ୟୁଲିପ୍ ଏମିତି ଗୋଟିଏ ପ୍ଲାନ୍ ଯାହା ଆପଣଙ୍କୁ ନିବେଶର ସୁଯୋଗ ଦେବା ସହ ଦିଏ ଜୀବନ ବୀମା

ଆଗରୁ ଆମେ ଜାଣି ସାରିଛେ ଜୀବନ ବୀମା କେତେ ପ୍ରକାରର। ମୋଟାମୋଟି ଭାବେ ଜୀବନ ବୀମାକୁ ୭ ଭାଗରେ ବିଭକ୍ତ କରାଯାଇଛି। ଏହି ୭ ପ୍ରକାର ଜୀବନ ବୀମା ହିଁ ବାସ୍ତବରେ ବେଶି ପ୍ରଚଳିତ। ତାହାରି ଭିତରୁ ଗୋଟିଏ ହେଉଛି ULIP ବା ୟୁନିଟ୍ ଲିଙ୍କଡ୍ ଇନସ୍ୟୁରାନ୍ସ ପ୍ଲାନ୍। ଆସନ୍ତୁ ଆଜି ଜାଣିବା ଏହି ୟୁଲିପ୍ କଣ?

ବାସ୍ତବରେ ୟୁଲିପ୍ ହେଉଛି ଜୀବନ ବୀମା ଓ ମାର୍କେଟ୍ ଲିଙ୍କଡ୍ ନିବେଶ ଉତ୍ପାଦର ଏକ ପ୍ରଡକ୍ଟ। ଏହି ପ୍ଲାନରେ ଆପଣ ଦେଉଥିବା ପ୍ରିମିୟମର ଗୋଟିଏ ଭାଗ ଇକ୍ୱିଟି କିମ୍ବା ଡେବ୍ଟ ଫଣ୍ଡରେ ନିବେଶ କରାଯାଇଥାଏ।  ୟୁଲିପରେ ଇନସ୍ୟୁରାନ୍ସ ଓ ନିବେଶର କମ୍ବିନେଶନ ୫ ବର୍ଷର ଲକ୍ ଇନ୍ ପିରିୟଡ ସହ ଆସିଥାଏ। ଅର୍ଥାତ ଆପଣ ୫ ବର୍ଷ ପୂର୍ବରୁ ପଲିସିରୁ ବାହାରି ପାରିବେ ନାହିଁ। ଗ୍ରାହକଙ୍କୁ ସେମାନଙ୍କ ରିସ୍କ ନେବା କ୍ଷମତା ଆଧାରରେ ଲାର୍ଜ, ସ୍ମଲ ଓ ମିଡ୍ କ୍ୟାପ୍ ଫଣ୍ଡରେ ନିବେଶ କରିବାର ସୁଯୋଗ ଦିଆଯାଇଥାଏ। ଏହା ସହ ଗୋଟିଏ ଫଣ୍ଡ୍‌ରୁ ବାହାରି ଆଉ ଗୋଟିଏ ଫଣ୍ଡକୁ ଯିବାର ମଧ୍ୟ ଗ୍ରାହକଙ୍କୁ ଅନୁମତି ଥାଏ।

କେତେ ପ୍ରକାରର ହୋଇଥାଏ ୟୁଲିପ୍?

ୟୁଲିପ୍ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେଉଛି ପେନସନ୍ ଓ ଦ୍ୱିତୀୟଟି ହେଉଛି ଏଣ୍ଡୋମେଣ୍ଟ୍ ପ୍ଲାନ୍।

ଚାର୍ଜ ଓ ଟ୍ୟାକ୍ସ

ୟୁଲିପରେ ୪ ପ୍ରକାରର ଚାର୍ଜ ରହିଛି। ଏଲୋକେସନ, ପଲିସି ଆଡମିନିଷ୍ଟ୍ରେସନ, ମୋର୍ଟାଲିଟି ଓ ଫଣ୍ଡ୍ ମ୍ୟାନେଜମେଣ୍ଟ୍ ଚାର୍ଜ। ଫଣ୍ଡ୍ ମ୍ୟାନେଜମେଣ୍ଟ୍ ଚାର୍ଜ ୧.୩୫ ପ୍ରତିଶତ ହୋଇଥାଏ। ୟୁଲିପ୍‌ ଆପଣଙ୍କୁ ଆୟକର ଧାରା ୮୦(ସି) କ୍ରମରେ ଟ୍ୟାକ୍ସ ଛାଡ଼ର ସୁବିଧା ମଧ୍ୟ ଦେଇଥାଏ।

