କ’ଣ ଆପଣ ବି ପିପିଏଫ (ପବ୍ଲିକ ପ୍ରୋଭିଡେଣ୍ଡ ଫଣ୍ଡ) ଆକାଉଣ୍ଟ ବା ସାର୍ବଜନିକ ଭବିଷ୍ୟନିଧି ଜମାଖାତା ଖୋଲିଛନ୍ତି କି? ଯଦି ନୁହେଁ ତେବେ ତୁରନ୍ତ ଏକ ପିପିଏଫ ଆକାଉଣ୍ଟ ଖୋଲନ୍ତୁ ଏବଂ ନିଜର ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ। କାରଣ ଏଥିରେ ଏଭଳି ବ୍ୟବସ୍ଥା ରହିଛି, ଯାହା ଆପଣଙ୍କ ସ୍ୱପ୍ନକୁ ସୁନିଶ୍ଚିତ ସାକାର କରିଥାଏ। ଏହାବାଦ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଏକ ସରକାରୀ ଯୋଜନା ହୋଇଥିବାରୁ ରିସ୍କ ଫ୍ରି ବା ବିପଦମୁକ୍ତ।

ସେହିପରି ଏକ ଲଙ୍ଗ ଟର୍ମ ଯୋଜନା ଭାବେ ଏଥିରେ ଭଲ ଲାଭାଂଶ ମଧ୍ୟ ମିଳିଥାଏ। ଏପରି ଫିକ୍ସ ଡିପୋଜିଟଠାରୁ ମଧ୍ୟ ଅଧିକ ସୁଧ ମିଳିଥାଏ। ଆଉ ଖୁସିର କଥା ହେଲା ଏହା ଟିକସ ମୁକ୍ତ। ଅର୍ଥାତ ମ୍ୟାଚ୍ୟୁରିଟି ପିରିୟଡ ବା ପୂର୍ଣ୍ଣତା ଅବଧି ଶେଷରେ କିମ୍ବା ଅଧାରୁ ଆପଣ ଟଙ୍କା ଉଠାଇ ଆଣିଲେ ମଧ୍ୟ କୌଣସି ଟିକସ ଦେବାକୁ ପଡ଼ିବନାହିଁ। ଆପଣ ନିକଟସ୍ଥ ଯେକୌଣସି ସରକାରୀ ବା ବେସରକାରୀ ବ୍ୟାଙ୍କ ଓ ଡାକଘରେ ଏହି ଆକାଉଣ୍ଟ ଖୋଲିପାରିବେ। ପରବର୍ତ୍ତୀ ସମୟରେ ଏହି ଆକାଉଣ୍ଟକୁ ଆପଣ ଅନ୍ୟ ବ୍ୟାଙ୍କ ଶାଖା କିମ୍ବା ଅନ୍ୟ ବ୍ୟାଙ୍କ ଓ ଡାକଘରକୁ ସ୍ଥାନାନ୍ତର କରିପାରିବେ। ତେଣୁ ତୁରନ୍ତ ଏକ ପିପିଏଫ୍ ଆକାଉଣ୍ଟ ଖୋଲନ୍ତୁ ଏବଂ ସରକାରୀ ଯୋଜନାର ଲାଭ ଉଠାନ୍ତୁ।

