ବ୍ୟବସାୟ ପାଇଁ ଫଣ୍ଡ୍ ଆବଶ୍ୟକ ହୁଏ ଓ ଏହି ଆବଶ୍ୟକତା ଆପଣ ବ୍ୟାଙ୍କରୁ ଋଣ ନେଇ ପୁରଣ କରିପାରିବେ..

ଆମେ ସମସ୍ତେ ଜାଣିଛେ ଯେ, ବ୍ୟବସାୟ ଛୋଟ ହେଉ କି ବଡ଼ ଏଥିପାଇଁ ପାଣ୍ଠି ଆବଶ୍ୟକ ହୋଇଥାଏ। ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତି ଏହି ପାଣ୍ଠି ନିଜ ସଞ୍ଚୟରୁ କିମ୍ବା ବନ୍ଧୁ ବାନ୍ଧବଙ୍କଠାରୁ ଆଣିଥାନ୍ତି। ଅଥବା ସେ ବ୍ୟାଙ୍କରୁ ଲୋନ୍ ନେଇ ବ୍ୟବସାୟରେ ପୁଞ୍ଜି ଲଗାଇଥାନ୍ତି। ତେବେ କେଉଁ ବ୍ୟବସାୟ ପାଇଁ କେତେ ପାଣ୍ଠି ଆବଶ୍ୟକ ତାହା ବ୍ୟବସାୟର ଆକାର ଓ ପ୍ରକୃତି ଉପରେ ନିର୍ଭର କରିଥାଏ।

ସାଧାରଣତଃ ବ୍ୟବସାୟରେ ସେତେବେଳେ ଅଧିକ ପାଣ୍ଠି ଆବଶ୍ୟକ ହୋଇଥାଏ ଯେତେବେଳେ ବ୍ୟବସାୟ ବଢ଼ିଥାଏ ବା ଆପଣ ନିଜ ବ୍ୟବସାୟକୁ ବଢାଇବାକୁ ଚାହିଁଥାନ୍ତି। ଏମିତିରେ ବ୍ୟବସାୟୀ ବିଜନେସ୍ ଲୋନ୍ର ପ୍ରକାର ବାବଦରେ ଜାଣିବାକୁ ଇଚ୍ଛୁକ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ ବିଜନେସ୍ ଲୋନର ପ୍ରକାର ବାବଦରେ ସଂକ୍ଷେପରେ କହିବୁ। ବିଜନେସ୍ ଲୋନ୍

ବିଜନେସ୍ ଲୋନ୍‌କୁ ଟ୍ରେଡ୍ ଲୋନ୍ ମଧ୍ୟ କୁହାଯାଏ। ବିଜନେସ୍ ଲୋନ୍ ପାଇଁ ଏକାକୀ ମାଲିକାନା, ଅଂଶିଦାର, ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଇତ୍ୟାଦି ଆବେଦନ କରିପାରିବେ। ବ୍ୟବାସାୟିକ ଲୋନ୍ ତିନି ପ୍ରକାରର ହୋଇଥାଏ। ଟର୍ମ ଲୋନ୍, ଓଭର ଡ୍ରାଫ୍ଟ ଓ ୱାର୍କିଂ କ୍ୟାପିଟାଲ ଲୋନ୍।

