ସଞ୍ଚୟ ସହ ଜୀବନ ବୀମା କଭର ଚାହୁଁଥିଲେ ନିଅନ୍ତୁ ଏଣ୍ଡାୱମେଣ୍ଟ ପଲିସି।

ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପଲିସି ମଧ୍ୟରୁ ଗୋଟିଏ ହେଉଛି ଏଣ୍ଡାୱମେଣ୍ଟ ପଲିସି। ଏହା ହେଉଛି ଇନସ୍ୟୁରାନ୍ସର ପାରମ୍ପାରିକ ରୂପ। ଯେଉଁଥିରେ ଆପଣ ସଞ୍ଚୟ ସହିତ ପାଇଥାନ୍ତି ଜୀବନ ବୀମା କଭର। ଏଭଳି ଏକ ପ୍ଲାନ୍ ଯେଉଁଥିରେ ଆପଣ ଅଳ୍ପ ଅଳ୍ପ ନିବେଶ କରି ଆର୍ଥିକ ସୁରକ୍ଷା ପାଇଥାନ୍ତି। ଲମ୍ବା ଅବଧୀରେ ଏହା ଆପଣଙ୍କୁ ଭଲ ସଞ୍ଚୟ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ୍ କଣ? ଏହାକୁ ଆପଣ କେବେ ନେବା ଠିକ ରହିବ? ପ୍ଲାନକୁ ନେବା ପୂର୍ବରୁ ଆପଣଙ୍କୁ କେଉଁ ବିଷୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ତଥା ଅନ୍ୟ ପ୍ରସଙ୍ଗ ଉପରେ ଆସନ୍ତୁ ପ୍ରଥମେ ଜାଣିବା।

ଏଣ୍ଡାୱମେଣ୍ଟ୍ ପ୍ଲାନ୍ କ’ଣ?

ଏହା ଏକ ପାରମ୍ପାରିକ ଜୀବନ ବୀମା। ଯାହା ବୀମା କରିଥିବା ବ୍ୟକ୍ତିଙ୍କୁ ଜୀବନ କଭର ଦେବା ସହ ସଞ୍ଚୟ ମଧ୍ୟ ଦେଇଥାଏ। ଏଥିରେ ବୀମା ଧାରକ ଲାଇଫ୍ କଭର ପାଇଁ ପ୍ରିମିୟମ ଦେବା ସହ ସଞ୍ଚୟ ମଧ୍ୟ କରିଥାନ୍ତି। ବୀମାଧାରକଙ୍କ ଅସମୟରେ ତାଙ୍କ ପରିବାରକୁ ବୀମା ରାଶି ମିଳିଥାଏ। ଯଦି ବୀମା ଧାରକ ପଲିସି ଅବଧି ସରିବା ବେଳକୁ ଜୀବିତ ଥାନ୍ତି ତେବେ ତାଙ୍କୁ ଏକାଥରକେ ସଞ୍ଚୟ ରାଶି ମିଳିଥାଏ। ଯଦି ପଲିସି ଅବଧିରେ ବୀମାଧାରକଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ପୁରା ବୀମା ରାଶି ମିଳିଥାଏ।

ସୁରକ୍ଷା ସହ ସଞ୍ଚୟ

ଯଦି ଆପଣ ସବୁବେଳେ ଭାବୁଛନ୍ତି ଯେ, ମାସକର ଆୟ ସବୁ ଖର୍ଚ୍ଚ ହୋଇଯାଉଛି ତେବେ ଆପଣ ସଞ୍ଚୟ ପାଇଁ ଗୋଟିଏ ଏଣ୍ଡାୱମେଣ୍ଟ୍ ପଲିସି ନେଇପାରନ୍ତି। ଏହି ଜୀବନ ବୀମାର ପ୍ରିମିୟମ ଦେଇ ଆପଣ ନିୟମିତ ଭାବେ ସଞ୍ଚୟ କରିପାରିବେ। ଏହି ସଞ୍ଚୟ ଦ୍ୱାରା ଆପଣ ଆପଣଙ୍କ ଜୀବନରେ ଆସିବାକୁ ଥିବା ବଡ଼ ଖର୍ଚ୍ଚକୁ ପୂରା କରିପାରିବେ।