who can open PPF account
କେଉଁମାନେ ଖୋଲିପାରିବେ ପିପିଏଫ୍ ଆକାଉଣ୍ଟ
  • ଭାରତର ଯେକୌଣସି ନାଗରିକ ପିପିଏଫ୍‌ ଆକାଉଣ୍ଟ ଖୋଲିପାରିବେ।
  • ଯେକୌଣସି ବ୍ୟକ୍ତି ନିଜ ନାମରେ, ନିଜ ସ୍ତ୍ରୀ କିମ୍ବା ପିଲାମାନଙ୍କ ନାମରେ ଏହି ଆକାଉଣ୍ଟ ଖୋଲିପାରିବେ।
  • ୧୮ବର୍ଷରୁ କମ୍ ବୟସର ନାବାଳକ ନାବାଳିକା ଏପରି କି ଭିନ୍ନକ୍ଷମ ପିଲା ବା ବ୍ୟକ୍ତିଙ୍କ ନାମରେ ମଧ୍ୟ ଆକାଉଣ୍ଟ ଖୋଲାଯାଇପାରିବ। ତେବେ ଭିନ୍ନକ୍ଷମ ପିଲା ବା ବ୍ୟକ୍ତି ହୋଇଥିଲେ ତାଙ୍କ ଅଭିଭାବକ ହିଁ ଉକ୍ତ ଆକାଉଣ୍ଟ ପରିଚାଳନା କରିପାରିବେ।
  • ଜଣେ ବ୍ୟକ୍ତି କେବଳ ଗୋଟିଏ ମାତ୍ର ଆକାଉଣ୍ଟ ଖୋଲିପାରିବେ। ଏପରି କି ସେ ଭିନ୍ନ ଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲିପାରିବେ ନାହିଁ। କେବଳ ଗୋଟିଏ ଆକାଉଣ୍ଟକୁ ସ୍ଥାନାନ୍ତର କରିପାରିବେ।
  • ପ୍ରବାସୀ ଭାରତୀୟମାନେ ଏହି ଆକାଉଣ୍ଟ ଖୋଲିପାରିବେ ନାହିଁ। ଯଦି ବିଦେଶରେ ନିବାସ କରିବା ପୂର୍ବରୁ ସେ ଏହି ଆକାଉଣ୍ଟ ଖୋଲିଥାନ୍ତି, ତେବେ ତାହା ମ୍ୟାଚ୍ୟୁରିଟି ପିରିୟଡରେ ହିଁ ଆପେ ବନ୍ଦ ହୋଇଯାଏ, ଆଉ ଆଗକୁ ବଢାଇ ହୁଏ ନାହିଁ।
କିପରି ଖୋଲିବେ ପିପିଏଫ ଆକାଉଣ୍ଟ?
  • ଯେକୌଣସି ଡାକଘର, ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ବ୍ୟାଙ୍କରେ ଏହି ଆକାଉଣ୍ଟ ଖୋଲି ହେବ।
  • ଏହି ଆକାଉଣ୍ଟ ଖୋଲିବାକୁ ହେଲେ ଆପଣଙ୍କୁ ପ୍ରଥମେ ଫର୍ମ –ଏ ପୂରଣ କରିବାକୁ ହେବ। ଏଥିସହ ୨ଟି ଫଟୋ, ପାନ୍, ଆଧାର କାର୍ଡ କିମ୍ବା ଆଇଡି ଆଦି ଯେକୌଣସି ପରିଚୟ ପତ୍ର, ବାସିନ୍ଦା ପ୍ରମାଣପତ୍ର ଆଦି ଦେବାକୁ ପଡ଼ିବ।
  • ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି, ତେବେ ଉକ୍ତ ବ୍ୟାଙ୍କରେ ଆପଣ ଅନଲାଇନ ଯୋଗେ ପିପିଏଫ ଆକାଉଣ୍ଟ ଖୋଲିପାରିବେ।
provident_fund
ପିପିଏଫରେ  ରହିଛି ସର୍ତ୍ତ?
  • ପିପିଏଫ ଆକାଉଣ୍ଟର ସର୍ବନିମ୍ନ ମ୍ୟାଚ୍ୟୁରିଟି ପିରିୟଡ ବା ପୂର୍ଣ୍ଣତା ଅବଧି ୧୫ ବର୍ଷ। ଅର୍ଥାତ ଆପଣଙ୍କୁ ଅତି କମରେ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିବ। ତେବେ ଏହି ୧୫ବର୍ଷ ୧୫ଟି ପୂର୍ଣ୍ଣ ଆର୍ଥିକ ବର୍ଷ ହୋଇଥାଏ। ଅର୍ଥାତ କୌଣସି ଆର୍ଥିକ ବର୍ଷ ଅଧାରୁ ଆପଣ ଆକାଉଣ୍ଟ ଖୋଲିଲେ ତାହା ପରବର୍ତ୍ତୀ ଆର୍ଥିକ ବର୍ଷଠାରୁ ହିଁ ଗଣାଯାଇଥାଏ। ଉଦାହରଣ ସ୍ୱରୂପ ଯଦି ଆପଣ ୨୦୧୯ ଜୁଲାଇ ମାସରେ ଆକାଉଣ୍ଟ ଖୋଲୁଛନ୍ତି, ତେବେ ତାହା ସେହି ମାସରୁ ହିସାବ ନ ହୋଇ ୨୦୨୦-୨୧ ଆର୍ଥିକ ବର୍ଷ ଆରମ୍ଭରୁ ହିସାବ କରାଯିବ। ତେବେ ଜୁଲାଇ ମାସରୁ ଆପଣଙ୍କ ଜମା ଟଙ୍କା ଉପରେ ସୁଧ ହିସାବ କରାଯିବ।
  • ଯଦି ମ୍ୟାଚ୍ୟୁରିଟି ପିରିୟଡ ପୂରଣ ପରେ ଆପଣ ଆଗକୁ ବଢାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୫ବର୍ଷ ଲେଖାଏ ବଢାଇବାକୁ ହେବ। ଯେପରି କି ୨୦ ବର୍ଷ, ୨୫ ବର୍ଷ ଇତ୍ୟାଦି।
  • ପିପିଏଫ୍ ଆକାଉଣ୍ଟରେ ଆପଣଙ୍କୁ ପ୍ରତି ଆର୍ଥିକ ବର୍ଷରେ ୫୦୦ ଟଙ୍କା ଲେଖାଏଁ ଜମା କରିବାକୁ ପଡିବ।  ତେବେ ଏଥିରେ ଆପଣ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରିପାରିବେ। ଏହାଠାରୁ ଅଧିକ ଜମା କଲେ ଆପଣଙ୍କୁ ସୁଧ ମିଳିବ ନାହିଁ।
  • ଭିନ୍ନକ୍ଷମଙ୍କ ନାମରେ ପିପିଏଫ୍ ଆକାଉଣ୍ଟ ଖୋଲିଲେ, ତାହା ତାଙ୍କ ଅଭିଭାବକ ପରିଚାଳନା କରିଥାନ୍ତି। ଏକ୍ଷେତ୍ରରେ ଭିନ୍ନକ୍ଷମ ଉପଭୋକ୍ତା ଓ ତାଙ୍କ ଅଭିଭାବକଙ୍କ ଆକଉଣ୍ଟ ମିଶି ସର୍ବାଧିକ ସେହି ୧.୫ ଲକ୍ଷ ଟଙ୍କା ଜମା କରିପାରିବେ।
  • ପ୍ରତି ଆର୍ଥିକ ବର୍ଷରେ ଆପଣଙ୍କୁ ୫୦୦ ଟଙ୍କା ଲେଖାଏ ଜମା କରିବାକୁ ହୋଇଥାଏ। ଏହି ଅର୍ଥ ଆପଣ ସପ୍ତାହରେ କିମ୍ବା ମାସରେ ମଧ୍ୟ ଜମା କରିପାରିବେ। ତେବେ ବର୍ଷରେ ଅତିକମରେ ୧ଟି ଏବଂ ଅତି ବେଶିରେ ୧୨ଟି କିସ୍ତିରେ ଆପଣଙ୍କୁ ଏହି ଅର୍ଥ ଦେବାକୁ ପଡିବ।
  • ଏହି ଅର୍ଥ ଆପଣ ନଗଦ, ଚେକ୍, ଡିମାଣ୍ଡ ଡ୍ରାଫ୍ଟ ଆକାରରେ କିମ୍ବା ଅନଲାଇନ ମାଧ୍ୟମରେ ଦେଇପାରିବେ।