ଟର୍ମ ଲୋନ୍

ଟର୍ମ ଲୋନ୍ ବ୍ୟବସାୟୀକ ଆବଶ୍ୟକତା ପାଇଁ ଦିଆଯାଉଥିବା ଲୋନ୍ ଅଟେ। ଯାହାକୁ ନିର୍ଦ୍ଧାରିତ ସମୟ ଅବଧିରେ ଶୁଝା ଯାଇଥାଏ। ଏହା ଉପରେ ଏକ ନିଶ୍ଚିତ ସୁଧ, ମାସିକ କିମ୍ବା ତ୍ରୟମାସିକ କିସ୍ତି ରହିଥାଏ। ଏକ ନିଶ୍ଚିତ ସମୟସୀମା ମଧ୍ୟରେ ଏହାକୁ ଶୁଝିବାକୁ ପଡ଼ିଥାଏ। ଟର୍ମ ଲୋନ ନେବା ବେଳେ ଆପଣଙ୍କୁ କିଛି ବନ୍ଧକ ରଖିବାକୁ ପଡ଼େ କିମ୍ବା ବିନା ବନ୍ଧକରେ ମଧ୍ୟ ଆପଣଙ୍କୁ ଲୋନ୍ ମିଳିଥାଏ। ସୁରକ୍ଷିତ ଟର୍ମ ଲୋନ(ଯେଉଁଥିରେ ବନ୍ଧକ ରଖାଯାଏ)ରେ ସୁଧ କମ ହୋଇଥାଏ। ଅନ୍ୟପକ୍ଷରେ ଅସୁରକ୍ଷିତ ଟର୍ମ ଲୋନରେ ସୁଧ ହାର ଅଧିକ ଥାଏ।

  • କମ ଅବଧି – ଯାହାର ସମୟସୀମା ଏକ ବର୍ଷରୁ କମ ହୋଇଥାଏ
  • ମଧ୍ୟମ ଅବଧି – ୧ ବର୍ଷରୁ ୩ ବର୍ଷ ମଧ୍ୟରେ
  • ଲମ୍ବା ଅବଧିର ଟର୍ମ ଲୋନ – ୩ ବର୍ଷରୁ ଅଧିକ ହୋଇଥାଏ

ବ୍ୟାଙ୍କ୍ ଓଭରଡ୍ରାଫ୍ଟ ସୁବିଧା

ଓଭର ଡ୍ରାଫ୍ଟ ସୁବିଧାର ଅର୍ଥ ହେଉଛି, କମ୍ପାନିର କରେଣ୍ଟ ଆକାଉଣ୍ଟରେ ଉପଲବ୍ଧ ରାଶିଠାରୁ ଅଧିକ ଟଙ୍କା ଉଠାଯାଇ ପାରିବ। ଓଭର ଡ୍ରାଫ୍ଟ ସୁବିଧାକୁ ଅଳ୍ପକାଳିକ ଫଣ୍ଡିଂ ସ୍ରୋତ ଭାବେ ଗଣା ଯାଇଥାଏ। କାହିଁକି ନା ଏହାକୁ ଆଗକୁ ଜମା ହେବାକୁ ଥିବା ରାଶି ସହିତ କଭର କରାଯାଇଥାଏ। ଓଭର ଡ୍ରାଫ୍ଟ ଉପରେ ଲାଗୁ ହେବାକୁ ଥିବା ସୁଧ,ଏହି ସୁବିଧା ଦେବା ସମୟରେ ନିର୍ଦ୍ଧାରିତ କରାଯାଇଥାଏ।

କାର୍ଯ୍ୟ ପାଇଁ ପୁଞ୍ଜି (ୱାର୍କିଂ କ୍ୟାପିଟାଲ)

ଜଣେ ବ୍ୟବସାୟୀ କିମ୍ବା ଉଦ୍ୟୋଗପତିଙ୍କୁ କାମ ଜାରି ରଖିବାକୁ ଏହି ଲୋନ୍ ପ୍ରଦାନ କରାଯାଇଥାଏ। ଏଥିରେ ଓଭରଡ୍ରାଫ୍ଟ ତୁଳନାରେ କମ ସୁଧ ପଡ଼ିଥାଏ। ଏଥିରେ ସୁଧ ପୁରା ରାଶି ଉପରେ ଲାଗୁ ନହୋଇ କେବଳ ଉପଯୋଗ ହୋଇଥିବା ରାଶି ଉପରେ ନିଆଯାଇଥାଏ।

