ଆପଣ ଓ ଆପଣଙ୍କ ପରିବାର ପର୍ଯ୍ୟାପ୍ତ ଭାବେ ବୀମା କଭର ଭିତରକୁ ଆସୁଛନ୍ତି କି ନାହିଁ ତାହା ବର୍ଷ ଆରମ୍ଭରେ ଦେଖିନିଅନ୍ତୁ।

  • ଇନସ୍ୟୁରାନ୍ସ କଭରର ଆକାର ଉପରେ ଧ୍ୟନ ଦିଅନ୍ତୁ ଓ ନିଜ ନୂଆ ଆବଶ୍ୟକତା ଅନୁସାରେ ଏହାକୁ ବଢାଇବା ପାଇଁ ଚେଷ୍ଟା କରନ୍ତୁ।
  • ଆପଣଙ୍କ ଇନସ୍ୟୁରାନ୍ସ ଆପଣଙ୍କ ନୂଆ ଜୀବନଶୈଳି ଅନୁସାରେ ହେବା ଆବଶ୍ୟକ।
  • ଆପଣଙ୍କ ଟର୍ମ ଇନସ୍ୟୁରାନ୍ସ ସେତିକି ହେବା ଆବଶ୍ୟକ ଯାହା ଆପଣଙ୍କ ଆୟର ଅଭାବକୁ ପୁରା କରି ପାରିବ।
  • ଭବିଷ୍ୟତର ଆବଶ୍ୟକତା ଉପରେ ଧ୍ୟାନ ରଖିବା ସହ ହେଲ୍‌ଥ କଭର ଆକାରର ଆକଳନ ମଧ୍ୟ କରନ୍ତୁ।

ଗତ ବର୍ଷ ନିହାତି ଭାବେ ଆପଣଙ୍କ ଜୀବନଶୈଳିରେ କିଛି ପରିବର୍ତ୍ତନ ଆସିଥିବ। ହୁଏତ ଆପଣଙ୍କ ପରିବାରର ଆକାର ବଢିଥିବ, ଆପଣଙ୍କ ଉପରେ ନୂଆ ଦାୟିତ୍ୱ ଆସିଥିବ କିମ୍ବା ଆପଣଙ୍କ ଆର୍ଥିକ ଖର୍ଚ୍ଚ ମଧ୍ୟ ବଢ଼ିଥାଇ ପାରେ। ତେଣୁ ନୂଆ ବର୍ଷ ଆରମ୍ଭରେ ନିଜ ବୀମା ଆବଶ୍ୟକତାର ପୁଣି ଥରେ ସମୀକ୍ଷା କରନ୍ତୁ। ଆପଣ ଓ ଆପଣଙ୍କ ପରିବାର ତଥା ଘର, ସମ୍ପତ୍ତି ପର୍ଯ୍ୟାପ୍ତ ଭାବେ ବୀମା ଭୁକ୍ତ କି ନାହିଁ ତାହ ଜାଣିବା ନିହାତି ଆବଶ୍ୟକ।  ନିଜ ବୀମା ଆବଶ୍ୟକତାର ସମୀକ୍ଷା କରିବା ବେଳେ ୨୦୧୯ରେ ଆପଣଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଓ ୨୦୨୦ରେ ଆସିବାକୁ ଥିବା ସମ୍ଭାବ୍ୟ ପରିବର୍ତ୍ତନ ବାବଦରେ ଅନୁମାନ ଲଗାନ୍ତୁ। ଯାହା ଆପଣଙ୍କୁ ଇନସ୍ୟୁରାନ୍ସ ପ୍ରଡକ୍ଟର କଭର ଓ ଆକାର ତଥା ପ୍ରକାର ପାଇଁ ଅନୁମାନ ଲଗାଇବାରେ ଆପଣଙ୍କୁ ସାହାଯ୍ୟ କରିବ।