Public Provident Fund

ପିପିଏଫ୍‌ରେ ଜରିମାନା

ଯଦି ଆପଣ କୌଣସି ଆର୍ଥିକ ବର୍ଷରେ ୫୦୦ ଟଙ୍କା ଦେଇପାରିଲେ ନାହିଁ, ତେବେ ଆପଣଙ୍କ ପିପିଏଫ୍ ଆକାଉଣ୍ଟ ବନ୍ଦ ହୋଇଯିବ। ଏ କ୍ଷେତ୍ରରେ ଆପଣଙ୍କୁ ୫୦ ଟଙ୍କା ଜରିମାନା ସହ ବକେୟା ଜମା ଦେବାକୁ ପଡିବ। ମନେକର ଯଦି ଆପଣ କୌଣସି କାରଣରୁ ୫ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିପାରିନାହାନ୍ତି ଏବଂ ଆପଣଙ୍କ ପିପିଏଫ ଆକାଉଣ୍ଟ ବନ୍ଦ ହୋଇଯାଇଛି, ତେବେ ଏକ୍ଷେତ୍ରରେ ଆପଣଙ୍କୁ ଆକାଉଣ୍ଟ ପୁନର୍ବାର ଚାଲୁ କରିବାକୁ ହେଲେ ୫ ବର୍ଷର ବକେୟା ଜମା ବାବଦ ୨,୫୦୦ ଟଙ୍କା ଏବଂ ଜରିମାନା ବାବଦ ୨୫୦ ଟଙ୍କା ଦେବାକୁ ପଡିବ।

