ଅନେକ ଲୋକଙ୍କୁ ଅର୍ଥଚିନ୍ତା ସବୁବେଳେ ଡରାଇଥାଏ, ଆସନ୍ତୁ ଜାଣିବା ଆପଣ କେମିତି ଏହି ଡରକୁ ଦୂରରେ ରଖିବେ…

ଟଙ୍କା ଭଗବନା ନୁହେଁ କିନ୍ତୁ ଭଗବାନଙ୍କଠାରୁ କମ୍ ନୁହେଁ। ଆମେ ଅନେକ ସମୟରେ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇଥାଉ। ପିଲାଙ୍କ ପଢ଼ା ପାଇଁ ଅର୍ଥ ହେବ କି ନାହିଁ? ମୁଁ ଯେଉଁଠି ଟଙ୍କା ଲଗାଇଛି ତାହ ବୁଡ଼ି ଯିବ ନାହିଁ ତ? ସ୍ୱାସ୍ଥ୍ୟ ଖରାପ ହେଲେ ଟଙ୍କା କେଉଁଠାରୁ ଆଣିବି? ଏମିତି ଭୟ ଆମକୁ ସବୁବେଳେ ଡରାଇଥାଏ। ଆସନ୍ତୁ ଜାଣିବା ଏହିଭଳି ୫ ପ୍ରକାର ଭୟଠାରୁ କେମିତି ଦୂରେଇ ରହିବା..

ଚାକିରି ହରାଇବାର ଭୟ

ଯଦି ଆପଣ ନିଜ ଚାକିରିକୁ ନେଇ ଚିନ୍ତିତ ଅଛନ୍ତି ତେବେ ସମ୍ଭାବନା ଥାଇ ପାରେ ଯେ, ଆପଣ ଏସଂପର୍କରେ ନିଜ ବସ୍‌ଙ୍କଠାରୁ କିମ୍ବା ସହକର୍ମୀଙ୍କଠାରୁ ସୂଚନା ପାଇଛନ୍ତି ଅଥବା ଆପଣଙ୍କ ସେକ୍ଟରରେ ଛଟେଇ ଚାଲିଛି। ଏଭଳି ପରିସ୍ଥିତିରେ ଆପଣଙ୍କୁ ଏହି ଆଶଙ୍କାର ମୁକାବିଲା କରିବାକୁ ପଡିବ।

ଏହାର ମୁକାବିଲା କେମିତି କରିବେ?

ନିଜ ସହ ସଚ୍ଚୋଟ ହୁଅନ୍ତୁ। ଆପଣଙ୍କ ଆଶଙ୍କାର କାରଣ କ’ଣ, ପ୍ରଥମେ ତାକୁ ଖୋଜନ୍ତୁ। ଯଦି ଆପଣଙ୍କ ଖରାପ ପ୍ରଦର୍ଶନ ଏହାର ଗୋଟିଏ କାରଣ,ତେବେ ନିଜ ବସଙ୍କ ସହ କଥା ହୁଅନ୍ତୁ ଓ ନିଜ ପ୍ରଦର୍ଶନରେ ସୁଧାର ଆଣନ୍ତୁ। ନିଜ ସ୍କିଲ ବଢାଇବା ଉଦ୍ୟମ ଜାରି ରଖନ୍ତୁ। ଯଦି କାରଣ ଆପଣ ନିଜେ ନୁହନ୍ତି କିନ୍ତୁ ସେକ୍ଟରରେ ଚାଲିଥିବା ମାନ୍ଦାବସ୍ଥା ତେବେ ନିଜକୁ ମଲ୍ଟିଟାସ୍କିଂ କରନ୍ତୁ। କିମ୍ବା ଛଟେଇ ନୋଟିସ ମିଳିବା ପୂର୍ବରୁ ନିଜ ପାଇଁ ଚାକିରି ଖୋଜନ୍ତୁ। ଏଭଳି ପରିସ୍ଥିତି ପାଇଁ ଏମର୍ଜନସୀ ଫଣ୍ଡ୍ ତିଆରି କରନ୍ତୁ।

ଷ୍ଟକ୍ ମାର୍କେଟରେ ବଡ କ୍ଷତି ହେବ?

