ଏମିତି କିଛି ବୀମା ରହିଛି ଯାହା ବହୁତ କାମର କିନ୍ତୁ ଅନେକ ଜାଣନ୍ତି ନାହିଁ..

ବୀମାର ନାମ ନେଲେ ସାଧାରଣ ଲୋକଙ୍କ ମନରେ କେବଳ ପ୍ରଚଳିତ ବୀମାର ନାମ ଆସେ। ଯେମିତି ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା କିମ୍ବା ଅଟୋ ଇନସ୍ୟୁରାନ୍ସ। କିନ୍ତୁ ଏମିତି ବି କିଛି ବୀମା ରହିଛି ଯାହା ବାବଦରେ ସମସ୍ତେ ଜାଣିବା ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ସେହିଭଳି କିଛି ବୀମା ବାବଦରେ କହିବାକୁ ଯାଉଛୁ ଯାହା ଆପଣଙ୍କ କାମରେ ଆସିପାରେ। ଅଧିକାଂଶ ବ୍ୟକ୍ତି କେବଳ ଟ୍ୟାକ୍ସ ବଞ୍ଚାଇବା ଚକ୍କରରେ ବୀମା କିଣନ୍ତି। ତେବେ ସତ ହେଲା ବୀମାର କାମ କେବଳ ଟ୍ୟାକ୍ସ ବଞ୍ଚାଇବା ନୁହେଁ। ଜୀବନର ପ୍ରତିଟି କ୍ଷେତ୍ରରେ ବୀମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆସନ୍ତୁ ବର୍ତ୍ତମାନ ଏଭଳି କିଛି ବିମା ବାବଦରେ ଜାଣିବା ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଟ୍ରାଭେଲ ଇନସ୍ୟୁରାନ୍ସ

ଜଣେ ସାଧାରଣ ବ୍ୟକ୍ତି ପାଇଁ ବିଦେଶଯାତ୍ରା କିଛି ସହଜ କଥା ନୁହେଁ। ଯଦି ଜଣେ ସାଧାରଣ ବ୍ୟକ୍ତି ବିଦେଶ ଯାଆନ୍ତି ଓ ସେଠାରେ ତାଙ୍କ ଜରୁରୀ କାଗଜପତ୍ର ହଜିଯାଏ କିମ୍ବା ଟଙ୍କା ଚୋରି ହୋଇଯାଏ ଅଥବା ସେ ଅଚାନକ ବେମାର ହୋଇଯାନ୍ତି ତେବେ ତାଙ୍କ ଖର୍ଚ୍ଚ ଅଧିକ ବଢ଼ିଯିବ। ଏଭଳି ପରିସ୍ଥିତିରେ ଟ୍ରାଭେଲ ଇନସ୍ୟୁରାନ୍ସ ବହୁତ କାମରେ ଆସିଥାଏ। ମନେ ରଖନ୍ତୁ କିଛି ଦେଶକୁ ଆପଣ ବିନା ଟ୍ରାଭେଲ ଇନସ୍ୟୁରାନ୍ସରେ ଯାଇ ପାରିବେ ନାହିଁ।

ବାହାଘରର ବି ହୁଏ ବୀମା! 

ଆଶ୍ଚର୍ଯ୍ୟ ହେଲେ କି? ଯଦି ହଁ, ତେବେ ଶୁଣନ୍ତୁ, ଆପଣଙ୍କ ପରିବାରରେ ଯଦି କାହାରି ବାହାଘର ହେବାକୁ ଅଛି ତେବେ ତୁରନ୍ତ ବିମା କରାଇ ନିଅନ୍ତୁ।  କାରଣ ବାହଘର ବେଳେ ଚୋରି ହୋଇପାରେ। ମୂଲ୍ୟବାନ ଅଳଙ୍କାର କିମ୍ବା ଟଙ୍କାର ସୁରକ୍ଷା ପାଇଁ ଆପଣ ବିମା କରିବା ନିହାତି ଆବଶ୍ୟକ। ଏହାଛଡ଼ା ଦୁର୍ଘଟଣା, ମୃତ୍ୟୁ କାରଣରୁ ବିବାହ ତାରିଖ ଘୁଞ୍ଚିବା ସମ୍ଭାବନା ଥାଏ। ଯଦି ଏମିତି ହୁଏ ତେବେ ଆପଣଙ୍କୁ ଆଗରୁ କରାଯାଇଥିବା ବୁକିଂକୁ ରଦ୍ଦ କରିବାକୁ ପଡ଼ିବ। ଯାହାଦ୍ୱାରା ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଏଭଳି ଆକସ୍ମିକ ସ୍ଥିତିର ମୁକାବିଲା ପାଇଁ ବାହାଘର ବୀମା ନିହାତି ଆବଶ୍ୟକ। ତେଣୁ ପରିବାରରେ ଯଦି କାହାର ବାହାଘର ହେବାକୁ ଯାଉଛି ତେବେ ତୁରନ୍ତ ବୀମା କରନ୍ତୁ।

ଘର ବୀମା

ଘର ଥରୁଟିଏ ତିଆରି ହୁଏ। ଏଥିରେ ବାରମ୍ବାର ନିବେଶ କରିବା ଜଣଙ୍କ ପକ୍ଷରେ ସମ୍ଭବ ନୁହେଁ।  ଘର ତିଆରି କରିବା ପରେ କିମ୍ବା କିଣିବା ପରେ ଆମେ ଏହାର ସୁରକ୍ଷାକୁ ନେଇ ଅଧିକ ଟିନ୍ତା କରିନଥାଉ। କିନ୍ତୁ ଏବିଷୟରେ ଗୁରୁତ୍ୱର ସହ ଚିନ୍ତା କରିବା ଆବଶ୍ୟକ। କାରଣ ପ୍ରାକୃତି ଦୁର୍ବିପାକ ଯେମିତି ବନ୍ୟା, ବାତ୍ୟ ଓ ଭୁକମ୍ପ ଦ୍ୱାରା ଘର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଥାଏ। କିନ୍ତୁ ଘରର ବିମା କରି ଆପଣ ଏଭଳି ବିପଦକୁ କମ କରିପାରିବେ। ବନ୍ୟା,ବାତ୍ୟାକୁ ତ’ ଅଟକାଇ ହେବନି କିନ୍ତୁ ଏହାର କ୍ଷତିକୁ ବୀମା ଭରଣ କରିପାରିବ।

କ୍ରେଡିଟ୍ କାର୍ଡ ସେଫ୍‌ଟି ବୀମା

କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଜୀବନକୁ ସହଜ କରିଛି ସତ କିନ୍ତୁ ଏହା ସହ ଠକେଇର ଆଶଙ୍କାକୁ ମଧ୍ୟ ବଢାଇ ଦେଇଛି। ହ୍ୟାକର ଆପଣଙ୍କ ଡାଟା ଚୋରାଇ ଆପଣଙ୍କ କାର୍ଡରୁ ଟଙ୍କା ଉଠାଇ ନେବା କିଛି ଅସମ୍ଭବ ନୁହେଁ। ଏମିତିରେ କ୍ରେଡିଟ୍ କାର୍ଡ ପ୍ରୋଟେକ୍ସନ୍ ଆପଣଙ୍କୁ ସୁରକ୍ଷା ଦେଇଥାଏ।