ମାସକୁ ମାତ୍ର ୫୫ ଟଙ୍କାର ପ୍ରିମିୟମ ଭରି ୬୦ ବର୍ଷ ବୟସ ପରେ ପାଆନ୍ତୁ ଆଜୀବନ ମାସିକ ୩୦୦୦ ହଜାର ଟଙ୍କାର ପେନସନ।

ଏଣିକି ଗରିବ କୃଷକ ଓ ଶ୍ରମିକଙ୍କ ସମେତ ସମସ୍ତ ପ୍ରକାର ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ମିଳିବ ସାମାଜିକ ସୁରକ୍ଷା। ଏଥିପାଇଁ କେନ୍ଦ୍ର ସରକାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନା। ତେବେ ଆସନ୍ତୁ ଜାଣିବା କେଉଁମାନେ, କିପରି ଏହି ଯୋଜନାରେ କରିବେ ଆବେଦନ।

ଅଣସଙ୍ଗଠିତ କ୍ଷେତ୍ର

-କୃଷକ, କୃଷିକ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ

-ଗ୍ରାମିଣ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ

-ସ୍ବଳ୍ପ ଆୟକାରୀ ଶ୍ରମଜୀବୀ

-ଦିନ ମଜୁରିଆ ବା ଦୈନିକ ରୋଜଗାର ଉପରେ ନିର୍ଭରଶୀଳ ବ୍ୟକ୍ତିବିଶେଷ

farmerଆବେଦନର ନିୟମାବଳି

ଏହି ଯୋଜନାରେ ଆବେଦନ କରୁଥିବା ଆବେଦନକାରୀଙ୍କ ଏକ ଜମାଖାତା ରହିବ। ଏଥିପାଇଁ ଜମାକାରୀଙ୍କ ବୟସ ସୀମା ରହିଛି ୧୮ରୁ ୪୦ ବର୍ଷ। ଅର୍ଥାତ ଜମାକାରୀଙ୍କ ବୟସ ଅତିକମରେ ୧୮ବର୍ଷ ଏବଂ ଅତି ବେଶିରେ ୪୦ ବର୍ଷ ହୋଇଥିବ। ୧୮ବର୍ଷ ବୟସର ଜମାକାରୀମାନେ ଏହି ଯୋଜନାରେ ମାସିକ ମାତ୍ର ୫୫ଟଙ୍କା ଜମା ରଖିବାକୁ ହେବ। ତେବେ ବୟସ ଅନୁସାରେ ଏହି ଜମାରାଶିର ପରିମାଣ ଭିନ୍ନ ରହିଛି। କିନ୍ତୁ ଜମାକାରୀଙ୍କୁ ବାର୍ଷିକ ସର୍ବାଧିକ ୨୪୦୦ ଶହ ଟଙ୍କାରୁ ଅଧିକ କିମ୍ବା ମାସିକ ୨୦୦ ଟଙ୍କାରୁ ଅଧିକ ଦେବାକୁ ପଡ଼ିବ ନାହିଁ। ଏହି ଯୋଜନା ୨୦୧୯ ଫେବ୍ରୁଆରି ୧୫ ତାରିଖରୁ ଆରମ୍ଭ ହୋଇଛି। ବୟସ ଅନୁଯାୟୀ ଆବେଦନକାରୀ ଦାଖଲ କରିବାକୁ ଥିବା ଜମାଟଙ୍କାର ପରିମାଣ ନିମ୍ନରେ ପ୍ରଦର୍ଶିତ ହେଲା।