ପରିପକ୍ୱତା ବେଳେ ଏକାଥରକେ ବଡ଼ ରକମ

ଏହି ପଲିସି ଏଭଳି  ଗୋଟିଏ ପ୍ଲାନ୍ ଯାହା ବୀମାଧାରକଙ୍କୁ ଜୀବନ କଭର ଦେବା ସହ ଏକ ନିର୍ଦ୍ଦିଷ୍ଟ ଅବଧିରେ ସଞ୍ଚୟ କରିବାକୁ ସୁଯୋଗ ଦିଏ। ଫଳରେ ପଲିସି ଧାରକ ମ୍ୟାଚୁରିଟି ବେଳେ ଏକାଥରକେ ବଡ଼ଧରଣର ପରିପକ୍ୱ ରାଶି ପାଇଥାନ୍ତି। ପରିପକ୍ୱତା ବେଳେ ମିଳୁଥିବା ରାଶିକୁ ପଲିସି ଧାରକ ନିଜ ପିଲାଙ୍କ ଶିକ୍ଷା, ବିବାହ ଭଳି କାର୍ଯ୍ୟରେ ଖର୍ଚ୍ଚ କରିପାରିବେ।

ଧାରା ୮୦(ସି) ଦିଏ କର ଛାଡ଼

ଏହି ପଲିସି ଆପଣଙ୍କୁ କର ଛାଡର ସୁବିଧା ମଧ୍ୟ ଦେଇଥାଏ। ଧାରା ୮୦(ସି) ଅନ୍ତର୍ଗତରେ ଆପଣ କରଛା କ୍ଲେମ୍ କରିପାରିବେ।

କିଏ ନେବା ଉଚିତ?

ବିଶେଷଜ୍ଞଙ୍କ ଅନୁସାରେ ନିୟମିତ ଆୟ କରୁଥିବା ବ୍ୟକ୍ତି ଯେଉଁମାନେ ଭବିଷ୍ୟତରେ ନିଜ ଆବଶ୍ୟକତା ପାଇଁ ଏକାଥରକେ ବଡ଼ ରକମ ଚାହାନ୍ତି ସେମାନେ ଏହି ପଲିସି କିଣିବା ଆବଶ୍ୟକ। ଏହି ପ୍ଲାନ ସଞ୍ଚୟର ଗୋଟିଏ ଅନୁଶାସିତ ରାସ୍ତ ଦେଇଥାଏ। ଆପଣ ନିୟମିତ ଭାବେ ଏଥିରେ ସଞ୍ଚୟ କରିଥାନ୍ତି। ଆର୍ଥିକ ଜରୁରୀ ପରିସ୍ଥିତିରେ ଏହା କାମରେ ଆସିଥାଏ। ବେତନଭୋଗୀ, ଛୋଟ ବ୍ୟବସାୟୀ ଓ ପେଶାଦାର ବ୍ୟକ୍ତିଙ୍କ ପକ୍ଷରେ ନିଜ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଏହି ପ୍ଲାନ ଉପରେ ବିଚାର କରିବାର ଆବଶ୍ୟକତା ରହିଛି। ଏହା ସହ ଯେଉଁମାନେ ଅଧିକ ରିସ୍କ ନେବାକୁ ଚାହାନ୍ତି ନାହିଁ ସେମାନେ ଏହି ପ୍ଲାନ୍ ନେବା ଠିକ୍ ହେବ।

