ପର୍ସନାଲ ଫାଇନାନ୍ସ ହିସାବରେ ଏହା ମହତ୍ୱପୂର୍ଣ୍ଣ ଷ୍ଟେଜ୍ କାରଣ ୪୦ ପରେ ଭବିଷ୍ୟତ ପାଇଁ ଯୋଜନା ତିଆରି କରିବାର ସ୍ୱାଧିନତା ଥାଏ…

ଆପଣଙ୍କ ଆର୍ଥିକ ସ୍ଥିତି କେମିତି? ଏହି ପ୍ରଶ୍ନର ଉତ୍ତର ଯଦି ଆପଣ ୪୦ ଛୁଇଁ ସାରିଲେଣି ତାହେଲେ ଅଧିକ ସଠିକ ଭାବେ ଦେଇପାରିବେ। କିମ୍ବା ଆପଣ ୪୦ ବର୍ଷର ହେବା ପରେ ହିଁ ଜାଣିକରି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଆର୍ଥିକ ସ୍ଥିତି ବାସ୍ତବିକ୍ କେମିତି ଅଛି। ୪୦ ବର୍ଷର ହେବା ବେଳକୁ ଆପଣଙ୍କ ଜୀବନ ଆକାର ନେଇ ସାରିଥାଏ। ଆପଣଙ୍କ ଅଭ୍ୟାସ ଆକାର ନେଇ ସାରିଥାଏ। ଏହା ସହ ଆପଣଙ୍କ ପାଖରେ କିଛି ନୂଆ କରିବାର ଅବସର ମଧ୍ୟ ଥାଏ। ତେବେ ଆପଣ ଯଦି ୪୦ ପାର କରିସାରିଲେଣି ତେବେ ପର୍ସନାଲ ଫାଇନାନ୍ସର ଏହି ଚେକ୍ ଲିଷ୍ଟ ଉପରେ ଟିକିଏ ନଜର ପକାଇ ଦିଅନ୍ତୁ।

ନିଜ ଅଭିଜ୍ଞତାରୁ ଶିଖନ୍ତୁ

ସେହି ଜିନିଷକୁ ଚିହ୍ନନ୍ତୁ ଯାହା ଆପଣଙ୍କୁ ୪୦ ବର୍ଷ ହେଲା ହଇରାଣ କରି ଆସୁଛି। ଏହା କିଶୋରାବସ୍ଥାରୁ ଆରମ୍ଭ ହୋଇଥାଏ, ଯେତେବେଳେ ଆପଣ କ୍ୟାରିୟର ପ୍ରତିଯୋଗିତାରେ ସାମିଲ ହୋଇଥାନ୍ତି। ଏହା ପରେ ଚାକିରି, ପରିବାର, ପ୍ରମୋଶନକୁ ନେଇ ବ୍ୟସ୍ତ ଥା’ନ୍ତି। ଏବେ ଆପଣଙ୍କ ସେହି ସବୁ ଚିନ୍ତାରୁ ବାହାରି ଯିବାର ସମୟ। ଏହା ହେଉଛି ସେହି ସମୟ ଯେଉଁଠି ଆପଣ ନିଜ ଉପଲବ୍ଧିରୁ ବହୁତ କିଛି ଶିଖିବେ, ନିଜ ଦୃଷ୍ଟିକୋଣରୁ ଦେଖିବେ ଓ କ’ଣ କାମ କରିବ, କଣ କାମ କରିବ ନାହିଁ, ଏସବୁ ଏହି ବୟସରେ ଆପଣଙ୍କୁ ଶିଖିବାକୁ ପଡ଼ିବ। ବାସ୍ତବତା ହେଲା ବୟସର ଏହି ଷ୍ଟେଜରେ ପହଞ୍ଚିବା ବେଳକୁ ଆପଣଙ୍କ ପାଇଁ କ’ଣ ଅର୍ଥ ରଖେ ତାହା ଜାଣି ସାରିଥାନ୍ତି। କାରଣ ଅନ୍ୟମାନଙ୍କ ସହ କଡ଼ା ପ୍ରତିଯୋଗିତା ଭିତରେ ଆପଣ ଖୁସୀ ଓ ଧନ ହରାଇ ସାରିଥାନ୍ତି।