ପିପିଏଫ୍‌ରେ ଋଣ ବ୍ୟବସ୍ଥା

ଯଦି ଆପଣଙ୍କ ପିପିଏଫ ଆକାଉଣ୍ଟ ମ୍ୟାଚ୍ୟୁରିଟି ପୂରଣ ହୋଇନାହିଁ ଏବଂ ଆପଣଙ୍କର ଟଙ୍କା ଅତ୍ୟନ୍ତ ଆବଶ୍ୟକ ହେଉଛି, ତେବେ ଆପଣ ଏ କ୍ଷେତ୍ରରେ ଋଣ ନେଇପାରିବେ। ଏହି ଋଣ ଆପଣଙ୍କୁ ଆକାଉଣ୍ଟ ଖୋଲିବାର ୩ବର୍ଷ ପରେ ଏବଂ ୬ ବର୍ଷ ମଧ୍ୟରେ ମିଳିପାରିବ। ଏଥିପାଇଁ ଆପଣଙ୍କୁ ପିପିଏଫ୍ ଜମାରେ ଯେତିକି ପ୍ରତିଶତ ସୁଧ ମିଳୁଛି ତା’ଠାରୁ ଅଧିକ ୨% ସୁଧ ଦେବାକୁ ପଡ଼ିବ। ଅର୍ଥାତ ଯଦି ଆପଣଙ୍କୁ ପିପିଏଫ୍ ଜମା ଟଙ୍କା ବାବଦରେ ୮% ସୁଧ ମିଳୁଛି, ତେବେ ଋଣ ନେଲେ ଆପଣ ୧୦% ସୁଧ ଦେବେ। ସେହିପରି ଏହି ଋଣ ଆପଣଙ୍କୁ ୩୬ ମାସ ମଧ୍ୟରେ ପରିଶୋଧ କରିବାକୁ ପଡ଼ିବ। ଏହାକୁ ଆପଣ କିସ୍ତି ଆକାରରେ ଦେଇପାରିବେ କିମ୍ବା ଥରକେ ଦେଇପାରିବେ।

ଯଦି ଆପଣ ୩୬ ମାସ ମଧ୍ୟରେ ଋଣ ସୁଝି ପାରୁନାହାନ୍ତି, ତେବେ ଆପଣଙ୍କୁ ପିପିଏଫ୍‌ ଜମାରେ ଯେତିକି ସୁଧ ମିଳୁଛି ତା’ଠାରୁ ଅଧିକ ୬% ସୁଧ ଦେବାକୁ ପଡ଼ିବ। ଅର୍ଥାତ୍ ଯଦି ପିପିଏଫରେ ସୁଧ ୮% ଅଛି, ତେବେ ଆପଣଙ୍କୁ ୧୪% ସୁଧ ଦେବାକୁ ହେବ। ସେହିପରି ଆପଣ ଯେଉଁ ଆର୍ଥିକ ବର୍ଷରେ ଋଣ ନେବେ, ତା’ର ଠିକ୍ ୨ ବର୍ଷ ପୂର୍ବେ ଆପଣଙ୍କର ପିପିଏଫ ଆକାଉଣ୍ଟରେ ଯେତିକି ପରିମାଣର ଜମା ଅର୍ଥ ଥିବ ତା’ର ୨୫% ଆପଣଙ୍କୁ ଋଣ ମିଳିବ ପାରିବ।

