ସ୍ୱାସ୍ଥ୍ୟ ବୀମା ନେବା ବେଳେ କ’ଣ କରିବେ, କ’ଣ କରିବେ ନାହିଁ, ଜାଣନ୍ତୁ…

ପରିବାରର ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ଆମେ ଅନେକ ଯୋଜନା କରିଥାଉ। ଆର୍ଥିକ ଅଭାବ ଓ କ୍ଷତି ଯେମିତି ନହେବ, ଭବିଷ୍ୟତରେ ଆର୍ଥିକ ସୁରକ୍ଷା ଯେମିତି ରହିବ ସେଥିପାଇଁ ଆମେ ଅଳ୍ପବହୁତ ନିବେଶ ଓ ବୀମା କରାଇଥାଉ। ବଜାରରେ ଆପଣଙ୍କୁ ପରିବାରର ସୁରକ୍ଷିତ ଭବିଷ୍ୟତ ପାଇଁ ଅନେକ ବୀମା ପ୍ଲାନ୍ ମିଳିଯିବ। ବିଭିନ୍ନ କମ୍ପାନି ନିଜ ଉତ୍ପାଦକୁ ଭଲ ବୋଲି ଆପଣଙ୍କ ଆଗରେ ଉପସ୍ଥାପନା କରିବେ। କିନ୍ତୁ ଆପଣଙ୍କୁ ବୀମା ନେବାବେଳେ ଭାବିଚିନ୍ତି ନିଷ୍ପତି ନେବାକୁ ପଡ଼ିବ। ନହେଲେ ଭବିଷ୍ୟତରେ ଆପଣଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ। ଯେଉଁ ବୀମା ଆପଣ ଆର୍ଥିକ ବୋଝ କମ କରିବାକୁ ନେଇଛନ୍ତି ଯଦି ତାହା ଆପଣଙ୍କ ଆବଶ୍ୟକତା ପୁରଣ କରିବାରେ ଅସମର୍ଥ ହୁଏ ତେବେ ତାହା ଆପଣଙ୍କ ପାଇଁ ବୋଝ ପାଲଟିଯିବ। ସ୍ୱାସ୍ଥ୍ୟ ବୀମା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି। ଏହି ବୀମା ନେବା ପୂର୍ବରୁ କିଛି ପ୍ରସଙ୍ଗକୁ ଭଲ କରି ପରଖନ୍ତୁ। ତା’ପରେ ହିଁ ଗୋଟିଏ ବୀମା ପ୍ଲାନକୁ ନିଜ ପାଇଁ ସ୍ଥିର କରନ୍ତୁ। ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବୀମା ନେବା ପୂର୍ବରୁ କଣ କରିବେ। କେମିତି ଜାଣିବେ ଏହା ମୋ ପାଇଁ ଓ ମୋ ପରିବାର ପାଇଁ ସର୍ବୋତ୍ତମ ପ୍ଲାନ୍..

ରିସ୍କକୁ ଧ୍ୟାନରେ ରଖି ନିଅନ୍ତୁ ହେଲ୍‌ଥ ଇନସ୍ୟୁରାନ୍ସ 

ପଲିସି ନେବା ସମୟରେ ରିସ୍କକୁ ଧ୍ୟାନରେ ରଖି ପଲିସି ନିଅନ୍ତୁ। କିଛି ଏମିତି ରିସ୍କ ଅଛନ୍ତି ଯାହା କେତେବେଳେ ମଧ୍ୟ ଆସିପାରେ। ଯଦି ଆମେ ଏସବୁକୁ ଧ୍ୟାନରେ ରଖିବା ନାହିଁ ତେବେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଆପଣଙ୍କ ପରିବାରର ମୁଖ୍ୟ ଆୟକାରୀଙ୍କ ମୃତ୍ୟୁ ପରେ ପରିବାର କେମିତି ଚଳିବ ସେ କଥାର ଧ୍ୟାନ ରଖନ୍ତୁ। ଆଗକୁ ପିଲାଙ୍କ ପଢାଖର୍ଚ୍ଚ, ବିବାହ ଖର୍ଚ୍ଚ କଥା ମଧ୍ୟ ଧ୍ୟାନରେ ରଖନ୍ତୁ। ଘରେ ଯଦି ଅଚାନକ କେହି ଗମ୍ଭୀର ଭାବେ ଅସୁସ୍ଥ ହୋଇପଡ଼ନ୍ତି ତେବେ ତାଙ୍କ ଚିକିତ୍ସା ଖର୍ଚ୍ଚ କଥା ମଧ୍ୟ ଧ୍ୟାନରେ ରଖନ୍ତୁ। ରିସ୍କ କିଛି ମଧ୍ୟ ହୋଇପାରେ। କିନ୍ତୁ ଯଦି ଆମେ ଆଗରୁ ଏହାର ଧ୍ୟାନ ରଖିବା ତେବେ ଆମ ଭବିଷ୍ୟତ ସୁରକ୍ଷିତ ରହିବ।

