ମ୍ୟୁଚୁଆଲ ଫଣ୍ଡ୍  ୟୁନିଟକୁ ରିଡିମ୍ କରିବା ପ୍ରକ୍ରିୟା କ’ଣ ? ରିଡିମ୍ କଲେ ୟୁନିଟ୍ ପିଛା କେତେ ଟଙ୍କା ପାଇବେ?

ମ୍ୟୁଚୁଆଲ ଫଣ୍ଡ୍‌କୁ ନିବେଶକ ଅଧିକ ଗୁରୁତ୍ୱ ଦେଉଛନ୍ତି କାରଣ ହେଉଛି ଏଥିରେ ସେୟାର ମାର୍କେଟଠାରୁ କମ ରିସ୍କ ଥାଏ। ସେୟାର  ବଜାର ବାବଦରେ କମ ଜ୍ଞାନ ଥିବା ବା ବିଲକୁଲ ଅନଭିଜ୍ଞ ଥିବା ବ୍ୟକ୍ତି ଏଥିରେ କମ ରିସ୍କରେ ନିବେଶ କରିପାରିବେ। ଏହା ସହ ଆଉ ଗୋଟିଏ କାରଣ ପାଇଁ ମ୍ୟୁଚୁଆଲ ଫଣ୍ଡ୍‌କୁ ନିବେଶକ ଗୁରୁତ୍ୱ ଦେଇଥାନ୍ତି ତାହା ହେଲା ଏହାର ୟୁନିଟକୁ ଜଣେ ନିବେଶକ ସହଜରେ ରିଡିମ୍ ବା ଭଙ୍ଗାଇ ଟଙ୍କା ଆଣି ପାରିବେ। ତେବେ କେମିତି ଆପଣ ନିଜ ମ୍ୟୁଚୁଆଲ ଫଣ୍ଡ୍ ୟୁନିଟକୁ ରିଡିମ୍ କରି ପାରିବେ? ଏହା ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ମ୍ୟୁଚୁଆଲ ଫଣ୍ଡ୍‌ରେ ୟୁନିଟ୍ କ’ଣ ?

ମ୍ୟୁଚୁଆଲ ଫଣ୍ଡ୍ ୟୁନିଟ୍ କ’ଣ?

ମ୍ୟୁଚୁଆଲ ଫଣ୍ଡ୍ ର ଗୋଟିଏ ସେୟାର  ହେଉଛି ୟୁନିଟ୍। ଯେତେବେଳେ ଆପଣ ଗୋଟିଏ ମ୍ୟୁଚୁଆଲ ଫଣ୍ଡ୍ ରେ ନିବେଶ କରନ୍ତି ସେତେବେଳେ ଆପଣ ସେହି ଫଣ୍ଡ୍ ର ଗୋଟିଏ ୟୁନିଟ୍ କିଣନ୍ତି।  ଯେତିକି ଟଙ୍କା ଦେଇ ଆପଣ ସେହି ୟୁନିଟକୁ କିଣନ୍ତି ତାହାକୁ ନେଟ୍ ଆସେଟ୍ ଭାଲ୍ୟୁ ବା ନାଭ୍ କୁହନ୍ତି। 

ମ୍ୟୁଚୁଆଲ ଫଣ୍ଡ୍  ୟୁନିଟ୍ ରିଡେମ୍ପସନ୍ ପ୍ରକ୍ରିୟା କ’ଣ  ?