କିପରି କରିବେ ଆବେଦନ

ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୋକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ଏହି ଯୋଜନାରେ ଆବେଦନ କରିବା ପାଇଁ ଅନଲାଇନରେ ଆବେଦନପତ୍ର ଉପଲବ୍ଧ ହେଉଛି। ଏହାବ୍ୟତିତ କମନ ସର୍ଭିସ ସେଣ୍ଟର ବା ଜନସେବା କେନ୍ଦ୍ର (ସିଏସି)ରେ ଏହି ଯୋଜନାରେ ଆବେଦନ କରିହେବ। ଏଲଆଇସି ଅଫିସରେ ମଧ୍ୟ ଏହାର ଆବେଦନପତ୍ର ଉପଲବ୍ଧ ହେଉଛି। ଏଥିପାଇଁ ଆବେଦନକାରୀଙ୍କ ଆଧାର କାର୍ଡ, ବ୍ୟାଙ୍କ ଜମାଖାତାର ନକଲ ଓ ଓଟିପି ନମ୍ବର ପାଇଁ ମୋବାଇଲ ନମ୍ବର ଦେବାକୁ ପଡିବ।

labour

କେଉଁ ବୃତ୍ତିର ଲୋକେ କରିପାରିବେ ଆବେଦନ

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ପେନସନ ଯୋଜନାରେ ସାଧାରଣତଃ କୃଷକ, କୃଷି ଶ୍ରମିକ, କୃଷି ଯନ୍ତ୍ରପାତି ବ୍ୟବହାର କରୁଥିବା ବ୍ୟକ୍ତିବିଶେଷ, ଧୂପକାଠି ପ୍ରସ୍ତୁତିରେ ନିଯୁକ୍ତ ଶ୍ରମିକ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଗୋପାଳକ, ଦୁଗ୍ଧଚାଷୀଙ୍କ ସମେତ ସମସ୍ତ ପ୍ରକାର ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନେ ଆବେଦନ କରିପାରିବେ।  ମୁଖ୍ୟତଃ ଯେଉଁମାନଙ୍କର କୌଣସି ନିର୍ଦ୍ଧିଷ୍ଟ ପରିମାଣର ଆୟ ନ ଥିବ କିମ୍ବା ସେମାନେ ରୋଜଗାର ପାଇଁ ନିଜ କାର୍ଯ୍ୟ ଉପରେ ଦୈନିକ ନିର୍ଭର କରିବାକୁ ପଡୁଥିବ ସେମାନେ ଏହି ଯୋଜନାରେ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହୋଇପାରିବେ। ସେହିପରି ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯେଉଁ ଲୋକମାନଙ୍କ ମାସିକ ଆୟ ୧୫ ହଜାରରୁ ଅଧିକ ହୋଇ ନ ଥିବ ସେମାନେ ମଧ୍ୟ ଆବେଦନ କରିପାରିବେ।

money

କ’ଣ ମିଳିବ ଫାଇଦା

ଯେଉଁ ଆବେଦନକାରୀଙ୍କ ବୟସ ୧୮ ବର୍ଷ ହୋଇଥିବ ସେମାନେ ମାସିକ ମାତ୍ର ୫୫ ଟଙ୍କା ଜମାକରି ୬୦ ବର୍ଷ ପରେ ଆଜିବନ ମାସିକ ୩୦୦୦ ଟଙ୍କା ପେନସନ ପାଇପାରିବେ।  ଏହି ଯୋଜନାରେ ଆବେଦନକାରୀ ଯେତିକି ପରିମାଣର ଅର୍ଥ ଜମା କରିଥିବେ, ସରକାର ମଧ୍ୟ ସେମାନଙ୍କ ନାମରେ ସମାନ ପରିମାଣର ଅର୍ଥ ଜମା କରିବେ। ଫଳରେ କୃଷକ, ସ୍ବଳ୍ପ ଆୟକାରୀ, ଶ୍ରମଜୀବୀ ଓ ଅଣସଙ୍ଗଠିତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ମିଳିପାରିବ। ମୋଟାମୋଟି ଭାବେ ପ୍ରାୟ ୪୨ କୋଟିରୁ ଅଧିକ ଆବେଦନକାରୀ ଏହି ଯୋଜନାରେ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।