ଜୀବନ ବୀମା ଜରୁରୀ, ତେବେ ନିଜ ଆବଶ୍ୟକତାକୁ ପ୍ରଥମେ ବୁଝନ୍ତୁ ଓ ସେହି ହିସାବରେ ନିଅନ୍ତୁ ବୀମା

ଜୀବନ ବୀମା

ଜୀବନ ବୀମାରେ କୌଣସି ବ୍ୟକ୍ତିଙ୍କ ଜୀବନର ବୀମା କରାଯାଇଥାଏ। ଜୀବନ ବୀମାର ଅର୍ଥ ହେଉଛି ବୀମା ଧାରକଙ୍କ ମୃତ୍ୟୁପରେ ତାଙ୍କ ଆଶ୍ରିତଙ୍କୁ କମ୍ପାନି ତରଫରୁ କ୍ଷତିପୁରଣ ମିଳିଥାଏ। ଯଦି ପରିବାର ମୁଖ୍ୟଙ୍କ ଅସମୟ ମୃତ୍ୟୁ ହୁଏ ତେବେ ପରିବାରର ଆର୍ଥିକ ସ୍ଥିତି ଭୁଷୁଡିପଡ଼େ। ଏଭଳି ପରିସ୍ଥିତିରେ ଜୀବନ ବୀମା ସାହାଯ୍ୟ କରିଥାଏ। ତେଣୁ ଆପଣ ଯଦି ପରିବାରର ମୁଖ୍ୟ ତେବେ ଆପଣଙ୍କ ଆର୍ଥିକ ରଣନୀତିର ସଭା ଉପରେ ଜୀବନ ବୀମା ନେବା ରହିବା ଜରୁରୀ।  ପ୍ରିମିୟମ

ଜୀବନ ବୀମା କରାଉଥିବା ଜଣେ ବ୍ୟକ୍ତିଙ୍କୁ ନିୟମିତ ସମୟ ବ୍ୟବଧାନରେ ପ୍ରିମିୟମ ଦେବାକୁ ପଡ଼ିଥାଏ। ତେବେ ଏହି ପ୍ରିମିୟମ ପ୍ରତି ବ୍ୟକ୍ତି ଭିନ୍ନ ହେବାର ସମ୍ଭାବନା ରହିଛି। ଆପଣଙ୍କୁ କେତେ ପ୍ରିମିୟମ ଦେବାକୁ ପଡ଼ିବ ତାହା ଆପଣ (୧)କେଉଁ କମ୍ପାନିଠାରୁ ବୀମା ନେଉଛନ୍ତି (୨) କେତେ ବୟସରେ ବୀମା କରାଉଛନ୍ତି  ତା’ ଉପରେ ନିର୍ଭର କରିଥାଏ। କୁହାଯାଏ ଯେ, କମ ବୟସରେ ବୀମା ନେଲେ ପ୍ରିମିୟମ କମ୍ ପଡ଼ିଥାଏ। ଆଉ ଏହ ସତ ମଧ୍ୟ।

ଏଥର ଆସନ୍ତୁ ଜାଣିବା ଜୀବନ ବୀମା କେତେ ପ୍ରକାରର ହୋଇଥାଏ

ଜୀବନ ବୀମା ୭ ପ୍ରକାରର ହୋଇଥାଏ।

. ଟର୍ମ ଇନସ୍ୟୁରାନ୍ସ

. ୟୁନିଟ୍ ଲିଙ୍କଡ୍ ପ୍ଲାନ୍(ULIPs)

. ଏଣ୍ଡାଓମେଣ୍ଟ ପ୍ଲାନ୍

. ମନି ବ୍ୟାକ୍ ପ୍ଲାନ୍

. ସଂପୂର୍ଣ୍ଣ ଜୀବନ ବୀମା(Whole life insurance )

. ଚାଇଲ୍ଡ ପ୍ଲାନ୍(Child plans)

