ଜାଣନ୍ତୁ, ମନି ବ୍ୟାକ୍ ପଲିସି କ’ଣ? 

ମନିବ୍ୟାକ୍ ପଲିସି ଭାରତରେ ବିକ୍ରି ହେଉଥିବା କିଛି ସର୍ବାଧିକ ଜୀବନ ବୀମା ପଲିସି ମଧ୍ୟରୁ ଗୋଟିଏ। ମନି ବ୍ୟାକ୍ ପଲିସି ବାସ୍ତବରେ ଗୋଟିଏ ଧରଣର ଏଣ୍ଡାୱମେଣ୍ଟ ପଲିସି। ଏହି ପଲିସିରେ ପଲିସିଧାରକଙ୍କୁ ମ୍ୟାଚୁରିଟି ପରେ ଏକାଥରକେ ଏକ ନିଶ୍ଚିତ ରାଶି ମିଳିବା ବଦଳରେ ନିୟମିତ ଅନ୍ତରାଳରେ ବୀମା ରାଶିର ନିଶ୍ଚିତ ପ୍ରତିଶତ ଭାଗ ମିଳିଥାଏ। ଏହା ଏଭଳି ଗୋଟିଏ ଏଣ୍ଡାୱମେଣ୍ଟ ପ୍ଲାନ୍ ଯେଉଁଥିରେ ବୀମାଧାରକଙ୍କୁ ବୀମା ଲାଭ ଅନେକ ଭାଗରେ ପ୍ରାପ୍ତ ହୋଇଥାଏ।

କେଉଁମାନେ ଏହି ପଲିସି ନେବା ଉଚିତ?

ଯେଉଁମାନେ ରିସ୍କ ନେବାକୁ ଚାହାନ୍ତି ନାହିଁ କିନ୍ତୁ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ଉପଯୁକ୍ତ ପ୍ଲାନ୍। ବୀମାଧାରକଙ୍କ ମୃତ୍ୟୁ ପରିସ୍ଥିତିରେ ତାଙ୍କ ନୋମିନିଙ୍କୁ ବୀମା ରାଶୀ ମିଳିଥାଏ ଏବଂ ଆଗରୁ ଯଦି ବୀମାଧାରକ କିଛି ଲାଭ ପାଇଥାନ୍ତି (ନିୟମିତ ଅନ୍ତରାଳରେ ପାଇବାକୁ ଥିବା ରାଶି) ତାକୁ ମଧ୍ୟ ଫେରସ୍ତ କରିବାକୁ ପଡ଼େ ନାହିଁ କି ବୀମା କମ୍ପାନି ସେହି ରାଶିକୁ କାଟେ ନାହିଁ। ଏହି ବୀମା ସେହିମାନଙ୍କ ପାଇଁ ସର୍ବୋତ୍ତମ ଯେଉଁମାନେ ଏକ ନିଶ୍ଚିତ ବୀମା କଭର ସହ ନିୟମିତ ଆୟ ଚାହାନ୍ତି। ମନିବ୍ୟାକ୍ ପଲିସିରେ ନିୟମିତ ଅନ୍ତରାଳରେ ଯେଉଁ ମ୍ୟାଚୁରିଟି ବେନିଫିଟ୍ ମିଳିଥାଏ ତାହାକୁ ସର୍ଭାଇବାଲ ବେନିଫିଟ୍ କୁହାଯାଇଥାଏ।

ମନି ବ୍ୟାକ୍ ପଲିସି କେମିତି କାମ କରିଥାଏ?