ବ୍ୟାଙ୍କ ଖୋଲା ଥିବା ଯେକୌଣସି ଦିନ ଆପଣ କୌଣସି ମ୍ୟୁଚୁଆଲ ଫଣ୍ଡ୍  ସ୍କିମର ୟୁନିଟକୁ ରିଡିମ୍ କରିପାରିବେ। ଯଦି ଆପଣ ଅଫିସକୁ ଯାଇ ରିଡେମ୍ପସନ କରିବାକୁ ଚାହାନ୍ତି ତେବେ ଏଥିପାଇଁ ଟ୍ରାଞ୍ଜାକ୍ସନ ସ୍ଲିପର ଆବଶ୍ୟକତା ପଡ଼ିବ। ଏହାକୁ ଆପଣ ଫଣ୍ଡ୍  ହାଉସ ୱେବସାଇଟରୁ ଡାଉନ୍ ଲୋଡ୍ କରିପାରିବେ।  କିମ୍ବା ନିଜ ଆକାଉଣ୍ଟ ଷ୍ଟେଟମେଣ୍ଟର ଶେଷ ଭାଗରେ ଥିବା ଅଂଶକୁ କାଟିକରି ପୁରଣ କରିପାରିବେ। ଏହି ସ୍ଲିପକୁ ପୁରଣ କରି ମ୍ୟୁଚୁଆଲ ଫଣ୍ଡ୍  ଅଫିସରେ ଜମା କରନ୍ତୁ। କିମ୍ବା ଆପଣ ଅନଲାଇନ୍ ମଧ୍ୟ ରିଡେମ୍ପସନ୍ କରିପାରିବେ।

ୟୁନିଟକୁ ରିଡିମ୍ କରିଲେ କେତେ ଟଙ୍କା ମିଳିବ, କେମିତି ଜାଣିବେ?

ଆପଣଙ୍କ ନିବେଶର ଆନୁମାନିକ ମୁଲ୍ୟକୁ ହିସାବ  କରିବା ଅତ୍ୟନ୍ତ ସହଜ। ଆପଣଙ୍କ ପାଖରେ ଯେତିକି ୟୁନିଟ୍ ରିଡିମ୍ କରିବା ଦିନ ଅଛି ତାକୁ ସେହିଦିନର ନେଟ୍ ଆସେଟ୍ ଭ୍ୟାଲୁ(ନାଭ୍) ସହ ଗୁଣନ କରନ୍ତୁ। ଗୁଣଫଳ ଯେତିକି ରହିବ ଆନୁମାନିକ ଆପଣ ସେତିକି ଟଙ୍କା ପାଇବେ। ତେବେ ଏହା ଏଗଜିଟ୍ ଲୋଡ୍ (ଯଦି ଲାଗୁ ହୋଇଥାଏ) ଉପରେ ନିର୍ଭର କରିଥାଏ। କୌଣସି ଫଣ୍ଡ୍ ରୁ ଯିଦ ସମୟ ପୂର୍ବରୁ ଆପଣ ବାହାରି ଯାନ୍ତି ତେବେ ଆପଣଙ୍କୁ ପେନାଲ୍‌ଟି ବାବଦରେ ଏଗଜିଟ୍ ଲୋଡ୍ ଦେବାକୁ ହୁଏ। ଏହାସହ ଆପଣ କେତେ ଟଙ୍କା ରିଡିମ୍ କରିବା ପରେ ପାଇବେ ,  ତାହା ରିଡିମ୍ ଅନୁରୋଧ କରିବା ଦିନ ଓ ସମୟ ଉପରେ ମଧ୍ୟ ନିର୍ଭର କରିଥାଏ। ଉଦାହରଣ ସ୍ୱରୁପ ଯଦି ଆପଣ କୌଣସି ବିଜନେସ୍ ଡେ’ର କଟ୍ ଅଫ୍ ଟାଇମ୍ ପୂର୍ବରୁ ରିଡେମ୍ପସନ ଦରଖାସ୍ତ ଦେଇଛନ୍ତି ତେବେ ଆପଣ ସେହିଦିନର ନାଭ୍ ମୁଲ୍ୟ ପାଇବାକୁ ହକଦାର ହେବେ। ଏଥିସହିତ ଏହା ସିକ୍ୟୁରିଟିଜ୍ ଟ୍ରାଞ୍ଜାକସନ ଟ୍ୟାକ୍ସ (ଏସଟିଟି) ଉପରେ ମଧ୍ୟ ନିର୍ଭର କରିଥାଏ।

ରିଡେମ୍ପସନର କେତେ ଦିନରେ ଟଙ୍କା ମିଳେ?