ନିଜ ଇନସ୍ୟୁରାନ୍ସ ପ୍ରଡକ୍ଟ କଭରର ସମୀକ୍ଷା ବେଳେ ଧ୍ୟାନଯୋଗ୍ୟ ପ୍ରସଙ୍ଗ

ହେଲ୍ଛ ଓ ଲାଇଫ୍ କଭରର ସମୀକ୍ଷା କରିବା ବେଳେ ଏହାର ଆକାର ଉପରେ ଧ୍ୟାନ ଦିଅନ୍ତୁ। ନୂଆ ଆବଶ୍ୟକତା ଅନୁସାରେ ତାକୁ ବଢାଇବାକୁ ଚେଷ୍ଟା କରନ୍ତୁ। ଏହାଛଡ଼ା ଚାଲିଥିବା ପଲିସି କେତେ ପର୍ଯ୍ୟାପ୍ତ, ପ୍ରିମିୟମ ଦେବାରେ ଆପଣଙ୍କ ସାମର୍ଥ୍ୟ ବିଷୟରେ ଚିନ୍ତା କରନ୍ତୁ। ନିଜ ଆବଶ୍ୟକତା ଅନୁସାରେ ଚାଲିଥିବା ପଲିସିରେ ପରିବର୍ତ୍ତନ ଆଣନ୍ତୁ। କଭରେଜକୁ ବଢାନ୍ତୁ କିମ୍ବା କମାନ୍ତୁ। ଇନସ୍ୟୁରାନ୍ସ କମ୍ପାନିକୁ ବଦଳାଇବା ଜରୁରୀ ଭାବିଲେ ବଦଳାନ୍ତୁ। କିମ୍ବା ଜାରି ଥିବା ପଲିସିରୁ ବାହାରି ପାରନ୍ତି। ଫଳରେ ଆପଣଙ୍କୁ ପ୍ରିମିୟମ ଖର୍ଚ୍ଚ କମ କରିବାରେ କିମ୍ବା ବଡ କଭରେଜ୍ ପାଇ ପାରିବେ। ତେବେ ଡେରି କରନ୍ତୁ ନାହିଁ ତୁରନ୍ତ ନିଜ ପଲିସି କାଗଜ ବାହାର କରନ୍ତୁ ଓ ଦେଖନ୍ତୁ ଯେ, ଆପଣଙ୍କ ପାଇଁ ସେହି ପଲିସି କେତେ ଲାଭଦାୟକ। ସମୀକ୍ଷା କରନ୍ତୁ ଓ ୨୦୨୦ରେ ଯଦି ଆବଶ୍ୟକ ହୁଏ ତେବେ ନୂଆ ପଲିସି ନିଅନ୍ତୁ ଓ ପୁରୁଣା ପଲିସିରୁ ବାହାରି ଆସନ୍ତୁ।

ଖର୍ଚ୍ଚ ସହ ପରିବର୍ତ୍ତିତ ଲାଇଫ୍ ଷ୍ଟାଇଲର ଆକଳନ କରନ୍ତୁ

ପ୍ରତିବର୍ଷ ବଜାର ଦର ବଢ଼େ। ତା’ସହ ବଢେ ଆପଣଙ୍କ ନିୟମିତ ଖର୍ଚ୍ଚ। ଏହାର ଅର୍ଥ ହେଉଛି ଆପଣଙ୍କ ଇନସ୍ୟୁରାନ୍ସ ଆପଣଙ୍କ ନୂଆ ଆୟ ଓ ଲାଇଫ୍ ଷ୍ଟାଇଲ ଅନୁରୁପ ହେବା ଆବଶ୍ୟକ। ଏଥିପାଇଁ ଆପଣଙ୍କୁ ନିଜ ଇନସ୍ୟୁରାନ୍ସ ପଲିସିରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ ତଥା ନୂଆକରି ପୁଣିଥରେ ହିସାବ କରିବାକୁ ପଡ଼ିବ। ଉଦାହରଣ ସ୍ୱରୁପ ଆପଣଙ୍କ ଟର୍ମ ଲାଇଫ୍ ଇନସ୍ୟୁରାନସ୍ କଭର ସେତିକି ହେବା ଆବଶ୍ୟକ ଯେତିକି ଆପଣଙ୍କ ଅନୁପସ୍ଥିତିରେ ମଧ୍ୟ ଆପଣଙ୍କ ପରିବାରକୁ ଆୟର ଅଭାବ ଅନୁଭୁତ ହେବନାହିଁ। ବର୍ତ୍ତମାନର ଲାଇଫ୍ ଷ୍ଟାଇଲକୁ ବଜାୟ ରଖିବାକୁ ଆପଣଙ୍କୁ ନିଜର ବୀମା କଭରକୁ ପୁଣିଥରେ ସମୀକ୍ଷା କରିବାକୁ ପଡ଼ିବ। ଆପଣଙ୍କ ଅସମୟ ମୃତ୍ୟୁରେ ଉପଯୁକ୍ତ ଟର୍ମ ଇନସ୍ୟୁରାନ୍ସ ଆପଣଙ୍କ ପରିବାରକୁ ଏକ ସୁରକ୍ଷିତ ନିୟମିତ ଆୟ ଦେବ।