ଭଲକିର ଦସ୍ତାବିଜ୍ ପନ୍ତୁ 

ବୀମା ଦେବାବେଳେ କମ୍ପାନି ଅନେକ ଦସ୍ତାବିଜ୍ ଦେଇଥାଏ। କିନ୍ତୁ ଆମେ ପ୍ରାୟତଃ ଏହାକୁ ପଢ଼ିନଥାଉ। ଏମିତିରେ ଆପଣ କମ୍ପାନର କିଛି ଏଭଳି ସର୍ତ୍ତକୁ ଅଜାଣତରେ ସ୍ୱିକାର କରନ୍ତି ଯାହା ଦ୍ୱାରା ଆପଣଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ କୌଣସି ହେଲ୍‌ଥ ଇନସ୍ୟୁରାନ୍ସ ନେବା ପୂର୍ବରୁ ସମ୍ବନ୍ଧିତ ଦସ୍ତାବିଜକୁ ଧ୍ୟାନର ସହ ପଢ଼ନ୍ତୁ। ଏହାର ସର୍ତ୍ତ ସବୁକୁ ଜାଣନ୍ତୁ। ଏହାସହ କେବଳ ଶସ୍ତା ପ୍ରିମିୟମ ବୋଲି ଗୋଟିଏ କମ୍ପାନିର ପଲିସିକୁ ନିଜ ପାଇଁ ବାଛନ୍ତୁ ନାହିଁ। କମ୍ପାନିର ରେକର୍ଡକୁ ଜାଣନ୍ତୁ। କମ୍ପାନି କେତେ କଷ୍ଟମର ଫ୍ରେଣ୍ଡଲି ତାହା ଜାଣି ନିଅନ୍ତୁ। ସବୁବେଳେ ଏଭଳି କମ୍ପାନିକୁ ବାଛନ୍ତୁ ଯାହାର କ୍ଲେମ୍ ରେଟ୍ ସର୍ବାଧିକ।

ଅତ୍ୟନ୍ତ ଜରୁରୀ ସ୍ୱାସ୍ଥ୍ୟ ବୀମା 

ଆପଣ କ’ଣ ସେହିମାନଙ୍କ ମଧ୍ୟରେ ସାମିଲ ଯେଉଁମାନେ ଭାବନ୍ତି ଯେ, ସ୍ୱାସ୍ଥ୍ୟ ବୀମା କେବଳ ବରିଷ୍ଠ ନାଗିରକଙ୍କ ପାଇଁ? କ’ଣ ଆପଣ ଜାଣିଛନ୍ତି କି ହସ୍ପିଟାଲର ଅପ୍ରତ୍ୟାସିତ ଖର୍ଚ୍ଚ ଭିତରେ ସ୍ୱାସ୍ଥ୍ୟ ବୀମା ବରଦାନ ସାବ୍ୟସ୍ତ ହୋଇପାରେ ଏବଂ ଯାହା ଆପଣଙ୍କ ସବୁ ଚିନ୍ତା ଦୂର କରିପାରେ? ଟିକେ ଏହି ଭୟାନକ ଚିତ୍ରର କଳ୍ପନା କରନ୍ତୁ। ଅଚାନକ ଆପଣ ହୃଦରୋଗରେ ପିଡ଼ିତ ବୋଲି ଜାଣନ୍ତି। ଚିକିତ୍ସା ଖର୍ଚ୍ଚ ୫ ଲକ୍ଷ ଟଙ୍କା ପଡ଼ିବ ବୋଲି ହସ୍ପିଟାଲରୁ ଆପଣ ଜାଣିବାକୁ ପାଇଲେ। ଆପଣ କ’ଣ ଚାହିଁବେ ନାହିଁ ଯେ, ଏହି ୫ ଲକ୍ଷ ରାଶି ମାସିକ ୩୦୦ ଟଙ୍କାର ମାମୁଲି ପ୍ରିମିୟମରେ କଭର ହୋଇଯାଉ? ନିଜ ପକେଟରୁ ଏହି ୫ ଲକ୍ଷ ଟଙ୍କା ଦେବା ଅପେକ୍ଷା ବୀମା ରାଶିରେ ଚିକିତ୍ସା କ’ଣ ଅଧିକ ଭଲ ନୁହେଁ କି? ଏହିଭଳି କିଛି କଥା ଆପଣଙ୍କୁ ସ୍ୱାସ୍ଥ୍ୟ ବୀମା କେତେ ଜରୁରୀ ତାହା କୁହେ।