ୟୁଲିପକୁ LTCG ଟ୍ୟାକ୍ସରୁ ରିହାତି ମିଳିଛି। ୨୦୧୮ ବଜେଟରେ ଏହି ରିହାତି ଦିଆଯାଇଥିଲା। ଏହା  EEE (ଛାଡ଼-ଛାଡ-ଛାଡ) ଉତ୍ପାଦ। ଧାରା ୮୦(ସି) ଅନ୍ତର୍ଗତରେ ଏଥିରେ ଟ୍ୟାକ୍ସ ଛାଡ ପାଇଁ କ୍ଲେମ୍ କରାଯାଇ ପାରିବ।

ଣ ପାଇଁ ୟୁଲିପ କରିବେ?

ଯଦି ଆପଣ ୟୁଲିପରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଏହା ଭାବନ୍ତୁ ଯେ, ଆପଣ ଏହାକୁ ନିବେଶ ଭାବେ ନେଉଛନ୍ତି କି ଲାଇଫ୍ କଭର ଭାବେ। ଏଥିର ନିବେଶ କରିବା ପାଇଁ ଆପଣଙ୍କ ପାଖରେ ନିବେଶର ଲମ୍ବା ଅବଧି ରହିବା ଆବଶ୍ୟକ। ଏହା ସହ ବଜାର ବାବଦରେ ଆପଣଙ୍କ ପାଖରେ ତଥ୍ୟ ଓ ଜ୍ଞାନ ରହିବା ମଧ୍ୟ ଜରୁରୀ।

ଲାଇଫ୍ କଭର ଭାବେ ଏହା ଅଧିକ ଦିଏ ନାହିଁ

ୟୁଲିପ୍ ଏକ ଲାଇଫ୍ କଭର ପ୍ରଡକ୍ଟ ଭାବେ ଅଧିକ କିଛି ଦିଏ ନାହିଁ। କାରଣ ଏହାର ଇନସ୍ୟୁରାନ୍ସ ଆମାଉଣ୍ଟ୍ ପ୍ରିମିୟମର ୧୦ରୁ ୧୫ ଗୁଣ ପର୍ଯ୍ୟନ୍ତ ସୀମିତ ଥାଏ। ଏକ କୋଟି କଭର ବିଶିଷ୍ଟ ୟୁଲିପ୍ ପ୍ଲାନ୍‌ର ପ୍ରିମିୟମ ବାର୍ଷିକ ୨ରୁ ୩ ଲକ୍ଷ ହୋଇଥାଏ। ଯେତେବେଳେ କି ଏକ କୋଟିର ଲାଇଫ୍ କଭର ବିଶିଷ୍ଟ ଟର୍ମ ପ୍ଲାନ୍ ମାତ୍ର ୭ ହଜାରରୁ ୮ ହଜାର ଟଙ୍କା(ବୟସ ହିସାବରେ, କମ୍ ବୟସ କମ୍ ପ୍ରିମିୟମ)ରେ ମିଳିଯାଇଥାଏ।

ଲକ୍ ଇନ୍ ପିରିୟଡ

ୟୁଲିପ୍ ପ୍ଲାନ୍ ୫ ବର୍ଷ ପାଇଁ ଲକ୍ ଇନ୍ ରହିଥାଏ। ଏହି ସମୟ ଭିତରେ ଆପଣ ପ୍ଲାନରୁ ବାହାରି ପାରିବେ ନାହିଁ, କିନ୍ତୁ ମ୍ୟୁଚୁଆଲ ଫଣ୍ଡ୍‌ର ଲକ୍ ଇନ୍ ପିରିୟଡ ବେଶ ନମନୀୟ ହୋଇଥାଏ। ଆପଣ କିଛି ପେନାଲ୍ଟି ଚାର୍ଜେସ ଦେଇ ମ୍ୟୁଚୁଆଲ ଫଣ୍ଡରୁ ବାହାରି ପାରିବେ।