ଏହା ଗୋଟିଏ ସାମାନ୍ୟ ଭୟ। ବିଶେଷକରି ନୂଆକରି ସେୟାର ମାର୍କେଟରେ ନିବେଶ କରୁଥିବା ନିବେଶକାରୀଙ୍କ ଭିତରେ ଏହି ଭୟ ଅଧିକ ଥାଏ। ସେମାନଙ୍କ ମନରେ ସବୁବେଳେ ଭୟ ଥାଏ ଯେ, କାଳେ ଆମ ଟଙ୍କା ବୁଡ଼ିଯିବ।

ଯଦି ଆପଣଙ୍କୁ ନିବେଶର ତରିକା ଜଣା ନାହିଁ କିମ୍ବା ଆପଣ ଆଗରୁ ମାର୍କେଟରେ ନିବେଶ ହରାଇଛନ୍ତି ତେବେ ସବୁଠାରୁ ଭଲ ଉପାୟ ହେଉଛି ସିଧାସଳଖ ଶେୟାରରେ ଟଙ୍କା ନଲଗାଇ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରନ୍ତୁ। କିନ୍ତୁ ଯଦି ଆପଣ ସେୟାରରେ ଟ୍ରେଡିଂ କରିବାକୁ ଚାହୁଁଛନ୍ତି ତେବେ ବନ୍ଧୁ ଓ ସଂପର୍କୀୟଙ୍କ ଟିପ୍ସ ଉପରେ ବାଜି ଲଗାଇବାରୁ ବଞ୍ଚନ୍ତୁ। ସବୁବେଳେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଆପଣଙ୍କ ପାଇଁ ସବୁଠୁ ଭଲ ହେବ ଲମ୍ବା ଅବଧିର ନିବେଶ ଓ ମାର୍କେଟର ଉତ୍‌ଥାନ ପତନ ଦ୍ୱାରା ପ୍ରଭାବିତ ନେହେବା।

କରଜ ଜାଲରେ ଫଶିବା ଡର

ଉଧାର କରି କିଣିବାରୁ ଏହି ଡର ଜନ୍ମ ନେଇଥାଏ। ଉଧାର ଅଭ୍ୟାଶ ଦ୍ୱାରା ଅନେକ କରଜ ସୃଷ୍ଟି ହୋଇଥାଏ। ଏଥିଭିତରୁ କିଛି ବଡ ଇଏମଆଇ ସହ କିଛି ଲମ୍ବା ଅବଧିର ଲୋନ୍ ହୋଇଥାନ୍ତି। ତେଣୁ ଆପଣଙ୍କୁ କରଜ ଜାଲରୁ ନମୁକୁଳି ପାରିବା ଡର ସବୁବେଳେ ଭୟଭୀତ କରାଇଥାଏ।

ଏହି ଡରରୁ ମୁକ୍ତି ପାଇବାର ସବୁଠୁ ଭଲ ଉପାୟ ହେଉଛି ସବୁବେଳେ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ କରଜ ଯେମିତି ଆପଣଙ୍କ ଆୟର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଯଦି ଆପଣ ଆଗରୁ ବଡ ଲୋନ୍ ନେଇଛନ୍ତି ତେବେ ଆଉ ଲୋନ୍ ନିଅନ୍ତୁ ନାହିଁ। ବର୍ତ୍ତମାନ ଚାଲିଥିବା ଲୋନ୍ ଶୁଝିବା ପାଇଁ ଉଦ୍ୟମ କରନ୍ତୁ। କ୍ରେଡିଟ୍ କାର୍ଡ, ପର୍ସନାଲ ଲୋନ୍ ଶୁଝି ସାରିବା ପରେ ଅନ୍ୟ ଲୋନକୁ ଶୁଝିବା ଆରମ୍ଭ କରନ୍ତୁ।