ଲାଇଫ୍ ଷ୍ଟାଇଲ ରୋଗର କାରଣ 

ବିଳମ୍ବିତ ରାତି ଯାଏ କାମ କରିବା, ଜଙ୍କ୍‌ ଫୁଡ୍, ବ୍ୟୟାମ ନକରିବା ଓ ଅତ୍ୟଧିକ ଚାପ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଅଳ୍ପଦିନରେ ରୋଗୀ କରିଦିଏ। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟବୀମା ଅତ୍ୟନ୍ତ ଜରୁରୀ।

ନିଜକୁ ଗୁରୁତ୍ୱ ଦିଅନ୍ତୁ 

ଆଜିର ଜୀବନଶୈଳିରେ ଆମେ ସାମଗ୍ରୀ ଏକତ୍ରିତ କରିବାରେ ବିଶ୍ୱାସ କରୁଛୁ। ନିଜ ଅପେକ୍ଷା ବସ୍ତୁକୁ ମହତ୍ୱ ଦେଉଛୁ। ଉଣାଅଧିକେ ଆମେ ସମସ୍ତେ ବସ୍ତୁବାଦୀ ହୋଇଯାଇଛେ। ଏମିତିରେ ବ୍ୟକ୍ତି ପଛରେ ରହିଯାଇଛି, ଆଗକୁ ଆସିଯାଇଛି ବସ୍ତୁ। ଏହା ଆମେ ସମସ୍ତେ ଜାଣିଛୁ ଯେ, ଘର ମରାମତି କରିବାକୁ କାର ସଜାଡ଼ିବାକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। କିନ୍ତୁ କେବେ ଏହା ଚିନ୍ତା କରିଛନ୍ତି କି ଯଦି ଆପଣଙ୍କ ଦେହ ଖରାପ ହୋଇଯାଏ ତେବେ ତାକୁ ସଜାଡ଼ିବାକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଓ କେଉଁଠୁ ସେହି ଟଙ୍କା ଆସିବ? ତେଣୁ ପ୍ରଥମେ ନିଜ କଥା ଭାବନ୍ତୁ। ନିଜ ପାଇଁ ଓ ପରିବାର ପାଇଁ ସ୍ୱାସ୍ଥ୍ୟ ବୀମା ନିଅନ୍ତୁ।

ଗମ୍ଭୀର ରୋଗର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବୀମା ଜରୁରୀ

କ୍ୟାନସର, ହୃଦରୋଗ ଭଳି ଗମ୍ଭୀର ରୋଗର ଚିକିତ୍ସା ପାଇଁ ବଜାରରେ ମିଳୁଥିବା ସ୍ୱାସ୍ଥ୍ୟ ବୀମା ନିଅନ୍ତୁ। ଆକସ୍ମିକ ପରିସ୍ଥିତିରେ ସ୍ୱାସ୍ଥ୍ୟ ବୀମା କାମରେ ଆସିଥାଏ। ସ୍ୱାସ୍ଥ୍ୟ ବୀମା ହସ୍ପିଟାଲ ଚାର୍ଜ, ଔଷଧ ଖର୍ଚ୍ଚ ଓ ଡାକ୍ତରଙ୍କ ଫି’କୁ କଭର କରିଥାଏ।

କ୍ୟାସ୍ ଲେସ୍ କ୍ଲେମ୍ ବେନିଫିଟ୍ 

ହେଲ୍‌ଥ ଇନସ୍ୟୁରାନ୍ସ ନେବା ଦ୍ୱାରା କେବଳ ଗମ୍ଭୀର ରୋଗ କିମ୍ବା ଆକସ୍ମିକ ମେଡିକାଲ ଖର୍ଚ୍ଚରୁ ଆପଣଙ୍କୁ ମୁକ୍ତି ମିଳେନା। ଏହାମଧ୍ୟ ଲୋକଙ୍କୁ କ୍ୟାସଲେସ୍ କ୍ଲେମ୍ ବେନିଫିଟ୍ ଦେଇଥାଏ। ଏହାସହ ଆପଣ ଇନସ୍ୟୁରାନ୍ସ ନେଇ ଟ୍ୟାକ୍ସ ଛାଡ଼ର ଲାଭ ଉଠାଇ ପାରନ୍ତି।