୀମା ହେଉଛି ୫୦ ହଜାର ଟଙ୍କା।