ନିଜ ହେଲ୍‌ଥ ଇନସ୍ୟୁରାନ୍ସ ଉପରେ ପୁଣିଥରେ ନଜର ପକାଇବା ବେଳେ ମେଡିକାଲ ଖର୍ଚ୍ଚର କେତେ ବଢୁଛି ତା’ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ଯଦି ଆପଣ ୪୦ କିମ୍ବା ୫୦ ବର୍ଷ ବୟସ ଗ୍ରୁପରେ ଆସୁଛନ୍ତି ତେବେ ଭବିଷ୍ୟତର ଆବଶ୍ୟକତା ଉପରେ ନଜର ରଖିବା ସହ ବର୍ତ୍ତମାନ ହେଲ୍ଥ କଭରର ଆକାରର ଆକଳନ କରନ୍ତୁ। ବୟସ ବଢିବା ସହ ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ରହିଛି। ଫଳରେ ପରେ ଆପଣଙ୍କୁ ହେଲ୍‌ଥ କଭର ବଢାଇବାରେ ଅସୁବିଧା ହୋଇପାରେ। ଡେରିରେ ହେଲ୍‌ଥ କଭର ନେଉଥିବା ବ୍ୟକ୍ତିଙ୍କୁ ହେଲ୍‌ଥ ଚେକ୍ ଅପ୍ କରିବାକୁ ପଡିଥାଏ। ଅଧିକ ପ୍ରିମିୟମ ଦେବାକୁ ପଡ଼ିଥାଏ। କିମ୍ବା ଆଗରୁ ଥିବା ରୋଗର କଭରେଜ୍ ପାଇବା ପାଇଁ ଅଧିକ ସମୟ ପାଇଁ ୱେଟିଂ ପିରିୟଡରେ ରହିବାକୁ ପଡ଼ିବ। ତେଣୁ ନିଜ ହେଲ୍‌ଥ ଇନସ୍ୟୁରାନ୍ସ କଭରେଜ୍ ବଢାଇବାକୁ ଚେଷ୍ଟା କରନ୍ତୁ।

ଯଦି ଆପଣ ବାପା କିମ୍ବା ମା’ ହୋଇଛନ୍ତି ତେବେ ତୁରନ୍ତ ହେଲ୍‌ଥ ପଲିସି ଅପଡେଟ୍ କରନ୍ତୁ

ଯଦି ଏହି ବର୍ଷ ଆପଣ ପ୍ରଥମ କରି ବାପା କିମ୍ବା ମା’ ହୋଇଛନ୍ତି ତେବେ ତୁରନ୍ତ ନିଜ ହେଲ୍‌ଥ ପଲିସି ଅପଡେଟ୍ କରନ୍ତୁ। ପିଲାକୁ ହେଲ୍‌ଥ କଭର ଭିତରେ ସାମିଲ କରିବା ପାଇଁ ଆପଣଙ୍କୁ ଫ୍ଲୋଟର ହେଲ୍‌ଥ ପଲିସିରେ ନବଜାତ ଶିଶୁକୁ ସାମିଲ କରିବାକୁ ପଡ଼ିବ। ଆପଣ ମାତ୍ର ଅଳ୍ପ ପ୍ରିମିୟମ ଦେଇ ରିନ୍ୟୁଆଲ ସମୟରେ କିମ୍ବା ରିନ୍ୟୁଆଲ ପୂର୍ବରୁ ନବଜାତ ଶିଶୁର ନାମ ପଲିସିରେ ସାମିଲ କରିପାରିବେ। ଇନସ୍ୟୁରାନ୍ସ କମ୍ପାନି ସାଧାରଣତଃ ଶିଶୁକୁ ତିନି ମାସ ହେବା ପରେ ତାକୁ କଭର ଦେଇଥାନ୍ତି। ତେଣୁ ନିଜ ହେଲ୍‌ଥ ପଲିସିରେ ଶିଶୁକୁ ସାମିଲ କରିବାକୁ ଭୁଲନ୍ତୁ ନାହିଁ।

ମୁଣ୍ଡ ଉପରେ ବଡ କରଜ ବୋଝ!