ବ୍ୟାଙ୍କ ଦ୍ୱାରା ୱାର୍କିଂ କ୍ୟାପିଟାଲ ଲୋନର ଏକ ସୀମା ନିର୍ଦ୍ଧାରିତ କରାଯାଇଥାଏ। ଅର୍ଥାତ୍ ଏହି ଲୋନକୁ ଅଲଗା କାମ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ। ବ୍ୟାଙ୍କ ଏଭଳି ଋଣର ସଂପୂର୍ଣ୍ଣ ନିରିକ୍ଷଣ ଓ ନିୟନ୍ତ୍ରଣ କରିଥାଏ। ଯଦି ଲୋନ୍ ନେଇଥିବା ବ୍ୟକ୍ତି ବ୍ୟାଙ୍କିଂ ମାନକ ଓ ମାପଦଣ୍ଡକୁ ମାନନ୍ତି ନାହିଁ ତେବେ ଲୋନକୁ ରଦ୍ଦ କରିବା କ୍ଷମତା ବ୍ୟାଙ୍କ ପାଖରେ ଥାଏ।

କେବଳ ଏହି କାରଣରୁ ବ୍ୟାଙ୍କ ଅନ୍ୟ ଲୋନ୍ ତୁଳନାରେ ଏଭଳି ଲୋନ୍ ଦେବାକୁ ଅଧିକ ଇଚ୍ଛୁକ ହୋଇଥାନ୍ତି। କାରଣ ଏଥିରେ ବ୍ୟବସାୟର ସଂପୂର୍ଣ୍ଣ ହିସାବ ବ୍ୟାଙ୍କ ପାଖରେ ରହିଥାଏ।

ଲେଟର ଅଫ୍ କ୍ରେଡିଟ୍

ଲେଟର୍ ଅଫ୍ କ୍ରେଡିଟ୍ ଆର୍ଥିକ ସଂସ୍ଥା ଦ୍ୱାରା ଜାରି କରାଯାଇଥିବା ଦସ୍ତାବିଜ୍। ବ୍ୟାଙ୍କକୁ କିଛି ଦସ୍ତାବିଜ୍ ପ୍ରଦାନ କରିବା ପରେ ଯାହା ବିକ୍ରେତାଙ୍କୁ ପେମେଣ୍ଟର ଆଶ୍ୱାସନା ଦେଇଥାଏ। ଏହା ସୁନିଶ୍ଚିତ କରିଥାଏ ଯେ, ଯେପର୍ଯ୍ୟନ୍ତ ସେବା ଦିଆଯାଉଛି (ଯେମିତିକି ମାଲ ପଠାଇବା) ସେପର୍ଯ୍ୟନ୍ତ ପେମେଣ୍ଟ୍ କରାଯିବ।

ତେଣୁ ବିକ୍ରେତା ପାଇଁ ଲେଟର ଅଫ୍ କ୍ରେଡିଟ୍ ଗ୍ୟାରେଣ୍ଟି ହୋଇଥାଏ ଯେ, ତାଙ୍କୁ ସହମତି ଆଧାରରେ ତାଙ୍କ ଟଙ୍କା ମିଳିବ। ଅଧିକାଂଶ ସମୟରେ ବିଦେଶୀ ଗ୍ରାହକଙ୍କୁ ମାଲ ବିକ୍ରି କରିବାରେ କିମ୍ବା  ବ୍ୟବସାୟିକ ପକ୍ଷ ପରସ୍ପରକୁ ଭଲ ଭାବେ ଜାଣି ନଥିବା ପରିସ୍ଥିତିରେ ଟ୍ରେଡ୍ ଫାଇନାନସିଂ ପାଇଁ ଏହା ବ୍ୟବହୃତ ହୋଇଥାଏ।

ପେସାଦାର ଲୋନ୍

ଯେତେବେଳେ କୌଣସି ନିର୍ଦ୍ଧିଷ୍ଟ ପେସାରେ ଥିବା ବ୍ୟକ୍ତି ସେହି ପେସାରେ ବ୍ୟବସାୟ କରିବାକୁ ଚାହାନ୍ତି, ତେବେ ସେ ଏହି ଲୋନ୍ ନେଇପାରିବେ। ଏଭଳି ଲୋନ୍ ସାଧାରଣତଃ ଡାକ୍ତର, ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍ ନେଇଥାନ୍ତି। ଲୋନ୍ ଚାହୁଁଥିବା ବ୍ୟକ୍ତିଙ୍କ କ୍ରେଡିଟ୍ ଇତିହାସକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏହି ଲୋନ୍ ଦେଇଥାଏ।