. ରିଟାୟରମେଣ୍ଟ୍ ପ୍ଲାନ୍

ଟର୍ମ ଇନସ୍ୟୁରାନ୍ସ 

ଏହି ପ୍ଲାନ୍ ବାକି ବୀମା ପ୍ଲାନଠାରୁ ଶସ୍ତା ହୋଇଥାଏ। ଏଥିରେ ବୀମା ଧାରକଙ୍କୁ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ପ୍ରିମିୟମ ଦେବାକୁ ପଡ଼ିଥାଏ। ପ୍ରିମିୟମ ଦେବା ଅବଧିରେ ବୀମା ଧାରକଙ୍କ ମୃତ୍ୟୁ ହେଲେ ତାଙ୍କ ନୋମିନିଙ୍କୁ ଏକ ନିର୍ଦ୍ଦିଷ୍ଟ ଆୟ ମିଳିଥାଏ। ଏହା ମାସିକ ହୋଇପାରେ କିମ୍ବା ଏକକାଳୀନ ହୋଇପାରେ। ବୀମାଧାରକ ବୀମା ନେବା ବେଳେ ଯଦି ମାସିକ ଆୟ ବିକଳ୍ପ ବାଛିଥିବେ ତେବେ ତାଙ୍କ ଅନ୍ତେ ତାଙ୍କ ପରିବାରକୁ ମାସିକ ଆୟ ମିଳିବ କିମ୍ବା ଯଦି ସେ ଏକକାଳୀନ ରାଶି ବିକଳ୍ପ ବାଛିଥିବେ ତେବେ ତାଙ୍କ ପରିବାରକୁ ଏକାଥରକେ ବୀମା ରାଶି ମିଳିବ। ଏହି ପ୍ଲାନ ବର୍ତ୍ତମାନ ଅଧିକ ଲୋକପ୍ରିୟ ହେବାରେ ଲାଗିଛି କାରଣ ଏଥିରେ କମ ପ୍ରିମିୟମରେ ଜଣେ ଅଧିକ ଟଙ୍କାର ବୀମା ନେଇ ପାରିବେ। ମାସିକ ୪୩୮(ସର୍ତ୍ତ ସହ) ଟଙ୍କାରେ କିଛି ବୀମା କମ୍ପାନି ୧ କୋଟିର ଟର୍ମ ପ୍ଲାନ୍ ଦେଉଛନ୍ତି।

ୟୁନିଟ୍ ଲିଙ୍କଡ୍ ପ୍ଲାନ୍( ULIPs)

ୟୁଲିପ୍ ପ୍ଲାନ୍ ଲାଇଫ୍ ରିସ୍କ କଭର ଦେବା ସହ ନିବେଶ ମଧ୍ୟ କରିଥାଏ। ଯେଉଁମାନେ ଜୀବନ ବୀମା କଭର ସହ ନିବେଶ କରିବାକୁ ଚାହାନ୍ତି ସେମାନେ ୟୁଲିପକୁ ବାଛିପାରନ୍ତି। ଆପଣ ଏହି ପ୍ଲାନରେ ଦେଉଥିବା ପ୍ରିମିୟମର କିଛି ଭାଗ ଜୀବନ ବୀମାକୁ ଯାଇଥାଏ ବାକି ମାର୍କେଟ୍ ଫଣ୍ଡରେ ନିବେଶ ହୋଇଥାଏ। ବଜାର ବାବଦରେ ଧାରଣା ନଥିବା ବ୍ୟକ୍ତି ଏଥିରେ ସାମିଲ ହୋଇ ଜୀବନ ବୀମାର ସୁରକ୍ଷା ସହ ବଜାରରେ ନିବେଶ କରି ନିଜ ସମ୍ପଦ ବୃଦ୍ଧି କରିପାରିବେ। ଏହାର ପ୍ରିମିୟମ ଟର୍ମ ଇନସ୍ୟୁରାନ୍ସଠାରୁ ଟିକିଏ ଅଧିକ ହୋଇଥାଏ।

ଏଣ୍ଡାଓମେଣ୍ଟ୍ ପ୍ଲାନ୍

ଏହି ପ୍ଲାନକୁ ୟୁଲିପ୍ ଓ ଟର୍ମ ପ୍ଲାନଠାରୁ ଅଧିକ ଭଲ ବୋଲି କୁହାଯାଇଥାଏ। ଏହାର ପ୍ରିମିୟମ ମଧ୍ୟ ବାକି ଦୁଇ ପ୍ଲାନର ପ୍ରିମିୟମଠାରୁ ଅଧିକ ହୋଇଥାଏ। ଏହି ପ୍ଲାନରେ ମଧ୍ୟ  ପ୍ରିମିୟମର ଏକ ନିର୍ଦ୍ଦିଷ୍ଟ ରାଶି ଲାଇଫ୍ ରିସ୍କ କଭରକୁ ଯାଇଥାଏ ଓ ବାକି ଟଙ୍କା ବଜାରରେ ନିବେଶ ହୋଇଥାଏ। ଏହି ପ୍ଲାନ୍ ପଲିସି ଧାରକଙ୍କୁ ଏକ ନିର୍ଦ୍ଦିଷ୍ଟ ବୟସ ପରେ ଅର୍ଥାତ ପଲିସି ମ୍ୟାଚୁର ହେବା ପରେ କିଛି ଅର୍ଥ ମ୍ୟାଚୁରିଟି ବେନିଫିଟ୍ ଭାବେ ଦେଇଥାଏ। ପଲିସି ଚାଲିଥିବା ବେଳେ ଯଦି ପଲିସି ଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ନୋମିନିଙ୍କୁ ଲାଇଫ୍ ରିସ୍କ କଭର ଭାବେ ମିଳିବାକୁ ଥିବା ରାଶି ଦିଆଯାଇଥାଏ ଓ ବୋନସ ମଧ୍ୟ ମିଳିଥାଏ।

