ଏୟାରଟେଲ୍ ମାଲିକ ସୁନିଲ ଭାରତୀ ଆଜି ଦେଶର ଜଣେ ବଡ଼ ଉଦ୍ୟୋଗପତି ଭାବରେ ଗଣା ଯାଆନ୍ତି। ଦେଶ ବିଦେଶରେ ତାଙ୍କ କମ୍ପାନି ଏୟାରଟେଲ୍ ମୋବାଇଲ ସର୍ଭିସ ଦେଇ ଆସୁଛି। ଆଜି ତାଙ୍କ ପାଖରେ ଧନ ସମ୍ପତ୍ତିର କିଛି କମି ନାହିଁ। କିନ୍ତୁ ସମୟ ଥିଲା ୫ ହଜାର ଟଙ୍କା ଯୋଗାଡ଼ କରିବା ବି ତାଙ୍କ ପକ୍ଷେ ସମ୍ଭବ ନଥିଲା। ବ୍ୟବସାୟରେ ସଫଳତା ହାସଲ ପାଇଁ ଅନେକ ସଂଗ୍ରାମ କରିଛନ୍ତି ସୁନିଲ।

sunil mittal

ବ୍ୟବସାୟ ଆରମ୍ଭ ବେଳର କାହାଣୀ କହିବାକୁ ଯାଇ ଭାରତୀ କହିଲେ ଯେ ,’ଏହା ସେତେବେଳର କଥା ଯେବେ ଲୋକେ ଚେକ୍‌ର ବ୍ୟବହାର ଖୁବ୍ କମ କରୁଥିଲେ। ଏଣୁ ଆମ ଆକାଉଣ୍ଟରେ ପଇସା ନ ଥିଲା। ମୁଁ ଥରେ ହିରୋ ମୋଟୋକୋପର ସଂସ୍ଥାପକ ବ୍ରିଜ୍ ମୋହନ ମୁଂଜଲଙ୍କ ପାଖକୁ ଯାଇ ୫ ହଜାର ଟଙ୍କାର ଏକ ଚେକ୍ ଲେଖିବାକୁ ଅନୁରୋଧ କଲି। ମୁଂଜଲ ସାଙ୍ଗେ ସାଙ୍ଗେ ହଁ କହିଲେ ଓ ଚେକ୍‌ଟିଏ ଲେଖିଦେଲେ। ତା ପରେ ସେ ଗୋଟିଏ ପଦ ମୋତେ ଶୁଣେଇଲେ। କହିଲେ,’ପୁଅରେ ଏହାକୁ ଅଭ୍ୟାସରେ ଜମ୍ମା ପକାଇବୁନି।’ ତାଙ୍କ କଥା ମୋ ମନକୁ ଏତେ ପରିମାଣରେ ଛୁଇଁଥିଲା ଯେ, ସେହି ପଦୁଟିଏ କଥାକୁ ମାନି ଚଳିଲି ଆଉ ଦେଖିଲି ପଇସାର ଅଭାବ କେବେ ବି ଆଉ ଦେଖା ଯାଇନଥିଲା।

୧୯୮୦ ପରଠାରୁ ସୁନିଲ ଭାରତୀ ମିତ୍ତଲ ଏକ ବିରାଟ ସାମ୍ରାଜ୍ୟ ବିସ୍ତାର କରି ପାରିଛନ୍ତି। ସେ ପ୍ରଥମେ ଜେନେରେଟର ବ୍ୟବସାୟରେ ମନ ଦେଇଥିଲେ। ତା ପରେ ଟେଲି କମ୍ୟୁନିକେସନ ବ୍ୟବସାୟକୁ ଓହ୍ଲାଇଲେ। ଭାରତି କହିଲେ ଯେ, ସେ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଥରେ ସେ ତାଇୱାନ ଯାଇଥିଲେ। ସେଠି ସେ ପୁସ୍ ବଟନ ଫୋନ ଦେଖିଲେ। ଏଠି ଭାରତରେ ସେତେବେଳେ ଲୋକେ ରୋଟାରି ଫୋନ ବ୍ୟବହାର କରୁଥାନ୍ତି। ଏହି ସମୟରୁ ହିଁ ସେ ଫୋନ ବ୍ୟବସାୟ ପ୍ରତି ଆଗ୍ରହୀ ହେଲେ। ପୁସ୍ ବଟନ ଫୋନରୁ ବ୍ୟବସାୟ ଆରମ୍ଭ କରିଥିବା ଭାରତୀଙ୍କ ବ୍ୟବସାୟ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ଏହି ପୁସ୍ ବଟନ ଫୋନର ନାଁ ରଖା ଯାଇଥିଲା ‘ମିତ୍ରବ୍ରାଂ’। ସୁନିଲ ଭାରତୀଙ୍କ ଏୟାରଟେଲ ଆଜି ଭାରତର ଏକ ବଡ଼ ସଫଳ ବ୍ରାଣ୍ଡ ।