money

ପାର୍ସିଆଲ ୱିଡ୍ର ବା ଆଂଶିକ ପ୍ରତ୍ୟାହାର

ଜମାଖାତା ଖୋଲିବାର ୭ବର୍ଷ ପରେ ଯଦି ଆପଣଙ୍କର ଟଙ୍କା ଆବଶ୍ୟକ ହେଉଛି ତେବେ ଆପଣଙ୍କୁ ପାର୍ସିଆଲ ୱିଡ୍ର ବା ଆଂଶିକ ପ୍ରତ୍ୟାହାର ସୁବିଧା ମିଳିପାରିବ। ତେବେ ଏହି ସୁବିଧା ଆପଣଙ୍କୁ ଜମାଖାତା ଖୋଲିବାର ୭ଟି ଆର୍ଥିକ ବର୍ଷ ପରେ ହିଁ ମିଳିବ। ସେହିପରି ଯେଉଁ ଆର୍ଥିକ ବର୍ଷରେ ଆପଣ ପାର୍ଶିଆଲ ୱିଡ୍ର କରିବେ, ତାହାର ଠିକ୍ ପୂର୍ବ ଆର୍ଥିକ ବର୍ଷରେ ଆପଣଙ୍କର ଯେତିକି ଜମା ଅର୍ଥ ଥିବ ତାହାର ୫୦% କିମ୍ବା ତାହାର ପୂର୍ବ ୪ର୍ଥ ଆର୍ଥିକ ବର୍ଷରେ ଯେତିକି ଜମା ଅର୍ଥ ଥିବ ତାହାର ୫୦%  ଟଙ୍କା ଆପଣ ପ୍ରତ୍ୟାହାର କରିପାରିବେ।

ଅଧାରୁ ପିପିଏଫ୍ ପ୍ରତ୍ୟାହାର

ଯଦି ଆପଣ ପିପିଏଫ ଆକାଉଣ୍ଟ ଚାଲୁ କରିବାକୁ ଚାହୁଁନାହାନ୍ତି, ତେବେ ଆପଣ ଅଧାରୁ ପ୍ରତ୍ୟାହାର କରିପାରିବେ। ତେବେ ଏହି ସୁବିଧା ଆପଣଙ୍କୁ ଜମାଖାତା ଖୋଲିବାର ୫ଟି ଆର୍ଥିକ ବର୍ଷ ପରେ ମିଳିପାରିବ। ଏଥିରେ ଆପଣ ୧% ସୁଧ ହରାଇବେ। ଅର୍ଥାତ୍ ଯଦି ପିପିଏଫ୍ ସୁଧ ୮% ଅଛି, ତେବେ ଆପଣ ୭% ସୁଧରେ ହିଁ ଟଙ୍କା ପାଇବେ। ସେହିପରି ପ୍ରତ୍ୟାହାର ନିମନ୍ତେ ଆପଣଙ୍କୁ ଉପଯୁକ୍ତ କାରଣ ସହ ପ୍ରମାଣପତ୍ର ଦେବାକୁ ପଡ଼ିବ। ଦୁଇଟି କ୍ଷେତ୍ରରେ ଆପଣ ଅଧାରୁ ପ୍ରତ୍ୟାହାର କରିପାରିବେ। ପ୍ରଥମତଃ ଯଦି ଜମାକାରୀଙ୍କ ପରିବାରର କୌଣସି ସଦସ୍ୟ ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି ଏବଂ ଏଥିପାଇଁ ତାଙ୍କର ଟଙ୍କା ଦରକାର ହେଉଥାଏ, ତେବେ ପ୍ରତ୍ୟାହାର କରିପାରିବେ। ସେହିପରି ଜମାକାରୀ ନିଜେ ଯଦି ଉଚ୍ଚଶିକ୍ଷା ନିମନ୍ତେ ଯାଉଛନ୍ତି, ତେବେ ମଧ୍ୟ ପ୍ରତ୍ୟାହାର କରିପାରିବେ।

Public-Provident-fundପିପିଏଫ୍‌ର ଫାଇଦା

  • ପିପିଏଫ୍‌ ଏକ ସରକାରୀ ଯୋଜନା ହୋଇଥିବାରୁ ଏଥିରେ ରିସ୍କ ବା ଜମାକାରୀଙ୍କର କ୍ଷତି ହେବାର ଆଶଙ୍କା ନ ଥାଏ।
  • ଏହା ସମ୍ପୂର୍ଣ୍ଣ ଟିକସ ମୁକ୍ତ। ତେଣୁ ଆପଣଙ୍କର ଟିକସ ବଞ୍ଚିଥାଏ।
  • ବ୍ୟାଙ୍କ ଓ ଡାକଘରେ ଏହି ଆକାଉଣ୍ଟ ଖୋଲାଯାଉଥିବାରୁ ଯେକୌଣସି ଲୋକଙ୍କ ପାଇଁ ସହଜ ହୋଇଥାଏ।
  • ଏହା ଏକ ଲଙ୍ଗ ଟର୍ମ ଯୋଜନା ହୋଇଥିବାରୁ ଆପଣ ନିଜର ଦୀର୍ଘକାଳୀନ ଲକ୍ଷ୍ୟ ପୂରଣ କରିପାରିବେ।