ସଞ୍ଚୟ ଲକ୍ଷ୍ୟ ନଥିଲେ ଏହି ପ୍ଲାନକୁ ନିଅନ୍ତୁ ନାହିଁ

ସଞ୍ଚୟ ଯଦି ଆପଣଙ୍କ ଲକ୍ଷ୍ୟ ନୁହେଁ। ଆପଣ ଯଦି ସେୟାର ମାର୍କେଟ୍ କିମ୍ବା ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରି ନିଜ ସମ୍ପଦ ବଢ଼ାଇବା ଲକ୍ଷ୍ୟ ରଖିନ୍ତି ତେବେ ଏହି ପ୍ଲାନ୍ ଆପଣଙ୍କ ପାଇଁ ଉପଯୁକ୍ତ ନୁହେଁ। ଆପଣ ଯଦି କେବଳ ଜୀବନ ବୀମା କରାଇବାକୁ ଚାହୁଁଛନ୍ତି ତେବେ ଏହି ପ୍ଲାନ୍ ନନେଇ ଟର୍ମ ଇନସ୍ୟୁରାନ୍ସ ନିଅନ୍ତୁ। ଟର୍ମ ଇନସ୍ୟୁରାନ୍ସର ପ୍ରିମିୟମ ଏହି ପ୍ଲାନର ପ୍ରିମିୟମ ତୁଳନାରେ କମ ହୋଇଥାଏ। ଏହା ସହ ଟର୍ମ ଇନସ୍ୟୁରାନ୍ସ ଅଧିକ ଲାଇଫ୍ କଭର ଦେଇଥାଏ। ତେଣୁ ସଞ୍ଚୟ ଲକ୍ଷ୍ୟ ନଥିଲେ ଏହି ପ୍ଲାନଠାରୁ ଦୂରେଇ ରୁହନ୍ତୁ।

କେବେ ନେବେ ଏହି ପ୍ଲାନ୍?

ଯଦି ଆପଣ ରିସ୍କ ରହିତ ସୁନିଶ୍ଚିତ ନିବେଶ ଚାହୁଁଛନ୍ତି ତେବେ ଏହି ପ୍ଲାନ୍ ନିଅନ୍ତୁ। ତେବେ ଏହି ପ୍ଲାନ୍ ସେତେବେଳେ କିଣନ୍ତୁ ଯେତେବେଳେ ଆପଣ ନିଶ୍ଚିତ ହେବେ ଯେ, ଆପଣ ଲମ୍ବା ଅବଧିରେ ଏହାର ପ୍ରିମିୟମ ଠିକ୍ ସମୟରେ ଦେଇ ପାରିବେ। ନିୟମିତ ଆୟ ବାବଦରେ ସୁନିଶ୍ଚିତ ହେବା ପରେ ହିଁ ପ୍ଲାନକୁ ନିଅନ୍ତୁ।

term insurance policy_newsendowment policy

ପ୍ଲାନ୍ ନେବା ଆଗରୁ କ’ଣ ଦେଖିବେ?

ବଜାରରେ ବର୍ତ୍ତମାନ ଏଭଳି ବହୁତ ପ୍ଲାନ୍ ଉପଲବ୍ଧ ରହିଛି। ଏକ ଉପଯୁକ୍ତ ପ୍ଲାନ୍ ବାଛିବା ଆପଣଙ୍କ ବର୍ତ୍ତମାନର ଜୀବନସ୍ତର, ବ୍ୟକ୍ତିଗତ ଆବଶ୍ୟକତା ଓ ଆୟ ସହିତ ଅନ୍ୟ ଅନେକ କାରଣ ଉପରେ ନିର୍ଭର କରିଥାଏ। ତେଣୁ ନିଜ ଆୟକୁ ଦେଖନ୍ତୁ, ଏଜେଣ୍ଟ କେତେ ସତ କହୁଛନ୍ତି ତାହାକୁ ପରଖନ୍ତୁ। ଏହାସହ ବୀମା ପ୍ଲାନର ସର୍ତ୍ତାବଳୀକୁ ମଧ୍ୟ ଦେଖିନିଅନ୍ତୁ। ଏସବୁ ପରେ ବୀମା ନେବା ବାବଦରେ ଚିନ୍ତା କରନ୍ତୁ।