ରିଟାୟରମେଣ୍ଟ କାଳରେ ପାଖରେ ପର୍ଯ୍ୟାପ୍ତ ଫଣ୍ଡ୍ ନଥିବା ଭୟ

ପ୍ରାୟ ୫୧ ପ୍ରତିଶତ ଲୋକଙ୍କ ଆଶଙ୍କା ଯେ, ଅବସର ପରେ ସେମାନଙ୍କ ପାଖରେ ଚଳିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥିବ। ଏଚଏସବିସିର ଫ୍ୟୁଚର ଅଫ୍ ରିଟାୟରମେଣ୍ଟ ଷ୍ଟଡି କୁହେ ଯେ, ୧୦ ଜଣରୁ ୭ ଜଣ ଅବସରକାଳୀନ ଜୀବନ ପାଇଁ ନିଜ ପିଲାଙ୍କ ଉପରେ ଭରସା କରନ୍ତି। ଦେଶର ୫୫ ପ୍ରତିଶତ ଚାକିରିଆ ଅବସର ପାଇଁ ଫଣ୍ଡ୍‌ ତିଆରି କରୁଛନ୍ତି।

ଏହାର ମୁକାବିଲା କେମିତି ?

ଯଦି ଆପଣଙ୍କୁ ଅବସରକାଳୀନ ଚିନ୍ତା ଡରାଉଛି ତେବେ ସଠିକ ବିକଳ୍ପରେ ନିବେଶ କରନ୍ତୁ। ଆର୍ଥିକ ପରାମର୍ଶଦାତ୍ତାଙ୍କ ପରାମର୍ଶ ନେଇ ଏଭଳି ପ୍ଲାନରେ ନିବେଶ କରନ୍ତୁ, ଯାହା ମୁଦ୍ରାସ୍ଥିତିକୁ ମାତ୍ ଦେଇ ଆପଣଙ୍କ ପାଇଁ ଭଲ ଫଣ୍ଡ୍ ସୃଷ୍ଟି କରିପାରିବ। ଏହା ସହ ନିଜ ବର୍ତ୍ତମାନ ଆୟକୁ ବଢାଇ ରିଟାୟରମେଣ୍ଟ୍ ପାଇଁ ସଞ୍ଚୟ କରନ୍ତୁ।

ସ୍ୱାସ୍ଥ୍ୟ ଖରାପ ହେଲେ କଣ କରିବେ?

ମେଡିକାଲ ଏମରଜେନ୍ସିରେ ଆପଣଙ୍କ ସଞ୍ଚୟ ସରିଯିବାର ଡର ମଧ୍ୟ ଗୋଟିଏ ବଡ ଭୟ। ଗମ୍ଭୀର ରୋଗ ଓ ଦୁର୍ଘଟଣାର ଗୁରୁତର ଆଘାତାପ୍ରାପ୍ତ ହେବାରେ ଏଭଳି ହୋଇଥାଏ। ଅନେକ ମାମଲାରେ ବେସିକ୍ ହେଲ୍‌ଥ ପଲିସି ପର୍ଯ୍ୟାପ୍ତ ହୋଇ ନଥାଏ। ଏମିତିରେ କଣ କରିବେ ?

ଏଥିରୁ ବଞ୍ଚିବାର ଭଲ ଉପାୟ ହେଉଛି ପର୍ଯ୍ୟାପ୍ତ ବୀମା ନେବା। ଆପଣ ୫ ଲକ୍ଷର ଗୋଟିଏ ବେସିକ୍ ପ୍ଲାନ୍ କିଣି ପାରିବେ ଓ ଏହାପରେ ୧୫ ଲକ୍ଷ ଟଙ୍କାର ଟପ୍ ଅପ୍ ନେଇ ପାରିବେ। ଏହା ୨୦ ଲକ୍ଷ ଟଙ୍କାର ବଡ ହେଲ୍‌ଥ ଇନସ୍ୟୁରାନ୍ସଠାରୁ ଶସ୍ତା ପଡ଼ିବ। ଏହାସହ ଦୁର୍ଘଟଣା ଜନିତ ଅକ୍ଷମତା ଓ କ୍ରିଟିକାଲ ଇଲନେସ୍ ବୀମା ପ୍ଲାନ୍ ମଧ୍ୟ କିଣିବା ଠିକ୍ ରହିବ।