ସୁରକ୍ଷା ଓ ସୁଧ ଦୃଷ୍ଟିରୁ ପୋଷ୍ଟାଲ ଟାଇମ୍ ଡିପୋଜିଟ୍ ଭଲ, ମିଳେ ଅଧିକ ରିଟର୍ଣ୍ଣ ଓ ପୂରା ନିବେଶର ସୁରକ୍ଷା ଗ୍ୟାରେଣ୍ଟି।

ଆୟରୁ ହୋଇଥାଏ ସଂଚୟ। ସଂଚୟ କରିବା ପଛର କାରଣ ହେଉଛି ସୁରକ୍ଷିତ ଆର୍ଥିକ ଭବିଷ୍ୟତ। ସଂଚୟ କରିବା ବେଳେ ଜଣେ ବ୍ୟକ୍ତି ସବୁବେଳେ ଏହା ଦେଖିଥାନ୍ତି ଯେ, ସେ ନିବେଶକୁ କେତେ ରିଟର୍ଣ୍ଣ ପାଇବେ ଓ ତାଙ୍କ ନିବେଶ କେତେ ସୁରକ୍ଷିତ ରହିବ। ଏମିତିରେ ଅନେକଙ୍କ ପାଇଁ ବ୍ୟାଙ୍କ୍ ଫିକ୍ସଡ୍ ଡିପୋଜିଟ୍ ପ୍ରଥମ ପସନ୍ଦ ହୋଇଥାଏ।

ଏଫଡି ସୁରକ୍ଷିତ ନିବେଶ ହୋଇଥିବାରୁ ଏହାପ୍ରତି ଲୋକଙ୍କ ଆକର୍ଷଣ ରହିଛି। ବର୍ତ୍ତମାନ ସମୟରେ ପୋଷ୍ଟାଲ ଟାଇମ୍ ଡିପୋଜିଟ୍ ମଧ୍ୟ ଗୋଟିଏ ଭଲ ବିକଳ୍ପ। ତେଣୁ ଯଦି ଆପଣ ଫିକ୍ସଡ୍ ଡିପୋଜିଟ୍ ସ୍କିମରେ ନିବେଶ କରିବାକୁ ଚାହୁଁଛନ୍ତ ତେବେ ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ଗୋଟିଏ ହେଉଛି ପୋଷ୍ଟାଲ ଟାଇମ୍ ଡିପୋଜିଟ୍ ଓ ଅନ୍ୟଟି ବ୍ୟଙ୍କ ଫିକ୍ସଡ ଡିପୋଜିଟ୍। ଆସନ୍ତୁ ଏହି ଦୁଇ ନିବେଶ ବାବଦରେ ଜାଣିବା।

ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍

ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟର ସମୟ ଅବଧି ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ। ଯେକୌଣସି ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ଖୋଲା ଯାଇପାରିବ। ଅଧିକାଂଶ ବ୍ୟାଙ୍କରେ ଅନଲାଇନ୍ ଫିକ୍ସଡ୍ ଡିପୋଜିଟ୍ ମଧ୍ୟ ଖୋଲା ଯାଇ ପାରିବ। ଅନଲାଇନ୍ ଫିକ୍ସଡ୍ ଡିପୋଜିଟ୍ ଖୋଲିବା ଆଗରୁ ବ୍ୟାଙ୍କଠାରୁ ସର୍ବାଧିକ ଓ ସର୍ବନିମ୍ନ ରାଶି ତଥା ଦସ୍ତାବିଜ୍ ସଂପର୍କିତ ତଥ୍ୟ ନିଅନ୍ତୁ।

ଅଲଗା ଅଲଗା ବ୍ୟାଙ୍କ ଏଫଡି ଉପରେ ଭିନ୍ନ ହାରରେ ସୁଧ ଦେଇଥାନ୍ତି। ନିକଟ ଅତିତରୁ ଅଧିକାଂଶ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ ଉପରେ ସୁଧ କମ ଦେଉଛନ୍ତି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାଧାରଣ ନାଗରିକଙ୍କୁ ୬ ପ୍ରତିଶତ ସୁଧ ଦେଉଥିବା ବେଳେ ଆକ୍ସିସ୍ ବ୍ୟାଙ୍କ ୬.୫୦ ପ୍ରତିଶତ ସୁଧ ଦେଉଛି।

ପୋଷ୍ଟ୍ ଅଫିସ ଟାଇମ୍ ଡିପୋଜିଟ୍

ଡାକଘରେ ୧ ବର୍ଷ, ୨ ବର୍ଷ, ୩ ବର୍ଷ, ଓ ୫ ବର୍ଷର ବିକଳ୍ପ ରହିଛି। ଆପଣ କେତେ ବର୍ଷ ପାଇଁ ଟଙ୍କା ଡିପୋଜିଟ୍ କରିବାକୁ ଚାହୁଁଛନ୍ତି ତାହା ଆପଣଙ୍କୁ ବାଛିବାକୁ  ପଡିବ। ସୁରକ୍ଷା ଦୃଷ୍ଟିରୁ ପୋଷ୍ଟ ଅଫିସ ଟାଇମ୍ ଡିପୋଜିଟ୍ ଅଧିକ ସୁରକ୍ଷିତ। କାରଣ ଏହାର ସୁରକ୍ଷାର ଗ୍ୟାରେଣ୍ଟି ସରକାର ଦିଅନ୍ତି। ଏଭଳି ଆକାଉଣ୍ଟ୍ ଆପଣ ଅତିକମରେ ୧୦୦୦ ଟଙ୍କାରେ ଆରମ୍ଭ କରିପାରିବେ।

