ଆମେ ନିଜ ସଞ୍ଚୟ ସୁରକ୍ଷିତ ରଖିବାକୁ ବ୍ୟାଙ୍କ ମୁହଁ ହୋଇଥାଉ। ଆମ ଦେଶର ଲକ୍ଷାଧିକ ଲୋକ ନିଜ ଝାଳବୁହା ଟଙ୍କାକୁ ବ୍ୟାଙ୍କରେ ଜମା କରି ସୁରକ୍ଷିତ ଅନୁଭବ କରିଥାନ୍ତି। କିନ୍ତୁ ବେଳେ ବେଳେ ପିଏମସି ବ୍ୟାଙ୍କ ଦୁର୍ନିତି ଭଳି ଘଟଣା ଆମ ବିଶ୍ୱାସକୁ ଦୋହଲାଇ ଦେଇଥାଏ।

ଲୋକ ବ୍ୟାଙ୍କରେ ଟଙ୍କା ଜମା ତ’ କରୁଛନ୍ତି କିନ୍ତୁ ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ ସବୁବେଳେ ଉଠିଥାଏ, ଯଦି ବ୍ୟାଙ୍କ ବୁଡ଼ିଯାଏ ତେବେ ଆମ ଟଙ୍କା ମିଳିବ କି ନାହିଁ? ଅଧିକାଂଶ ରାଷ୍ଟ୍ରାୟତ ବ୍ୟାଙ୍କର ଆର୍ଥିକ ସ୍ଥିତ ଭଲ, ତେଣୁ ବ୍ୟାଙ୍କ ବୁଡ଼ିବାର ସମ୍ଭାବନା ବହୁତ କମ। ତଥାପି ମନରେ ସବୁବେଳେ ଆଶଙ୍କା ସୃଷ୍ଟି ହୋଇଥାଏ ବ୍ୟାଙ୍କ୍ ଯଦି ବୁଡ଼େ ତେବେ ଆପଣଙ୍କ ଟଙ୍କାର କ’ଣ ହେବ?

Money

୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସୁରକ୍ଷିତ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କ ଖାତା ଧାରକଙ୍କୁ ନିଜ ବଜେଟ୍ ଭାଷଣରେ ଆଶ୍ୱସ୍ତ କରିଛନ୍ତି। ବ୍ୟାଙ୍କ ଜମାକାରୀଙ୍କ ବୀମା ରାଶିକୁ ଭାରତ ସରକାରଙ୍କ ସ୍ୱୀକୃତି ମିଳିବା ପରେ ରିଜର୍ଭ ବ୍ୟାଙ୍କ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଯାହା ପୂର୍ବରୁ ୧ ଲକ୍ଷ ଟଙ୍କା ଥିଲା। ଅର୍ଥାତ ଯଦି ଆପଣ ଯେଉଁ ବ୍ୟାଙ୍କରେ ଟଙ୍କା ଜମା କରିଛନ୍ତି, ତାହା ବୁଡ଼ିଯାଏ ତେବେ ଆପଣଙ୍କ ଜମା ରାଶିର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁରକ୍ଷିତ ରହିବ। ଅର୍ଥାତ ଯଦି ଆପଣଙ୍କ ଖାତାରେ ୫ ଲକ୍ଷ ଅଛି ତେବେ ଆପଣ ୫ ଲକ୍ଷ ଟଙ୍କା ଫେରି ପାଇବେ। ୨ ଲକ୍ଷ ଅଛି ଯଦି ୨ ଲକ୍ଷ ଟଙ୍କା ଫେରି ପାଇବେ। କିନ୍ତୁ ୫ ଲକ୍ଷ ଟଙ୍କାରୁ ଅଧିକ ମିଳିବ ନାହିଁ।

କେବେଠାରୁ ଲାଗୁ ହେବ?

୨୦୨୦ ଫେବ୍ରୁଆରି ୪ ତାରିଖରୁ ଏହା ଲାଗୁ ହୋଇଛି। ଡିପୋଜିଟ୍ ଇନ୍‌ସୁରାନ୍ସର ଏହି ଯୋଜନା ଡିପୋଜିଟ୍ ଇନ୍‌ସୁରାନ୍ସ ଆଣ୍ଡ୍ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଆଣିଛି। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ସହଯୋଗୀ। ଏଥିପାଇଁ କର୍ପୋରେସନ୍ ସିଧସଳଖ ଜମାକାରୀଙ୍କଠାରୁ କୌଣସି ପ୍ରିମିୟମ ନେଇ ନଥାଏ। ବ୍ୟାଙ୍କ ଏଥିପାଇଁ ପ୍ରିମିୟମ ଦେଇଥାନ୍ତି। ୧୯୯୬ ମସିହା ପରଠାରୁ ପ୍ରଥମ ଥର ପାଇଁ ଡିପୋଜିଟ୍ ବୀମାରାଶି ବଢିଛି।

ବ୍ୟାଙ୍କ ବୁଡ଼ିଲେ ଏମିତି ହେବ ଆପଣଙ୍କ ଏଫ୍‌ଡିର ସୁରକ୍ଷା

ଏହି ଇନସ୍ୟୁରାନ୍ସ କଭର ଭିତରେ ସବୁ ପ୍ରକାରର ଡିପୋଜିଟ୍ ଯେମିତି ସେଭିଂ, ଏଫଡି ଅନ୍ତର୍ଭୁକ୍ତ। ଯୋଜନାରେ ମୂଳଧନ ଓ ସୁଧରାଶିକୁ ମିଶାଇ ମୋଟ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା କଭର ହୋଇଥାଏ। ଏହି ଡିପୋଜିଟ୍ ଗ୍ୟାରେଣ୍ଟି ସେତେବେଳେ ଲାଗୁ ହୋଇଥାଏ ଯେତେବେଳେ ବ୍ୟାଙ୍କ ବୁଡ଼ିଯାଏ।

ଯଦି ଗୋଟିଏ ବ୍ୟାଙ୍କ କୌଣସି କାରଣରୁ ବୁଡ଼ିଯାଏ ତେବେ ସେହି ବ୍ୟାଙ୍କର ସବୁ ଶାଖାରେ ଜମାକାରୀଙ୍କ ଦ୍ୱାରା ଜମା କରାଯାଇଥିବା ଟଙ୍କାକୁ ଏକାଠି ହିସାବ କରାଯାଏ। ଅର୍ଥାତ ଜଣେ ଜମାକାରୀ ଯଦି ଗୋଟିଏ ବ୍ୟାଙ୍କର ବିଭିନ୍ନ ଶାଖାରେ ଟଙ୍କା ରଖିଛନ୍ତି ତେବେ ବ୍ୟାଙ୍କ ବୁଡ଼ିବା ପରିସ୍ଥିତିରେ ତାଙ୍କୁ ସର୍ବାଧିକ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ମିଳିବ।