ଯଦି ଆପଣ ୨୦୧୯ରେ କୌଣସି ବଡ଼ ଲୋନ୍ ନେଇଛନ୍ତି ତେବେ ନିଜ ପରିବାର ପ୍ରତି ଆପଣଙ୍କ ଆର୍ଥିକ ଉତ୍ତରଦାୟିତ୍ୱ ଅଧିକ ବଢ଼ିଯିବ। ଏବେ ଆପଣ ଯେଉଁ ଇନସ୍ୟୁରାନ୍ସ ପଲିସି ନେଇଛନ୍ତି ତାହା ଆପଣଙ୍କ ପରିବାର ପାଇଁ ଯଥେଷ୍ଟ ହେବ ନାହିଁ। କାରଣ ଆପଣଙ୍କ ଅସମୟ ମୃତ୍ୟୁରେ  ଲୋନ୍ ଶୁଝିବା ବୋଝ ଆପଣଙ୍କ ପରିବାର ଉପରେ ପଡିବ। ତେଣୁ ନିଜ ଜୀବନବୀମା କଭରେଜକୁ ବଢାଇବାକୁ ଚେଷ୍ଟା କରନ୍ତୁ।  ଅତିକମରେ ନିଜ ଇନସ୍ୟୁରାନ୍ସ କଭରେଜରେ ଏତିକି ବୃଦ୍ଧି କରନ୍ତୁ ଯେତିକି ଟଙ୍କାରେ ଆପଣଙ୍କ ଲୋନ୍ ଶୁଝାଯାଇପାରିବ। ଫଳରେ ଆପଣଙ୍କ ଅସମୟ ମୃତ୍ୟୁରେ ବୀମାରୁ ମିଳିବାକୁ ଥିବା ଟଙ୍କାରେ ପରିବାର ଆପଣଙ୍କ ଲୋନ୍ ଶୁଝି ପାରିବ।

ପ୍ରିମିୟମ ସାମର୍ଥ୍ୟ ଓ ପଲିସି ସର୍ତ୍ତ

ଆପଣଙ୍କ ଇନସ୍ୟୁରାନ୍ସ ଆପଣଙ୍କୁ ପର୍ଯ୍ୟାପ୍ତ କଭରେଜ୍ ଦେଉଛି କି? ସେହି ଏକାଭଳି କଭରେଜ୍ ଦେଉଥିବା ଇନସ୍ୟୁରାନ୍ସ ପ୍ରଡକ୍ଟ ତୁଳନାରେ ଆପଣଙ୍କ ପ୍ରଡକ୍ଟର ପ୍ରିମିୟମ ଅଧିକ କି କମ୍? ଆପଣଙ୍କ କୌଣସି ଇନସ୍ୟୁରାନ୍ସ ପ୍ରଡକ୍ଟର ପଲିସି ସର୍ତ୍ତରେ ଚଳିତ ବର୍ଷ କୌଣସି ପରିବର୍ତ୍ତନ ହୋଇଛି କି?  ଆପଣ ନେଇଥିବା ହେଲ୍‌ଥ ପଲିସିର ହସ୍‌ପିଟାଲ ନେଟୱର୍କରେ ସାମିଲ ଥିବା ହସ୍ପିଟାଲ ସଂଖ୍ୟା କମିଛି କି?  ଏହି ସବୁ ପ୍ରଶ୍ନ ନିଜକୁ କରନ୍ତୁ। ଯଦି ଆପଣଙ୍କୁ ପର୍ଯ୍ୟାପ୍ତ କଭରେଜ୍ ମିଳୁନାହିଁ, ଆପଣଙ୍କୁ ଅଧିକ ପ୍ରିମିୟମ ଦେବାକୁ ପଡୁଛି କିମ୍ବା ସର୍ତ୍ତ ବଦଳିଛି ଅଥବା ହସ୍ପିଟାଲ ସଂଖ୍ୟା କମିଛି ତେବେ ତୁରନ୍ତ ବୀମାର ସମୀକ୍ଷା କରନ୍ତୁ। ଆବଶ୍ୟକତା ହେଲେ ନୂଆ ପଲିସି କିଣନ୍ତୁ କିମ୍ବା ହେଲ୍‌ଥ ଇନସ୍ୟୁରାନ୍ସ ହୋଇଥିଲେ ପଲିସିକୁ ପୋର୍ଟ କରନ୍ତୁ।

ଉପସଂହାର: ଆପଣଙ୍କ ବୀମା ଆବଶ୍ୟକତା ସବୁବେଳେ ସମାନ ନଥାଏ। ପରିସ୍ଥିତି ଓ ସମୟ ସହ ଏହା ବଦଳି ଥାଏ । ତେଣୁ ପ୍ରତିବର୍ଷ ଏହାର ସମୀକ୍ଷା କରନ୍ତୁ। କାରଣ ସମୟ ସହ ଆପଣଙ୍କ ଆୟ, ଦାୟିତ୍ୱ, ରିସ୍କ ଏକ୍ସପୋଜର ବଦଳିଥାଏ।