ମନି ବ୍ୟାକ୍ ଲାଇଫ୍ ଇନସ୍ୟୁରାନ୍ସ ପ୍ଲାନ୍

ମନି ବ୍ୟାକ୍ ପ୍ଲାନରେ ପଲିସି ଧାରକଙ୍କୁ ପୂର୍ବ ନିର୍ଦ୍ଧାରିତ ଅନ୍ତରାଳରେ କିଛି ଅର୍ଥରାଶି କମ୍ପାନି ଦ୍ୱାରା ଦିଆଯାଇଥାଏ। ମଝିରେ ମଝିରେ ପଲିସି ଧାରକଙ୍କୁ ମିଳୁଥିବା ଏହି ରାଶିକୁ ସର୍ଭାଇଭାଲ ବେନିଫିଟ୍ କୁହାଯାଇଥାଏ। ଏହି ପଲିସି ସର୍ଟ ଟର୍ମ ନିବେଶ ଭାବେ କାମ କରିଥାଏ। ମନିବ୍ୟାକ୍ ପଲିସିର ପ୍ରିମିୟମ ଟର୍ମ, ୟୁଲିପ୍, ଏଣ୍ଡାଉମେଣ୍ଟ୍ ପ୍ଲାନଠାରୁ ଅଧିକ ହୋଇଥାଏ।

ସଂପୂର୍ଣ୍ଣ ଜୀବନ ବୀମା(Whole Life insurance Plan)

କମ ପ୍ରିମିୟମରେ ଏହି ପ୍ଲାନରେ ଅଧିକ ସମୟ ପର୍ଯ୍ୟନ୍ତ ଲାଇଫ୍ ରିସ୍କକୁ କଭର କରିଥାଏ। ଏହାର ଅବଧି ଅତିକମରେ ୧୦୦ ବର୍ଷ ହୋଇଥାଏ। ପଲିସି ଧାରକଙ୍କୁ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଲେ ଅର୍ଥାତ ପଲିସି ମ୍ୟାଚୁର ହେଲେ ମ୍ୟାଚୁରିଟି ବେନିଫିଟ୍ ମିଳିଥାଏ। ଏହି ପ୍ଲାନ୍ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଲାଇଫ୍ ରିସ୍କ କଭର ଦେଇଥାଏ। ତେଣୁ ଯେଉଁ ଗ୍ରାହକ ଲମ୍ବା ସମୟ ପର୍ଯ୍ୟନ୍ତ କଭର ଚାହାନ୍ତି ସେମାନେ ଏହାକୁ ବାଛିଥାନ୍ତି।

ଚାଇଲ୍ଡ ପ୍ଲାନ୍

ନିଜ ସନ୍ତାନର ସୁରକ୍ଷିତ ଭବିଷ୍ୟତ ପାଇଁ ଆପଣ ଏହି ପ୍ଲାନକୁ ନେଇ ପାରିବେ। ପିଲାଙ୍କ ପଢ଼ା ଓ ବିବାହ ସମୟରେ ଏହି ପ୍ଲାନ୍ କାମରେ ଆସିଥାଏ। ଏହି ପଲିସି ପାଇଁ ଆପଣ ବାର୍ଷିକ ପ୍ରିମିୟମ ଦେଇ ପାରିବେ କିମ୍ବା ଏକକାଳୀନ ଥରୁଟିଏ ପ୍ରିମିୟମ ଦେବେ। ଏହା କମ୍ପାନିର ପ୍ଲାନ୍ ଉପରେ ନିର୍ଭର କରିଥାଏ।

ରିଟାୟରମେଣ୍ଚ ପ୍ଲାନ୍

ରିଟାୟରମେଣ୍ଟ ପ୍ଲାନକୁ ପେନସନ୍ ପ୍ଲାନ୍ ବୋଲି ମଧ୍ୟ କୁହାଯାଇଥାଏ। ଏହି ପ୍ଲାନ ନେଇଥିବା ବ୍ୟକ୍ତିଙ୍କୁ ୬୦ ବର୍ଷ ପରେ ପେନସନ୍ ମିଳିଥାଏ। ଏହି ପେନସନ୍ ବାର୍ଷିକ କିମ୍ବା ଏକକାଳୀନ ମିଳିଥାଏ। ତେବେ ଯଦି ପଲିସି ଧାରକଙ୍କ ମୃତ୍ୟୁ ପଲିସି ମ୍ୟାଚୁର ହେବା ପୂର୍ବରୁ ହୋଇଯାଏ ତେବେ ନୋମିନିଙ୍କୁ ପୂର୍ବନିର୍ଦ୍ଧାରିତ ଆମାଉଣ୍ଟ୍ ମିଳିଥାଏ।