ମନିବ୍ୟାକ୍ ପଲିସି ଏଭଳି ଏକ ଜୀବନ ବୀମା ପ୍ଲାନ୍ ଯାହା ପଲିସି ଧାରକଙ୍କୁ ଜୀବନ ରକ୍ଷା ଲାଭ ଓ  ପରିପକ୍ୱତା ଲାଭ ସହ ଅତିରିକ୍ତ ନିବେଶର ଅବସର ମଧ୍ୟ ଦେଇଥାଏ। ୨୦ ବର୍ଷର କାର୍ଯ୍ୟକାଳ ସହ ଏକ ସାଧାରଣ ମନି ବ୍ୟାକ୍ ପ୍ଲାନ୍ ପଲିସି ଧାରକଙ୍କୁ ବୀମା ଆରମ୍ଭର କିଛି  ବର୍ଷ ପରେ ସର୍ଭାଇବାଲ ବେନିଫିଟ୍ ଭାବେ ବୀମା ରାଶିର ପ୍ରାୟ ୨୦ ପ୍ରତିଶତ ନିଶ୍ଚିତ ଅବଧି ଅନ୍ତରାଳରେ ପ୍ରଦାନ କରିଥାଏ।

ବାକି ରାଶିକୁ ଯଦି କୌଣସି ବୋନସ ଥାଏ ପଲିସି ପରିପକ୍ୱତା ସହ ପ୍ରଦାନ କରାଯାଇଥାଏ। ଯଦି ବୀମା ଧାରକ ପଲିସି ପୁରା ହେବା ପୂର୍ବରୁ ମୃତ୍ୟୁବରଣ କରିଥାନ୍ତି ତେବେ ତାଙ୍କ ନୋମିନିଙ୍କୁ ବୀମା ରାଶି ମିଳିଥାଏ। ନୋମିନିଙ୍କୁ ବୀମା ରାଶି ମିଳିବା ପରେ ପଲିସିକୁ ବନ୍ଦ କରି ଦିଆଯାଇଥାଏ।

ମନି ବ୍ୟାକ୍ ପଲିସିର ବିଶେଷତା

ମନି ବ୍ୟାକ୍ ପଲିସିର ବିଶେଷତା ତାକୁ ଅନ୍ୟ ପଲିସିଠାରୁ ଭିନ୍ନ କରିଥାଏ। ଏହା ବୀମାଧାରକଙ୍କୁ କମ ରିସ୍କ ସହ ନିବେଶର ସୁଯୋଗ ଦେଇଥାଏ। ଏହି ପ୍ଲାନ୍ ବୀମା ଅବଧି କାଳରେ ସର୍ଭାଇବାଲ ବେନିଫିଟ୍ ରୁପରେ ଆୟର ନିୟମିତ ସ୍ରୋତ ଦେଇଥାଏ। ପଲିସି ଜାରି ଥିବା ବେଳେ ପଲିସି ଧାରକଙ୍କ ମୃତ୍ୟୁ ହେଲେ ସଂପୂର୍ଣ୍ଣ ବୀମା ରାଶି ତାଙ୍କ ନୋମିନିଙ୍କୁ ମିଳିଥାଏ। ସର୍ଭାଇବାଲ ବେନିଫିଟ୍ ଭାବେ ନିୟମିତ ବ୍ୟବଧାନରେ ମିଳିଥିବା ରାଶିକୁ ନୋମିନିଙ୍କୁ ମିଳିବାକୁ ଥିବା ଟଙ୍କାରୁ କଟା ଯାଏନାହିଁ।

ମନି ବ୍ୟାକ୍ ପଲିସିର ଲାଭ

ପଲିସି ଅବଧି କାଳରେ ବୀମା କଭର ମିଳିଥାଏ। ପୂରା ଅବଧିରେ ନିୟମିତ ଅନ୍ତରାଳରେ ଲାଭ ଦେଇଥାଏ। ଏହା ଲମ୍ବା ଅବଧିର ନିବେଶ ପାଇଁ ଉପଯୁକ୍ତ ପ୍ଲାନ୍। ଏହା ମଧ୍ୟ ଟ୍ୟକ୍ସ ବଞ୍ଚାଇଥାଏ। ମ୍ୟୁଚୁଆଲ ଫଣ୍ଡ୍ ଭଳି ସମାନ ରିଟର୍ଣ୍ଣ ଦେଉଥିବା ଅନ୍ୟ ନିବେଶ ତୁଳନାରେ ଏହା ଅଧିକ ସୁରକ୍ଷିତ।