ପଲିସି ସରେଣ୍ଡର କରିବା ଅର୍ଥ ହେଉଛି, ପ୍ରିମିୟମର ସେହି ଭାଗ ଯାହାକୁ ଆଗରୁ ଦିଆଯାଇଛି ତାକୁ ପଲିସି ଧାରକଙ୍କୁ ଫେରସ୍ତ ମିଳିବ।

୩୦ ବର୍ଷୀୟା ଶୁଭଶ୍ରୀ ବିପିଓରେ କାମ କରନ୍ତି। ନିୟମିତ ସଞ୍ଚୟ ତାଙ୍କ ଅଭ୍ୟାସ। ସେ ଗତ ୫ରୁ ୬ ବର୍ଷ ହେବ ନିବେଶ କରିଆସୁଛନ୍ତି। ତେବେ ଏବେ ତାଙ୍କ ପାଇଁ ମୁଣ୍ଡବିନ୍ଧା ହେଉଛି ତାଙ୍କର କିଛି ଇନସ୍ୟୁରାନ୍ସ ପଲିସି।

ଟ୍ୟାକ୍ସ ବଞ୍ଚାଇବା ପାଇଁ ସେ କିଛି ଏଣ୍ଡାୱମେଣ୍ଟ ପଲିସି କିଣିଥିଲେ। ଚାକିରି କରିବାର ୭ ବର୍ଷ ପରେ ଏବେ ଶୁଭଶ୍ରୀଙ୍କୁ ଲାଗୁଛି ଯେ, ସେ ଯେଉଁ ସବୁ ପଲିସି ନେଇଛନ୍ତି ନା ସେସବୁ ତାଙ୍କୁ ପର୍ଯ୍ୟାପ୍ତ ଲାଇଫ୍ କଭର ଦେଉଛି ନା ମନମୁତାବକ ରିଟର୍ଣ୍ଣ ଦେଉଛନ୍ତି। ଏହି କମ ଆୟ ବିଶିଷ୍ଟ ପଲିସିର ପ୍ରିମିୟମ ତାଙ୍କ ଆର୍ଥିକ କ୍ଷମତା ଉପରେ ପ୍ରଭାବ ପକାଉଛି। ପ୍ରକୃତ କଥା ହେଲା ଏହି ପଲିସି ସବୁ କାରଣରୁ ସେ ନିଜର ଅନ୍ୟ ଆର୍ଥିକ ଲକ୍ଷ୍ୟ ସବୁକୁ ପୂରଣ କରିପାରୁନାହାନ୍ତି। ସେ ଅନ୍ୟ ବିକଳ୍ପରେ ନିବେଶ କରିବାକୁ ଚାହୁଁଛନ୍ତି କିନ୍ତୁ ପ୍ରିମିୟମ ଦେବା ପରେ ନିବେଶ ପାଇଁ ତାଙ୍କ ପାଖରେ ଟଙ୍କା ବଳୁ ନାହିଁ। ଏମିତିରେ ସେ କ’ଣ କରିବେ? ଏଭଳି ପରିସ୍ଥିତି ଉଣା ଅଧିକେ ଆମ ସମସ୍ତଙ୍କ ଜୀବନରେ ଆସିଥିବ। ତେବେ ପ୍ରଶ୍ନ ହେଉଛି ଏଭଳି ପରିସ୍ଥିତିରେ ଆମ ପାଖରେ ବିକଳ୍ପ କଣ?

ଶୁଭଶ୍ରୀଙ୍କ ଆବଶ୍ୟକତାର ଦୁଇଟି ଦିଗ ରହିଛି। ପ୍ରଥମତଃ ଶସ୍ତାରେ ପର୍ଯ୍ୟାପ୍ତ ଇନସ୍ୟୁରାନ୍ସ କଭର ପ୍ରାପ୍ତ କରିବା। ଦ୍ୱିତୀୟତଃ ଏବେ ଯେଉଁ ଟଙ୍କା ସେ ପ୍ରିମିୟମ ଭାବେ ଦେଉଛନ୍ତି ତା’ର ସଦୁପଯୋଗ। ଦେଖିବାକୁ ଗଲେ ଶୁଭଶ୍ରୀଙ୍କ ପାଖରେ ଏବେ ତିନୋଟି ରାସ୍ତ ରହିଛି। ୧. ପଲିସିକୁ ଲାପ୍‌ସ ହେବାକୁ ଦେବ, ୨. ସରେଣ୍ଡର କରିବା, ୩. ପଲିସିକୁ ପେଡ୍-ଅପ୍ କରିବା।