ଅଲଗା ଅଲଗା ବ୍ୟାଙ୍କ କ୍ଷେତ୍ରରେ ଏହି ଲୋନରେ ଟଙ୍କାର ପରିମାଣ ଅଲଗା ହୋଇପାରେ। ବ୍ୟାଙ୍କ ସହ ଆପଣଙ୍କ ଭଲ ସମ୍ବନ୍ଧ ଏଭଳି ଲୋନ୍ ମିଳିବାରେ ସାହାଯ୍ୟ କରିଥାଏ। ଆପଣଙ୍କ ଲୋନ୍ ମାତ୍ରା ବଢିବା କିମ୍ବା କମିବା ବ୍ୟାଙ୍କ ସହ ସମ୍ବନ୍ଧ ଉପରେ ନିର୍ଭର କରିଥାଏ।

ବ୍ୟକ୍ତିଗତ ସମ୍ବନ୍ଧ ଆଧାରରେ ଏହି ଲୋନ୍ ମିଳୁଥିଲେ ମଧ୍ୟ ଅନେକ ସମୟରେ ବନ୍ଧକ ଭାବେ ମଧ୍ୟ ଲୋନ୍‌ ମିଳିଥାଏ। ଅଣକୃଷି ଜମି, ଜାତୀୟ ସଞ୍ଚୟ ପ୍ରମାଣ ପତ୍ର, ସରକାରୀ ବଣ୍ଡ୍, ଫିକ୍ସଡ୍ ଡିପୋଜିଟ୍ ଓ ଜୀବନ ବୀମା ପଲିସିକୁ ବନ୍ଧା ରଖିବାକୁ ପଡ଼ିଥାଏ। ସାଧାରଣତଃ ଯଦି ଲୋନ୍ ରାଶି ୧୫ରୁ ୨୦ ଲକ୍ଷ ଟଙ୍କାର ହୋଇଥାଏ, ତେବେ ଆପଣଙ୍କୁ ବ୍ୟାଙ୍କ ନିକଟରେ ଏସବୁକୁ ବନ୍ଧା ରଖିବାକୁ ପଡ଼ିଥାଏ। ଏହାସହ ଲୋନ୍ ପାଇଁ ଆପଣଙ୍କୁ ବ୍ୟାଙ୍କ ନିମ୍ନ ଲିଖିତ କାଗଜପତ୍ର ମାଗିପାରେ

  • ଲୋନ ରାଶିର ବ୍ୟବହାର ଓ କେମିତି ଶୁଝିବେ ତାର ବିବରଣୀ
  • ବ୍ୟବସାୟିକ ବିସ୍ତାରର ଯୋଜନା
  • ଗତ ୧୨ ମାସର ବ୍ୟକ୍ତିଗତ ଆର୍ଥିକ ବିବରଣୀ, ଯେମିତି ବ୍ୟାଙ୍କ ଷ୍ଟେଟମେଣ୍ଟ
  • ଯଦି ଲୋନ୍ ରାଶି ଅଧିକ ହୋଇଥାଏ ତେବେ ବନ୍ଧକ ଭାବେ ସମ୍ପତ୍ତିର ଦସ୍ତାବିଜ୍
  • ଯଦି ଆପଣଙ୍କ ବ୍ୟବସାୟ ସ୍ଥାପିତ, ତେବେ ସାର୍ଟିଫିକେଟ୍ ଅଫ୍ ଇନ୍କର୍ପୋରେସନ୍, ପାନ୍ ଫଟୋକପି, ଠିକଣା
  • ଗତ ଦୁଇ ବର୍ଷର ବାଲାନ୍ସ ସିଟ୍ ଓ ଆଇଟିଆର