ଏଥିରେ ସର୍ବାଧିକ ରାଶି ଜମାର କୌମସି ସୀମା ନାହିଁ। ଅର୍ଥାତ ଆପଣ ଚାହିଁଲେ ଅଧିକ ଟଙ୍କା ମଧ୍ୟ ଜମା କରିପାରିବେ। ଏଥିରେ ଏକାକି କିମ୍ବା ଯୌଥ ଆକାଉଣ୍ଟ୍ ଖୋଲା ଯାଇ ପାରିବ। ୧୦ ବର୍ଷରୁ ଅଧିକ ପିଲାଙ୍କ ନାମରେ ଖାତା ଖୋଲା ଯାଇ ପାରିବ। ତେବେ ଅଭିଭାବକ ଖାତାର ଦେଖାଶୁଣା କରିବେ। ୫ ବର୍ଷ ପାଇଁ ହୋଇଥିବା ଡିପୋଜିଟ୍ ଟ୍ୟାକ୍ସ ବେନିଫିଟ୍ ଯୋଗ୍ୟ ହୋଇଥାଏ।  ନଗଦ କିମ୍ବା ଚେକ୍ ଦ୍ୱାରା ଖାତା ଖୋଲା ଯାଇ ପରିବ। ଗୋଟିଏ ପୋଷ୍ଟ ଅଫିସରେ ଖୋଲା ଯାଇଥିବା ଆକାଉଣ୍ଟକୁ ଆଉ ଗୋଟିଏ ପୋଷ୍ଟ ଅଫିସକୁ ଟ୍ରାନ୍ସଫର ମଧ୍ୟ କରାଯାଇ ପାରିବ।

ଅଧିକ ସୁରକ୍ଷିତ କିଏ?

ବିଶେଷଜ୍ଞଙ୍କ ହିସାବରେ ଉଭୟ ରିଟର୍ଣ୍ଣ ଓ ଆୟକର ଦୃଷ୍ଟିରୁ ପ୍ରାୟତଃ ସମାନ। କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ପୋଷ୍ଟାଲ ଟାଇମ୍ ଡିପୋଜିଟ୍ ଅଧିକ ସୁରକ୍ଷିତ। କାରଣ ବ୍ୟାଙ୍କରେ ଆପଣଙ୍କ ଜମାରାଶିର ମାତ୍ର ୫ ଲକ୍ଷ ଟଙ୍କା ଉପରେ ସରକାର ଗ୍ୟାରେଣ୍ଟି ଦେଇଥାନ୍ତି।

(ଆଗରୁ ୧ ଲକ୍ଷ ଟଙ୍କା ଥିଲା, ଚଳିତ ବଜେଟରେ ଏହାକୁ ବଢାଇ ୫ ଲକ୍ଷ କରାଯାଇଛି, ଅର୍ଥାତ୍ ବ୍ୟାଙ୍କ ଡୁବିବା ପରିସ୍ଥିତିରେ ଆପଣଙ୍କର ୧୦ ଲକ୍ଷ ଟଙ୍କା ଥିଲେ ମଧ୍ୟ ବ୍ୟାଙ୍କ ଆପଣଙ୍କୁ ୫ ଲକ୍ଷ ଫେରାଇବ।)

ଅନ୍ୟପକ୍ଷରେ ପୋଷ୍ଟାଲ ଡିପୋଜିଟରେ ଆପଣ ଯେତିକିତ ଟଙ୍କା ରଖିଥିବେ ସେତିକି ଫେରସ୍ତ ପାଇବେ। ଆପଣଙ୍କ ଜମା ରାଶି ଯଦି ୧୦ ଲକ୍ଷ ତେବେ ଆପଣ ୧୦ ଲକ୍ଷ ପାଇବେ। ଏହାସହ ଏବେମଧ୍ୟ ପୋଷ୍ଟାଲ ଡିପୋଜିଟରେ ବ୍ୟାଙ୍କଠାରୁ ଅଧିକ ସୁଧ ମିଳୁଛି । ତେଣୁ ବ୍ୟାଙ୍କ ଫିକ୍ସଡ୍ ତୁଳନାରେ ପୋଷ୍ଟାଲ ଟାଇମ୍ ଡିପୋଜିଟ୍ ଅଧିକ ଭଲ ବୋଲି ବିଶେଷଜ୍ଞ କୁହନ୍ତି।

ପୋଷ୍ଟ ଅଫିସ ସୁଧ ହାର

  • ୧ ବର୍ଷ ୬.୯%
  • ୨ ବର୍ଷ ୬.୯%
  • ୩ ବର୍ଷ ୬.୯ %
  • ୫ ବର୍ଷ ୭.୭%