‘‘ସାରା ଦେଶରେ ଓଡ଼ିଶା ହେଉଛି ‘ଏଗ୍ରିକଲ୍ଚରାଲ ହବ୍’। ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ଉଦାହରଣ ପାଲଟିଛି। ଅନ୍ୟ ରାଜ୍ୟର କୃଷକମାନେ ଓଡ଼ିଶାକୁ ଅନୁକରଣ କରିବା ଦରକାର’’ କୃଷି ଓଡ଼ିଶା ଉଦ୍ଘାଟନୀ କାର୍ଯ୍ୟକ୍ରମରେ କହିଛନ୍ତି ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ମହା ସଚିବ ଦିଲ୍ଲୀପ ଚିନୋୟ।
ଲାଭଜନକ କୃଷି ପାଇଁ ପ୍ରୟାସ – ଏହି ଥିମ୍କୁ ନେଇ ଜାନୁଆରି ୨୦ରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିଲା ‘କୃଷି ଓଡ଼ିଶା-୨୦୨୦’। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ।
ଫେଡେରସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଫିକି)ର ସହଯୋଗରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘କୃଷି ଓଡ଼ିଶା-୨୦୨୦’ ଆୟୋଜନ କରାଯାଇଛି।
ଏହି ଅବସରରେ ଦିଲ୍ଲୀପ ଚିନୋୟ କହିଥିଲେ, ‘‘ଓଡ଼ିଶା କୃଷି କ୍ଷେତ୍ରରେ ବେଶ୍ ଉନ୍ନତି କରିଛି। ଫଳରେ ଓଡ଼ିଶା ଗତ ୭ ବର୍ଷ ମଧ୍ୟରେ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ପାଇଛି, ଏହା ବାସ୍ତବରେ ପ୍ରଶଂସନୀୟ। କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ଯୋଜନା ବେଶ୍ ଭଲ। ଏହାସହ କୃଷି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହାର ଦୁଇଗୁଣା ହୋଇଛି।
ସେ ଆହୁରି ମଧ୍ୟ କହିଥିଲେ, ‘‘ବର୍ତ୍ତମାନ ରାଜ୍ୟ ସରକାର କୃଷକମାନଙ୍କ ପାଇଁ ଆଣିଥିବା ନୂଆ କୃଷି ନୀତି ‘ସମୃଦ୍ଧି’ କୃଷକମାନଙ୍କ ମାନ ବୃଦ୍ଧି କରିବ। ଚାଷ କ୍ଷେତ୍ରରେ ଓଡ଼ିଶାରେ ମହିଳାମାନଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। କୃଷି କ୍ଷେତ୍ରରେ ମହିଳାମାନଙ୍କର ଯଥେଷ୍ଟ ଭାଗିଦାରିତା ରହିଛି। ମହିଳାମାନେ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିବେ।’’