ନୂଆ ଆୟକର ନିୟମ ଅନେକଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। ଆୟକର ବ୍ୟବସ୍ଥାରେ ଆଗରୁ ଯେଉଁ ସବୁ ଛାଡ଼ ରହିଥିଲା ତାହା ନୂଆ ନିୟମରେ ହଟାଇ ଦିଆଯାଇଛି।

ବଜେଟ ୨୦୨୦ ଆୟକରଦାତାଙ୍କ ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି। କାରଣ ଆୟକର ପୈଠ ପାଇଁ ପୁରୁଣା ଓ ନୂଆ – ଏଭଳି ଦୁଇଟି ବ୍ୟବସ୍ଥା ସେମାନଙ୍କ ସାମ୍ନାରେ ଅର୍ଥମନ୍ତ୍ରୀ ରଖିଛନ୍ତି। ସରକାରଙ୍କ କହିବା କଥା ଯେ, ଆୟକରଦାତା ନିଜ ଇଚ୍ଛା ଅନୁଯାୟୀ କୌଣସି ଗୋଟିଏ ବ୍ୟବସ୍ଥା ବାଛି ଆୟକର ପୈଠ କରିପାରିବେ। କିନ୍ତୁ ଦୁଇ ଦୁଇଟି ବ୍ୟବସ୍ଥା କାରଣରୁ ଆୟକରଦାତାଙ୍କ ମନରେ ପ୍ରଶ୍ନ ଆସୁଛି ଯେ, କେଉଁଟି ଭଲ ଓ କେଉଁଟି ଭେଲ!

ଆସନ୍ତୁ ନଜର ପକାଇନେବା ଆୟକରର ପୁରୁଣା ଓ ନୂଆ ସ୍ଲାବ୍‌ ଉପରେ :

କରଯୋଗ୍ୟ ଆୟ ଆୟକର (ପୁରୁଣା) ଆୟକର (ନୂଆ)
୦ରୁ ୨.୫ ଲକ୍ଷ ଛାଡ଼ ଛାଡ଼
୨.୫ରୁ ୫ଲକ୍ଷ ୫% ୫%
୫ରୁ ୭.୫ ଲକ୍ଷ ୨୦% ୧୦%
୭.୫ରୁ ୧୦ ଲକ୍ଷ ୨୦% ୧୫%
୧୦ରୁ ୧୨.୫ ଲକ୍ଷ ୩୦% ୨୦%
୧୨.୫ରୁ ୧୫ ଲକ୍ଷ ୩୦% ୨୫%
୧୫ ଲକ୍ଷରୁ ଅଧିକ ୩୦% ୩୦%

 

ଚଳିତ ଆର୍ଥିକ ବର୍ଷରେ ଆୟକର ପୁରୁଣା ନିୟମ ଲାଗୁ ହେବ। ତେବେ ୨୦୨୦-୨୧ ଆର୍ଥିକ ବର୍ଷରୁ ପୁରୁଣା ସହ ନୂଆ ଉଭୟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

ପୁରୁଣା ବ୍ୟବସ୍ଥାରେ କ’ଣ ରହିଛି ରିହାତି?

ପୁରୁଣା ନିୟମ ଅନୁସାରେ ଯଦି ଆପଣଙ୍କ ବାର୍ଷିକ କରଯୋଗ୍ୟ ଆୟ ୨.୫ ଲକ୍ଷ ଟଙ୍କା ତେବେ ଆପଣଙ୍କୁ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। ତା’ସହିତ ଅତିରିକ୍ତ ଭାବେ ଆୟକର ଆଇନର ୮୦-ସି ଅନୁଯାୟୀ ଇପିଏଫ୍‌, ପିପିଏଫ୍‌, ଇଏଲ୍‌ଏସ୍‌ଏସ୍‌, ଏନ୍‌ଏସ୍‌ସି, ଏଲ୍‌ଆଇସି ପ୍ରିମିୟମ ଆଦି ବାବଦରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ରହିଛି। ଏହି ନିୟମରେ ମଧ୍ୟ ବିଭିନ୍ନ ଅନୁମୋଦିତ ନିବେଶ ଛଡ଼ା ଦୁଇ ଜଣ ପିଲାଙ୍କ ପାଇଁ ଟ୍ୟୁସନ୍ ଫି’ ବାବଦ ଖର୍ଚ୍ଚ ହିସାବକୁ ନିଆଯାଇପାରିବ।

ଏହାସହ ଯଦି ଆପଣ ନାସନାଲ ପେନସନ୍ ସିଷ୍ଟମ ବା ଏନପିଏସରେ ବାର୍ଷିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନିବେଶ କରନ୍ତି, ଆୟକର ଧାରା ୮୦-ସିସିଡି (୧ବି) ଅଧୀନରେ ଅତିରିକ୍ତ ଛାଡ଼ ମିଳିଥାଏ।

ଆୟକରର ପୁରୁଣା ନିୟମ ଅନୁଯାୟୀ, ଗୃହଋଣ ପରିଶୋଧ ବାବଦରେ ମଧ୍ୟ ରିହାତି ବ୍ୟବସ୍ଥା ରହିଛି। ଧାରା ୨୪  ଅନୁସାରେ, ଗୃହଋଣ ବାବଦ ସୁଧ ଉପରେ ଆପଣଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ବ୍ୟବସ୍ଥା ରହିଛି। ଅର୍ଥାତ୍‌ ଆପଣ ସୁଧ ବାବଦରେ ଦେଉଥିବା ଏହି ଅର୍ଥ ସିଧାସଳଖ ଆପଣଙ୍କ ମୋଟ ଆୟରୁ କଟି ଯାଇଥାଏ। ତା’ ସହିତ ଗୃହଋଣର ମୂଳ ବାବଦକୁ ଆପଣ ପୈଠ କରୁଥିବା ଅର୍ଥକୁ ଆୟକର ଧାରାର ୮୦-ସି’ରେ ହିସାବ କରାଯାଏ।