ସେୟାର ମାର୍କେଟକୁ ନେଇ ସତର୍କତା

ସେୟାର ବଜାରର ଚାଲିକୁ ବୁଝିବାର ପ୍ରୟାସ କରନ୍ତୁ ନାହିଁ। ଯଦି ଆପଣ ଆଜି ପର୍ଯ୍ୟନ୍ତ ଇକ୍ୱିଟିରେ ଫଣ୍ଡ ନିବେଶ କରିନାହାନ୍ତି ତେବେ ବା ଶିଖି ନାହାନ୍ତି ତେବେ ପେଶାଦାର ଫାର୍ମର ସାହାଯ୍ୟ ନେଇ ନିବେଶ କରନ୍ତୁ। ନିଜେ ଏଠୁ ସେଠୁ ପଢ଼ି ସେୟାର ମାର୍କେଟ ବିଶେଷଜ୍ଞଙ୍କ ଭଳି ବ୍ୟବହାର କରନ୍ତୁ ନାହିଁ। ଇଣ୍ଡେକ୍ସ ଫଣ୍ଡ୍, ମ୍ୟୁଚୁଆଲ ଫଣ୍ଡରେ ବିଶେଷଜ୍ଞଙ୍କ ପରାମର୍ଶରେ ନିବେଶ କରନ୍ତୁ। ଆଉ ଯଦି ଆପଣ କଲେଜ ଦିନରୁ ସେୟାର ବଜାରରେ ନିବେଶ କରି ଆସୁଛନ୍ତି କିନ୍ତୁ କେବେ ମଧ୍ୟ ଲାଭ ଅମଳ କରି ନାହାନ୍ତି ତେବେ ଦୀର୍ଘ ନିଶ୍ୱାସ ନିଅନ୍ତୁ ଓ ଏହା ସ୍ୱୀକାର କରନ୍ତୁ ଯେ, ସେୟାର ମାର୍କେଟ୍ ଆପଣଙ୍କ ପାଇଁ ନୁହେଁ। ଆପଣ ସେୟାର ମାର୍କେଟ୍ ପାଇଁ ଯୋଗ୍ୟ ନୁହନ୍ତି ବୋଲି ନିଜ ପାଖରେ ସ୍ୱୀକାର କରିବାରେ କିଛି ଭୁଲ ନାହିଁ। ତେବେ ନିଜେ ନିବେଶ ନିଷ୍ପତ୍ତି ନନେଇ ପେଶାଦାରଙ୍କ ସାହାଯ୍ୟ ନେଇ ନିବେଶ କରନ୍ତୁ।

ନିବେଶ ଯୋଜନା

ନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ପାଖରେ ନିବେଶକୁ ନେଇ ଏକ ବିଚାର ଅଛି। ଏହାକୁ ଟିପନ୍ତୁ ଓ ବନ୍ଧୁ, ପରିବାରବର୍ଗ ସହ ବାଣ୍ଟନ୍ତୁ। ସେମାନଙ୍କ ମତାମତ ନିଅନ୍ତୁ। ବିଶେଷଜ୍ଞଙ୍କ ପରାମର୍ଶ ନେଇ ଏହାକୁ ଲାଗୁ କରିବା ପାଇଁ ଯୋଜନା ତିଆରି କରନ୍ତୁ। ଆଇପିଓ, ବୀମା, ଟ୍ୟାକ୍ସ ଛାଡ଼ ଓ ଫଣ୍ଡ ଆପଣଙ୍କୁ ବହୁତ ଅଧିକ ଧନି କରିବେ ନାହିଁ। ଯଦି ଆପଣଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ନିବେଶକୁ ନେଇ କୌଣସି ବିଚାର ନାହିଁ, ତେବେ ଏହା ମାନି ନିଅନ୍ତୁ ଯେ, ଆପଣ ନିବେଶକୁ ନେଇ ଏପର୍ଯ୍ୟନ୍ତ କିଛି ବିଶେଷ କରି ନାହାନ୍ତି। ତେଣୁ ଆପଣ ଆସନ୍ତା ୨୦ ବର୍ଷ ପାଇଁ ଗୋଟିଏ ପ୍ଲାନ୍ ବନାନ୍ତୁ। ସେଭିଂ ଓ ନିବେଶ ଅଭ୍ୟାସ ହୋଇଥାଏ। ଏହାକୁ ଅଭ୍ୟାସଗତ ଭାବେ ଆପଣାଇଲେ ଆପଣଙ୍କ ରିଟାୟମେଣ୍ଟ୍ ଜୀବନ ସୁଖଦ ହୋଇପାରିବ।

ପୁରୁଣା ଭୁଲରୁ ଶିଖନ୍ତୁ

ପୁରୁଣା ଭୁଲ ପାଇଁ ପଶ୍ଚତାପ କରିବା କିମ୍ବା ଚାପରେ ରହିବା ଅପେକ୍ଷା ତାକୁ ସୁଧାରିବାକୁ ଉଦ୍ୟମ କରନ୍ତୁ। କୌଣସି ଉପନଗରୀୟ କ୍ଷେତ୍ରରେ ଯଦି ଆପଣଙ୍କର ଅଧିକ ପ୍ଲଟ୍ ଅଛି ତେବେ ତାକୁ ବିକ୍ରି କରି ମାସିକ କିସ୍ତି ବୋଝ କମ କରନ୍ତୁ। ମାମୁଲି ରିଟର୍ଣ୍ଣ ଦେଉଥିବା ବୀମା ପଲିସିକୁ ବିକ୍ରି କରି ଦିଅନ୍ତୁ ଓ ସେଥିରୁ ଆସିବାକୁ ଥିବା ଟଙ୍କାକୁ ନିବେଶ କରନ୍ତୁ। ଯଦି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ଏପର୍ଯ୍ୟନ୍ତ କମ ପାଇଁ ବଡ଼ ଫଣ୍ଡ୍ ତିଆରି କରି ପାରି ନାହାନ୍ତି ତେବେ ଏଥିରୁ ବୁଦ୍ଧି ଶିଖି ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ। ଯଦି ଆପଣ ନିଜ ରୋଜଗାରର ୩୦ରୁ ୪୦ ପ୍ରତିଶତ ସଞ୍ଚୟ କରି ପାରୁନାହାନ୍ତି ତେବେ ଜାଣି ନିଅନ୍ତୁ ଆପଣ ଅଧିକ ଖର୍ଚ୍ଚ କରୁଛନ୍ତି। ଏଥିରୁ ମୁକୁଳିବା ପାଇଁ ବାଟ ଖୋଜନ୍ତୁ।