ଲିକ୍ୱିଡ୍ ଓ ଡେବ୍ଟ ୟୁନିଟସ ପାଇଁ ରିଡେମ୍ପସନ୍ ପ୍ରକ୍ରିୟା ଦୁଇ ଦିନରେ ପୁରା ହୋଇଯାଇଥାଏ। ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ୍  କ୍ଷେତ୍ରରେ ୪ରୁ ୫ କାର୍ଯ୍ୟଦିବସରେ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିଥାଏ।

ରିଡେମ୍ପସନର ପାଇଁ ନିବେଶକଙ୍କୁ କ’ଣ  ଚାର୍ଜେସ ଦେବାକୁ ପଡେ ?

ସାଧାରଣତଃ ଅଧିକାଂଶ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ୍  ସ୍କିମରେ ଏଭଳି ୟୁନିଟକୁ କିଣିବାର ବର୍ଷକ ଭିତରେ ଯଦି ଆପଣ ନିଜ୍ ୟୁନିଟକୁ ରିଡିମ୍ କରୁଛନ୍ତି ତେବେ ଆଫଣଙ୍କୁ ୧ ପ୍ରତିଶତ ପର୍ଯ୍ୟନ୍ତ ଏଗଜିଟ୍ ଲୋଡ୍ ଦେବାକୁ ପଡେ। ଲିକ୍ୱିଡ୍ ଅଥବା ଅଲଟ୍ରା ସର୍ଟ୍ ଟର୍ମ ଫଣ୍ଡ୍ ସରେ କିଛି ମଧ୍ୟ ଏଗଜିଟ୍ ଲୋଡ୍ ପଡେନାହିଁ।ଏମିତିରେ ଯଦି ଆପଣ କୌଣସି ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ୍ ହୋଲ୍‌ଡ କରୁଛନ୍ତି  ଓ ତାକୁ ବର୍ଷେ ପୁରଣ ହେବା ପୂର୍ବରୁ ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ଏଗଜିଟ୍ ଲୋଡକୁ ନାଭ୍ ବା ନେଟ୍ ଆସେଟ୍ ଭ୍ୟାଲୁରୁ ଫେଡାଯିବ। ତା’ପରେ ଯାହ ବଳିବ ତାହା ହେବ ଆପଣଙ୍କ ୟୁନିଟ୍ ପ୍ରାଇସ୍।

ରିଡେମ୍ପସନ ପରେ ମୁଁ ଟଙ୍କା କେମିତି ପାଇବି ?

ରିଡେମ୍ପସନ ପରେ ଆପଣଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଏ। ନିବେଶକ ମ୍ୟୁଚୁଆଲ ଫଣ୍ଡ୍ କରିବା ସମୟରେ ଫଣ୍ଡ୍  ହାଉସକୁ ଯେଉଁ ବ୍ୟାଙ୍କ ଖାତା ନମ୍ବର, ଆଇଏଫସି କୋର୍ଡ ଦେଇଥାନ୍ତି ସେହି ଖାତାରେ ରିଡେମ୍ପସନ ଟଙ୍କା ଜମା ହୋଇଥାଏ। ଆରଟିଜିଏସ କିମ୍ବା ଏନଇଏଫଟି ମାଧ୍ୟମରେ ଟଙ୍କା ନିବେଶକଙ୍କ ଆକାଉଣ୍ଟକୁ ଯାଇଥାଏ। ଯଦି ଫଣ୍ଡ୍  ହାଉସ ପାଖରେ ଆପଣଙ୍କ ବ୍ୟାଙ୍କ ଆକଉଣ୍ଟର ବିବରଣୀ ନଥାଏ ତେବେ ଆପଣଙ୍କ ଠିକଣାରେ ଚେକ୍ ଯିବ।