ଯଦି ଆପଣ ସ୍ୱାସ୍ଥ୍ୟ ବୀମା କରିଛନ୍ତି ତେବେ ଆୟକର ଧାରା ୮୦-ଡି ଅନୁଯାୟୀ ପ୍ରିମିୟମ ପୈଠ ବାବଦରେ ଟ୍ୟାକ୍ସ ଛାଡ଼ ପାଇପାରିବେ। ନିଜ ପାଇଁ କିମ୍ବା ପତ୍ନୀ/ସ୍ୱାମୀ ଓ ପିଲାଙ୍କ ପାଇଁ କିଣା ଯାଇଥିବା ପଲିସି ବାବଦରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ ଉପରେ ଆୟକର ଛାଡ଼ ବ୍ୟବସ୍ଥା ରହିଛି। ଏହାସହ ବାପା ମା’ଙ୍କ (ବରିଷ୍ଠ ନାଗରିକ) ପାଇଁ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ବାବଦରେ ଆପଣ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟକର ରିହାତି ପାଇପାରିବେ।

ଯଦି ଆପଣଙ୍କ ନିଯୁକ୍ତିଦାତା ଆପଣଙ୍କୁ ଭ୍ରମଣ ଭତ୍ତା (ଏଲଟିଏ) ଦେଉଛନ୍ତି ତେବେ ଆପଣ ନିଜ ପରିବାର ସହ କୌଣସି ସ୍ଥାନକୁ ବୁଲି ଯାଇଥିବାର ପ୍ରମାଣ (ବିଲ୍, ଟିକେଟ୍) ଦେଇ ଏହି ରାଶି ବାବଦରେ ଆୟକର ଛାଡ଼ ପାଇପାରିବେ। ୪ ବର୍ଷ ମଧ୍ୟରେ ଦୁଇଥର ଏବଂ ପ୍ରତିଥର ୫୦ ହଜାର ଟଙ୍କା ଉପରେ ଆୟକର ରିହାତିର ଲାଭ ଉଠା ଯାଇପାରେ। ଏହି ହିସାବରେ ଦେଖିବାକୁ ଗଲେ ଆପଣ ପ୍ରତି ବର୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟକର ରିହାତି ପାଇପାରିବେ।

କରଯୋଗ୍ୟ ଆୟର ହିସାବ

ଏସବୁ ଛଡ଼ା ଆପଣଙ୍କ କରଯୋଗ୍ୟ ଆୟ (ଟ୍ୟାକ୍ସେବଲ ଇନ୍‌କମ୍‌) ହିସାବ କଲା ବେଳେ ଶେଷରେ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ରୂପେ ଆପଣଙ୍କୁ ଆଉ ୫୦ ହଜାର ଟଙ୍କାର ରିହାତି ମିଳିଥାଏ। ଅର୍ଥାତ୍‌ ଅପଣଙ୍କ ମୋଟ ଆୟରୁ ବିଭିନ୍ନ ଧାରାରେ ଆପଣ ପାଉଥିବା ରିହାତି କଟିବା ସହିତ ଷ୍ଟାଣ୍ଡାର୍ଡ ଡିଡକ୍ସନକୁ କାଟି ଶେଷରେ ଯେଉଁ ରାଶି ଆସେ ତା’ଉପରେ ଆୟକର ହିସାବ କରାଯାଇଥାଏ।

ଏହିପରି ଆୟକର ନିୟମର ପୁରୁଣା ବ୍ୟବସ୍ଥା ଅନୁଯାୟୀ ପାଖାପାଖି ୭୦ ପ୍ରକାର ଛାଡ଼ ରହିଛି, ଯେଉଁଥିରୁ କି ଆୟକରଦାତାମାନେ ଫାଇଦା ପାଇଥା’ନ୍ତି। କିନ୍ତୁ ନୂଆ ନିୟମ ଅନୁଯାୟୀ, ଆଇଟି ରିଟର୍ଣ୍ଣ ଫାଇଲ୍‌ କଲାବେଳେ ଆପଣଙ୍କୁ କୌଣସି ପ୍ରକାର ଆୟକର ରିହାତି ମିଳିବ ନାହିଁ।

ଏବେ ଆପଣ କେଉଁ ଢାଞ୍ଚାକୁ ଗ୍ରହଣ କରିବେ? ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ଆପଣଙ୍କ ଆୟକରର ବିଭିନ୍ନ ଧାରାରେ ଛାଡ଼ ପାଉଛନ୍ତି, ତେବେ ପୁରୁଣା ବ୍ୟବସ୍ଥା ଜାରିରଖିବା ଉଚିତ। କିନ୍ତୁ ସବୁଠୁ ବଡ଼ ପରାମର୍ଶ ହେଉଛି ଯେ, କାହା କଥାରେ ନଯାଇ ଆୟକର ହିସାବ କରିବା ସମୟରେ ଦୁଇଟି ବ୍ୟବସ୍ଥାକୁ ତର୍ଜମା କରି ଯେଉଁଟି ଆପଣଙ୍କ ପାଇଁ ଲାଭପ୍ରଦ ତାହା ବାଛି ପାରିବେ।