ଖର୍ଚ୍ଚ ଉପରେ ନିୟନ୍ତ୍ରଣ

ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଏହା ଏହି ସମୟ ଯେଉଁଠି ଆପଣ ନିଜ କ୍ୟାରିୟରର ସବୁଠୁ ଭଲ ପିରିୟଡରେ ଥା’ନ୍ତି। ଲାଇଫ୍ ଷ୍ଟାଇଲ ସହ ବୁଝାମଣା ଆପଣଙ୍କୁ ଠିକ୍ ଲାଗୁ ନଥାଇପାରେ। ଆମଦାନୀ ବଢ଼ିବା ସହ ଆପଣଙ୍କ ଖର୍ଚ୍ଚ ବଢ଼ିଥାଏ। ତେବେ ଏହି ସବୁ ଖର୍ଚ୍ଚ ଯଦି ଆପଣଙ୍କ ଆମଦାନିଠାରୁ ଅଧିକ ତେବେ ସତର୍କ ହୋଇଯାନ୍ତୁ। କାରଣ ଆପଣ ଫିଲ୍ମଷ୍ଟାରଙ୍କ ରୋଗ ଦ୍ୱାରା ସଂକ୍ରମିତ। ବୃଦ୍ଧକାଳରେ ଖର୍ଚ୍ଚ ପାଇଁ ଆପଣଙ୍କ ପାଖରେ କିଛି ମଧ୍ୟ ବଞ୍ଚିବ ନାହିଁ। ଯେତେବେଳେ ବି ଆପଣଙ୍କ ବେତନ ବଢିବ, ଏହା ସୁନିଶ୍ଚିତ କରନ୍ତୁ ଯେ, ତାର ଅଧା ସଞ୍ଚୟ ଖାତାକୁ ଯିବ।

କରଜରୁ ମୁକ୍ତି ପାଆନ୍ତୁ

କରଜରୁ ମୁକ୍ତି। ଏହି ବୟସରେ ଆପଣଙ୍କ ଆୟ ଭଲ ହୋଇଥାଏ। ଆୟ ବଢିବା ସହ ଆପଣ ଆଡଜଷ୍ଟ କରିବା ଶିଖନ୍ତି। ଯେହେତୁ ଆପଣଙ୍କ ଆୟ ବଢୁଛି, ତେଣୁ ଏହି ବୟସରେ ବଡ଼ ଲୋନ୍ ଶୁଝିବା ପାଇଁ ଉଦ୍ୟମ କରନ୍ତୁ। ପର୍ସନାଲ ଲୋନ୍ ନେବାରୁ ବଞ୍ଚାନ୍ତୁ। ବନ୍ଧୁ ଓ ସଂପର୍କୀୟଙ୍କ ବିଶ୍ୱାସ ଜିତନ୍ତୁ, ଯେମିତି ଛୋଟମୋଚ କରଜ ଆଣି ପାରିବେ। ମହଙ୍ଗା ସୁଧରେ ପର୍ସନାଲ ଲୋନ୍ ଅପେକ୍ଷା ବନ୍ଧୁଙ୍କଠାରୁ ଧାର କରିବା ବୁଦ୍ଧିମାନର କାମ।

ନିଜ କଥା ଭାବନ୍ତୁ

ରିଟାୟରମେଣ୍ଟ୍ ଲାଇଫ୍ ପାଇଁ ସମ୍ପୂର୍ଣ୍ଣ ରୁପେ ପିଲାଙ୍କ ଉପରେ ନିର୍ଭର କରନ୍ତୁ ନାହିଁ। ଭବିଷ୍ୟତର ଆର୍ଥିକ ସୁରକ୍ଷା ପାଇଁ ରିଟାୟରମେଣ୍ଟ୍ ଫଣ୍ଡ୍ ତିଆରି କରନ୍ତୁ।

ପରିବାରକୁ ବିଶ୍ୱାସକୁ ନିଅନ୍ତୁ

ନିଜ ନିବେଶ ଓ ସଞ୍ଚୟ ପାଇଁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ। ପିଲା, ପତ୍ନୀଙ୍କୁ ବିଶ୍ୱାସକୁ ନିଅନ୍ତୁ। କେଉଁଠି ନିବେଶ କରୁଛନ୍ତି କେମିତି କରୁଛନ୍ତି ସେ ବାବଦରେ ସେମାନଙ୍କ ସହ ଆଲୋଚନା କରନ୍ତୁ।