ପଲିସିକୁ ଲାଫ୍‌ସ ହେବାକୁ ଦେବା

ଯଦି ସେ ପଲିସିର ପ୍ରିମିୟମ ନଦେଇ ଏହାକୁ ଲାପ୍ସ ହେବାକୁ ଦିଅନ୍ତି ତେବେ ୭ ବର୍ଷ ଭିତରେ ପ୍ରିମିୟମ ଭାବେ ସେ ଯାହା ଟଙ୍କା ଦେଇଛନ୍ତି ସବୁ ହରାଇବେ।

ପଲିସିକୁ ପେଡ୍-ଅପ୍ କରିବା

ପଲିସିକୁ ପେଡ୍-ଅପ୍ କରିଲେ ବାକି ଅବଧିରେ ହ୍ରାସ ପାଉଥିବା ସମ୍ ଆସ୍ୟୁର୍ଡ ସହ କଭର ଜାରି ରହିବ। ଏହି ମାମଲାରେ ଶୁଭଶ୍ରୀଙ୍କୁ ଆଉ ଆଗକୁ ପ୍ରିମିୟମ ଦେବାକୁ ପଡ଼ିବ ନାହିଁ। ଅନ୍ୟପକ୍ଷରେ ପଲିସି ମ୍ୟାଚୁର ହେବା ପରେ ତାଙ୍କୁ ସେହି ଅନୁପାତରେ ସମ୍ ଆସ୍ୟୁର୍ଡ ମିଳିବ।

ତେବେ ଏଥିରେ ଅପର୍ଚ୍ୟୁନିଟ୍ କଷ୍ଟ୍‌ର ପ୍ରଶ୍ନ ଆସିବ। କାରଣ ହେଲା ପଲିସିରେ ନିବେଶ ଫଣ୍ଡ୍‌ ବ୍ଲକ ରହିବ ଓ ତା’ଉପରେ କମ ରିଟର୍ଣ୍ଣ ମିଳିବ। ଅନ୍ୟପକ୍ଷରେ ଯଦି ସେହି ଟଙ୍କାକୁ ଅନ୍ୟ କୌଣସି ଭଲ ନିବେଶ ଫଣ୍ଡ୍‌ରେ ଲଗାଯିବ ତେବେ ତାଙ୍କୁ ଭଲ ରିଟର୍ଣ୍ଣ ମିଳିବ।

ସରେଣ୍ଡର କରିବା

ପଲିସି ସରେଣ୍ଡର କରିବା ଅର୍ଥ ହେଲା ପ୍ରିମିୟମର ସେହି ଭାଗ ଯାହାକୁ ଆଗରୁ ଦିଆ ସରିଛି ତାକୁ ଶୁଭଶ୍ରୀଙ୍କୁ ଫେରସ୍ତ ମିଳିବ। ଯେହେତୁ ଶୁଭଶ୍ରୀଙ୍କ ପଲିସି ଖୁବ କମ ସମୟ ପାଇଁ ଚାଲିଛି ତେଣୁ ତାଙ୍କୁ  ଭଲ ସରେଣ୍ଡର ଭ୍ୟାଲୁ ମିଳିବ। ସରେଣ୍ଡର କରିବା ପରେ ତାଙ୍କୁ ମିଳିବାକୁ ଥିବା ଟଙ୍କାକୁ ସେ ନିଜ ପସନ୍ଦର କୌଣସି ଭଲ ରିଟର୍ଣ୍ଣ ଦେଉଥିବା ନିବେଶ ପଣ୍ଡରେ ଲଗାଇ ପାରିବେ।